କରୋନା ସଂକ୍ରମଣ: ଭୁବନେଶ୍ୱରରେ ଆରମ୍ଭ ହେଲା ସିରୋ-ସର୍ଭେଇଲାନ୍ସ; ଦୁଇଟି ପର୍ଯ୍ୟାୟରେ ଶେଷ ହେବ
ସିରୋ-ସର୍ଭେଇଲାନ୍ସରୁ ସହରବାସୀ ଓ ବିଶେଷତଃ ହାଇ-ରିସ୍କ ଗୃପ୍ ପାଖରେ କୋଭିଡ-୧୯ ମୁକାବିଲା ପାଇଁ ରୋଗ ପ୍ରତିଷେଧକ ଶକ୍ତି କେତେ ମାତ୍ରାରେ ଅଛି ତାହା ଜଣାପଡ଼ିବ । ପୁରୀରେ ଏହି ସର୍ଭେ ଶେଷ ହୋଇଛି ।

ସିରୋ ସର୍ଭେଇଲାନ୍ସ ପାଇଁ ରାଜଧାନୀର ୨୫ଟି ୱାର୍ଡକୁ ଚିହ୍ନଟ କରାଯାଇଛି ।
- News18 Odia
- Last Updated: July 11, 2020, 8:22 PM IST
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସହରବାସୀ ବା କମ୍ୟୁନିଟି ଓ ହାଇ ରିସ୍କ ଗୃପ୍ ପାଖରେ କୋଭିଡ-୧୯ ମୁକାବିଲା ପାଇଁ ରୋଗ ପ୍ରତିଷେଧକ ଶକ୍ତି କେତେ ମାତ୍ରାରେ ଅଛି ତାହା ଜାଣିବା ପାଇଁ ଆରମ୍ଭ ହୋଇଛି ସିରୋ-ସର୍ଭେଇଲାନ୍ସ ।
ହାଇ ରିସ୍କ ଗୃପ ଅର୍ଥାତ ରୋଗୀ, ସ୍ବାସ୍ଥ୍ୟ କର୍ମୀ, ସୁରକ୍ଷା କର୍ମୀ, ମିଡିଆ ପର୍ସନ, ମ୍ୟୁନିସପାଲିଟି କର୍ମଚାରୀ, ଡ୍ରାଇଭର, କଏଦୀ, ବ୍ୟବସାୟୀ, ବିମାନବନ୍ଦର କର୍ମଚାରୀ, ବସ୍ତି ବାସିନ୍ଦା ଓ ପ୍ରବାସୀଙ୍କ ପାଇଁ ହୋଇଥିବା ଶିବିର ଓ କଣ୍ଟେନମେଣ୍ଟ ଜୋନରେ ଏହି ଟେଷ୍ଟ କରାଯିବ ।
‘‘ସିରୋ ସର୍ଭେଇଲାନ୍ସ ପାଇଁ ଆରଏମଆରସି (RMRC) ଟେକନିକାଲ ସପୋର୍ଟ ଯୋଗାଇଛି। କୋଭିଡ-୧୯ ଗାଇଡ଼ଲାଇନ ଅନୁସାରେ ସର୍ଭେଇଲାନ୍ସ ଆରମ୍ଭ ହୋଇଛି,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ପ୍ରଥମ ରାଉଣ୍ଡରେ ସର୍ବମୋଟ ୨,୫୦୦ ନମୁନା ସଂଗ୍ରହ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
ସର୍ଭେଇଲାନ୍ସ ପାଇଁ ପାଞ୍ଚଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ସାତରୁ ୧୦ ଜଣ ସଦସ୍ୟ ରହିଛନ୍ତି । ଆରଏମଆରସି ଷ୍ଟାଫଙ୍କ ତତ୍ତ୍ୱାବଧାନରେ ଟିମ କାର୍ଯ୍ୟ କରିଛି । ଜୁଲାଇ ୧୧ ଓ ୧୨ ତାରିଖରେ କମ୍ୟୁନିଟି ସଦସ୍ୟଙ୍କ ସାମ୍ପଲ ସଂଗ୍ରହ କରାଯିବ। ହାଇ ରିସ୍କ ଓ ବସ୍ତି ଅଞ୍ଚଳରୁ ୧,୬୦୦ ନମୁନା ସଂଗ୍ରହ କରାଯିବ । ୯୦୦ କମ୍ୟୁନିଟି ସଦସ୍ୟଙ୍କ ନମୁନା ସଂଗ୍ରହ ହେବ । ପ୍ରଥମ ରାଉଣ୍ଡରେ ସର୍ବମୋଟ ୨,୫୦୦ ନମୁନା ସଂଗ୍ରହ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
ଭୁବନେଶ୍ୱରେ କାୟା ମେଲାଉଛି କରୋନା । ଦିନକୁ ଦିନ ରାଜଧାନୀରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ନିୟନ୍ତ୍ରଣ କରିବା ଏବେ ବିଏମସି ପାଇଁ ଚିନ୍ତା ପାଲଟିଛି। ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି ବିଏମସି। ହେଲେ କମିବା ପରିବର୍ତ୍ତେ ବଢୁଛି ସଂକ୍ରମଣ। ଏଭଳି ସ୍ଥିତିରେ ବର୍ତ୍ତମାନ ସହରରେ ଆରମ୍ଭ ହୋଇଛି ସିରୋ-ସର୍ଭେଇଲାନ୍ସ ।
ଜୁନ ମାସରେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଥିବା ବେଳେ ଜୁଲାଇ ଆରମ୍ଭରୁ ହିଁ ସଂକ୍ରମଣ ବଢ଼ିବାରେ ଲାଗିଛି । ଜୁଲାଇ ୧ରୁ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ଟପିଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୦୦ ଟପିଛି। ଏହା ଏବେ ସମସ୍ତଙ୍କ ପାଇଁ ଚିନ୍ତା ବଢାଇଛି।
ଏହା ବି ପଢ଼ନ୍ତୁ: ₹୫,୪୦୦ର କରୋନା ପାଇଁ ବ୍ୟବହୃତ ରେମଡେସିଭିର୍ ଔଷଧକୁ ₹୨୦,୦୦୦ରେ ବିକି ଗିରଫ ହେଲେ ଦୋକାନୀ ଓ ସହଯୋଗୀ
କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ବିଏମସି । ପୂର୍ବରୁ ପୁରୀରେ ସିରୋ-ସର୍ଭେଇଲାନ୍ସ କାର୍ଯ୍ୟ ଶେଷ ହୋଇଛି । ଭୁବନେଶ୍ୱର ପରେ ଗଞ୍ଜାମ, କଟକ ଓ ଗଜପତିରେ ଏହା ଆରମ୍ଭ ହେବ ବୋଲି ଆରଏମଆରସି ପକ୍ଷରୁ କୁହାଯାଇଛି ।