ବଢ଼ୁଛି ଆଶା: ପ୍ଲାଜମା ସଂଗ୍ରହରେ ଶତକ ହାସଲ କଲା କଟକ SCB ହସପିଟାଲର ପ୍ଲାଜମା ବ୍ୟାଙ୍କ୍

କଟକ ବଡ଼ ମେଡିକାଲରେ ସଂଗୃହିତ ୧୦୦ ୟୁନିଟ୍ ପ୍ଲାଜମା ମଧ୍ୟରୁ ୭୪ ୟୁନିଟ୍ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଦିଆଯାଇଛି । ଯେଉଁ ରୋଗୀମାନଙ୍କ ଦେହରେ ତାହା ବ୍ୟବହାର ହୋଇଛି ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଠିକ୍ ହୋଇ ଘରକୁ ଫେରି ସାରିଛନ୍ତି ।

କଟକ ବଡ଼ ମେଡିକାଲରେ ହୋଇଥିବା ପ୍ଲାଜମା ବ୍ୟାଙ୍କ

କଟକ ବଡ଼ ମେଡିକାଲରେ ହୋଇଥିବା ପ୍ଲାଜମା ବ୍ୟାଙ୍କ

  • Share this:
News18 Odia Digital

କଟକ: କୋଭିଡ ରୋଗୀଙ୍କ ଚକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ଏକ ମହାଷୌଧି ଭଳି କାର୍ଯ୍ୟ କରୁଛି । ଏସସିବିରେ ଏକ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହେବାର ମାତ୍ର ୨୦ ଦିନ ମଧ୍ୟରେ ପ୍ଲାଜମା ସଂଗ୍ରହ ୧୦୦ ୟୁନିଟକୁ ଛୁଇଁଛି । ଗତ କାଲି ସୁଦ୍ଧା ମୋଟ ୫୦ ଜଣ ପ୍ଲାଜାମା ଦାତା ନିଜର ପ୍ଲାଜମା ଦାନ କରିସାରିଛନ୍ତି ।

ଏସସିବି ପ୍ଲାଜମା ବ୍ୟାଙ୍କରେ ନିଜର ପ୍ଲାଜମା ଦାନ କରିଥିବା ପ୍ଲାଜମା ୱାରିୟରଙ୍କ ମଧ୍ୟରେ ସର୍ବାଧିକ ୨୨ ଜଣ ଓଡ଼ିଶା ପୋଲିସର ରହିଛନ୍ତି । ଏହା ସହିତ ଅଗ୍ନିଶମ ବିଭାଗର ୧୨ ଜଣ, ଏନଡିଆରଫର ୮ ଜଣ, ଏସସିବିର ଡାକ୍ତର ୨ ଜଣ ଓ କୋଭିଡରୁ ସୁସ୍ଥ ହୋଇ ଡିସଚାର୍ଯ୍ୟ ହୋଇଥିବା ୭ ଜଣ ସାଧାରଣ ନାଗରିକ ମଧ୍ୟ ପ୍ଲାଜମା ଦାନ କରି ସାରିଛନ୍ତି ।

ସଂଗୃହିତ ହୋଇଥିବା ୧୦୦ ୟୁନିଟ ପ୍ଲାଜମା ମଧ୍ୟରୁ ୭୪ଟି ୟୁନିଟକୁ ବିଭିନ୍ନ ହସ୍ପିଟାଲକୁ ଦିଆଯାଇଛି । ସେଥି ମଧ୍ୟରୁ କିମ୍ସକୁ ୩୧, ଅଶ୍ୱିନୀକୁ ୧୫, ଗଞ୍ଜାମର ଟାଟା ହସ୍ପିଟାଲକୁ ୯, ସମ ହସ୍ପିଟାଲକୁ ୮, ଭିମସାରକୁ ୪, ଆପୋଲୋକୁ ୨, ସ୍ପର୍ଶ ହସ୍ପିଟାଲକୁ ୧, ହାଇଟେକକୁ ୧ ଏବଂ ଏମ୍ସକୁ ୩ ୟୁନିଟ ପ୍ଲାଜମା ଦିଆଯାଇଛି ।

ଏସସିବି ହସପିଟାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା


ଆଜି ଅଗ୍ନିଶମ ବିଭାଗର ୧୦ ଜଣ ସଦସ୍ୟ ପ୍ଲାଜମା ଦାନ ପାଇଁ ନିଜର ଆଣ୍ଟିବଡ଼ି ପରୀକ୍ଷା କରାଇଛନ୍ତି । ଆଗାମୀ ଦୁଇ ତିନି ଦିନ ମଧ୍ୟରେ ପ୍ଲାଜମା ଦାନ କରିବାକୁ ଇଚ୍ଛା କରି ଅନ୍ୟ ୨୦ ଜଣ ଏସସିବି ପ୍ଲାଜମା ବ୍ୟାଙ୍କରେ ନିଜର ଆଣ୍ଟିବଡି ପରୀକ୍ଷା କରାଇ ସାରିଛନ୍ତି । ଏହା ସହ ଏନ୍‌.ଡି.ଆର.ଏଫ.ର ଆହୁରି ୩୧ ଜଣ ଜବାନ ପ୍ଲାଜମା ଦାନ ପାଇଁ ଆବେଦନ କରି ସାରିଥିବା ବେଳେ ଓ.ଡି.ଆର.ଏଫ. ଓ ଅଗ୍ନିଶମ ବିଭାଗ ଅନେକ ଜବାନ ପ୍ଲାଜମା ଦାନ କରିବା ତାଲିକାରେ ଥିବା ଏସସିବି ପ୍ଲାଜମା ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

