ଭୁବନେଶ୍ୱରରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ରହିପାରିବ ନାହିଁ

କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଗ୍ରୋସେରୀ, ପରିବା, ଫଳ ଓ ଔଷଧ ଓ ଗୃହ ନିର୍ମାଣ ସାମଗ୍ରୀ ବିକ୍ରୀ କରୁଥିବା ଦୋକାନ ଖୋଲା ରହି ପାରିବ ।

ଭୁବନେଶ୍ୱରରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ରହିପାରିବ ନାହିଁ
ଲକଡାଉନ ସମୟରେ ଭୁବନେଶ୍ୱରରେ ଏକ ଫାଙ୍କା ରାସ୍ତା
  • News18 Odia
  • Last Updated: April 28, 2020, 8:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣର ପ୍ରତିରୋଧ ପାଇଁ ସରକାରଙ୍କ ଆଦେଶରେ ଜାରି ଥିବା ଲକଡାଉନ ସମୟରେ ସବୁ ଦୋକାନ ଖୋଲା ରହିପାରିବ ନାହିଁ । ଭୁବନେଶ୍ୱର ମହାନଗର ନିଗମର ନିଷ୍ପତ୍ତି ଅନୁସାରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦୋକାନ ଖୋଲା ରହିବ ।

ଦେଶରେ ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ନେଇ ଗତ ଶୁକ୍ରବାର କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ । ସେଇ ଆଧାରରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ସପିଂ ମଲ ଓ ସପିଂ କମ୍ପ୍ଲେକ୍ସକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ । କିନ୍ତୁ ରାଜଧାନୀରେ ସରକାରଙ୍କ ନିର୍ଦ୍ଦେଶକୁ  କାର୍ଯ୍ୟକାରୀ କରିବା ନେଇ ଦ୍ଵନ୍ଦ୍ୱରେ ଥିଲେ ବ୍ୟବସାୟୀମାନେ । ତେଣୁ ବିଏମସି ପକ୍ଷରୁ ବ୍ୟବସାୟୀଙ୍କ ଦ୍ଵନ୍ଦ୍ୱ ଦୂର କରାଯାଇଛି । କୌଣସି ଅଣଅତ୍ୟାବଶ୍ୟକ ଦୋକାନ ଖୋଲିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ପ୍ରଥମେ ଟୁଇଟ କରି ଏ ବାବଦରେ ସୂଚନା ଦେଇଥିଲା ବିଏମସି । ପରବର୍ତ୍ତୀ ସମୟରେ ଏହି ସୂଚନା ରାଜଧାନୀବାସୀଙ୍କୁ ଜଣେଇବା ପାଇଁ ବୁଲିଥିଲା ଗାଡ଼ି । ସୋମବାର ଅପରାହ୍ଣରେ ବିଏମସି ପକ୍ଷରୁ ପାଞ୍ଚୋଟି ପ୍ରଚାର ଗାଡିର ଆୟୋଜନ କରି ବାର୍ତ୍ତା ଦିଆଯାଇଛି । ଏହି ବାର୍ତ୍ତା ଜଣେଇବା ପାଇଁ ତିନୋଟି ଜୋନକୁ ତିନୋଟି ଗାଡି ଯାଇଥିବା ବେଳେ ମାର୍କେଟ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଦୁଇଟି ଗାଡ଼ିରେ ବାର୍ତ୍ତା ଜଣାଯାଇଛି ।

