News18 Odia Digital
ଭୁବନେଶ୍ୱର: ଭୁବନେଶ୍ୱର ନଗର ନିଗମ (ବି.ଏମ୍.ସି.) ଅଞ୍ଚଳରେ ରହୁଥିବା କୌଣସି ଲୋକ ଯେମିତି କରୋନା ଟିକା ପାଇବାରୁ ବଞ୍ଚିତ ହେବେ ନାହିଁ ସେଥି ପାଇଁ ବି.ଏମ୍.ସି. ପକ୍ଷରୁ ନୂଆ ନୂଆ ପଦକ୍ଷେପ ନିଆଯାଉଛି । ବରିଷ୍ଠ ନାଗରିକମାନଙ୍କ ପରେ ଏବେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବି.ଏମ୍.ସି.।
ଭୁବନେଶ୍ୱରକୁ ଛାଡି଼ ରାଜ୍ୟର ଅନ୍ୟ ସବୁ ସ୍ଥାନରେ କୋଭିସିଲଡ଼ ଟିକା ଦିଆଯାଉଛି । ଭୁବନେଶ୍ୱରରେ କେବଳ କୋଭାକ୍ସିନ ଟିକା ଦିଆଯାଉଛି । ରାଜ୍ୟରେ କୋଭିସିଲଡ଼ ଟିକାର ଯଦିଓ ଅଭାବ ରହିଛି, ହେଲେ କୋଭାକ୍ସିନର ଆଦୌ ଅଭାବ ନାହିଁ । ରାଜଧାନୀରେ ସବୁ ବର୍ଗର ଲୋକଙ୍କୁ ଟିକାକରଣ ଅଭିଯାନରେ ସାମିଲ କରିବାକୁ ବି.ଏମ୍.ସି. ପକ୍ଷରୁ ପଦକ୍ଷେପ ନିଆଯାଉଛି । ବସ୍ତି ଲୋକଙ୍କ ପାଇଁ ସ୍ୱତନ୍ତ୍ର ଟୋକନ୍ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ଡ୍ରାଇଭ୍-ଇନ୍ ଓ ଭ୍ୟାକ୍ସିନ ଆଟ୍ ଡୋର୍-ଷ୍ଟେପ୍ ବ୍ୟବସ୍ଥା କରାଯାଇଛି । ତେବେ ଭିନ୍ନକ୍ଷମ ଓ ଦୃଷ୍ଟି ବାଧିତ ଲୋକଙ୍କ ପାଇଁ ଅନଲାଇନରେ ସ୍ଲଟ୍ ବୁକିଂ କରିବା ସମସ୍ୟା ସୃଷ୍ଟି କରୁଥିବାରୁ ଏହି ଦୁଇ ବର୍ଗର ଲୋକଙ୍କ ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା ।
ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍
‘‘ଆଗରୁ ଆମକୁ କୋଭିଡ଼ ସମୟରେ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ଆମେ ସରକାରଙ୍କୁ ଅନୁରୋଧ କରିଥିଲୁ ।ସରକାର ତାହା ଯୋଗାଇ ଦେଇଛନ୍ତି । ଟିକା ପାଇଁ ପଞ୍ଜୀକରଣ କରିବା ଓ ସ୍ଲଟ୍ ବୁକ୍ କରିବା ଆମମାନଙ୍କ ପକ୍ଷେ କଷ୍ଟକର । ତେଣୁ ଆମ ପାଇଁ ଟିକାକରଣର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଦରକାର ବୋଲି ଆମେ ସରକାରଙ୍କୁ ଜଣାଇଥିଲୁ,’’ କହିଛନ୍ତି ରାଜ୍ୟ ଦୃଷ୍ଟି ବାଧିତ ସଙ୍ଘର ସାଧାରଣ ସମ୍ପାଦକ ଶରତ କୁମାର ଦାଶ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଏହି ବଲିଉଡ୍ ସେଲିବ୍ରିଟିମାନଙ୍କ ଫିଟନେସ୍ ମନ୍ତ୍ର ହେଉଛି ଯୋଗ; ସେମାନେ ଦିନ ଆରମ୍ଭ କରନ୍ତି ଯୋଗରୁ
ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଦାବିକୁ ଯଥାର୍ଥ ବୋଲି ଦର୍ଶାଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଏବେ ଏହାକୁ ପାଳନ କରିବାକୁ ଯାଉଛି ବି.ଏମ୍.ସି. । ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିବା ପୂର୍ବରୁ ଭର୍ଚ୍ଚୁଆଲ ମାଧ୍ୟମରେ ବି.ଏମ୍.ସି. କମିଶନର ସଞ୍ଜୟ ସିଂ ଭିନ୍ନକ୍ଷମ ସଙ୍ଘର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଛନ୍ତି । ଖୁବ୍ ଶୀଘ୍ର ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଜଣାପଡି଼ଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପୁଅକୁ ନେଇ ଅଭିନେତ୍ରୀ ଶ୍ୱେତା ତିୱାରୀ ଓ ପୂର୍ବ ପତିଙ୍କ ମଧ୍ୟରେ ଝଗଡ଼ା CCTV ଫୁଟେଜ୍ ଓ VIDEOରେ ଜାରି
ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ସୁଲୋଚନା ଦାସ ଏ ନେଇ ପୂର୍ବରୁ ବି.ଏମ୍.ସି.କୁ ଏକ ଚିଠି ଲେଖିଥିଲେ । ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍ ହେଲେ ସେମାନେ ଉପକୃତ ହେବେ ବୋଲି ଦର୍ଶାଇ ସେ ମୁଖ୍ୟ ମନ୍ତ୍ରୀ ଓ ବି.ଏମ୍.ସି. କମିଶନରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଝିଅଟି ଅଶ୍ଳୀଳ ଇଙ୍ଗିତର ବିରୋଧ କରିବାରୁ ନାବାଳକ ତାକୁ ନୃଶଂସ ଭାବେ ମାଡ଼ ମାରିଲା; VIDEO ଭାଇରାଲ୍
‘‘ମୁଁ ବି.ଏମ୍.ସି. କମିଶନରଙ୍କୁ ଏକ ଚିଠି ଲେଖି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲି । ସେ ଦିଗରେ ଚିନ୍ତା କରି ଏମିତି ବ୍ୟବସ୍ଥା ଖୁବ୍ ଶୀଘ୍ର ଲାଗୁ କରିବା ପାଇଁ ଯୋଜନା ହେଉଥିବାରୁ ମୁଁ ମୁଖ୍ୟ ମନ୍ତ୍ରୀ ଓ ବି.ଏମ୍.ସି. କମିଶନରଙ୍କୁ ଧନ୍ୟବାଦ ଦେଉଛି । ଏହା ଦ୍ବାରା ରାଜ୍ୟର ଦିବ୍ୟାଙ୍ଗମାନେ ଉପକୃତ ହୋଇପାରିବେ,’’ କହିଛନ୍ତି ସୁଲୋଚନା ଦାସ ।
କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ନୁହେଁ, ଗର୍ଭବତୀ ମହିଳାମାନଙ୍କ ଘରକୁ ଯାଇ କରୋନା ଭାଇରସ୍ ଟେଷ୍ଟିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ବି.ଏମ୍.ସି. ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।