ଲକଡାଉନରେ କ୍ରୀଡ଼ାବିତ ମାଆ-ଝିଅ ବଗିଚା ବନେଇବା ଓ ବହି ପଢ଼ିବାରେ ସମୟ ବିତାଉଛନ୍ତି

ଗେଲ୍ ଇଣ୍ଡିଆ ଚୟନକର୍ତ୍ତା ଅଲିମ୍ପିଆନ ଅନୁରାଧା ଓ ସଟପୁଟରେ ରାଜ୍ୟ ରେକର୍ଡଧାରୀ ତାଙ୍କ ଝିଅ ଅଂଶିକା ଏବେ ଫିଟନେସ୍ ଅଭ୍ୟାସ ସହ ନିଜ ଅଭିଳାଷାକୁ ପୂରଣ କରିବା ପାଇଁ ସମୟ ପାଉଛନ୍ତି ।

ଲକଡାଉନରେ କ୍ରୀଡ଼ାବିତ ମାଆ-ଝିଅ ବଗିଚା ବନେଇବା ଓ ବହି ପଢ଼ିବାରେ ସମୟ ବିତାଉଛନ୍ତି
ଅଲିମ୍ପିଆନ ଅନୁରାଧା (ବାମ) ଓ ତାଙ୍କ ଝିଅ ଅଂଶିକା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଟ୍ରାକ ଓ ଫିଲଡ଼ ନୁହେଁ, ଏବେ ଘରର ଚାରି କାନ୍ଥ ଭିତରେ ବିତୁଛି ସମୟ । ଲକଡ଼ାଉନ ପାଇଁ ସମସ୍ତେ ଏବେ ନିଜ ନିଜ ଘରେ । କରୋନା ଭାଇରସ ସଂକ୍ରମଣ କାରଣରୁ ଏବେ ଖେଳ ସମ୍ଭବ ନ ଥିବାରୁ ପ୍ରାକ୍ଟିସ ଉପରେ ବିଶେଷ ଫୋକସ କରିପାରୁନାହାନ୍ତି କ୍ରୀଡ଼ାବିତମାନେ । ଯେଉଁମାନେ ଘରେ ରହୁଛନ୍ତି ପରିବାର ସହ ସମୟ ବିତାଇବାରେ ସୁଯୋଗ ପାଇଛନ୍ତି । ପୂର୍ବରୁ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ଖେଳ ବ୍ୟତୀତ ଅନ୍ୟ କୌଣସି ଇଚ୍ଛା ପୂରଣ ହୋଇପାରୁ ନ ଥିଲା । କିନ୍ତୁ ଏବେ ଲକଡ଼ାଉନ ଥିବାରୁ ଫିଟନେସ ଅଭ୍ୟାସ ସହ ନିଜ ଅଭିଳାଷାକୁ ମଧ୍ୟ ପୂରଣ କରିବା ପାଇଁ ସମୟ ପାଉଛନ୍ତି । ଏପରି କିଛି କରି ଏବେ ସମୟ ଅତିବାହିତ କରୁଛନ୍ତି ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ଓ ସଟପୁଟରେ ରାଜ୍ୟ ରେକର୍ଡଧାରୀ ତାଙ୍କ ଝିଅ ଅଂଶିକା ।

ଗେଲ ଇଣ୍ଡିଆ ଚୟନକର୍ତ୍ତା ଅଲିମ୍ପିଆନ ଅନୁରାଧାଙ୍କ ବ୍ୟସ୍ତବହୁଳ ସମୟ ଭିତରେ ନିଜ ପାଇଁ ସମୟ ପାଉନଥିଲେ । ଅଫିସ, ପିଲାଙ୍କ ପାଠପଢା, ପରିବାର.... ଏ ସବୁ ଭିତରେ ସବୁ ବେଳେ ସେ ବ୍ୟସ୍ତ ରହୁଥିଲେ । ହେଲେ ଲକଡ଼ାଉନ ଅବସରରେ ନିଜ ଇଚ୍ଛା ପୂରଣ କରିବା ପାଇଁ ଢେର୍‌ ସମୟ ମିଳୁଛି ବୋଲି କହିଛନ୍ତି ଅନୁରାଧା । ଗଛ ଲଗାଇବା ତାଙ୍କ ସଉକ। ଏବେ ଅଧିକାଂଶ ସମୟ ବିତୁଛି ବଗିଚାରେ ।

