ଭୁବନେଶ୍ୱରରେ ଖୋଲିଲା ସପିଙ୍ଗ୍ ମଲ୍; କରୋନା ନିୟମ ଓ କଟକଣା ମାନି ଗ୍ରାହକ ଆସୁଛନ୍ତି

୩୧ଟି ସର୍ତ୍ତ ସହ ସପିଙ୍ଗ୍ ମଲଗୁଡ଼ିକୁ ଖୋଲିବାକୁ ଅନୁମତି ଦେଇଛି ବିଏମସି । ଭୁବନେଶ୍ୱରରେ ୧୦ରୁ ଅଧିକ ସପିଙ୍ଗ୍ ମଲ୍ ଅଛି । ସୋମବାର ଠାରୁ ସ୍ୱାଭାବିକ ଭାବେ ସବୁ ମଲ୍ ଖୋଲିବ ବୋଲି ଆଶା କରାଯାଉଛି ।

ଭୁବନେଶ୍ୱରରେ ଖୋଲିଲା ସପିଙ୍ଗ୍ ମଲ୍; କରୋନା ନିୟମ ଓ କଟକଣା ମାନି ଗ୍ରାହକ ଆସୁଛନ୍ତି
ରବିବାର ମଲ ଖୋଲିବା ପରେ ଗ୍ରାହକ ଆସିବା ବି ଆରମ୍ଭ କରି ଦେଇଛନ୍ତି।
  • News18 Odia
  • Last Updated: August 2, 2020, 7:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦୀର୍ଘ ସାଢ଼େ ଚାରି ମାସ ପରେ ଭୁବନେଶ୍ୱରରେ ଖୋଲିଲା ସପିଙ୍ଗ୍‌ ମଲ୍‌ । ଏ ନେଇ ଶନିବାର ବିଏମସି ତରଫରୁ ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି ହେବା ପରେ ସେଗୁଡ଼ିକର ଅନୁପାଳନ କରି କେତେକ ମଲ୍‌ ଖୋଲିଥିଲା । କିନ୍ତୁ ରବିବାର କଟକଣା ଥିବାରୁ, ଅର୍ଥାତ ସକାଳ ୬ଟାରୁ ଦିନ ଗୋଟାଏ ଯାଏ ହିଁ ଦୋକାନ ବଜାର ଖୋଲିବାକୁ ଅନୁମତି ଥିବାରୁ, ସବୁ ମଲ୍‌ ଖୋଲି ନ ଥିଲା ।

୩୧ଟି ସର୍ତ୍ତ ସହ ସପିଙ୍ଗ୍‌ ମଲଗୁଡ଼ିକୁ ଖୋଲିବାକୁ ଅନୁମତି ଦେଇଛି ବିଏମସି । ମଲ ଖୋଲିବ, ହେଲେ ମଲ ପରିସରରେ ଥିବା ସିନେମା ହଲ, ଫୁଡ କୋର୍ଟ ଓ ଗେମ ଜୋନ ବନ୍ଦ ରହିବ । ତଥାପି ମଲ ଖୋଲିଥିବାରୁ ଉତ୍ସାହିତ ଅଛନ୍ତି ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ।

‘‘ଦୀର୍ଘ ସାଢ଼େ ଚାରି ମାସ ହେଲା ବେପାର ବନ୍ଦ ଥିଲା । ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଛି । ଏହାରି ଭିତରେ ଅନେକ ପର୍ବପର୍ବାଣି ଗଲାଣି । ସେତିକି ବେଳେ ଆମର ଭଲ ବ୍ୟବସାୟ ହୁଏ । ହେଲେ କରୋନା ପାଇଁ ଏଥର ସବୁ ବନ୍ଦ ହୋଇଗଲା। ଯାହାବି ହେଉ ଏବେ ଆମକୁ ମଲ ଖୋଲିବାକୁ ଅନୁମତି ମିଳିଛି। ବିଏମସିର ଯାହା ଗାଇଡ଼ଲାଇନ ରହିଛି ଆମେ ସେ ସବୁକୁ ମାନିବୁ। ଆଜି ପ୍ରଥମେ ପୂରା ମଲକୁ ସାନିଟାଇଜ କରୁଛୁ,’’ କହିଛନ୍ତି ୟୁନିଟ-୩  ଫୋରମ ମାର୍ଟର ଆଡ଼ମିନଷ୍ଟ୍ରେଟିଭ ମ୍ୟାନେଜର ପବିତ୍ର କୁମାର ମହାନ୍ତି ।

