News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ସପିଙ୍ଗ୍ ମଲ୍ ସବୁ କେବେ ଖୋଲିବ ତାକୁ ନେଇ ଏବେ ବି ଆଶା ଓ ଆଶଙ୍କାରେ ରହିଛନ୍ତି ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ । ଗତ ତିନି ମାସ ହେଲା କାରବାର ବନ୍ଦ ରହିଥିବାରୁ ଦିନକୁ କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି ମଲ୍ ମାଲିକ ଓ ସେଥିରେ ଥିବା ଦୋକାନଗୁଡ଼ିକ । ହେଲେ ଏବେ ଲାଗୁଛି ଯେ ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ ମଲଗୁଡ଼ିକୁ ଖୋଲିବା ପାଇଁ ଅନୁମତି ମିଳିଯାଇପାରେ ।
ଯଦିଓ ଅନଲକ-୨ ଗାଇଡ଼ଲାଇନ ଅନୁସାରେ ଜିମ୍ ଓ ସିନେମା ହଲ୍ ବନ୍ଦ ରହିବ, ସପିଂ ମଲଗୁଡ଼ିକ ଖୋଲା ରହି ପାରିବ । ହେଲେ ସେଥି ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ଆବଶ୍ୟକ । ସେଇଥି ପାଇଁ ବିଏମସି ସହ ଆଲୋଚନା କରିଛନ୍ତି ସପିଙ୍ଗ୍ ମଲର ମାଲିକମାନେ ।
‘‘ସ୍ଥାନୀୟ ଖୋଲା ଲୋକାଲ ମାର୍କେଟ ଅପେକ୍ଷା ମଲରେ ଗ୍ରାହକମାନେ ଅଧିକ ସୁରକ୍ଷିତ । ମଲ୍ ଖୋଲିବାକୁ ନେଇ ବିଏମସି କମିଶନରଙ୍କ ସହ ଆମେ ଆଲୋଚନା କରିଛୁ । ବିଏମସି ଏବେ ଏହା ଉପରେ ଗାଇଡଲାଇନ୍ ପ୍ରସ୍ତୁତ କରୁଛି । ସେହି ଗାଇଡଲାଇନକୁ ଆମେ ସମସ୍ତେ ପାଳନ କରିବୁ । ମୋତେ ଲାଗୁଛି ଦୁଇ ତିନି ଦିନ ମଧ୍ୟରେ ମଲଗୁଡ଼ିକ ଖୋଲିବା ଆରମ୍ଭ କରିବ,’’ କହିଛନ୍ତି ଉତ୍କଳ କନିକା ଗ୍ୟାଲେରିଆ ମଲର ଏମ୍.ଡି. ଶରଦ ବୈଦ ।

ଉତ୍କଳ କନିକା ଗ୍ୟାଲେରିଆ ମଲର ଏମ୍.ଡି. ଶରଦ ବୈଦ
ମଲକୁ ଏଣ୍ଟ୍ରି କରିବା ପୂର୍ବରୁ ପ୍ରତି ବ୍ୟକ୍ତିଙ୍କୁ ସାନିଟାଇଜର ବ୍ୟବହାର କରିବାକୁ ଦିଆଯିବ ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ବଡି ଟେମ୍ପରେଚର ଚେକିଂ କରାଯିବ ବୋଲି ସେ କହିଛନ୍ତି । ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ବି ଗୁରୁତ୍ୱ ଦିଆଯିବ । ବିଏମସି କମିଶନରଙ୍କ ସହ ଆଲୋଚନା ପରେ ମଲ ମାଲିକମାନେ ଏବେ ଅନୁମତି ଅପେକ୍ଷାରେ ଅଛନ୍ତି ବୋଲି କହିଛନ୍ତି ବୈଦ । ‘‘ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ବିଏମସି ତରଫରୁ ଅନୁମତି ମିଳିଲେ କୋଭିଡ-୧୯ ଗାଇଡ଼ଲାଇନ ମାନି ଆମେ ମଲ୍ ଖୋଲିବୁ,’’ ସେ କହିଛନ୍ତି ।
