ଭୁବନେଶ୍ୱରରେ କରୋନା ସଂକ୍ରମଣ ରୋକିବାକୁ ଛଅ ଜଣ IAS ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା

ଏହି ଅଧିକାରୀମାନେ ବିଭିନ୍ନ କଣ୍ଟେନମେଣ୍ଟ୍‌ ଜୋନରେ ଆକ୍ରାନ୍ତଙ୍କ ସଂଖ୍ୟା କିପରି ନ ବଢ଼ିବ ତାହା ଦେଖିବେ । ଏମାନେ କଣ୍ଟେନମେଣ୍ଟ୍‌ ଜୋନରେ ଜରୁରୀ ସାମଗ୍ରୀ ଯୋଗାଣ, କଣ୍ଟାକ୍ଟ ଟ୍ରେସିଂ ଓ ଘରକୁ ଘର ସର୍ଭେ କାର୍ଯ୍ୟକୁ ମଧ୍ୟ ତଦାରଖ କରିବେ ।

ଭୁବନେଶ୍ୱରରେ କରୋନା ସଂକ୍ରମଣ ରୋକିବାକୁ ଛଅ ଜଣ IAS ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 15, 2020, 12:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟର ରାଜଧାନୀରେ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ଆଉ ବଢ଼ିବାକୁ ନ ଦେବା ପାଇଁ ଉପାୟ କରିବାକୁ ରାଜ୍ୟ ସରକାର ଛଅ ଜଣ ବରିଷ୍ଠ ଆଇ.ଏ.ଏସ୍‌. (IAS) ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ।

ଭୁବନେଶ୍ୱର ସହରକୁ ବିଭିନ୍ନ ଜୋନରେ ଭାଗ କରାଯାଇ ଏହି ଛଅ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ରଞ୍ଜନା ଚୋପ୍ରା ଓ ବିଷ୍ଣୁପଦ ସେଠୀଙ୍କୁ ଉତ୍ତର ଜୋନର ଦାୟିତ୍ବ ଦିଆଯାଇଛି । ଏସ୍‌.କେ. ଲୋହାନୀ ଓ ଶାଶ୍ବତ ମିଶ୍ରଙ୍କୁ ଦକ୍ଷିଣ-ପୂର୍ବ ଜୋନ୍‌ ଦାୟିତ୍ବ ଦିଆଯାଇଛି । ଅଶୋକ ମୀଣା ଓ ଭାସ୍କର ଜ୍ୟୋତି ଶର୍ମା ଅଛନ୍ତି ଦକ୍ଷିଣ-ପଶ୍ଚିମ ଜୋନ୍‌ ଦାୟିତ୍ବରେ । ଭୁବନେଶ୍ବରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ସରକାର ।

ଏହି ଅଧିକାରୀମାନେ ବିଭିନ୍ନ କଣ୍ଟେନମେଣ୍ଟ୍‌ ଜୋନରେ ଆକ୍ରାନ୍ତଙ୍କ ସଂଖ୍ୟା କିପରି ନ ବଢ଼ିବ ତାହା ଦେଖିବେ । ଏମାନେ କଣ୍ଟେନମେଣ୍ଟ୍‌ ଜୋନରେ ଜରୁରୀ ସାମଗ୍ରୀ ଯୋଗାଣ କଥା ମଧ୍ୟ ବୁଝିବେ  । ତାଛଡ଼ା କଣ୍ଟାକ୍ଟ ଟ୍ରେସିଂ ଓ ଘରକୁ ଘର ସର୍ଭେ କାର୍ଯ୍ୟ ମଧ୍ୟ ତଦାରଖ କରିବେ ଏହି ବରିଷ୍ଠ ଅଧିକାରୀମାନେ । ଏ ନେଇ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଏକ ବିସ୍ତୃତ ଆଦେଶ ଜାରୀ କରିଛନ୍ତି ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଓଡ଼ିଶାରେ ଲକଡାଉନକୁ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ବଢ଼ାଇଥିଲେ ।


ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୬୦ ଛୁଇଁଲାଣି । ଏହା ଭିତରୁ କେବଳ ଭୁବନେଶ୍ବରରେ ୪୬ ଜଣ ଆକ୍ରାନ୍ତ ଅଛନ୍ତି । ସହରରେ ବିଭିନ୍ନ କଣ୍ଟେନମେଣ୍ଟ ଜୋନ୍‌ ଓ ଅନ୍ୟ କଟକଣା କରାଯିବା ସତ୍ତ୍ବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ବମିଖାଲ ଓ ସତ୍ୟ ନଗର ପ୍ରଭୃତି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ହୋଇଛି । ଏଠାରେ ଲକଡାଉନ କଟକଣା ସତ୍ତ୍ବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଏଥି ଲାଗି ଅଧିକ ଧ୍ୟାନ ଦେବା ସହ ଏହି ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ।

ଦେଶରେ ଆଜି ଠାରୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ । ଏହା ମଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଦେଶର କରୋନା ହଟସ୍ପଟ୍ ଉପରେ ରହିବ କଡା ନଜର । ଯେଉଁଠାରେ ସଂକ୍ରିମତ ନାହାନ୍ତି, ସେଠାରେ ୨୦ ଏପ୍ରିଲରୁ କୋହଳ ହେବ ନିୟମ । ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ସମସ୍ତ ରାଜ୍ୟ ଓ ଜିଲ୍ଲା ଉପରେ ରଖାଯିବ କଡ଼ା ନଜର । ଯେଉଁ ଅଞ୍ଚଳରେ ରୋଗ ବ୍ୟାପି ନ ଥିବ ଓ ପରିସ୍ଥିତିରେ ସୁଧାର ଆସିଥିବ ସେହି ଅଞ୍ଚଳରେ କଟକଣାକୁ କୋହଳ କରାଯିବ ଓ ଆତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଅନୁମତି ଦିଆଯିବ ।
First published: April 15, 2020, 12:46 PM IST
corona virus btn
corona virus btn
Loading