ଦୁଇ ମାସ ବନ୍ଦ ରହିବା ପରେ ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର୍ ଉନ୍ନୟନ କାର୍ଯ୍ୟ ଆରମ୍ଭ ହେଲା

ପୁରୀରେ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀରର ୭୫ ମିଟର ମଧ୍ୟରେ ୫ଟି ମୌଜାରୁ ୧୫ ଏକର ୧୨ ଡିସିମିଲ ଜାଗା ଖାଲି କରାଯିବ। ବର୍ତ୍ତମାନ ସୁଦ୍ଧା ୯୫% ଜାଗା ଅଧିଗ୍ରହଣ ସରିଛି ।

ଦୁଇ ମାସ ବନ୍ଦ ରହିବା ପରେ ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର୍ ଉନ୍ନୟନ କାର୍ଯ୍ୟ ଆରମ୍ଭ ହେଲା
ପୁରୀରେ ଶ୍ରୀମନ୍ଦିର ଆଖପାଖରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟକୁ ଦେଖୁଛନ୍ତି ଜଣେ ସାଧୁ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କରୋନାକୁ ନେଇ ବନ୍ଦ ରହିଥିବା ଶ୍ରୀମନ୍ଦିର ଐତିହ୍ୟ କରିଡର (Sri Jagannath Heritage Corridor)ର ଉନ୍ନତିକରଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଯାଇଛି । ଶ୍ରୀମନ୍ଦିର ଉତ୍ତର ଦ୍ୱାର ପଟେ ଥିବା ଉତ୍ତରପାର୍ଶ୍ୱ ମଠର ବ୍ୟାବସାୟିକ ପ୍ରତିଷ୍ଠାନ ପଟୁ ଉଚ୍ଛେଦ ଆରମ୍ଭ ହୋଇଛି  । ଜୁନ ୫ରେ ସ୍ନାନ ପୂର୍ଣ୍ଣିମା ରହୁଥିବାରୁ ଉଚ୍ଛେଦ ପରେ ତୁରନ୍ତ ଭଗ୍ନାବଶେଷ ସବୁକୁ ଉଠାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ।

ଉତ୍ତରପାର୍ଶ୍ୱ ମଠର ଅଢ଼େଇ ଏକର ଜମିରୁ ୬୦ ଡିସିମିଲ ଜମି ଛାଡ଼ି ଆଉ ସବୁକୁ ଉଚ୍ଛେଦ କରାଯାଉଛି  । ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଛେଦକୁ ନେଇ କ୍ଷତିପୂରଣ ରହିଥିବା ବେଳେ ତାହା ସଠିକ ଭାବେ ପାଳନ କରାଯାଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମଠର ମଠାଧୀଶ । ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀରର ୭୫ ମିଟର ମଧ୍ୟରେ ପାଞ୍ଚଟି ମୌଜାରୁ ୧୫ ଏକର ୧୨ ଡିସିମିଲ ଜାଗା ଖାଲି କରାଯିବ। ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ଜାଗା ପ୍ରଶାସନ ପକ୍ଷରୁ ଅଧିଗ୍ରହଣ କରାଯାଇଛି । ପୁଣି ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ ପାଇଁ ଜାନୁଆରୀ ୧୬ରେ ମୁଖ୍ୟ ମନ୍ତ୍ରୀ ପୁରୀରେ ସାତଟି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ତାହାର କାର୍ଯ୍ୟ ଧାର୍ଯ୍ୟ ଅବଧି ପୂର୍ବରୁ ସରିବ ବୋଲି ଲକ୍ଷ୍ୟ ରଖିଛି ଓଡିଶା ସେତୁ ନିର୍ମାଣ ନିଗମ ।

କରୋନା ଲକଡାଉନକୁ ନେଇ ଦୀର୍ଘ ଦୁଇ ମାସ ହେବ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଶୁକ୍ରବାର ଦିନ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁଣି ଆରମ୍ଭ କରାଯାଇଛି କାର୍ଯ୍ୟ । ‘‘ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପଟେ  ଉତ୍ତରପାର୍ଶ୍ୱ ମଠର ବ୍ୟାବସାୟିକ ପ୍ରତିଷ୍ଠାନ ଉଚ୍ଛେଦ କରାଯାଇଛି । ମଠର ଅଢ଼େଇ ଏକର ଜମିରୁ ୬୦ ଡିସିମିଲ ଜମିରେ ଠାକୁରଙ୍କ ମନ୍ଦିର, ଗାଦି ଘର ଓ ମଠର ଆସ୍ଥାନ ଆଦିକୁ ଛାଡ଼ି ସବୁ ଭଙ୍ଗା ଯାଇଛି  । ତା’ ସହ ଦୋଳବେଦୀ କୋଣ ନିକଟରେ ଥିବା ସାନ ଛତା ମଠର ବାକି ଅଂଶକୁ ମଧ୍ୟ ଉଚ୍ଛେଦ କରାଯାଇଛି । ଦକ୍ଷିଣ ଦ୍ୱାର, ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ପଟେ ନଳା ଭାଙ୍ଗିଯାଇଥିବାରୁ ତା’ର ମରାମତି କରାଯାଉଛି  । ହେଲେ ପୂର୍ବରୁ ଉଚ୍ଛେଦ ହୋଇଥିବା କୋଠାଗୁଡ଼ିକର ଭଗ୍ନାବଶେଷ ପଡ଼ି ରହିଥିବାରୁ ସେଗୁଡିକୁ ପାଞ୍ଚ ଦିନ ଭିତରେ ଉଠା ଯିବା ପାଇଁ ବ୍ୟବସ୍ଥା ହୋଇଛି,’’ କହିଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ।

