News18 Odia Digital
ପୁରୀ: ଦେବସ୍ନାନ ପୂର୍ଣ୍ଣିମା ଜୁନ୍ ୨୪ରେ ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି । ଗତ ବର୍ଷ କୋଭିଡ୍ ନିୟମାବଳୀ ଅନୁସାରେ ଯେମିତି ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମାର ପରିଚାଳନା ହୋଇଥିଲା ଏ ବର୍ଷ ବି ସେମିତି ହେବ । ଜୁନ୍ ୨୩ ତାରିଖ ରାତି ୧ଟାରୁ ଆରମ୍ଭ ହେବ ଦେବସ୍ନାନ ପୂର୍ଣ୍ଣିମା ନୀତି ।
ସ୍ନାନ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ୧୫-ଦିନିଆ ଅଣସର ପର୍ବ । କୋଭିଡ ଗାଇଡଲାଇନ୍ସକୁ ଦୃଷ୍ଟିରେ ରଖି ସବୁ କିଛି ହେବ । ରାତି ୧ଟାରୁ ଆରମ୍ଭ ହେବ ପହଣ୍ଡି ନୀତି । ସ୍ନାନ ପୂର୍ଣ୍ଣିମାର ୪୮ ଘଣ୍ଟା ପୂର୍ବରୁ ପାଳିଆ ସେବକଙ୍କର ହେବ ଆର୍.ଟି.ପି.ସି.ଆର୍. ଟେଷ୍ଟ୍ । କେବଳ ପରିଚୟ ପତ୍ର ବା ଅନୁମତି ପତ୍ର ଥିବା ପାଳିଆ ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ । ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ଓ ପୁରୀ ଏସ୍.ପି. କଁୱର ବିଶାଳ ସିଂ ଦଇତାପତି ନିଯୋଗ ସହ ଆଲୋଚନା ସରିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ହସପିଟାଲରେ ଅକ୍ସିଜେନ୍ ବନ୍ଦ କରି ଦେଖୁଥିଲେ କେତେ ରୋଗୀ ମରିବେ; ୫ ମିନିଟରେ ମଲେ ୨୨ – VIDEO
ସ୍ନାନ ପୂର୍ଣ୍ଣିମା ପାଇଁ କେବଳ ପାଳିଆ ସେବକମାନେ ହିଁ ଅନୁମତି ପତ୍ର ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ବୋଲି କହିଛନ୍ତି ଦଇତାପତି ନିଯୋଗ ସଭାପତି ରବିନ୍ଦ୍ର ଦାସ ମହାପାତ୍ର । ରାତି ୧ଟାରେ ଶ୍ରୀଜୀୟୁଙ୍କ ପହଣ୍ଡି ଆରମ୍ଭ ହୋଇ ପ୍ରାତଃ ୪ଟାରେ ଶେଷ ହେବ। ସକାଳ ସୁଦ୍ଧା ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ମଣ୍ଡପକୁ ବିଜେ କରିବେ । ସକାଳ ୯ଟାରୁ ୧୦ଟା ମଧ୍ୟରେ ହେବ ଶ୍ରୀଜୀଉଙ୍କ ସ୍ନାନ ନୀତି । ତା’ପରେ ଗଜପତି ମହାରାଜା ସ୍ନାନବେଦୀକୁ ଯାଇ ଛେରାପହଁରା ନୀତି କରିବେ ।
