Stay Home: ଓଡ଼ିଶାରେ ଏବେ ୧୪ଟି ଜିଲ୍ଲାରେ କରୋନା ପାଇଁ ଲକଡାଉନ୍ ଜାରି: ଜାଣନ୍ତୁ କଣ ଏ ଲକଡାଉନ୍

ଏହି ଲକଡାଉନ୍ ସମୟରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତେ ନିଜ ନିଜ ଘରେ ରହିବେ । ଲକଡାଉନ ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ରହିବ । ଲୋକେ ସବୁ ଜରୁରୀ ସାମଗ୍ରୀ ଓ ସେବା ପୂର୍ବ ପରି ପାଇବେ ।

Stay Home: ଓଡ଼ିଶାରେ ଏବେ ୧୪ଟି ଜିଲ୍ଲାରେ କରୋନା ପାଇଁ ଲକଡାଉନ୍ ଜାରି: ଜାଣନ୍ତୁ କଣ ଏ ଲକଡାଉନ୍
ଭୁବନେଶ୍ୱରର ଏକ ରାସ୍ତାରେ ବାହାରକୁ ବାହାରିଥିବା ଜଣେ ଯୁବକକୁ ପୋଲିସ ଫେରାଇ ଦେଉଛନ୍ତି ।
  • News18 Odia
  • Last Updated: March 23, 2020, 11:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ପାଇଁ ଦେଶର ୧୩ଟି ରାଜ୍ୟରେ ପ୍ରାୟ ୮୫ଟି ଜିଲ୍ଲାରେ ଲକଡାଉନ୍‌ ଘୋଷିତ ହେଇଛି । ଓଡ଼ିଶାରେ ପୂର୍ବରୁ ୫ଟି ଜିଲ୍ଲାରେ ତାଲା ବନ୍ଦ ଘୋଷିତ ଥିବା ବେଳେ ମଙ୍ଗଳବାର (ମାର୍ଚ୍ଚ ୨୪) ଠାରୁ ଆଉ ୯ଟି ଜିଲ୍ଲାରେ ତାଲା ବନ୍ଦ (ଲକଡାଉନ୍‌) ଜାରି କରାଯାଇଛି । ମାର୍ଚ୍ଚ ୨୯ ଯାଏଁ ଜାର ରହିବ ଏହି ଲକଡାଉନ୍‌ । ତେବେ ଏ ଲକଡାଉନ୍‌ କଣ ଓ ଏହି ସମୟରେ ଆପଣ କଣ କରିବେ ଏବଂ କଣ୍ କରିବେ ନାହିଁ ସେ ନେଇ ଜାରି ହୋଇଛି ନୋଟିସ୍ । ଜାଣନ୍ତୁ ସେ ବିଷୟରେ ।

ସରକାରଙ୍କ ଦ୍ୱାରା ଜାରି ହୋଇଥିବା କଟକଣା ଅନୁସାରେ ଅତି ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତୁ ନାହିଁ । କାରଣ ଆପଣ ଘରୁ ବାହାରକୁ ବାହାରିଲେ ସଂକ୍ରମଣର ଶିକାର ହେବାର ସମ୍ଭାବନା ବଢ଼ିପାରେ । ତା’ଛଡ଼ା ଆପଣ ନିଜେ ଯଦି ଥଣ୍ଡା ବା କାଶରେ ପୀଡ଼ିତ ଓ ହୁଏତ ଆପଣଙ୍କୁ କରୋନା ଭାଇରସ୍‌ ସଂକ୍ରମଣ ଧରିଛି, ତାହେଲେ ଆପଣଙ୍କ ଠାରୁ ଅନ୍ୟମାନେ ବି ଏହି ସଂକ୍ରମଣ ପାଇବେ । ଏମିତି ଜଣେ ପରେ ଜଣେ ବ୍ୟକ୍ତି ସଂକ୍ରମିତ ହେଲେ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବହୁତ ଚାପ ପଡ଼ିବ, ଆଉ ଏମିତି କରିବା ଦେଶ ବିରୁଦ୍ଧରେ ଏକ ଅପରାଧ ହେବ । କଟକଣା ଉଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନାବେକୁ ନିର୍ଦ୍ଦେଶ ବି ରହିଛି ।

