News18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ସଂକ୍ରମିତଙ୍କ ସଂଖ୍ୟା ୨୪୯ରେ ପହଞ୍ଚିଥିବା ସମୟରେ ଏହାକୁ ରୋକିବା ପାଇଁ ସରକାରଙ୍କ ଉଦ୍ୟମରେ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି କିଛି ଉଦ୍ୟୋଗପତି ଓ ଜଣାଶୁଣା ବ୍ୟକ୍ତି । ବେଦାନ୍ତ ରିସୋର୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଓ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗୃପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏମାନଙ୍କ ମଧ୍ୟରେ ଅଛନ୍ତି ।
ଅନୀଲ ଅଗ୍ରୱାଲ କରୋନା ଭାଇରସର ମୁକାବିଲା ପାଇଁ ୧୦୦ କୋଟି ଟଙ୍କାର ସହାୟତା ଦେବେ ବାଲି ଆଜି ଘୋଷଣା କରିଛନ୍ତି । ସେ ନିଜେ ଏକ ଥାଳି ବଜାଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଜନତା କର୍ଫ୍ୟୁ’ରେ ଯୋଗ ଦେଇଥିବାର ଫଟୋ ଟ୍ୱିଟ୍ କରି ସେହି ଟ୍ୱିଟରେ ଏହି ଘୋଣା କରିଛନ୍ତି ।
‘‘ଏହି ମହାମାରୀର ମୁକାବିଲା ପାଇଁ ମୁଁ ୧୦୦ କୋଟି ଟଙ୍କା ଯୋଗଦାନ ଦେଉଛି… ବିଶେଷକରି ଦୈନିକ ମଜୁରୀ ଅର୍ଜନକାରୀଙ୍କ ଅବସ୍ଥା ଚିନ୍ତାର ବିଷୟ । ଆମେ ସାହାଯ୍ୟ କରିବା ପାଇଁ ସବୁ କିଛି କରିବୁ,’’ ଟ୍ୱିଟରେ ଲେଖିଛନ୍ତି ଅଗ୍ରୱାଲ ।
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗୃପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କରୋନା ଭାଇରସ୍ ଉପରେ ଉଦ୍ବେଗ ପ୍ରକାଶ କରିଛନ୍ତି । ବେତନ ଦେବା ଠାରୁ ଆରମ୍ଭ କରି ଭେଣ୍ଟିଲେଟର ତିଆରି କରିବାକୁ ତାଙ୍କ କମ୍ପାନୀ ନିଷ୍ପତ୍ତି ନେଇଛି ବୋଲି ସେ ସେ ଟୁଇଟ୍ କରି କହିଛନ୍ତି ।
‘‘ବିଶେଷଜ୍ଞଙ୍କ ଅନୁସାରେ ଏହା ସମ୍ଭବ ଯେ ଭାରତ କରୋନା ଭୂତାଣୁ ପ୍ରସାରର ତୃତୀୟ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଯଦି ଏହା ହୋଇଥାଏ, ତାହେଲେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବିପଦ ଆସିବ ଓ ମୃତ୍ୟୁ ସଂଖ୍ୟା ବଢ଼ିଚାଲିବ । ଏହା ଆମର ଚିକିତ୍ସା ବ୍ୟବସ୍ଥାର ଭିତ୍ତିଭୂମି ନଷ୍ଟ କରିଦେଇପାରେ,’’ ସେ ନିଜ ଟ୍ୱିଟରେ ଲେଖିଛନ୍ତି ।
ମହିନ୍ଦ୍ରା ଅନ୍ୟ ଏକ ଟ୍ୱିଟରେ କହିଛନ୍ତି ଯେ ତାଙ୍କ କମ୍ପାନୀ ଉତ୍ପାଦନ ଭେଣ୍ଟିଲେଟର ତିଆରି କରିବା ତୁରନ୍ତ ଆରମ୍ଭ କରିବ । ତା’ଛଡ଼ା ମହିନ୍ଦ୍ରା ଗୃପର ଥିବା ଅନେକ ହଲିଡେ ରିସୋର୍ଟ (ହୋଚେଲ୍) ଅସ୍ଥାୟୀ ସmଂକ୍ରମିତ ଲୋକଙ୍କ ଯତ୍ନ ନେବା ପାଇଁ ଦେବା କଥା ବି ସେ କହିଛନ୍ତି ।
ଫିଲ୍ମ ନିର୍ମାତା ମନୀଷ ମୁନ୍ଧ୍ରା ମଧ୍ୟ ଏହି ବିପର୍ଯ୍ୟୟରେ ଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସି ୩ କୋଟି ଟଙ୍କା ଦାନ କରିଛନ୍ତି ବୋଲି ଘୋଷଣା କରିଛନ୍ତି । ସେ ୭୦ଟି ଭେଣ୍ଟିଲେଟର ତିଆରି କରେଇବାକୁ ଲକ୍ଷ୍ୟ ରଖିଛନ୍ତି । ଏଥି ପାଇଁ ପାଣ୍ଠି ପ୍ରସ୍ତୁତ ବୋଲି ସେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ମୌଶୁର୍ ସହରରେ ଥିବା ସ୍କାନର୍ କମ୍ପାନୀ ଭଲ ଭେଣ୍ଟିଲେଟର ବନାଏ ଓ ସେ ସେହି କମ୍ପାନୀ ସହ ଯୋଗାଯୋଗ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଜନତା କର୍ଫ୍ୟୁ’ ନିବେଦନ ଆଜି ଦେଶ ସାରା ସମ୍ପୂର୍ଣ୍ଣ ସଫଳତା ହୋଇଥିଲା । ଦେଶର ସାଧାରଣ ନାଗରିକଙ୍କ ସହ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ସେମାନେ ସମସ୍ତେ କରତାଳି କରି ଓ ଥାଳି ବଜେଇ ଅପରାହ୍ଣ ୫ଟାରେ କରୋନାକୁ ମୁକାବିଲା କରିବାରେ ଲାଗିଥିବା ଲୋକଙ୍କୁ କୃତଜ୍ଞତା ଜଣେଇଥିଲେ । ରିଲାଏନ୍ସ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମଧ୍ୟ ଛାତ ଉପରକୁ ଯାଇ ଘଣ୍ଟି ବଜାଇ ‘ଜନତା କର୍ଫ୍ୟୁ’କୁ ସ୍ୱାଗତ କରିଥିଲେ । ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।