ଉଚ୍ଛେଦ ପରେ ପଡ଼ି ରହିଥିବା ଭଗ୍ନାବଶେଷକୁ ପାଞ୍ଚ ଦିନ ଭିତରେ ଉଠା ଯିବା ପାଇଁ ବ୍ୟବସ୍ଥା ହୋଇଛି ।


‘‘ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀରର ୭୫ ମିଟର ମଧ୍ୟରୁ ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ। ଉଛେଦ ପରିସୀମା ମଧ୍ୟରେ ରହିଛି ୧୮୫ଟି ବ୍ୟକ୍ତିଗତ କୋଠା, ୧୮ଟି ମଠ, ୨ଟି ଆଶ୍ରମ, ୧୨ଟି ଦେବାଦେବୀ ମନ୍ଦିର ଓ ୨୫ଟି ଲଜିଂ । ୧୮ଟି ମଠ ମଧ୍ୟରୁ ୧୪ଟିରୁ ଉର୍ଦ୍ଧ ମଠ ଉଚ୍ଛେଦ ସରିଯାଇଥିବା ବେଳେ ଅବଶିଷ୍ଟ ମଠର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଉଚ୍ଛେଦ ସରିଥିବା ମଠଗୁଡ଼ିକ ମଧ୍ୟରେ ଏମାରମଠ, ମଙ୍ଗୁମଠ, ସାନଛତା ମଠ, ଲଙ୍ଗୁଳି ମଠ, ଦକ୍ଷିଣପାର୍ଶ୍ୱ ମଠ ଓ ରେବେଶା ମଠ ଆଦି ରହିଛି । ଅନେକ ବ୍ୟକ୍ତିଗତ ପ୍ଲଟ ମଧ୍ୟରୁ ଅଧିକାଂଶ ପ୍ଲଟରୁ ଉଚ୍ଛେଦ ସରିଯାଇଛି। କିଛି କୋର୍ଟ କଚେରୀ ମାମଲା ଓ ଜମି ନ ଦେବା ପାଇଁ ଜିଦ୍ ଯୋଗୁଁ ଜମି ଅଧିଗ୍ରହଣରେ ବାଧା ଉପୁଜିଛି  । ହେଲେ ବର୍ତ୍ତମାନ ଉଛେଦ ପ୍ରକ୍ରିୟାରେ ଉତ୍ତରପାର୍ଶ୍ୱ ମଠର  ଅବଶିଷ୍ଟାଂଶ ଓ ଲକ୍ଷ୍ମୀ ବଜାର ପଟରେ ଥିବା ମଠର ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ ହୋଇଛି,’’ କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ତଥା ଉଛେଦ ପାଇଁ ନିଯୁକ୍ତ ସ୍ୱତନ୍ତ୍ର ଅଧିକାରୀ ବିନୟ କୁମାର ଦାଶ ।

ଉଚ୍ଛେଦ ପ୍ରକ୍ରିୟା ପାଇଁ ଦୁଇଟି ଜେସିବି ମେସିନ କାମରେ ଲାଗିଛି । ଜଣେ ମାଜିଷ୍ଟ୍ରେଟଙ୍କ ସହ ଦୁଇ ପ୍ଲାଟୁନ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଉଛେଦ ପ୍ରକ୍ରିୟା ରଥ ଯାତ୍ରା ପର୍ଯ୍ୟନ୍ତ ଅର୍ଥାତ ଜୁନ ୨୨ ପର୍ଯ୍ୟନ୍ତ ଚାଲିବ ।

