କରୋନା ଭାଇରସ୍: ଆଗାମୀ ୧୪ ଦିନ ଯାଏ ସବୁ ସ୍କୁଲ ଉପରେ ରହିବ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନଜର

ସ୍କୁଲରେ କୌଣସି ପିଲା ଠାରେ ଜ୍ବର, କାଶ ବା ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରିବା ଭଳି କିଛି ସଙ୍କେତ ଦେଖାଗଲେ ତୁରନ୍ତ ତା’ର ଚିକିତ୍ସା ବ୍ୟବସ୍ଥା କରିବେ ସ୍କୁଲ କର୍ତ୍ତୃପକ୍ଷ ।

କରୋନା ଭାଇରସ୍: ଆଗାମୀ ୧୪ ଦିନ ଯାଏ ସବୁ ସ୍କୁଲ ଉପରେ ରହିବ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନଜର
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 8, 2020, 6:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର:  ମାରାତ୍ମକ ନୋଭେଲ୍‌ କରୋନା ଭାଇରସର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସତର୍କତା ଉଦ୍ୟମ ସ୍ବରୂପ ଆଗାମୀ ୧୪ ଦିନ ଯାଏ ରାଜ୍ୟର ସମସ୍ତ ସ୍କୁଲ ଉପରେ ରହିବ ସ୍ବାସ୍ଥ୍ୟ ବିଭାଗର ନଜର। ସ୍କୁଲରେ କୌଣସି ପିଲା ଠାରେ ଜ୍ବର, କାଶ ବା ନିଶ୍ବାସ ପ୍ରଶ୍ବାସରେ କଷ୍ଟର ଅଭିଯୋଗ ବା ସଙ୍କେତ ଦେଖାଗଲେ ତୁରନ୍ତ ଚ଼ିକିତ୍ସା ବ୍ୟବସ୍ଥା କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଜାତୀୟ ସ୍ବାସ୍ଥ୍ୟ ମିଶନର ରାଜ୍ୟ କାର୍ଯ୍ୟାଳୟରେ ନୋଭେଲ୍‌ କରୋନା ଭୂତାଣୁକୁ ନେଇ କେନ୍ଦ୍ର ସରକାରଙ୍କ ସହ ଭିଡିଓ କନଫରେନ୍ସିଂରେ ରାଜ୍ୟର  ପ୍ରସ୍ତୁତି ଓ ସଚେତନତା ବିଷୟରେ ଆଲୋଚନା ପରେ ଏଭଳି ସୂଚନା ଜାରୀ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ  ।

ସ୍କୁଲଗୁଡିକରେ ନୋଭେଲ୍‌ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରୀ ଆଡଭାଇଜାରି ଅନୁସାରେ ଆଗାମୀ ୧୪ ଦିନ ଯାଏ ରାଜ୍ୟର ସମସ୍ତ ସ୍କୁଲ ଉପରେ ସ୍ବାସ୍ଥ୍ୟ ବିଭାଗ ଅଧିକ ଗୁରୁତ୍ବ ଦେବ । ସ୍କୁଲରେ କୌଣସି ପିଲା ଠାରେ ଜ୍ବର, କାଶ ବା ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରିବା ଭଳି କିଛି ସଙ୍କେତ ଦେଖାଗଲେ ତୁରନ୍ତ ତା’ର ଚିକିତ୍ସା ବ୍ୟବସ୍ଥା କରିବେ ସ୍କୁଲ କର୍ତ୍ତୃପକ୍ଷ ।

ଛାତ୍ରଛାତ୍ରୀମାନେ ଯେଭଳି  କାଶିବା ଓ ଛିଙ୍କିବା ସମୟରେ ମୁହଁକୁ ରୁମାଲରେ ଢାଙ୍କନ୍ତି ଓ ହାତକୁ ଭଲଭାବେ ଧୋଇବାକୁ  ପ୍ରାଥମିକତା ଦିଅନ୍ତି ତାହା ଉପରେ ଗୁରୁତ୍ବ ଦେବେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ । ସ୍କୁଲରେ ପ୍ରତି ଦିନ ପ୍ରାର୍ଥନା କ୍ଲାସରେ ଏ ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାଚ୍ରଛାତ୍ରୀଙ୍କୁ ଅବଗତ କରାଇବେ । ପୁରା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ ବିଇଓ ଓ ଡିଇଓମାନେ ।