ସାମାଜିକ ଦୂରତ୍ୱ ରଖି କିଣାକିଣି କରୁଛନ୍ତି ଲୋକେ ।


ରାଜଧାନୀ ଭୁବନେଶ୍ୱରରେ ୧୦ରୁ ଅଧିକ ସପିଙ୍ଗ୍‌ ମଲ ରହିଛି । ବିଏମସିର ଅନୁମତି ପରେ ରବିବାର ଫୋରମ ମାର୍ଟ, ପାଣ୍ଟାଲୁନ ଓ ଦ ୱାର୍ଲ ଭଳି ଅନେକ ମଲ ଖୋଲିଥିଲା। ସୋମବାର ଠାରୁ ସ୍ୱାଭାବିକ ଭାବେ ସମସ୍ତ ମଲ ଖୋଲିବ ବୋଲି ଆଶା କରାଯାଉଛି । ରବିବାର ମଲ ଖୋଲିବା ପରେ ଗ୍ରାହକ ଆସିବା ବି ଆରମ୍ଭ କରି ଦେଇଛନ୍ତି।

‘‘ସକାଳୁ ଭିଡ଼ କମ ରହିବ। ସାମାଜିକ ଦୂରତ୍ୱ ରଖି କିଣାକିଣି କରି ହେବ। ତା’ ଛଡା ରାଖୀ ପାଇଁ ଯେମିତି ହେଲେ କିଛି କିଣିବାକୁ ପଡ଼ିବ। ସାନ ଭଉଣୀକୁ କିଛି ନ ଦେଲେ ମନ ବୁଝିବନି। ତେଣୁ ସକାଳୁ ସକାଳୁ ମାର୍କେଟ ବାହାରି ଆସିଲି,’’ କହିଛନ୍ତି ପୁରୁଣା ଭୁବନେଶ୍ୱର ବାସିନ୍ଦା ରାକେଶ ।

ଛାତ୍ରୀ ମିନାକ୍ଷୀ କହିଛନ୍ତି, ‘‘ସପ୍ତାହକୁ ଥରେ ଯେମିତି ହେଲେ ମଲ୍‌ ଆସୁ । ସାଙ୍ଗମାନଙ୍କ ସହ ଟିକେ ବୁଲାବୁଲି ଓ ଖଟି ହୁଏ। ହେଲେ ଏବେ କରୋନା ପାଇଁ ସବୁ ବନ୍ଦ ହେଇଗଲା । ଏତେ ଦିନ ପରେ ମଲ ଖୋଲିଲା ଜାଣି ଖୁସି ଲାଗୁଛି। ହେଲେ ଫୁଡ କୋର୍ଟ ଖୋଲିବନି। ସେଇଟା ମନ ଦୁଃଖ ହେଉଛି। କିନ୍ତୁ ଯାହାବି ହେଉ ବର୍ତ୍ତମାନର କରୋନା ମହାମାରୀ ସମୟରେ ପ୍ରଥମେ ଲୋକେ ସୁରକ୍ଷିତ ରହିବା ଦରକାର। ତେଣୁ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରୁଛୁ ।’’

ବିଏମସିର ଏସଓପି (SOP) ଅନୁଯାୟୀ ମଲ ପରିସରରେ ଥିବା ପ୍ରତି ବ୍ୟକ୍ତି ମଧ୍ୟରେ ଅତି କମରେ ଛଅ ଫୁଟ ଦୂରତା ରଖିବା ନେଇ ରେଡ଼ ମାର୍କ କରାଯାଇଛି । ପ୍ରବେଶ ପଥରେ ପ୍ରଥମେ ଗ୍ରାହକଙ୍କ ସ୍କ୍ରିନିଂ କରାଯାଉଛି । ଯାହାର ଥଣ୍ଡା କି ଜ୍ୱର ନ ଥିବ ସେମାନଙ୍କୁ ମଲରେ ପ୍ରବେଶ ପାଇଁ ଅନୁମତି ଦିଆଯିବ। ହାତ ସାନିଟାଇଜ କରି ଭିତରକୁ ଗ୍ରାହକ ପ୍ରବେଶ କରୁଛନ୍ତି ଗ୍ରାହକମାନେ । ମଲ କର୍ମଚାରୀ ଓ ଗ୍ରାହକ ଉଭୟେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ଥିଲେ ମଲକୁ ଏଣ୍ଟ୍ରି ନାହିଁ । ଏ ନେଇ କିଛି ମଲ ଆଗରେ ବୋର୍ଡ଼ ମରାଯାଇଛି ।