କରୋନା ଭାଇରସର ମୁକାବିଲା ପାଇଁ ଅଧା ଓଡ଼ିଶାରେ ତାଲା ବନ୍ଦ ଘୋଷଣା କରାଯାଇଛି । ସ୍ଥିତିକୁ ଦେଖି ଧୀରେ ଧୀରେ ବଢୁଛି ଲକଡାଉନ ଜିଲ୍ଲା ସଂଖ୍ୟା । ମଙ୍ଗଳବାର ଠାରୁ ରାଜ୍ୟରେ ମୋଟ ୧୪ଟି ଜିଲ୍ଲାରେ ଲକଡାଉନ ଲାଗୁ ହୋଇଛି । ପୂର୍ବରୁ ଯେଉଁ ୫ଟି ଜିଲ୍ଲାରେ ତାଲା ବନ୍ଦ ଥିଲା, ସେଗୁଡ଼ିକ ହେଲେ ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୁଳ । ମଙ୍ଗଳବାର ଠାରୁ ଆଉ ଯେଉଁ ୯ଟି ଜିଲ୍ଲା ଏହି ତାଲିକାରେ ଯୋଡ଼ିହେଲେ, ସେମାନେ ହେଲେ ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା । ଏହି ସବୁ ଜିଲ୍ଲାରେ ମାର୍ଚ୍ଚ ୨୯ ରାତି ୯ଟା ଯାଏ ତାଲା ବନ୍ଦ ରହିବ ।

ଏହି ଲକଡାଉନ୍‌ ସମୟରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତେ ନିଜ ନିଜ ଘରେ ରହିବେ । ଲକଡାଉନ ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ରହିବ । ଆନ୍ତଃରାଜ୍ୟ ଯାତ୍ରୀ ପରିବହନ ବ୍ୟବସ୍ଥା ୩୧ ତାରିଖ ଯାଏଁ ବନ୍ଦ ରହିବ। କେହି ରାଜ୍ୟ ବାହାରୁ ଆସିବେ ନାହିଁ କି ରାଜ୍ୟ ଭିତରର କୌଣସି ଲୋକ ବାହାରକୁ ଯିବେ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ନିହାତି ଦରକାର ନ ଥିଲେ ଘର ବାହାରକୁ କେହି ଯିବେ ନାହିଁ । ଘରୋଇ କମ୍ପାନିର କର୍ମଚାରୀମାନେ ଘରେ ଥାଇ କାମ କରିବେ। ନିୟମ ଉଲ୍ଲଂଘନ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

ପୋଲିସ ବିଭିନ୍ନ ଜାଗାରେ ବୁଲିବୁଲି ଲକଡାଉନ୍ ବିଷୟରେ ମାଇକରେ ଘୋଷଣା କରୁଛି ।


‘‘ଏହି ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଉପରେ କୌଣସି କଟକଣା ନାହିଁ । ଖାଦ୍ୟ ସାମଗ୍ରୀ ଓ ତେଜରାତି ଦୋକାନ, କ୍ଷୀର, ପାଉଁ ରୁଟି, ଫଳ, ଓ ପନିପରିବା ଦୋକାନ ସବୁ ଖୋଲା ରହିବ । ମାଛ, ମାଂସ, ଅଣ୍ଡା ବିକ୍ରି ଓ ପରିବହନ ସେବା ବନ୍ଦ ହେବ ନାହିଁ । ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ସିଲିଣ୍ଡର ସେବା ପୂର୍ବ ଜାରି ରହିବ । ବିଦ୍ୟୁତ୍‌, ଟେଲିଫୋନ୍‌, ଡାକ ସେବା ଅବ୍ୟାହତ ରହିବ । ବ୍ୟାଙ୍କ, ଏଟିଏମ୍‌ ସେବା ବନ୍ଦ ହେବ ନାହିଁ,’’ କହିଛନ୍ତି ରାଜ୍ୟ ସରକାର କରୋନା ପ୍ରତିହତ କରିବା ପାଇଁ ଗଠନ କରିଥିବା ସମିତିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଜଳ ଯୋଗାଣ ଓ ଅଗ୍ନିଶମ ସେବା ଉପରେ କୌଣସି କଟକଣା ନାହିଁ।  ଛାପା, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମ ସବୁ ଦିନ ଭଳି କାମ କରିବ। ଲୋକେ ଜରୁରୀ ସେବା ସବୁ ପୂର୍ବ ପରି ପାଇବେ । ଜରୁରୀ ସେବାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିଛନ୍ତି ସରକାର ।

