ରାଜ୍ୟ ସଡ଼କ ପରିବହନ ନିଗମରେ ମହା ଠକେଇ; ପ୍ରବାସୀଙ୍କ ପରିବହନ ନାଁରେ ଖାଇଗଲେ ୨୫ ଲକ୍ଷ ଟଙ୍କା

ଏହି ଟଙ୍କା ଆତ୍ମସାତ କରିବା ପଛରେ ଓଏସଆରଟିସିର ୭୦ ଜଣ ଡ୍ରାଇଭରଙ୍କ ସିଧାସଳଖ ସମ୍ପୃକ୍ତି ରହିଛି । ସବୁ ତଥ୍ୟ ଓ ପ୍ରମାଣ ପରିବହନ ନିଗମ ପାଖରେ ଥିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି କର୍ତ୍ତୃପକ୍ଷ ।

ରାଜ୍ୟ ସଡ଼କ ପରିବହନ ନିଗମରେ ମହା ଠକେଇ; ପ୍ରବାସୀଙ୍କ ପରିବହନ ନାଁରେ ଖାଇଗଲେ ୨୫ ଲକ୍ଷ ଟଙ୍କା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 31, 2020, 11:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମରେ (ଓଏସଆରଟିସି, OSRTC) ୨୫ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି l ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ରାଜ୍ୟ ଭିତରେ ପରିବହନ କରିବା ନାଁରେ ୨୫ ଲକ୍ଷ ଟଙ୍କା ବସ୍‌ ଡ୍ରାଇଭରମାନେ ଆତ୍ମସାତ କରିଥିବାର ପ୍ରମାଣ ମିଳିଛି l ମାଲକାନଗିରି ଜିଲ୍ଲାର ଓଏସଆରଟିସି ଡିପୋରୁ ଆତ୍ମସାତ ହୋଇଛି ସର୍ବାଧିକ ୧୪ ଲକ୍ଷ ୫୭ ହଜାର ଟଙ୍କା l

ବିଶ୍ୱସ୍ତ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଏହି ୨୫ ଲକ୍ଷ ଟଙ୍କା ଆତ୍ମସାତ କରିବା ପଛରେ ରହିଛି ୭୦ ଜଣ ବସ ଡ୍ରାଇଭରଙ୍କ ହାତ l ମାଲକାନଗିରିର ଓଏସଆରଟିସି ଡିପୋରୁ ୧୪ ଲକ୍ଷ ୫୭ ହଜାର ଟଙ୍କା ଆତ୍ମସାତ ହୋଇଥିବା ବେଳେ ଜୟପୁର ଡିପୋରୁ ୮ ଲକ୍ଷ ୪୭ ହଜାର ଟଙ୍କା, ଗଞ୍ଜାମ ଜିଲ୍ଲା ଡିପୋରୁ ୧ ଲକ୍ଷ ୫୮ ହଜାର ୬୨୫ ଟଙ୍କା ଓ କୋରାପୁଟ ଡିପୋରୁ ୫୪ ହଜାର ୩୮୦ ଟଙ୍କା ଆତ୍ମସାତ ହୋଇଥିବା ଜଣାପଡ଼ିଛି l

ବଡ଼ କଥା ହେଲା ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ସମ୍ପର୍କରେ ସବୁ ତଥ୍ୟ ଓ ପ୍ରମାଣ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପାଖରେ ରହିଛି l ହେଲେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ବସିଛନ୍ତି ଓଏସ ଆରଟିସି କର୍ତ୍ତୃପକ୍ଷ । ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ l