ଏହା ବି ପଢ଼ନ୍ତୁ: ରାମ ମନ୍ଦିର ନିର୍ମାଣ: ମୁସଲମାନ ଯୁବତୀ ନିଜ ହାତରେ ‘ଶ୍ରୀରାମ’ ନାମର ସ୍ଥାୟୀ ଟାଟୁ ବନେଇଲେ

ଏହା ବି ପଢ଼ନ୍ତୁ: Rakhi Purnima: ବାରାଣସୀରେ ମୁସଲିମ୍ ମହିଳାମାନେ ମୋଦିଙ୍କ ପାଇଁ ତିଆରି କରୁଛନ୍ତି ସ୍ୱଦେଶୀ ରାକ୍ଷୀ

ବିଏମସିର ଗାଇଡଲାଇନ୍‌ ଅନୁଯାୟୀ ମଲରେ ଆଲକୋହଲ ଯୁକ୍ତ ସାନିଟାଇଜର ସହ ହାତ ଧୋଇବା ପାଇଁ ସାବୁନ ବା ହ୍ୟାଣ୍ଡ-ୱାସ ରହିବ। ସବୁ କର୍ମଚାରୀ ଗ୍ରାହକଙ୍କୁ ଆରୋଗ୍ୟ ସେତୁ ଓ ସଚେତକ ଆପ ବ୍ୟବହାର କରିବା ପାଇଁ କହିବେ। ପାର୍କିଂ ସ୍ଥାନରେ ସାମାଜିକ ଦୂରତ୍ୱ ନିୟମ ପାଳନ କରାଯିବ। ସେଠାରେ ଯେପରି ଭିଡ଼ ନ ହୁଏ ସେଥି ପ୍ରତି କର୍ତ୍ତୃପକ୍ଷ ସଜାଗ ରହିବେ। ମଲ ବାହାରେ ଯେପରି ଭିଡ଼ ନ ହୁଏ ସେନେଇ ବି କର୍ତ୍ତୃପକ୍ଷ ନଜର ରଖିବେ।



ମଲ ଭିତରେ ଥିବା ପ୍ରତ୍ୟେକ ଦୋକାନ ଓ ଆଉଟଲେଟରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପଡ଼ିବ। ଏଲିଭେଟର ଓ ଲିଫ୍ଟରେ କୌଣସି ପରିସ୍ଥିତିରେ ଯେପରି ଭିଡ଼ ହେବନି। ଏହାକୁ ଅପରେଟ କରିବାକୁ ସ୍ୱତନ୍ତ୍ର କର୍ମଚାରୀ ନିୟୋଜିତ ହେବେ। ମଲ ପରିସରରେ କେହି ବି ଛେପ ପକାଇ ପାରିବେନି। ଏହି ସବୁ ନିୟମାବଳୀ ପାଳନ କରାଇବା ପାଇଁ ମଲ କର୍ତ୍ତୃପକ୍ଷ ଜଣେ ସ୍ୱତନ୍ତ୍ର ଅଫିସରଙ୍କୁ ଦାୟିତ୍ୱ ଦେବେ। ଯଦି କେହି ଛେପ ପକାଇବେ ସମ୍ପୃକ୍ତ ଅଫିସର ତାଙ୍କ ଠାରୁ ଫାଇନ ଆଦାୟ କରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
Published by: Anand Shankar Thankur Das
First published: August 2, 2020, 7:36 PM IST
corona virus btn
corona virus btn
Loading