ରାଜ୍ୟରେ ପିଲାଙ୍କ ଘରେ ପହଞ୍ଚିବ ସ୍କୁଲ୍ ବହି; ମଇ ୩ ପରେ ମ୍ୟାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ

ଲକଡାଉନରେ ପିଲାଙ୍କ ପାଠ ପଢ଼ା ଅଟକିବନି । ଏପ୍ରିଲ ୨୫ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଖରେ ବହି ପହଞ୍ଚାଇବାକୁ ସବୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଆଦେଶ ଦିଆଯାଇଛି ।

ରାଜ୍ୟରେ ପିଲାଙ୍କ ଘରେ ପହଞ୍ଚିବ ସ୍କୁଲ୍ ବହି; ମଇ ୩ ପରେ ମ୍ୟାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ
ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
  • News18 Odia
  • Last Updated: April 14, 2020, 6:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ପ୍ରକୋପ ଓ ଲକଡାଉନ୍‌ ଯୋଗୁଁ ରାଜ୍ୟର ବିଦ୍ୟାଳୟମାନଙ୍କରେ ଅଟକିଯାଇଥିବା ଶିକ୍ଷା ବର୍ଷକୁ ପୁନଃ ଚାଲୁ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ପିଲାଙ୍କ ପାଖରେ ନୂଆ ଶିକ୍ଷାବର୍ଷର ବହି ପହଞ୍ଚାଇବାକୁ ରାଜ୍ୟ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

ଏପ୍ରିଲ ୨୫ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଖରେ ବହି ପହଞ୍ଚାଇବାକୁ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଆଦେଶ ଦିଆଯାଇଛି । ନିଜ ନିଜ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କ ଘରେ ନେଇ ବହି ପହଞ୍ଚାଇବେ ।

ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ପୁରୀ ଗସ୍ତରେ ଯାଇଥିବା ବେଳେ ଏ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବାରେ ଚଳିତ ବର୍ଷ ବିଳମ୍ବ ହେବ । ଜୁନ ୧୭ ତାରିଖ ରେ ସ୍କୁଲ ଖୋଲିବା ପରେ ପିଲାମାନେ ସ୍କୁଲକୁ ଆସି ପାଠ ପଢ଼ି ପାରିବେ । ଏହାକୁ ଆଖିରେ ରଖି ଏଭଳି ଏକ ନିଷ୍ପତ୍ତି ନିଆଯାଇଛି ।

‘‘ନୂଆ ଶିକ୍ଷା ବର୍ଷର ନୂଆ ବହି ସହିତ ପିଲାମାନେ ପରିଚିତ ହେବା ସହ ଘରେ ରହି କିଭଳି ଏହାର ଲାଭ ଉଠାଇ ପାରିବେ ସେଥି ପାଇଁ ବହି ବଣ୍ଟାଯିବାକୁ ନିଷ୍ପତ୍ତି ହୋଇଛି,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ପୂର୍ବରୁ ନବମରୁ ଦଶମକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଅନଲାଇନ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ବିଭାଗ ଯୋଜନା କରିଛି। ବର୍ତ୍ତମାନ ଅଧିକାଂଶ ଶିକ୍ଷକ କରୋନା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏହା ପରେ ଅନଲାଇନ ପାଠ ପଢ଼ା କାମ ଆରମ୍ଭ ହେବ । ଅନଲାଇନ ଜରିଆରେ ପଢ଼ା ବହି ସାଙ୍ଗକୁ ତାଙ୍କର ସମସ୍ୟାର ବି ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

ଆସନ୍ତା ମେ ୩ ତାରିଖ ପରେ ଅଟକି ରହିଥିବା ମାଟ୍ରିକ ଖାତା ଦେଖା ମଧ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ଜଣାଇଛନ୍ତି । ହେଲେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଟକି ରହିଥିବା ପରୀକ୍ଷା କେବେ ହେବ ସେ ନେଇ ବର୍ତ୍ତମାନ କୌଣସି ସୂଚନା ମିଳିପାରି ନାହିଁ ।

କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ନେଇ ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା ଚଳାଉ ଥିବାବେଳେ ଶିକ୍ଷା ବିଭାଗ ମଧ୍ୟ ଶିକ୍ଷା ବ୍ୟବସ୍ଥାକୁ ଚାଲୁ ରଖିବା ପାଇଁ ଉଦ୍ୟମ ଜାରି ରଖିଛି ।
First published: April 14, 2020, 6:29 PM IST
corona virus btn
corona virus btn
Loading