ଭୁବନେଶ୍ୱରରେ ଗ୍ରାହକ ସାମାଜିକ ଦୂରତା ପାଳନ ନ କଲେ ଦୋକାନୀ ଦାୟୀ ରହିବେ

ଗ୍ରାହକ ଯଦି କିଣାକିଣି ବେଳେ ସାମାଜିକ ଦୂରତା ପାଳନ ନ କରୁଛନ୍ତି ତାହେଲେ ଦୋକାନୀ ଏଥି ପାଇଁ ଦାୟୀ ରହିବେ । ଏପରିକି ଏଥି ପାଇଁ ଦୋକାନୀଙ୍କ ଲାଇସେନ୍ସ ବାତିଲ ହୋଇପାରେ ।

ଭୁବନେଶ୍ୱରରେ ଗ୍ରାହକ ସାମାଜିକ ଦୂରତା ପାଳନ ନ କଲେ ଦୋକାନୀ ଦାୟୀ ରହିବେ
ଭୁବନେଶ୍ୱରରେ ଏକ ପରିବା ମାର୍କେଟର ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odis Digital

ଭୁବନେଶ୍ୱର: ଲକଡାଉନରେ ସାମାଜିକ ଦୂରତ୍ୱ ପାଳନ କରିବା ପାଇଁ ଲୋକଙ୍କୁ ବାଧ୍ୟ କରିବା ପାଇଁ ନିୟମ କଡ଼ାକଡ଼ି କରିଛି କମିଶନରେଟ ପୋଲିସ l ପ୍ରତ୍ୟେକ ଦୋକାନୀ ନିଜେ ସାମାଜିକ ଦୂରତା ପାଳନ କରିବେ ଓ ଗ୍ରାହକଙ୍କୁ  ବି ଏହା ପାଳନ କରିବାକୁ କହିବେ। ଗ୍ରାହକ ଯଦି ଏହା ପାଳନ ନ କରୁଛନ୍ତି ତାହେଲେ ଦୋକାନୀ ଏଥି ପାଇଁ ଦାୟୀ ରହିବେ। ଏପରିକି ଏଥି ପାଇଁ ଦୋକାନୀଙ୍କ ଲାଇସେନ୍ସ ବାତିଲ ହୋଇପାରେ ।

ସାମାଜିକ ଦୂରତା ପାଳନ କରେଇବା ପାଇଁ ଦୋକାନୀମାନେ ନିଜ ସେଲସମ୍ୟାନଙ୍କୁ ବାହାରେ ଠିଆ କରାଇବେ। ସେ ଗ୍ରାହକଙ୍କ ମଧ୍ୟରେ ଦୂରତ୍ୱ ରଖିବା ଉପରେ ଧ୍ୟାନ ଦେବେ । ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ।

କମିଶନରେଟ ପୋଲିସର ନିର୍ଦ୍ଦେଶ ପରେ ଭୁବନେଶ୍ୱରର ମାର୍କେଟମାନଙ୍କରେ କଡ଼ାକଡ଼ି ହୋଇଛି ନିୟମ । ଖାଲି ଗ୍ରାହକଙ୍କ ଉପରେ ଆକ୍ସନ ନୁହେଁ, ଦୋକାନରେ ଭିଡ଼ ହେଲେ ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ କରିବାକୁ ଦିଆଯାଇଛି ଚେତାବନୀ । ଏହାକୁ ନେଇ ସମସ୍ତେ ସଚେତନ ହୋଇଛନ୍ତି । ବିଭିନ୍ନ ପରିବା ମାର୍କେଟରେ ଲୋକେ ପରସ୍ପର ଭିତରେ ଦୂରତା ରଖିବା ସହ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ । ଜଣଙ୍କ କିଣା ସରିଲେ ଆଉ ଜଣେ ପରିବା କିଣିବାକୁ ଯାଉଥିଲେ ।