‘‘ଜନସାଧାରଣ ଓ ବ୍ୟବସାୟୀମାନଙ୍କୁ ପ୍ରଚାର ମାଧ୍ୟମରେ ସୂଚାଇ ଦିଆଯାଇଛି ଯେ କେବଳ ଅତ୍ୟାବଶ୍ୟକ ବ୍ୟବସାୟ ପ୍ରତିଷ୍ଠାନ, ଅର୍ଥାତ ଗ୍ରୋସରୀ ଦୋକାନ, ପରିବା ଓ ଫଳ ଦୋକାନ ଏବଂ ଔଷଧ ଦୋକାନ, ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲା ହୋଇ ପାରିବ ନାହିଁ,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ତେବେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ବିଭିନ୍ନ ଗୃହ ନିର୍ମାଣ ସାମଗ୍ରୀ, ଯଥା ବାଲି, ଗୋଡ଼ି, ସିମେଣ୍ଟ, ରଡ଼, ଇଟା ପ୍ରମୁଖ ମଧ୍ୟ ବିକ୍ରୟ କରାଯାଇପାରିବ । କିନ୍ତୁ ଏହାର ପରିବହନ କେବଳ ରାତିରେ ହେବ ବୋଲି ପ୍ରଚାର ମାଧ୍ୟମରେ କୁହାଯାଇଛି । ବର୍ତ୍ତମାନ ରାଜ୍ୟରେ ଥିବା ନିର୍ମାଣ ଶ୍ରମିକମାନଙ୍କୁ କର୍ମକ୍ଷେତ୍ରରେ ଯୋଗ ଦେବାକୁ ଅନୁମତି ମିଳିଛି । ଅନେକ ସ୍ଥାନରେ ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଛି । ତେଣୁ ଆବଶ୍ୟକତା ଅନୁଯାୟୀ ଗୃହ ନିର୍ମାଣ ସାମଗ୍ରୀର ଦୋକାନ ଖୋଲା ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

କିଛି ଦିନ ତଳେ ବିଏମସି କର୍ତ୍ତୃପକ୍ଷ ସମାନ ସ୍ଥାନ ପ୍ରକଳ୍ପ କାର୍ଯ୍ୟ ବା ଇନ-ସିଟୁ ପ୍ରୋଜେକ୍ଟ ପାଇଁ ଅନୁମୋଦନ କରିଥିଲେ । ଏପ୍ରିଲ ୨୦ ତାରିଖରେ ହୋଇଥିବା ଉକ୍ତ ଆଦେଶନାମା ପରେ ରାତି ୧୦ଟା ରୁ ଭୋର୍‌ ୫ଟା ମଧ୍ୟରେ ପରିବହନ କରିବାକୁ କୁହାଯାଇଥିଲା ।

‘‘ବିଏମସି ଅଞ୍ଚଳରେ ବୁଲି ବୁଲି ଜନ ସଚେତନତା ସୃଷ୍ଟି କରୁଥିବା ଏହି ପାଞ୍ଚୋଟି ପ୍ରଚାର ଗାଡି କେବଳ ଲକଡ଼ାଉନ ଅବଧି ବାବଦରେ ଓ ଦୋକାନ ଖୋଲିବା ବାର୍ତ୍ତା ବାଣ୍ଟି ନାହାନ୍ତି ବରଂ ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ସଚେତନତା ସୃଷ୍ଟି କରିଛନ୍ତି,’’ କହିଛନ୍ତି ଚୌଧୁରୀ ।

ବିଏମସି ପକ୍ଷରୁ କରାଯାଇଥିବା ଏକ ଟୁଇଟରେ ବର୍ତ୍ତମାନ ପର୍ଯ୍ୟନ୍ତ ଭୁବନେଶ୍ୱର ସହର କରୋନା ହଟସ୍ପଟ ବା ବିପଦ ସଙ୍କୁଳତା ବର୍ଗରେ ରହିଛି ବୋଲି ଦର୍ଶାଯାଇଛି । କରୋନା ଭଳି ମହାମାରୀ ପ୍ରତିରୋଧରେ ଏହି ଲକଡ଼ାଉନ ଏକାନ୍ତ ପ୍ରୟୋଜନ ଓ ନାଗରିକଙ୍କ ପୂର୍ଣ୍ଣ ସହଯୋଗ ଏହାକୁ ସଫଳ କରିବା ବୋଲି ବିଏମସି ପକ୍ଷରୁ ନିବେଦନ କରାଯାଇଛି ।
First published: April 28, 2020, 8:51 PM IST
corona virus btn
corona virus btn
Loading