କରୋନା ମହାମାରୀ ଯୋଗୁଁ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ନିଜ ନିଜ ଗାଁରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସରକାରୀ ଓ ଘରୋଇ ବସର ବ୍ୟବସ୍ଥା କରିଥିଲେ l ସରକାରୀ ବସ ପାଇଁ ପ୍ରତି ୩ କିଲୋମିଟର ପାଇଁ ୧ ଲିଟର ତେଲର ଫୁଏଲ କୁପନ ସମ୍ପୃକ୍ତ ବସ ଡ୍ରାଇଭରମାନଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦିଆଯାଉଥିଲା l ସେହିପରି ଗୋଟିଏ ଦିନ ଅଟକି ରହିଲେ ୩ ହଜାର ୬ ଶହ ଟଙ୍କା ଦିଆଯାଉଥିଲା ପ୍ରତି ଚାଳକଙ୍କୁ l ପ୍ରବାସୀ ଓଡ଼ିଆଙ୍କୁ ଛାଡିବା ପରେ ଯେଉଁ ତେଲ ବଳକା ରହିଯାଉଥିଲା ସେହି ତେଲ ଟଙ୍କା ଡ୍ରାଇଭରମାନେ ଓଏସଆରଟିସି ଡିପୋରେ ପୈଠ କରିବା କଥା l ହେଲେ ସେହି ଟଙ୍କା ପୈଠ ନ କରି ଖାଇଗଲେ ଡ୍ରାଇଭରମାନେ l

ଏହା ବି ପଢ଼ନ୍ତୁ | ଐତିହାସିକ! ଦିଲ୍ଲୀରେ ଲଗାତାର ୬ ବର୍ଷ ଧରି ବିଦ୍ୟୁତ୍ ଶୁଳ୍କ ବଢ଼ିନାହିଁ; ୨୪ ଘଣ୍ଟା ବିଜୁଳି ମିଳୁଛି

ଏହା ବି ପଢ଼ନ୍ତୁ | ଆସିଗଲା ଅନଲକ୍-୪ ଗାଇଡଲାଇନ୍‌; କଣ୍ଟେନମେଣ୍ଟ ଜୋନ୍ ବାହାରେ ହୋଇପାରିବନି ଲକଡାଉନ୍

ମେ ମାସରୁ ଜୁଲାଇ ମାସ ତିନି ମାସ କାଳ ପ୍ରବାସୀ ଓଡ଼ିଆଙ୍କ ପରିବହନ କାର୍ଯ୍ୟରେ ଲାଗିଥିଲେ ଓଏସଆରଟିସି ବସଗୁ଼ଡ଼ିକ l ରାଜ୍ୟ ସାରା ବସ୍‌ ଚାଲିଥିଲା l ଅନ୍ୟ ଡିପୋଗୁଡ଼ିକରେ ମଧ୍ୟ ବସ୍‌ ଡ୍ରାଇଭରମାନେ ଟଙ୍କା ଆତ୍ମସାତ କରିଥିବାର ପ୍ରମାଣ ମିଳିଛି l କିନ୍ତୁ ମାଲକାନଗିରି, ଜୟପୁର, କୋରାପୁଟ ଓ ଗଞ୍ଜାମ ଜିଲ୍ଲା ଡିପୋରୁ ସର୍ବାଧିକ ୨୫ ଲକ୍ଷ ଟଙ୍କାର ଆତ୍ମସାତ ହୋଇଛି  l



ଏହି ଟଙ୍କା ଆତ୍ମସାତ କରିବା ପଛରେ ଓଏସଆରଟିସିର ୭୦ ଜଣ ଡ୍ରାଇଭରଙ୍କ ସିଧାସଳଖ ସମ୍ପୃକ୍ତି ରହିଥିବା ବିଭାଗୀୟ ଅଡିଟ ରିପୋର୍ଟରୁ ବି ସ୍ପଷ୍ଟ ହୋଇସାରିଛି l ହେଲେ ଆଶ୍ଚର୍ଯ୍ୟର କଥା ହେଲା ଓଏସଆରଟିସି ସମ୍ପୁକ୍ତ ଡ୍ରାଇଭରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ବସିଛି l ଏହା ସନ୍ଦେହକୁ ଅଧିକ ଘନିଭୂତ କରିଛି  l
Published by: Anand Shankar Thankur Das
First published: August 31, 2020, 11:48 PM IST
corona virus btn
corona virus btn
Loading