ଏହା ବି ପଢ଼ନ୍ତୁ | ଯୁବ ଲେଖକମାନଙ୍କ ପାଇଁ PM ମୋଦି ଆଣିଲେ ଏକ ସ୍କିମ୍; ୬ ମାସରେ ମିଳିବ ୩ ଲକ୍ଷ ଟଙ୍କା
‘‘ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ଶ୍ରୀଜୀଉଙ୍କ ହାତୀବେଶ କରାଯିବ। ଅପରାହ୍ଣ ୫ଟାରେ ହେବ ବାହୁଡ଼ା ପହଣ୍ଡି । ସନ୍ଧ୍ୟା ୭ଟା ସୁଦ୍ଧା ପହଣ୍ଡି ସାରି ଅଣସର ପିଣ୍ଡିକୁ ବିଜେ କରିବେ ମହାପ୍ରଭୁ । ପହଣ୍ଡି ପୂର୍ବରୁ ଶ୍ରୀଅଙ୍ଗରୁ ସୁବର୍ଣ୍ଣର ଚିତା ଓ ରାହୁ ରେଖା ବାହାର କରାଯିବ । ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତିକୁ ଚୁଡ଼ାନ୍ତ ମୋହର ଲଗାଯାଇ ନୀତିକାନ୍ତି କରାଯିବ,’’ କହିଛନ୍ତି ଦାସ ମହାପାତ୍ର ।

ହାତୀ ବେଶ ବା ଗଜାନନ ବେଶ ମହାପ୍ରଭୁଙ୍କର ଏକ ଦୁର୍ଲ୍ଲଭ ବେଶ । (ଫାଇଲ୍ ଫଟୋ)
ଏବେ ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ ଚାଲିଛି । ରଥ କାର୍ଯ୍ୟ ଏବେ ଖଳାରୁ ବାହାରକୁ ଆସିଗଲାଣି । ଭଉଁରୀ ଦିନ ନାହାକା ଚକଅଖ ଡେରା ହୋଇଥିବା ବେଳେ ଶୀତଳ ଷଷ୍ଠୀ ପୂର୍ବରୁ ତିନି ରଥର ବାକି ୧୮ଟି ଅଖରେ ୩୬ଟି ଚକ ସଂଯୋଗ କରାଯାଇ ଅଖଚକ ଡେରା ନୀତି ସମ୍ପନ୍ନ ହୋଇଛି । ତିନିରଥର ଚେଚିସ୍ ବା ଦଣ୍ଡା ଫ୍ରେମ୍ ଶେଷ ହୋଇଥିବା ବେଳେ ତାହାକୁ ନମ୍ବରିଂ କରି କଳସା ଯାଇ ଫ୍ରେମଗୁଡି଼କ ଖୋଲାଯାଇଛି । ପୁଣି ଚକାଡେରା ପରେ ଅଖରେ ମେଣ୍ଢି ଓ ଚକରେ ବନ୍ଧ ଦିଆଯାଇ ତା’ ଉପରେ ଦଣ୍ଡା ଅନୁକୁଳ କରାଯାଇଛି ।
ଏହା ବି ପଢ଼ନ୍ତୁ | SBIର ଆଲର୍ଟ! ଏବେ ATMରୁ ଟଙ୍କା ଉଠାଇବା ମହଙ୍ଗା ହେବ, ଚେକ୍ ବୁକ୍ ନିୟମ ବି ବଦଳିବ
‘‘ଦେବସ୍ନାନ ପୂର୍ଣିମା ପୂର୍ବରୁ ତିନି ରଥର ଉଠିବ ଚାରି ନାହାକା । ପୂର୍ବରୁ ସ୍ନାନ ପୂର୍ଣ୍ଣିମା ଦିନ ଏହି ବିଧି ହେଉଥିବା ବେଳେ ଏହା ସେଭଳି କିଛି ପରମ୍ପରା ନୁହେଁ । ଯାହା ଆଜ୍ଞାମାଳ ଆସିବ ସେ ହିଁ କେବଳ ରଥର ବିଧି । ତେଣୁ କୌଣସି ପରମ୍ପରା ଭଙ୍ଗ ହେଉନାହିଁ । ରଥର ନିର୍ମାଣ କାମ ନେତ୍ରୋତ୍ସବ ଦିନ ହିଁ ଶେଷ ହେବ,’’ କହିଛନ୍ତି ଦେବୀଦଳନ ବିଶ୍ୱକର୍ମା ମହାରଣା କୃଷ୍ଣ ମହାରଣା ।
