କରୋନା ସତର୍କତା: ଆଜି ଠାରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ

ଭକ୍ତମାନଙ୍କୁ ଶ୍ରୀଜଗନ୍ନାଥ ଦର୍ଶନ ମନା କରିବା ଶ୍ରୀମନ୍ଦିର ଇତିହାସରେ ଏକ ବିରଳ ଘଟଣା । ତେବେ କଳାପାହାଡ଼ ଆକ୍ରମଣ ସମୟରେ ଦୀର୍ଘ ଦୀନ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଶ୍ରୀମନ୍ଦିର ଓ ସିଂହଦ୍ୱାର । ଏବେ କରୋନା ଭାଇରସକୁ ନେଇ ଦର୍ଶନ ବାରଣ କରାଯାଇଛି ।

କରୋନା ସତର୍କତା: ଆଜି ଠାରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର
  • News18 Odia
  • Last Updated: March 20, 2020, 1:06 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କରୋନା ଭାଇରସକୁ ନେଇ ଚାଲିଥିବା ସତର୍କତାମୂଳକ ପଦକ୍ଷେପ ରୂପେ ଆଜି (ମାର୍ଚ୍ଚ ୨୦) ଠାରୁ ଏପ୍ରିଲ ୧ ଯାଏଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଏ ଭଳି ଭକ୍ତଙ୍କ ପ୍ରବେଶ ବନ୍ଦ ହେବା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା ।

ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ବନ୍ଦ ରହୁଥିବା ଅବଧିରେ ସେବାୟତମାନେ ମହାପ୍ରଭୁଙ୍କର ନୀତିକାନ୍ତି ନିୟମପୂର୍ବକ କରିବେ । ଏହି ନିଷ୍ପତ୍ତିକୁ ଉଭୟ ଶ୍ରଦ୍ଧାଳୁ ଏବଂ ସେବାୟତ ପ୍ରଶଂସା କରିଛନ୍ତି ।

‘‘ମାର୍ଚ୍ଚ ୨୦ ଠାରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଏହି ୧୪ ଦିନ ପାଇଁ ଶ୍ରୀଜଗନ୍ନାଥ ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ଓ ପ୍ରବେଶ ବନ୍ଦ କରାଯାଇଛି । ପ୍ରଭୁଙ୍କର ନୀତିକାନ୍ତି ଓ ପରମ୍ପରା ଅନୁଯାୟୀ ସେବାୟତମାନଙ୍କର କାର୍ଯ୍ୟ ଯଥା ରୀତି ଚାଲିବ,’’ କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ।

କରୋନା ଭାଇରସର ସଂକ୍ରମଣ ରୋକିବାକୁ ଓ ସଚେତନତା ସୃଷ୍ଟି କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ବିଜ୍ଞପ୍ତି ଜାରି କରି କହିଛି । ପାଳିଆ ସେବାୟତମାନେ ମନ୍ଦିରକୁ ଭିତରକୁ ଯାଇ ନୀତି ସମ୍ପାଦନ କରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ରାମଚନ୍ଦ୍ର ଦାଶ ମହାପାତ୍ର ।

ମହାପ୍ରଭୁଙ୍କୁ କେବଳ କୋଠ ଭୋଗ ଦିଆଯିବ, ଯାହା ସକାଳ, ମଧ୍ୟାହ୍ନ ଧୁପ ଓ ସନ୍ଧ୍ୟା ଧୁପରେ ଭୋଗ ହେବ । କୋଠ ଭୋଗ ସୁଆର ରାନ୍ଧିବାକୁ ଥିବା ବେଳେ ମହାପ୍ରସାଦ ବି ବନ୍ଦ ରହିବ ।  ଭକ୍ତ ଓ ସେବାୟତଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଭକ୍ତମାନଙ୍କୁ ଶ୍ରୀଜଗନ୍ନାଥ ଦର୍ଶନ ମନା କରିବା ଶ୍ରୀମନ୍ଦିର ଇତିହାସରେ ଏକ ବିରଳ ଘଟଣା । ତେବେ କଳାପାହାଡ ଆକ୍ରମଣ ସମୟରେ ଦୀର୍ଘ ଦୀନ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଶ୍ରୀମନ୍ଦିର ଓ ସିଂହଦ୍ୱାର । ଏବେ କରୋନା ଭାଇରସକୁ ନେଇ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବାରଣ କରାଯାଇଛି । ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଶ୍ରଦ୍ଧାଳୁମାନେ ।

‘‘ପୁରୀ ଏକ ଅନ୍ତର୍ଜାତିୟ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ଏଠିକି ସାରା ପୃଥିବୀରୁ ଲୋକେ ଆସୁଛନ୍ତି । ତେଣୁ କରୋନା ମହାମାରୀ ସେମାନଙ୍କ ସହିତ ଏଠିକି ଆସିବା ସ୍ୱାଭାବିକ କଥା । ସେଇଥି ପାଇଁ ଏହି ମହାମାରୀ ସମୟରେ ସମସ୍ତେ ସହଯୋଗ ଓ ସମର୍ଥନ କରିବା ଉଚିତ,’’ କହିଛନ୍ତି ଶ୍ରଦ୍ଧାଳୁ ‌ସନ୍ତୋଷ ମଲ୍ଲିକ ।

ଏହା ପୂର୍ବରୁ କରୋନା ଭାଇରସ ଯୋଗୁଁ ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଲାଗିଥିଲା କଟକଣା । ବେଳାଭୂମିକୁ ‘ନୋ ଟୁରିଷ୍ଟ ଜୋନ୍‌’ ଘୋଷଣା କରାଯାଇଥିଲା । ଏହା ପରେ ସଚେତନତାର ସୂଚ଼ନା ସହ ଶ୍ରଦ୍ଧାଳୁମାନେ କେମିତି ମହାପ୍ରଭୁଙ୍କ ଦର୍ଶନ କରିବେ ତା’ର ବ୍ୟବସ୍ଥା କରିଥିଲା ଶ୍ରୀମନ୍ଦିର ପ୍ରଶାସନ ।
First published: March 20, 2020, 1:06 AM IST