‘‘ଏ ପର୍ଯ୍ୟନ୍ତ ଆମେ ୭୪ ଜଣ କୋଭିଡ ରୋଗୀଙ୍କୁ ପ୍ଲାଜମା ଦେଇସାରିଛୁ । ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ରୋଗୀ ଠିକ ହୋଇ ଘରକୁ ଫେରି ସାରିଛନ୍ତି । କୋଭିଡ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପିର ସଫଳତାକୁ ଏଥିରୁ ଆକଳନ କରାଯାଇ ପାରୁଛି । ପ୍ଲାଜମା ଦାନ କରିଥିବା ଲୋକ ମଧ୍ୟରୁ ୭ ଜଣ ସାଧାରଣ ନାଗରିକ ଅଛନ୍ତି । ତେଣୁ ସାଧାରଣ ଲୋକଙ୍କ ଭିତରେ ପ୍ଲାଜମା ଦାନ କରିବା ଆଗ୍ରହ ବୃଦ୍ଧି ପାଇବା ଏକ ଶୁଭ ସୂଚନା,’’ କହିଛନ୍ତି ଏସସିବି ହସପିଟାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

କଟକ ସହରରେ ଦିନକୁ ଦିନ କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି । ଆଜି ପୁଣି ୧୪୩ ଜଣ ନୂଆ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୨ ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ବେଳେ ୧୨ଟି ସ୍ଥାନୀୟ ମାମଲା ରହିଛି । ଗତ କାଲି ସୁଦ୍ଧା କଟକ ସହରରେ ମୋଟ ୯,୧୫୦ ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ସୋମାନଙ୍କ ମଧ୍ୟରୁ ୧,୧୮୨ ଜଣଙ୍କ ରିପୋର୍ଟ ପଜେଟିଭ ଆସିଛି । ୫୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୦ ଜଣଙ୍କ ମୃତ୍ୟୁ ଘଟିଛି ।

CMCର ଡେପୁଟି କମିଶନର ଲତାଶ୍ରୀ ବାଗ


ସହରରେ କୋଭିଡ ପରୀକ୍ଷାକୁ ଅଧିକ ବ୍ୟାପକ କରିଛି ସିଏମସି । ଏବେ ଦୈନିକ ୪୦୦ ଜଣଙ୍କ ଟେଷ୍ଟ କରାଯାଉଥିବା ବେଳେ ଆଗକୁ ତା ୫୦୦କୁ ବୃଦ୍ଧି କରିବା ଲକ୍ଷ ରଖିଛି ସିଏମସି । ତେବେ ଅଧିକ ଲୋକଙ୍କ ପରୀକ୍ଷା କରାଯାଉଥିବାରୁ ପଜିଟିଭ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । କିନ୍ତୁ ଚଳିତ ମାସ ପରେ ଏହି ସଂଖ୍ୟା ଧୀରେ ଧୀରେ କମିବ ବୋଲି ପୂର୍ବାନୁମାନ କରିଛନ୍ତି ବିଭାଗୀୟ ଅଧିକାରୀ ।

ଏହା ବି ପଢ଼ନ୍ତୁ | ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ: PM ମୋଦି ରାମଲାଲାଙ୍କ ଆଗରେ ଦଣ୍ଡବତ ହେଲେ, ଦେଖନ୍ତୁ ଫଟୋ

ଏହା ବି ପଢ଼ନ୍ତୁ | ଅଯୋଧ୍ୟାରେ ରାମ ମନ୍ଦିର ଏମିତି ଦେଖାଯିବ; କଳାକାରୀ ଓ ଭବ୍ୟତାର ଅନନ୍ୟ ମିଳନ ହେବ

‘‘ଆମେ ଏବେ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ବ ଦେଉଛୁ । ବିଶେଷ କରି କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନଗୁଡ଼ିକରେ ଅଧିକ ପରୀକ୍ଷା କରାଯାଉଛି । ଏହା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ସିନା ବୃଦ୍ଧି ପାଉଛି ହେଲେ ସେମାନଙ୍କୁ ଚିକିତ୍ସା ପାଇଁ ନିଆଯିବା ପରେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ହାର ମଧ୍ୟ କମୁଛି । ଏହି ମାସ ପରେ ସହରରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବ ବୋଲି ଆମେ ଆକଳନ କରୁଛୁ,’’ କହିଛନ୍ତି ସିଏମସିର ଡେପୁଟି କମିଶନର ଲତାଶ୍ରୀ ବାଗ ।



କୋଭିଡ ଯୋଗୁଁ ସୃଷ୍ଟି ହୋଇଥିବା ଏହି ଭୟର ବାତବରଣ ମଧ୍ୟରେ ପ୍ଲାଜମା ଚିକିତ୍ସା ସଫଳତାର ସହ କାର୍ଯ୍ୟ କରିବା ଏବଂ ଆଗକୁ ନୂଆ କୋଭିଡ ରୋଗୀଙ୍କ ସଂଖ୍ୟା କମିବାର ପ୍ରଶାସନର ପୂର୍ବାନୁମାନ ଏକ ଆଶ୍ବସ୍ତିକର ଖବର ନିଶ୍ଚିତ ।
Published by:Anand Shankar Thankur Das
First published: