କରୋନା ଆକ୍ରାନ୍ତ ବଲିଉଡ୍ ଗାୟିକା କନିକା କପୁର ପଞ୍ଚମ ଥର ପରୀକ୍ଷାରେ ପଜିଟିଭ୍ ବାହାରିଲେ
କରୋନା ଭାଇରସ୍ ପଜିଟିଭ୍ ବୋଲି ଜଣା ପଡ଼ିବାର ଦିନକ ପୂର୍ବରୁ କନିକା କେତେକ ପାର୍ଟିରେ ଯୋଗ ଦେଇଥିଲେ । ସେ ଏହି ଭୂତାଣୁ ବିସ୍ତାର କରିଛନ୍ତି ବୋଲି କହି ଅନେକ ତାଙ୍କୁ ନିନ୍ଦା କରିଥିଲେ । ହେଲେ ତାଙ୍କ ସହ ସେହି ପାର୍ଟିରେ ଭାଗ ନେଇଥିବା କୌଣସି ବ୍ୟକ୍ତି ପଜିଟିଭ୍ ହୋଇ ନାହାନ୍ତି ।

ବଲିଉଡ ଗାୟିକା କନିକା କପୁର
- News18 Odia
- Last Updated: March 31, 2020, 1:50 PM IST
ନୂଆ ଦିଲ୍ଲୀ: କରୋନା ଭାଇରସ୍ (COVID-୧୯) ପାଇଁ ହୋଇଥିବା ବଲିଉଡ ଗାୟିକା କନିକା କପୁରଙ୍କ ପଞ୍ଚମ ନମୁନା ପରୀକ୍ଷା ମଧ୍ୟ ପଜିଟିଭ୍ ବାହାରିଛି । ସେ କ୍ରମାଗତ ପଞ୍ଚମ ଥର ପାଇଁ କରୋନା ଭାଇରସ୍ ପରୀକ୍ଷଣରେ ପଜିଟିଭ୍ ବୋଲି ଜଣାପଡ଼ିଥିବା ଡାକ୍ତରମାନେ କହିଛନ୍ତି ।
କରୋନା ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ନମୁନା ପ୍ରତି ୪୮ ଘଣ୍ଟାରେ ଥରେ ପରୀକ୍ଷା କରାଯାଏ । ‘ବେବି ଡଲ୍’ ଉପନାମରେ ପରିଚିତା କନିକା ଏହା ପୂର୍ବରୁ ହୋଇଥିବା ଚାରୋଟି ଯାକ ପରୀକ୍ଷାରେ ପଜିଟିଭ୍ ହୋଇଥିଲେ । ଅର୍ଥାତ୍ ତାଙ୍କ ଦେହ କରୋନା ଭାଇରସରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତି ପାଇ ନାହିଁ ।
କନିକା ବର୍ତ୍ତମାନ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (SGPGIMS) ରେ ଚିକିତସିତ ହେଉଛନ୍ତି । ସେହି ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଆର୍.କେ. ଧିମାନ କହିଛନ୍ତି ଯେ ଗାୟିକାଙ୍କ ଅବସ୍ଥା ସ୍ଥିର ରହିଛି ଓ ଚିନ୍ତା କରିବାର କୌଣସି କାରଣ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ କନିକା ସାଧାରଣ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି । ସେ ବହୁତ ଅସୁସ୍ଥ ଅଛନ୍ତି ବୋଲି ଗଣମାଧ୍ୟମରେ ପ୍ରସାରିତ ଖବର ସମ୍ପୂର୍ଣ୍ଣ ନିରାଧାର ବୋଲି ସେ କହିଛନ୍ତି ।

କନିକା କପୁର
କରୋନା ଭାଇରସ୍ ପାଇଁ ପ୍ରଥମେ ପଜିଟିଭ୍ ପରୀକ୍ଷୀତ ହେବା ପରେ କାନିକା ମାର୍ଚ୍ଚ ୨୦ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାର୍ଚ୍ଚ ୯ ରେ ସେ ଲଣ୍ଡନରୁ ଫେରି କାନପୁର ଓ ଲକ୍ଷ୍ନୌ ଯାତ୍ରା କରିଥିଲେ । ସେଠାରେ ରହଣି ସମୟରେ ସେ କାଶ ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ।
କରୋନା ଭାଇରସ୍ ପଜିଟିଭ୍ ବୋଲି ଜଣା ପଡ଼ିବାର ଦିନକ ପୂର୍ବରୁ ସେ କେତେଗୁଡ଼ିଏ ପାର୍ଟିରେ ଯୋଗ ଦେଇଥିଲେ । ସେ ଏହି ମାରାତ୍ମକ ଭୂତାଣୁ ବିସ୍ତାର କରିଛନ୍ତି ବୋଲି କହି କେତେକ ଗଣମାଧ୍ୟମ ସଂସ୍ଥା ତାଙ୍କୁ ନିନ୍ଦା କରିଥିଲେ । ହେଲେ ତାଙ୍କ ସହିତ ସେହି ପାର୍ଟିଗୁଡ଼ିକରେ ଭାଗ ନେଇଥିବା କୌଣସି ବ୍ୟକ୍ତି ପରୀକ୍ଷଣରେ ପଜିଟିଭ୍ ହୋଇ ନ ଥିବା ଜଣା ପଡ଼ିଥିଲା ।
ହସପିଟାଲରେ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ସେଠାକାର ଷ୍ଟାଫମାନଙ୍କ ଉଦାସୀନତା ବିଷୟରେ ସେ ମିଡ଼ିଆକୁ କହିଥିବାରୁ ତାଙ୍କର ଏମିତି ‘‘ତାରକା ପରି ଆଚରଣ’’କୁ ଡାକ୍ତରଖାନା ପ୍ରଶାସନ ମଧ୍ୟ ସମାଲୋଚନା କରିଥିଲା ।
ଏବେ ନିଜ ନାମ ପ୍ରକାଶ କରିବାକୁ ଇଚ୍ଛା ନ କରି ତାଙ୍କ ପରିବାରର ଜଣେ ସଦସ୍ୟ କହିଛନ୍ତି: ‘‘ଆମେ ବର୍ତ୍ତମାନ ତାଙ୍କ ପରୀକ୍ଷା ରିପୋର୍ଟଗୁଡ଼ିକୁ ନେଇ ଚିନ୍ତିତ । ଜଣାପଡୁଛି ଯେ ଚିକିତ୍ସାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉନାହିଁ । ଏବେ ଲକଡାଉନ ଜାରି ଥିବାରୁ ଆମେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବିମାନରେ ଦେଶ ବାହାରକୁ ବି ନେଇ ପାରିବୁ ନାହିଁ । ଆମେ କେବଳ ସେ ଜଲଦି ଆରୋଗ୍ୟ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରିପାରିବୁ ।’’