ଓଡ଼ିଶାରେ ଆଉ ଗୋଟିଏ କରୋନା ଭାଇରସ୍ ପଜିଟିଭ୍ ମାମଲା ସାମନାକୁ ଆସିଲା; ଏବେ ଦୁଇ ହେଲା

ରାଜ୍ୟର ଏହି ଦ୍ୱିତୀୟ କରୋନା ପଜିଟିଭ୍ ବ୍ୟକ୍ତି ଏହି ମହାମାରୀ ବ୍ୟାପିଥିବା ଦେଶରୁ ଫେରିଥିବା ଜଣାଯାଇଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ଚିନ୍ତା ବଢ଼ିଛି ।

ଓଡ଼ିଶାରେ ଆଉ ଗୋଟିଏ କରୋନା ଭାଇରସ୍ ପଜିଟିଭ୍ ମାମଲା ସାମନାକୁ ଆସିଲା; ଏବେ ଦୁଇ ହେଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 20, 2020, 12:28 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏ ପର୍ଯ୍ୟନ୍ତ ମାତ୍ର ଗୋଟେ କରୋନା ଭାଇରସ୍‌ ପଜିଟିଭ୍‌ ମାମଲା ଅଛି ଓ ସେହି ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଆସୁଛନ୍ତି ବୋଲି ଆଶ୍ୱସ୍ତ ଥିବା ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ କେତେକ ନମୂନାର ପରୀକ୍ଷାରେ ଏହି ଦ୍ୱିତୀୟ ମାମଲାଟି ଜଣା ପଡ଼ିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି ।

ଏହି କରୋନା ପଜିଟିଭ୍‌ ବ୍ୟକ୍ତି ଜଣକ କରୋନା ଭାଇରସ୍‌ ବ୍ୟାପିଥିବା ଦେଶରୁ ଫେରିଥିବା ଜଣାଯାଇଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ରାଜ୍ୟ ପାଇଁ ଚିନ୍ତା ବଢ଼ିଛି ।

‘‘ଭୁବନେଶ୍ୱରରେ ଥିବା ଆର.ଏମ.ଆର.ସି. (RMRC)ରେ ପରୀକ୍ଷା ହୋଇଥିବା ୧୪ଟି ନୂଆ ନମୂନା ମଧ୍ୟରୁ ଆଜି ଗୋଟିଏ ପଜିଟିଭ୍ ଚିହ୍ନଟ ହୋଇଛି । ଏହି ଦ୍ୱିତୀୟ ବ୍ୟକ୍ତି ଏକ କୋଭିଡ୍‌ ୧୯ ଦେଶକୁ ଯାଇ ଫେରିଥିଲେ । ପ୍ରଥମ ପଜିଟିଭ୍‌ ବ୍ୟକ୍ତି ଜଣକ ଏବେ ସୁସ୍ଥ ହୋଇଆସୁଛନ୍ତି,’’ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

କରୋନା ଭାଇରସର ପ୍ରସାର ରୋକିବା ପାଇଁ ଓଡ଼ିଶା ସରକାର ଗତ ସପ୍ତାହେ ହେଲା ଅନେକ ପଦକ୍ଷେପ ନେଇଛନ୍ତି । ବିଦେଶ ଗସ୍ତରୁ ଫେରିଥିବା ଭାରତୀୟମାନଙ୍କୁ ୧୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଦେଇ କରୋନା ଭାଇରସ୍‌ ସଂକ୍ରମଣ ବିଷୟରେ ଘୋଷଣା କରିବାକୁ ଉତ୍ସାହିତ କରିବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ହୋଇଛି ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କରୋନା ଭାଇରସ୍‌ କବଳରୁ ନିଜକୁ ସୁରକ୍ଷିତ ରଖିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି । ସେ ଦୁଇ ଦିନ ତଳେ ଟ୍ୱିଟ୍ କରି ଣେଇଥିଲେ ଯେ ସେ ତାଙ୍କ ଭଉଣୀ ଆମେରିକାରେ ରହୁଥିବା ପ୍ରସିଦ୍ଧ ଲେଖିକା ଗୀତା ମେହେଟାଙ୍କୁ ରାଜ୍ୟ ସରକାରଙ୍କ କରୋନା ଭାଇରସ୍‌ ପୋର୍ଟାଲରେ ପଞ୍ଜୀକୃତ କରାଇଛନ୍ତି । ଗୀତା ନିକଟରେ ଆମେରିକାରୁ ଓଡ଼ିଶା ଫେରିଛନ୍ତି ।

କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ପରିସ୍ଥିତି ବି ଘୋଷଣା କରିଛନ୍ତି ଓ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସାର୍ବଜନୀନ ସ୍ଥାନକୁ ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି । ସୋସିଆଲ ମିଡିଆରେ ଭୁଲ ତଥ୍ୟ ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଉଛି। କରୋନା ଭାଇରସ୍‌ ଉପରେ ଭୁଲ ତଥ୍ୟ ପ୍ରଚାର ଓଡ଼ିଶାରେ ଏବେ ଏକ ଅପରାଧରେ ଗଣା ଯାଉଛି ।
First published: March 20, 2020, 12:28 AM IST
corona virus btn
corona virus btn
Loading