କର୍ଫ୍ୟୁ ସମୟରେ ମାଲବାହୀ ଯାହାନ ବନ୍ଦ ରହିଥାଏ । ହେଲେ ଲକଡାଉନ ସମୟରେ ମାଲ ପରିବହନ ସେବା ଚାଲୁରହିବ । ଅନ୍ୟ ରାଜ୍ୟରୁ ମଧ୍ୟ ମାଲ ପରିବହନ ଟ୍ରକ୍‌ ଓ ମାଲ ଗାଡ଼ି (ଟ୍ରେନ୍‌) ଦ୍ୱାରା ଜାରି ରହିବ । ତେଣୁ ଲୋକେ ଆଶଙ୍କାରେ ରହିବାର କୌଣସି କାରଣ ନାହିଁ । କୌଣସି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅଭାବ ନାହିଁ ଓ ରହିବ ନାହିଁ ବୋଲି ସରକାର ସ୍ପଷ୍ଟ କହିଛନ୍ତି । ଲୋକେ ଯେପରି ଆବଶ୍ୟକ ସାମଗ୍ରୀ ପାଇବେ ସେଥି ପାଇଁ ମାଲବାହୀ ଯାନ ଚଳାଚଳ ପାଇଁ ମିନିଟରିଂ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର ।

ପନିପରିବା, କ୍ଷୀର, ମାଛ ଓ ଅଣ୍ଡା ପରି ସବୁ ଅତ୍ୟାବଶ୍ୟକ ସାମଗ୍ରୀ ପୂର୍ବ ପରି ମିଳିବ ବୋଲି ସରକାର କହିଛନ୍ତି ।


ବିଭିନ୍ନ ଜିଲ୍ଲା ଓ ସହରରେ ଲକଡାଉନ ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଉଛି । ହେଲେ ଜରୁରୀ କାମରେ ଆପଣ ବାହାରକୁ ଯିବାବେଳେ ପୋଲିସ ଓ ପ୍ରଶାସନକୁ କାରଣ ଦର୍ଶାଇବାକୁ ଓ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

ସରକାର ଲୋକଙ୍କୁ ଲକଡାଉନ୍ ନିୟମକୁ ମାନିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଲକଡାଉନ୍ ନିୟମ ନ ମାନିଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏପରିକି ଉଲ୍ଲଂଘନକାରୀଙ୍କୁ ଛଅ ମାସ ଜେଲ୍‌ ଦଣ୍ଡ ହୋଇପାରେ ଓ ହଜାରେ ଟଙ୍କା ଜରିମାନା ବି ଦେବାକୁ ପଡ଼ିପାରେ । ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ବିରୋଧରେ IPC ଦଫା ୧୮୮ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟ ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ଲକଡାଉନ୍ ନିୟମକୁ କିଛି ଲୋକ ମାନୁ ନ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଲକଡାଉନ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ସେ ପରାମର୍ଶ ଦେଇଛନ୍ତି । ଯେଉଁମାନେ ସରକାରଙ୍କ ଏହି ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
First published: March 23, 2020, 11:49 PM IST
corona virus btn
corona virus btn
Loading