News18 Odia Digital
ଭୁବନେଶ୍ୱର: ଆଜି କେରଳରୁ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଏକ ଟ୍ରେନ୍ ଓ ଗୁଜରାଟରୁ କେତେକ ବସ୍ ଓଡ଼ିଶା ପହଞ୍ଚିବା ପରେ ବାହାର ରାଜ୍ୟରୁ ଆସୁଥିବା ଏତେ ସଂଖ୍ୟକ ଓଡ଼ିଆ ଲୋକଙ୍କୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ବିଶେଷ କରି କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ହୋଇଥିବା ନିୟମଗୁଡ଼ିକୁ ମାନୁ ନ ଥିବା ଲୋକଙ୍କୁ ନେଇ ଚିନ୍ତାରେ ପଡ଼ିଛନ୍ତି ସରକାର । ସେମିତି ଲୋକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ଯେଉଁ ବ୍ୟକ୍ତି କ୍ବାରେଣ୍ଟାଇନ ନିୟମ ଖିଲାପ କରିବେ ତାଙ୍କୁ ଗିରଫ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ତ୍ରିପାଠୀ । ସେ କହିଛନ୍ତି ଯେ ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣର ସ୍ଥିତି ନିୟନ୍ତ୍ରଣରେ ରହିଛି । ଟ୍ରେନ୍ ଓ ବସ୍ ଯୋଗେ ପ୍ରବାସୀଙ୍କୁ ଓଡ଼ିଶା ଅଣାଯାଉଛି । ଆଜି ହଜାରରୁ ଅଧିକ ପ୍ରବାସୀ ଓଡ଼ିଶା ଆସିଛନ୍ତି ।
‘‘କରୋନା ଭାଇରସ୍ ସଂକ୍ରମଣର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପୂର୍ଣ୍ଣ ଚେଷ୍ଟା କରୁଛନ୍ତି । ଏହି ଚେଷ୍ଟାକୁ ଆମେ ବିଫଳ ହେବାକୁ ଦେବୁ ନାହିଁ… ଭୁଲ୍ ରୁଟ୍ରେ ବସ୍ ନେଲେ ବସକୁ ସିଜ୍ କରାଯିବ । ଅଧିକ ଲୋକଙ୍କୁ ନେଇ ଆସୁଥିବା ବସକୁ ରାଜ୍ୟରେ ପ୍ରବେଶ କରିବାକୁ ଦିଆଯିବ ନାହିଁ,’’ କହିଛନ୍ତି ମୁଖ୍ୟ ଶାସନ ସଚିବ ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଉଛନ୍ତି ।
କେଉଁ ରୁଟ୍ରେ ବସ୍ ଆସୁଛି ତାହାକୁ ସରକାର ଅନୁଧ୍ୟାନ କରୁଛନ୍ତି । ବିନା ପାସରେ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ତ୍ରିପାଠୀ । ବସରେ ଆସିବା ପୂର୍ବରୁ ପ୍ରବାସୀ ଓଡ଼ିଆ ସବିଶେଷ ତଥ୍ୟ ଦେବେ । ତଥ୍ୟ ନ ଦେଇ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।
କେତେକ ପ୍ରବାସୀ ଓଡ଼ିଆ ରାଜ୍ୟରେ ପହଞ୍ଚିବା ପରେ ନିୟମ ନ ମାନି ନିଜ ଘରକୁ ଚାଲିଯାଉଥିବା ଖବର ମିଳିବା ପରେ ସବୁ ପ୍ରବାସୀ ଓଡ଼ିଆଙ୍କୁ ନିଜ ଜିଲ୍ଲା ବାହାରେ କ୍ବାରେଣ୍ଟାଇନରେ ରଖାଯିବ ବୋଲି କହିଛନ୍ତି ତ୍ରିପାଠୀ । ‘‘ଯେଉଁ ପ୍ରବାସୀ ଓଡ଼ିଆ କ୍ବାରେଣ୍ଟାଇନ ନିୟମ ଖିଲାପ କରିବେ, ସେମାନେ ଗିରଫ ହେବେ । ସେମାନଙ୍କ କ୍ବାରେଣ୍ଟାଇନ ଅବଧି ବୃଦ୍ଧି ହେବା ସହ ସେମାନଙ୍କୁ ସରକାରୀ ସହାୟତା ମିଳିବ ନାହିଁ । କ୍ବାରେଣ୍ଟାଇନ ଖିଲାପକାରୀଙ୍କ ଉପରେ ନଜର ରଖିବେ ସରପଞ୍ଚ,’’ ସେ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।