କଟକରେ ଖୋଲିଲା ସପିଂ ମଲ୍ ସବୁ; ଗ୍ରାହକ ଖୁସି, ହେଲେ ଆଶଙ୍କାରେ ବ୍ୟବସାୟୀମାନେ

ଲକଡ଼ାଉନ ଯୋଗୁଁ ପଡୋଶୀ ଜିଲ୍ଲାର ଗ୍ରାହକମାନେ କଟକ ଆସି ପାରିବେ ନାହିଁ । କେବଳ ସହର ଲୋକଙ୍କୁ ନେଇ ସାବିତ୍ରୀ ଓ ରଜର ବ୍ୟବସାୟ କେମିତି ହେବ ସେହି ଚିନ୍ତାରେ ଅଛନ୍ତି ବ୍ୟବସାୟୀମାନେ ।

କଟକରେ ଖୋଲିଲା ସପିଂ ମଲ୍ ସବୁ; ଗ୍ରାହକ ଖୁସି, ହେଲେ ଆଶଙ୍କାରେ ବ୍ୟବସାୟୀମାନେ
କଟକରେ ଗୋଟେ ମଲର ମୁଖ୍ୟ ଦ୍ୱାରରେ ଲାଗିଥିବା ସୂଚନା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦେକାନ ପରେ ଏବେ କଟକରେ ସପିଂ ମଲଗୁଡିକୁ ଖୋଲିବା ପାଇଁ ଅନୁମତି ଦେଇଛି କଟକ ମହାନଗର ନିଗମ (ସିଏମସି) । ଫଳରେ ଶୁକ୍ରବାର ଠାରୁ ସହରରେ ଥିବା ସପିଂ ମଲଗୁଡିକ ଖୋଲିବାରେ ଲାଗିଛି । ମଲ୍‌ ଖୋଲିବା ପରେ ଗ୍ରାହକମାନେ ମଧ୍ୟ ସେଠାରୁ କିଣାକିଣି ଆରମ୍ଭ କରି ଦେଇଛନ୍ତି ।

ଅବଶ୍ୟ ମଲ ଗୁଡିକରେ ଗ୍ରାହକଙ୍କ ଗହଳି ବହୁତ କମ ପରିଲକ୍ଷିତ ହେଉଛି, କିନ୍ତୁ ଯେଉଁମାନେ ବି ଆସୁଛନ୍ତି ସେମାନେ ଯଥେଷ୍ଟ ସାବଧାନତା ଅବଲମ୍ବନ କରୁଛନ୍ତି । ଏକ ଲମ୍ବା ସମୟର ବ୍ୟବଧାନ ପରେ ନିଜ ମନ ପସନ୍ଦର ଜିନିଷ କିଣିବାର ସୁଯୋଗ ମିଳିଥିବାରୁ ଖୁସି ପ୍ରକାଶ କରିଛନ୍ତି ଗ୍ରାହକ । ଆଗକୁ ସାବିତ୍ରୀ ଓ ରଜ ଭଳି ପର୍ବ ଆସୁଥିବାରୁ ମୁଖ୍ୟତଃ ଶାଢି ଓ ପୋଷାକ କିଣିବା ପାଇଁ ଗ୍ରାହକମାନଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି ।

‘‘ସାବିତ୍ରୀ ବ୍ରତ ଆସୁଥିବାରୁ ମୁଁ ନିଜ ପାଇଁ ଗୋଟିଏ ଶାଢ଼ୀ କିଣିବା ପାଇଁ ଆସିଥିଲି। ଏଠି ମନ ପସନ୍ଦର ଶାଢ଼ୀ ତ ମିଳିଲା, କିନ୍ତୁ କିଣାକିଣି ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ ମଧ୍ୟ ଅବଲମ୍ବନ କରିଥିଲି,’’ କହିଛନ୍ତି କଟକ ବାସିନ୍ଦା ଚୌଧୁରୀ ଲକ୍ଷ୍ମୀପ୍ରୀୟା ଦାସ।

