News18 Odia Digital
ଭୁବନେଶ୍ୱର: ଲକଡାଉନ୍ ଅବଧି ବଢ଼ିବା ଯୋଗୁଁ ରାଜ୍ୟର ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକର ସ୍ଥିତି ଆହୁରି ଖରାପ ହୋଇପାରେ । ରାଜ୍ୟରେ ପାଖାପାଖି ୪ ଲକ୍ଷ ଶିଳ୍ପଦ୍ୟୋଗୀ ପଞ୍ଜିକୃତ ଓ ସେମାନଙ୍କ ପ୍ରତିଷ୍ଠାନରେ ପାଖାପାଖି ୧୫ ଲକ୍ଷ କର୍ମଚାରୀ କାର୍ଯ୍ୟ କରନ୍ତି । ଏକ ଆକଳନ ଅନୁସାରେ ଏହି କର୍ମଚାରୀମାନଙ୍କ ଭିତରୁ ଏକ ତୃତୀୟାଂଶ ଚାକିରୀ ହରାଇ ପାରନ୍ତି ।
ମଞ୍ଚେଶ୍ୱର ଅଞ୍ଚଳର ଶିଳ୍ପଦ୍ୟୋଗୀ ବଂଶୀଧର ବାରିକଙ୍କ ମୋର କାଠ ସାମଗ୍ରୀର ଫାକ୍ଟ୍ରି ଲକଡାଉନ କାରଣରୁ ଦେଢ଼ ମାସରୁ ଅଧିକ ସମୟ ହେଲା ବନ୍ଦ ପଡ଼ିଛି । ‘‘ଶୋ ରୁମରେ ତାଲା ଝୁଲୁଛି । ଫାକ୍ଟ୍ରିରେ କୁକୁର ବୁଲୁଛନ୍ତି । ଯନ୍ତ୍ରପାତି ଖତ ଖାଇଲାଣି । ନିଜ ବ୍ୟବସାୟର ଭବିଷ୍ୟତକୁ ନେଇ ମୁଁ ଅନେକ ଅନିଶ୍ଚିତତା ଭିତରେ ଅଛି । ଦେଢ଼ ମାସେ ହେଲା ବିନା ଆୟରେ କର୍ମଚାରୀଙ୍କୁ ଦରମା ଦେଇ ଆସୁଛି । ହେଲେ ଆଗକୁ ଦେବା ସମ୍ଭବ ନୁହେଁ । ସରକାର ଯଦି କିଛି ଉଚ୍ଚ ପଦକ୍ଷେପ ନ ନିଅନ୍ତି ତେବେ ଫାକ୍ଟ୍ରି ବନ୍ଦ କରିବାକୁ ବାଧ୍ୟ ହେବି,’’ ସେ କହିଛନ୍ତି ।
ଅନୁରୂପ ସ୍ଥିତି ଯୁବ ବ୍ୟବସାୟୀ ଦିଲ୍ଲୀପ ମହାରଣାଙ୍କର । ନିଜର ଡିଜିଟାଲ ଷ୍ଟୁଡିଓ ବ୍ୟବସାୟକୁ ନେଇ ସେ ଏବେ ଖୁବ ହତାଶ। ‘‘ମୋ’ ଷ୍ଟୁଡ଼ିଓରେ ୧୦ ଜଣ କର୍ମଚାରୀ ଅଛନ୍ତି । ଦୁଇ ମାସ ହେଲା କିଛି ବ୍ୟବସାୟ ନାହିଁ । ତେଣୁ ଆଗକୁ କର୍ମଚାରୀଙ୍କୁ କେମିତି ଦେବି ଦରମା? କିଛି ସରକାରୀ ପ୍ରୋତ୍ସାହନ ନ ମିଳିଲେ ବାଧ୍ୟ ହେବି ବ୍ୟବସାୟ ବନ୍ଦ କରିବାକୁ,’’ କହିଛନ୍ତି ମହାରଣା ।
ଅର୍ଥନୀତିଜ୍ଞ ଚିତ୍ତ ରଞ୍ଜନ ବେହେରା କହିଛନ୍ତି ଯେ ଏମ.ଏସ.ଏମ.ଇ. କ୍ଷେତ୍ରରେ ରାଜ୍ୟରେ ପଞ୍ଜିକୃତ ଶିଳ୍ପଦ୍ୟୋଗୀମାନେ ବାର୍ଷିକ ପ୍ରାୟ ୨୦,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିଥାନ୍ତି । ‘‘ହେଲେ ଲକ୍ ଡାଉନର ପ୍ରଭାବରେଏମାନେ ଏବେ ସଙ୍କଟରେ । ତେଣୁ ବହୁ ସଂଖ୍ୟକ ଲୋକ କର୍ମ ସଂସ୍ଥାନ ହରାଇବା ସମ୍ଭାବନା ଅଧିକ । ମୁଖ୍ୟ କଥା ହେଲା ସରକାରୀ ନୀତିରେ ସ୍ପଷ୍ଟତା ଆସିବା ଦରକାର,’’ ସେ କହିଛନ୍ତି ।
‘‘ଏ ଭଳି ସଙ୍କଟ ସମୟରେ ଶିଳ୍ପଦ୍ୟୋଗୀଙ୍କ ଲାଗି ଅଧିକ ସରକାରୀ ପ୍ରୋତ୍ସାହନ ଦରକାର । ଅଧିକ ସରକାରୀ ପ୍ରୋତ୍ସାହନ ନ ମିଳିଲେ ଅଧିକାଂଶ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ସଂସ୍ଥା ବନ୍ଦ ହୋଇଯିବ,’’ କହିଛନ୍ତି ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ (ୟୁସିସିଆଇ) ସଭାପତି ରମେଶ ଚନ୍ଦ୍ର ମହାପାତ୍ର ।
ମିଳିଥିବା ସୂଚନା ଅନୁସାରେ ଖୁବ ନିକଟରେ କେନ୍ଦ୍ର ସରକାର ଦେଶର ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ପାୟ ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିପାରନ୍ତି । ତେଣୁ ଏହି ଘୋଷଣା ଉପରେ ନିର୍ଭର କରୁଛି ରାଜ୍ୟର ୪ ଲକ୍ଷରୁ ଅଧିକ କ୍ଷୁଦ୍ର ଶିଳ୍ପଦ୍ୟୋଗୀ ଓ ସେମାନଙ୍କ ୧୫ ଲକ୍ଷ କର୍ମଚାରୀଙ୍କ ଭାଗ୍ୟ ।
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।