କରୋନା ଭୂତାଣୁକୁ ନେଇ କେନ୍ଦ୍ର ସରକାରଙ୍କ ସହ ଭିଡିଓ କନଫରେନ୍ସିଂ


‘‘ରାଜ୍ୟରେ ନୋଭେଲ୍‌ କରୋନା ଭୂତାଣୁ ସଂକ୍ରମଣ ନେଇ କେନ୍ଦ୍ର ସରକାର ଭିଡିଓ କନଫରେନ୍ସିଂରେ ରାଜ୍ୟର ପ୍ରସ୍ତୁତି ଓ ସଚେତନତାର ସମୀକ୍ଷା କରିଛନ୍ତି । ସମୀକ୍ଷାରେ ରାଜ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଂକ୍ରମଣରୁ ରୋକିବା ଉପରେ ଗୁରୁତ୍ବ ଦିଆଯାଇଛି । ତେଣୁ ରାଜ୍ୟ ଜନ ସ୍ବାସ୍ଥ୍ୟ ବିଭାଗ ସ୍କୁଲ ସ୍ତରରେ ସଂକ୍ରମଣ ରୋକିବା ଉପରେ ଗୁରୁତ୍ବ ଦେଇଛି,’’ କହିଛନ୍ତି ରାଜ୍ୟ ଜନ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ଅଜିତ୍‌ ମହାନ୍ତି ।

ଡିଏମଇଟି ନିର୍ଦ୍ଦେଶକ ଡଃ ସି.ବି.କେ. ମହାନ୍ତି କହିଛନ୍ତି: ‘‘ରାଜ୍ୟରୁ  କେନ୍ଦ୍ରକୁ ପରୀକ୍ଷା ପାଇଁ ପଠାଯାଇଥିବା ମୋଟ୍‌ ୩୬ଟି ନମୂନାରୁ ୫ ଜଣଙ୍କର ନେଗେଟିଭ ଆସିଥିବା ବେଳେ ଦୁଇ ଜଣ ଅବଜରଭେସନରେ ରହିଛନ୍ତି। ବାକି ୨୯ ଜଣଙ୍କର ବିଦେଶ ଗସ୍ତ ସୂଚୀ ଆଧାରରେ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ବିଭାଗ । ଯେହେତୁ ସେମାନେ ବିଦେଶ ଗସ୍ତରେ ଅର୍ଥାତ ପ୍ରଭାବିତ ଅଞ୍ଚଳରୁ ଆସିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ଉପରେ ବିଭାଗ ନଜର ରଖିଛି’’ ।

ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌.ଏଚ୍‌.ଏମ୍‌.) ରେ କରୋନା ଭାଇରସକୁ ନେଇ ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର ସ୍ଥିତି ସମୀକ୍ଷା କରିଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦାନ । ସମୀକ୍ଷା ପରେ ପରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ ହରପ୍ରସାଦ ପଟ୍ଟନାୟକ କହିଛନ୍ତି: ‘‘ରାଜ୍ୟର ପ୍ରସ୍ତୁତି ଉପରେ ସନ୍ତେଷ ବ୍ୟକ୍ତ କରିଛନ୍ତି କେନ୍ଦ୍ରୀୟ ଟିମ୍‌ । ଏଥି ପାଇଁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଜାରି କରାଯିବା ସହିତ କରୋନାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ ବୋଲି କୁହାଯାଇଛି ।  ସତର୍କତା ସ୍ବରୂପ ଵିମାନ ବନ୍ଦର ଓ ଜାହାଜ ବନ୍ଦର ଆଦି ସ୍ଥାନରେ ବିଦେଶରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି ।’’

ଭୁବନେଶ୍ବରସ୍ଥିତ କ୍ଷେତ୍ରୀୟ ମେଡିକାଲ୍‌ ଗବେଷଣା କେନ୍ଦ୍ର (ଆର୍‌.ଏମ୍‌. ଆର୍‌.ସି.) ଭୂତାଣୁ ପରୀକ୍ଷା କରିପାରିବ କି ନା, ସେ ନେଇ କେନ୍ଦ୍ରକୁ ଅନୁମତି ମଗାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି ।
First published: February 8, 2020, 6:08 PM IST
corona virus btn
corona virus btn
Loading