ଚାରି ନମ୍ବର ପରିବା ହାଟରେ ଲୋକେ ଲମ୍ବା ଧାଡ଼ି କରି ଠିଆ ହେବା ସହ ମୁଁହରେ ମାସ୍କ ପିନ୍ଧି ପରିବା କିଣୁଥିବା ଦେଖାଯାଇଥିଲା । ପୋଲିସ ମଧ୍ୟ ଜଗି ରହି ଲୋକଙ୍କୁ ସଚେତନ କରିଛନ୍ତି। ପ୍ରତି ଦୋକାନୀ ପାଖରେ ଜଣେ ଲେଖାଏଁ ପୋଲିସ ଜଗିକି ରହିଥିଲେ। ସେପଟେ ପୂର୍ବ ନିର୍ଦେଶକୁ ବେଖାତିର କରି କିଛି ଜଣ ଗାଡି ନେଇ ବଜ଼ରକୁ ଆସିଥିଲେ। ଏଭଳି କେତେକ ଲୋକଙ୍କ ଗାଡି ଜବତ କରିବା ସହ ଫାଇନ ଆଦାୟ କରାଯାଇଛି। ପୋଲିସ ଇନସ୍ପେକଟର ବି.ଆର.ସେନାପତି କହିଛନ୍ତି, "ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି। ଗାଡି ନ ଆଣି ଚାଲିକି ପାଖ ଦୋକାନକୁ ଯିବାକୁ ପରାମର୍ଶ ଦିଆଯାଇଛି। ତଥାପି ଲୋକ ଗାଡି ଧରି ବୁଲୁଛନ୍ତି। ତେଣୁ ଆମେ ଗାଡି ସବୁ ସିଜ କରିଛୁ"।

ସେପଟେ ବଡଗଡ଼ ହାଟରେ କିନ୍ତୁ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ସାମାଜିକ ଦୂରତ୍ୱ ଭୁଲି ପରିବା କିଣିବାରେ ସମସ୍ତେ ସମସ୍ତେ ଯେମିତି ବ୍ୟସ୍ତ ଥିଲେ। ଦେହକୁ ଦେହ ଲାଗି କିଣାବିକରେ ଲାଗିପଡିଥିଲେ ସମସ୍ତେ। ସରକାରଙ୍କ ନିୟମ ଏଠି ଯେମିତି ପାଣିର ଗାର। ପରିବା ବ୍ୟବସାୟୀ ଭଗବାନ ସାହୁ କହିଛନ୍ତି, "ଆମେ ଲୋକଙ୍କୁ ଆମେ ଦୂରତା ବଜାୟ ରଖିବାକୁ ଅନୁରୋଧ କରୁଛୁ। ହେଲେ ଲୋକ ମନୁନାହାନ୍ତି। ଆମେ ଆଉ କଣ ବା କରି ପାରିବୁ ବୋଲି ଭଗବାନ କହିଛନ୍ତି"। ସେହିପରି ବଡଗଡ଼ ବାସିନ୍ଦା ବଲଭ ସାହୁ କହିଛନ୍ତି, "ଖାଲି ସରକାର କି ପୋଲିସ ପ୍ରଶାସନ ନୁହେଁ। ଆମକୁ ନିଜେ ସତର୍କ ହେବାକୁ ପଡିବ। ହେଲେ ଏଠି ଆମେ ଲୋକଙ୍କୁ ବୁଝେଇଲେ କିଛି ଜଣା ବିରକ୍ତି ପ୍ରକାଶ କରୁଛନ୍ତି। ତେଣୁ ବାଧ୍ୟ ହୋଇ ଚୁପ ରହୁଛୁ"।

ଦିନକୁ ଦିନ ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏନେଇ ଭୟଭୀତ ନ ହୋଇ ସତର୍କ ରହିବା ନିହାତି ଆବଶ୍ୟକ। ହେଲେ କିଛି ଜଣଙ୍କ ଏଭଳି ବେପରୁଆ ମନୋଭାବ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଉଛି। ତେଣୁ ସତର୍କତାର ସହ ସରକାରଙ୍କ ନିୟମ ମାନି ଚାଲିଲେ କୋରନା ମହାମାରୀର ମୁକାବିଲା କରିହେବ।
First published: April 7, 2020, 8:41 PM IST
corona virus btn
corona virus btn
Loading