News18 Odia Digital
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ସାତ ଜଣ କରୋନା ଭାଇରସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବାଲେଶ୍ବରରୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ଭିତରେ ଅଛି ଜଣେ ଦୁଇ ବର୍ଷର ଝିଅ । ଭଦ୍ରକରୁ ଚିହ୍ନଟ ହୋଇଥିବା ପାଞ୍ଚ ଜଣ ଆକ୍ରାନ୍ତ ସମସ୍ତେ ପୁରୁଷ ।
ବାଲେଶ୍ୱରର ଆକ୍ରାନ୍ତ ଦୁଇ ବର୍ଷର ଝିଅଟି ନୀଳଗିରି ଅଞ୍ଚଳର । ତାକୁ କରୋନା ସଂକ୍ରମଣ ହେବା ନେଇ ସୂଚନା ଦେଇଛନ୍ତି ନୀଳଗିରି ଉପଜିଲ୍ଲାପାଳ ହରୀଶ ଚନ୍ଦ୍ର ଜେନା । ଗତ ୧୬ ତାରିଖରେ ଝିଅଟିର ନମୁନା ସଂଗ୍ରହ କରାଯାଇଥିଲା । ଗତ କାଲି ରିପୋର୍ଟ ପଜିଟିଭ୍ ଆସିଥିବା କହିଛନ୍ତି ଉପ ଜିଲ୍ଲାପାଳ । ବାଲେଶ୍ୱର ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅନ୍ୟ ବ୍ୟକ୍ତି ଜଣଙ୍କର ବୟସ ୩୨ ବର୍ଷ ।
ଭଦ୍ରକ ଜିଲ୍ଲାରେ କରୋନା ପଜିଟିଭ୍ ହୋଇଥବା ଲୋକଙ୍କ ବୟସ ଯଥାକ୍ରମେ ୪୮ ବର୍ଷ, ୫୫ ବର୍ଷ, ୫୭ ବର୍ଷ, ୫୮ ବର୍ଷ ଓ ୬୬ ବର୍ଷ । ଏମାନେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭଦ୍ରକ ଜିଲ୍ଲାରେ ଖେଳିଯାଇଛି ଭୟର ବାତାବରଣ । ଆଜି ଚିହ୍ନଟ ହୋଇଥିବା ୫ ଜଣଙ୍କ ଭିତରୁ ଦୁଇ ଜଣ ଭଣ୍ଡାରୀପୋଖରୀ ବ୍ଲକର ଓ ଅନ୍ୟ ୩ ଜଣ ବାସୁଦେବପୁର ବ୍ଲକ ଅଞ୍ଚଳର । ଏହି ୫ ଜଣଙ୍କ ଭ୍ରମଣ ଇତିହାସ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ।

ଭୁବନେଶ୍ୱରର ଏକ ଟେଷ୍ଟିଂ ସେଣ୍ଟରରେ କାର୍ଯ୍ୟରତ ଅଧିକାରୀମାନେ ।
ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ୬୮ ହୋଇଛି । ବର୍ତ୍ତମାନ ରାଜ୍ୟରେ ୪୩ ଜଣ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ, ସୁସ୍ଥ ହୋଇ ଫେରିଛନ୍ତି ୨୪ ଜଣ । ଜଣେ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଭଣ୍ଡାରୀପୋଖରୀ ବ୍ଲକର ଦୁଇ ଆକ୍ରାନ୍ତ କୋଲକାତାରେ ଏକ ଛତା ଫ୍ୟାକ୍ଟ୍ରିରେ କାମ କରୁଥିଲେ । ମାର୍ଚ୍ଚ ୨୮ ତାରିଖ ରାତିରେ ଦୁଇ ଜଣ ଯାକ କୋଲକାତାରୁ ଘରକୁ ଫେରିଥିଲେ । ଏହି ଦୁଇ ଜଣଙ୍କ ସହିତ ମୋଟ ୨୪ ଜଣ ଏକ ଟାଟା ଏସି ଗାଡ଼ିରେ କୋଲକାତାରୁ ଓଡ଼ିଶା ଅଭିମୁଖେ ବାହାରିଥିଲେ । ବାଟରେ ବିଭିନ୍ନ ସ୍ଥାନରେ ଲୋକମାନେ ଓହ୍ଲାଇଥିବା ବେଳେ ଭଣ୍ଡାରୀପୋଖରୀରେ ଓହ୍ଲାଇଥିଲେ ଦୁଇ ଜଣ ।
ବାସୁଦେବପୁର ବ୍ଲକ ଅଞ୍ଚଳର ୩ ଜଣ ଆକ୍ରାନ୍ତ ମଧ୍ୟ ୨୮ ଓ ୨୯ ତାରିଖ ଭିତରେ କୋଲକାତାରୁ ଫେରିଥିବା ସୂଚନା ମିଳିଛି । ଜିଲ୍ଲାରେ ୫ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ୨ଟି ବ୍ଲକର ୫ଟି ପଞ୍ଚାୟତକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଦୁଇଟି ବ୍ଲକରେ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଭଣ୍ଡାରିପୋଖରୀ ପାଇଁ ଉପଜିଲ୍ଲାପାଳ ପୀତାମ୍ବର ସାମଲ ନିଯୁକ୍ତ ହୋଇଥିବା ବେଳେ ବାସୁଦେବପୁର ବ୍ଲକ ପାଇଁ ପିଡି ଡିଆର୍ଡିଏ ମଧୁସୂଦନ ଦାସ ନିଯୁକ୍ତ ହୋଇଛନ୍ତି । ୫ଟି ପଞ୍ଚାୟତ ପାଇଁ ୫ ଜଣ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।