ଏହା ବି ପଢ଼ନ୍ତୁ | ଫୁଟବଲରେ ଆଗକୁ ବଢ଼ିଲା ଭାରତ, ହରାଇଲା ବାଂଲାଦେଶକୁ; ସୁନୀଲ୍ ଛେତ୍ରୀ ୨ଟି ଗୋଲ୍ କଲେ
ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ମହାପ୍ରଭୁ ହାତୀ ବେଶରେ ଶୃଙ୍ଗାର ହୋଇ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ତେଣୁ ରାଘବ ଦାସ ମଠ ପକ୍ଷରୁ ସେବକଙ୍କୁ ଲଗାଯାଇ ନିର୍ମାଣ କରାଯାଉଛି ହାତୀ ବେଶ ବା ଗଜାନନ ବେଶ । ଶୋଲ, ଜରି, ଜମ୍ବୁରା, କଇଁଥ ଅଠା, ବେତ ଓ ବାଉଁଶ କାଠି ଆଦିରେ ଏହି ବେଶ ପ୍ରସ୍ତୁତ କରାଯାଉଛି । ସ୍ୱତନ୍ତ୍ର ମାପରେ ଏହି ବେଶକୁ ନିର୍ମାଣ କରି ସ୍ନାନ ପୂର୍ଣ୍ଣିମା ଦିନ ବେଶ କାରିଗର ଶ୍ରୀମନ୍ଦିର ଗାରଦରେ ଦାଖଲ କରିଥାନ୍ତି ।
ଏହା ବି ପଢ଼ନ୍ତୁ | ଜୁନ୍ ୨୧ରୁ ଦେଶର ସବୁ ନାଗରିକଙ୍କୁ ମାଗଣା ଟିକା ମିଳିବ; ଦୀପାବଳୀ ଯାଏଁ ଗରିବଙ୍କୁ ମିଳିବ ମାଗଣା ଚାଉଳ
‘‘ହାତୀ ବେଶକୁ ସିଂହାରୀ ଓ ପୁଷ୍ପାଳକ ଆଦି ସେବକ ମାନେ ଧଳା ହାତୀ ଓ କଳା ହାତୀ ଭଳି ବେଶ କରିବେ ଓ ତା’ ପରେ ମହାପ୍ରଭୁ ହାତୀ ବେଶ ବା ଗଜାନନ ବେଶରେ ଦର୍ଶନ ଦେବେ । ଏହା ମହାପ୍ରଭୁଙ୍କର ଏକ ଦୁର୍ଲ୍ଲଭ ବେଶ । ତେଣୁ କିଭଳି ହାତୀ ବେଶ ଓଲାଗି ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିବ ସେ ନେଇ ଜିଲ୍ଲାପାଳଙ୍କ ସହିତ ଏକ ବୈଠକରେ ଆଲୋଚନା ହୋଇଛି,’’ କହିଛନ୍ତି ଛାମୁ ଖିୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ ।
ରଥ ନିର୍ମାଣ କାମରେ ଅଗ୍ରଗତି ହେଉଥିବା ବେଳେ ପ୍ରାଶାସନିକ ସ୍ତରରେ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି । ‘‘ପୁରୀ ପୋଲିସ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ନଅଟି ଜୋନରେ ବିଭକ୍ତ କରାଯାଇଛି । ସ୍ନାନ ଯାତ୍ରା ନେଇ ହୋଇଥିବା ସ୍ୱତନ୍ତ୍ର ଏସ୍.ଓ.ପି. ଅନୁସାରେ ସବୁ ବନ୍ଦୋବସ୍ତ ହେବ,’’ କହିଛନ୍ତି ପୁରୀ ଏସପି କୱଁର ବିଶାଳ ସିଂ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।