ଗ୍ରାହକମାନେ ମଲରେ କିଣାକିଣି ଆରମ୍ଭ କରିଛନ୍ତି ।


ବାଦାମବାଡ଼ି ସ୍ଥିତ ଏକ ମଲକୁ ଆସିଥିବା କଟକ ବାସିନ୍ଦା ଅଶେକ ମହାପାତ୍ର କହିଛନ୍ତି: ‘‘ଲକଡ଼ାଉନ ଯୋଗୁଁ ସବୁ କିଛି ଏପଟ ସେପଟ ହୋଇଯାଇଛି । ବହୁ ଲୋକଙ୍କ ରୋଜଗାର ପନ୍ଥା ମଧ୍ୟ ପ୍ରଭାବିତ ହୋଇଛି । ଆଗକୁ ରଜ ଆସୁଛି । ପ୍ରତି ବର୍ଷ ରଜ ବେଳକୁ ପିଲାମାନଙ୍କ ପାଇଁ ନୂଆ ଲୁଗାପଟା କିଣି ଥାଏ । ହେଲେ ଏଥର କିଣାକିଣି କରିପାରିବି କି ନାହିଁ ମୁଁ ଜାଣି ପାରୁନାହିଁ ।’’

କଟକ ସହରରେ ଛୋଟ ବଡ଼ ୩୫ଟି ମଲ ରହିଛି । ସେଗୁଡ଼ିକ ମଧ୍ୟରୁ ବାଦାମବାଡ଼ିରେ ଅର୍ଦ୍ଧାଧିକ ମଲ ରହିଛି। ଗୁରୁବାର ଦିନ କଟକ ମହାନଗର ନିଗମ ସର୍ତ୍ତମୂଳକ ଭାବେ ମଲ ଖୋଲିବାକୁ ଅନୁମତି ପ୍ରଦାନ କରିବା ପରେ ଶୁକ୍ରବାର ଦିନ ବାଦାମବାଡ଼ିରେ ଥିବା ଅନେକ ମଲ ଖୋଲିଥିଲା । କିନ୍ତୁ କରୋନା ସତର୍କତା ଓ ଲକଡାଉନ ଯୋଗୁଁ ମଲ ଗୁଡିକର ପୂର୍ବ ଓ ପରର ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି ।

ଅନେକ ମଲରେ ଗ୍ରାହକଙ୍କ ସଂଖ୍ୟା କମ୍ ଥିଲା ।


‘‘ମଲର ପ୍ରବେଶ ପଥରେ ଓ ଭିତରେ ଥିବା ବିଲିଂ କାଉଣ୍ଟରରେ ଗ୍ରାହକମାନଙ୍କ ଛିଡା ହେବା ପାଇଁ ୪ ଫୁଟ ବ୍ୟବଧାନରେ ସ୍ଥାନ ନିରୁପରଣ କରାଯାଇଛି । ମାସ୍କ ନ ପିନ୍ଧିଲେ ମଲ ମଧ୍ୟକୁ ପ୍ରବେଶ ମନା ବୋଲି ମଧ୍ୟ ଲେଖିଛୁ । ମଲ ମଧ୍ୟକୁ ପ୍ରବେଶ କରିବା ସମୟରେ ଗ୍ରାହକମାନଙ୍କ ହାତକୁ ସାନିଟାଇଜର ମଧ୍ୟ ଦିଆଯାଉଛି । ଏହା ବ୍ୟତୀତ କିଣାକିଣି କରିବା ସମୟରେ ଗ୍ରାହକମାନେ ଯେମିତି ଦୂରତ୍ୱ ରକ୍ଷା କରିବେ ସେଥି ପ୍ରତି ମଲ କର୍ମଚାରୀମାନେ ଧ୍ୟାନ ଦେଉଛନ୍ତି,’’ କହିଛନ୍ତି ବାଦାମବାଡ଼ିରେ ଥିବା ଏମ୍‌. ବଜାରର ଷ୍ଟୋର ପରିଚାଳକ ଶିବରାମ ଘୋଷ ।

କଟକ ସହରର ମଲଗୁଡିକରେ କିଣା କିଣି କରୁଥିବା ଗ୍ରାହକଙ୍କ ମଧ୍ୟରୁ ଯାଜପୁର, କେନ୍ଦ୍ରପଡା ଓ ଜଗତସିଂପୁର ଭଳି ଜିଲ୍ଲାରୁ ଆସୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ ଥାଏ । କିନ୍ତୁ କରୋନା ବ୍ୟାପିବା ଯୋଗୁଁ ସେହି ସବୁ ଅଞ୍ଚଳର ସ୍ଥିତି ବିଗିଡ଼ିଥିବାରୁ ବ୍ୟବସାୟୀମାନଙ୍କୁ କେବଳ କଟକ ଜିଲ୍ଲାର ଲୋକଙ୍କ ଉପରେ ନର୍ଭର କରି ବ୍ୟବସାୟ କରିବାକୁ ହେବ ବୋଲି ଆଉ କିଛି ମଲର କର୍ମକର୍ତ୍ତାମାନେ କହିଛନ୍ତି ।
First published: May 8, 2020, 8:17 PM IST
corona virus btn
corona virus btn
Loading