‘‘କାର୍ଯ୍ୟବ୍ୟସ୍ତତା ଯୋଗୁଁ ପୂରା ପରିବାର ଏକାଠି ହେବାର ସୁଯୋଗ ମିଳେନି । ଏବେ କିନ୍ତୁ ଏକାଠି ସମୟ ବିତାଇବାର ସୁଯୋଗ ଢେର୍‌ । ସେଥି ପାଇଁ ମିଶିକି ଖାଇବା, ବସିବା ସହ ନୂଆ ନୂଆ ମୁଭି ଦେଖୁଛୁ । ବଡ କଥା ହେଲା ପୁଅକୁ ପେଣ୍ଟିଂ ଶିଖାଇବାରେ ଲାଗିପଡିଛି ମୁଁ,’’ କହିଛନ୍ତି ଅନୁରାଧା । ଲକଡ଼ାଉନ ସମୟରେ ବୋର୍‌ ନ ହୋଇ ପୂରା ସମୟର ସଦୁପଯୋଗ କରୁଛନ୍ତି ବୋଲି କହିଛନ୍ତି ସେ । ଏ ସବୁରୁ ସମୟ ବଳିଲେ ବିଭିନ୍ନ ବହି ପଢ଼ନ୍ତି ସେ ।

ଅଂଶିକା ଓ ମାଆ ଅନୁରାଧା ଫିଟନେସ୍ ଅଭ୍ୟାସ କରୁଛନ୍ତି ।


ସଟପୁଟରେ ରାଜ୍ୟ ରେକର୍ଡଧାରୀ ତାଙ୍କ ଝିଅ ଅଂଶିକା ମଧ୍ୟ କ୍ରୀଡା ଓ ପାଠପଢ଼ାରୁ ଏବେ ସମୟ ପାଇଛନ୍ତି । କରୋନା ସଂକ୍ରମଣ ପାଇଁ ଏବେ ସମସ୍ତ କ୍ରୀଡା ପ୍ରତିଯୋଗିତା ସ୍ଥଗିତ ରହିଛି । ସେପ୍ଟେମ୍ବରରୁ ବିଭିନ୍ନ ଜାତୀୟ ପ୍ରତିଯୋଗିତା ଆରମ୍ଭ ହେବାର ଥିଲା । କିନ୍ତୁ ସବୁ କିଛି ଏବେ ସ୍ଥଗିତ । ତଥାପି ନିଜକୁ ଫିଟ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି ଅଂଶିକା । ପାଖ ପଡ଼ିଆରେ ଏକାକୀ ଅଭ୍ୟାସ ଚଳାଇଛନ୍ତି । ମାଆ ଅନୁରାଧା ମଧ୍ୟ ତାଙ୍କୁ ସହାୟତା କରୁଛନ୍ତି ଅଭ୍ୟାସରେ।

ପୂରା ପରିବାର ସହ ଅଲିମ୍ପିଆନ୍ ଅନୁରାଧା


ସି.ବି.ଏସ.ଇ. ଜାତୀୟ ଆଥଲେଟିକ ମିଟ ସଟପୁଟରେ ନୂଆ ରେକର୍ଡ ରହିଛି ଅଂଶିକଙ୍କ ନାଁ ରେ । ସେହିପରି ସି.ବି.ଏସ.ଇ. କ୍ଲଷ୍ଟର ଆଥଲେଟିକ ଚାମ୍ପିଅନସିପରେ ୧୨.୬୫ ମିଟର ଥ୍ରୋ କରିଥିଲେ ସେ, ଯାହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ ଥିଲା। ଏଥି ସହ ରାଜ୍ୟ ରେକର୍ଡ଼ ମଧ୍ୟ ନିଜ ନାଁ ରେ କରିଛନ୍ତି ଅଂଶିକା । ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବା ସହ ଏକାଧିକ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ । ଏଥି ପାଇଁ ଲକଡ଼ାଉନ ବେଳେ ନିଜେ ନିଜେ ଅଭ୍ୟାସ ଚଳାଇଛନ୍ତି । ତା’ ସହ ବାପା ମାଆ ଓ ସାନ ଭାଇ ସହ ସମୟ ବିତାଉଛନ୍ତି ଅଂଶିକା ।

‘‘ସ୍କୁଲ, ପାଠପଢା ଓ ଖେଳ ଅଭ୍ୟାସ ଭିତରେ ସବୁ ସମୟ ଚାଲିଯାଏ । ବାପା ମାଆ କି ସାନ ଭାଇ ସହ ଖେଳିବାର ସୁଯୋଗ ପାଏନି । ହେଲେ ଏବେ ସେ ସମୟକୁ ହାତଛଡା କରୁ ନାହିଁ,’’ କହିଛନ୍ତି ଅଂଶିକା ।
First published: May 5, 2020, 6:43 PM IST
corona virus btn
corona virus btn
Loading