ଦୀର୍ଘ ତିନି ମାସ ହେଲା ବ୍ୟବସାୟ ବନ୍ଦ ଥିବାରୁ ହାତ ବାନ୍ଧି ବସିଛନ୍ତି ମଲ ବ୍ୟବସାୟୀମାନେ । ପାର୍କ ଖୋଲିଲା, ଲୋକାଲ ମାର୍କେଟ ଖୋଲିଲା, ତେଣୁ ମଲ୍ ଖୋଲିବାରେ ସମସ୍ୟା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି କିଛି ବ୍ୟବସାୟୀ । ଲୋକାଲ ମାର୍କେଟରେ ଅଧିକ ଭିଡ଼ ହେଉଛି। ଲୋକେ ସାମାଜିକ ଦୂରତ୍ୱ ମାନୁନାହାନ୍ତି। ତଥାପି ସେମାନଙ୍କୁ ବ୍ୟବସାୟ ପାଇଁ ଅନୁମତି ମିଳିଛି ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି ।
ଅର୍ଥନୀତି ବିଶେଷଜ୍ଞମାନେ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଅର୍ଥନୀତି ଅଭିବୃଦ୍ଧିର ଆବଶ୍ୟକତା ରହିଥିବାରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ପ୍ରସ୍ତୁତ କରି ମଲ୍ ଖୋଲିବାକୁ ଅନୁମତି ଦେବା ଆବଶ୍ୟକ। ‘‘କରୋନା ମହାମାରୀ ପାଇଁ ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ସ୍ୱତନ୍ତ୍ର ଏସଓପି କରି ମଲ ଖୋଲିବାକୁ ଅନୁମତି ଦେବା ଉଚିତ । ଏହା ରାଜସ୍ୱ ବୃଦ୍ଧି ପାଇଁ ସହାୟକ ହେବ। ଜିଏସଟି ଆଦାୟ ଉପରେ ବି ସୁପ୍ରଭାବ ପକାଇବ। ତେଣୁ ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ସରକାର ନିଷ୍ପତ୍ତି ନେବା ଆବଶ୍ୟକ,’’ କହିଛନ୍ତି ଅର୍ଥନୀତି ବିଶେଷଜ୍ଞ ଚିତ୍ତରଞ୍ଜନ ବେହେରା ।

ଅର୍ଥନୀତି ବିଶେଷଜ୍ଞ ଚିତ୍ତରଞ୍ଜନ ବେହେରା ।
ରାଜ୍ୟରେ ଧୀରେ ଧୀରେ ସ୍ଥାନୀୟ ସଂକ୍ରମଣ ବଢୁଛି । କ୍ଵରେଣ୍ଟାଇନରେ ଥିବା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଥିଲେ ମଧ୍ୟ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବି ସମାନ ଭାବେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି। ସ୍ଥାନୀୟ ସଂକ୍ରମିତଙ୍କୁ ଚିହ୍ନଟ କରିବା ମଧ୍ୟ ସରକାରଙ୍କ ପାଇଁ କଷ୍ଟ ହୋଇଛି। ରାଜଧାନୀରେ ପ୍ରତି ଦିନ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ମାସକ ଭିତରେ ୩୦୦ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ତେଣୁ ସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ ବୋଲି ବିଏମସି ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ କୁହାଯାଇଛି।
ପାଣ୍ଟଲୁନ, ସେଣ୍ଟ୍ରାଲ ଓ ଏସପ୍ଲାନେଡ଼ ଭଳି ଭୁବନେଶ୍ୱରରେ ୧୦ରୁ ଅଧିକ ସପିଙ୍ଗ୍ ମଲ୍ ଏବେ ବନ୍ଦ ରହିଛି । ମଲ୍ ଖୋଲିବା ନେଇ ବିଏମସି ପକ୍ଷରୁ ସମସ୍ତ ମଲ୍ ମାଲିକଙ୍କୁ ଡାକି ଆଲୋଚନା କରାଯିବା ପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।