‘‘ଶ୍ରୀମନ୍ଦିର ସହ ମଠ ପରମ୍ପରା ଅଙ୍ଗାଙ୍ଗୀଭାବେ ଜଡିତ । ପୁଣି ମଠଗୁଡିକ ପ୍ରାୟ ପଞ୍ଚଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ସାଧୁସନ୍ଥ ଓ ବିଦ୍ୟାର୍ଥୀମାନେ ଏଠାରେ ରହି ଅଧ୍ୟୟନ କରୁଥିଲେ । ଉତ୍ତରପାର୍ଶ୍ୱ ମଠର ଅଢେଇ ଏକର ଜମି ରହିଥିବା ବେଳେ ସେଥିରୁ କେବଳ ଉଚ୍ଛେଦ ପରେ ୬୦ ଡିସିମିଲ ଜମି ବଳୁଛି । ବାକି ଜମିରେ ମଠର ଠାକୁରଙ୍କ ମନ୍ଦିର, ଗାଦି ଘର, ମଠର ଆସ୍ଥାନ ରହିବ । ହେଲେ ବିନା ବ୍ୟାବସାୟିକ ପ୍ରତିଷ୍ଠାନରେ ମଠ କିଭଳି ଚାଲିବ? ପୁଣି ସରକାରଙ୍କ ଥଇଥାନ ନିୟମରେ କ୍ଷତିପୂରଣ ମଧ୍ୟ ସଠିକ ଭାବେ ଦିଆଯାଇ ନ ଥିବାରୁ ମଠାଧୀଶମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମୁଖ୍ୟ ମନ୍ତ୍ରୀଙ୍କ କଥାରେ ଆମେ ତ୍ୟାଗ କଲୁ, ହେଲେ ମଠ ପରମ୍ପରା ବଞ୍ଚାଇରଖିବା ପାଇଁ ସେ କ’ଣ କରୁଛନ୍ତି ତାହାକୁ ଆମେ ଅପେକ୍ଷା କରିଛୁ,’’ କହିଛନ୍ତି ଉତ୍ତରପାର୍ଶ୍ୱ ମଠର ମଠାଧୀଶ ମହନ୍ତ ନାରାୟଣ ରାମାନୁଜ ଦାଶ ।

ଶ୍ରୀମନ୍ଦିର ଐତିହ୍ୟ କରିଡରର ନକ୍ସା


ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ ପାଇଁ ଜାନୁଆରୀ ୧୬ରେ ସାତଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟ ମନ୍ତ୍ରୀ  ନବୀନ ପଟ୍ଟନାୟକ । ଏଥିରେ ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ଯାତ୍ରୀ ସେବା କେନ୍ଦ୍ର, ସ୍ୱର୍ଗଦ୍ୱାର ଶ୍ମଶାନ ଘାଟ ସୌନ୍ଦର୍ଯ୍ୟକରଣ, ଜେଲ ରୋଡରେ ବହୁତଳ ପାର୍କିଂ, ସମୁଦ୍ର ବେଳାଭୂମିରେ ଭେଣ୍ଡିଂ ଜୋନ, ମାର୍କେଟ ଛକରେ ପୌରସଂସ୍ଥା ମାର୍କେଟରେ ବହୁମୁଖୀ କଂପ୍ଲେକ୍ସ ଆଦିର ନିର୍ମାଣ କାମ ରହିଛି । ତନ୍ମଧ୍ୟରୁ ଶ୍ରୀସେତୁ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା କରାଯାଇଥିବା ବେଳେ ମାର୍କେଟ ଛକରେ ପୌରସଂସ୍ଥା ମାର୍କଟରେ ବହୁମୁଖୀ କଂପ୍ଲେକ୍ସର କାମ ଆରମ୍ଭ ହୋଇଛି । ସ୍ୱର୍ଗଦ୍ୱାର ଶ୍ମଶାନ ଘାଟ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଆରମ୍ଭ ହୋଇଛି  ।

‘‘ବାକି ରହିଥିବା ଚାରିଟି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା କରାଯାଇଥିବା ବେଳେ ପ୍ରକଳ୍ପ ଶେଷର ଅବଧି ଅନୁସାରେ କାର୍ଯ୍ୟ କରାଯାଉଛି । ଶ୍ରୀମନ୍ଦିରର ୭୫ ମିଟର ଐତିହ୍ୟ କରିଡରର ବିକାଶର ଡିଜାଇନ କରାଯାଇଛି । ତା’ର ଚୂଡ଼ାନ୍ତ ଡିଜାଇନ ଆସିବା ପରେ ସେହି ଅନୁସାରେ କାର୍ଯ୍ୟ କରାଯିବ,’’ କହିଛନ୍ତି ରାଜ୍ୟ ସେତୁ ନିର୍ମାଣ ନିଗମର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଭାତ ପାଣିଗ୍ରାହୀ ।

ଏହା ବି ପଢ଼ନ୍ତୁ: 

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’


ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ

First published: May 30, 2020, 9:49 PM IST
corona virus btn
corona virus btn
Loading