‘କରୋନା, କରୋନା… ସଚେତନ ହୁଅ ଭାଇନା…’: ଗୀତ ଗାଇ ବାର୍ତ୍ତା ଦେଲେ ଗଜପତି SP ସାରା ଶର୍ମା

କରୋନା ଭାଇରସ୍ ବିଷୟରେ ସରକାର ଲୋକଙ୍କୁ ସଚେତନ କରିବା ପାଇଁ ନେଉଥିବା ପଦକ୍ଷେପ ଓ ପ୍ରୟାସକୁ ଆଗେଇନେବା ତାଙ୍କ ଗୀତର ଉଦ୍ଦେଶ୍ୟ ବୋଲି କହିଛନ୍ତି ନିଜ ନିଆରା ଅନ୍ଦାଜ ପାଇଁ ଜଣାଶୁଣା ଗଜପତି ଏସ୍.ପି. ସାରା ଶର୍ମା । ସେ ବିଭିନ୍ନ ଏ.ଟି.ଏମ୍. ବୁଲି ସାନିଟାଇଜରରେ ଲୋକଙ୍କୁ ହାତ ଧୋଇବାକୁ ବି କହୁଛନ୍ତି ।

‘କରୋନା, କରୋନା… ସଚେତନ ହୁଅ ଭାଇନା…’: ଗୀତ ଗାଇ ବାର୍ତ୍ତା ଦେଲେ ଗଜପତି SP ସାରା ଶର୍ମା
ଏସ୍.ପି. ସାରା ଶର୍ମା ଓ ହିମାଂଶୁ ଗୀତଟି ଗାଉଛନ୍ତି ।
  • News18 Odia
  • Last Updated: March 24, 2020, 1:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାରଳାଖେମୁଣ୍ଡି: ‘କରୋନା, କରୋନା, କରୋନା.......ସଚେତନ ରୁହ ଭାଇନା’ । ଏହି ଧାଡ଼ିଏ କଥାରୁ ଆରମ୍ଭ ହୋଇଥିବା ଗୀତଟିଏ ଗାଇ ଲୋକଙ୍କୁ କରୋନା ଭୂତାଣୁ ଜନିତ ରୋଗ ସମ୍ପର୍କରେ ସଚେତନ କରିଛନ୍ତି ଗଜପତି ଏସ୍‌.ପି. ସାରା ଶର୍ମା । ନିଜର ନିଆରା କାର୍ଯ୍ୟ ପାଇଁ ସବୁ ବେଳେ ଚର୍ଚ୍ଚାରେ ଥିବା ସାରା ଏବେ ଏହି ଗୀତ ଯୋଗୁଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଲୋକେ ତାଙ୍କ ସୁରୀଲା ଗୀତକୁ ପ୍ରଶଂସା କରିଛନ୍ତି ।

କରୋନା ଭଳି ମହାମାରୀର ମୁକାବିଲା ପାଇଁ ସଚେତନତା ବର୍ତ୍ତମାନ ସମୟରେ ଏକ ମାତ୍ର ବିକଳ୍ପ ହୋଇଥିବାରୁ ଲୋକଙ୍କୁ ସହଜରେ ଅଧିକ ସଚେତନ କରିବା ପାଇଁ ଗୀତ ମାଧ୍ୟମରେ ବାର୍ତ୍ତା ଦେବାର ପ୍ରୟାସ ସେ କରିଛନ୍ତି ବୋଲି କହିଛନ୍ତି ସାରା । ଗୀତଟିକୁ ଗାଇ ସେ ରେକର୍ଡ଼ କରାଇଛନ୍ତି । ସେ ଗୀତ ଗାଉଥିବା ଭିଡିଓଟି ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବା ଆରମ୍ଭ ହୋଇଛି ।

‘‘କରୋନା ଭାଇରସକୁ ନେଇ ସାରା ବିଶ୍ୱ ଚିନ୍ତାରେ ଅଛି । ଏ ଯାଏଁ ଏହାର ମୁକାବିଲା ପାଇଁ ସେଭଳି କୌଣସି ପ୍ରତିଷେଧକ ବାହାରି ପାରିନାହିଁ । ଏଭଳି ସ୍ଥଳେ ସାମାଜିକ ଦୁରତ୍ବ ଏବଂ ସଚେତନତା ହିଁ ଲୋକଙ୍କୁ ଏଥିରୁ ମୁକ୍ତି ଦେଇପାରିବ । ସରକାର ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହି ପ୍ରୟାସକୁ ସାହାଯ୍ୟ କରିବା ଓ ଆଗେଇନେବା ହିଁ ମୋ’ର ଏହି ଗୀତଟିର ଉଦ୍ଦେଶ୍ୟ,’’ କହିଛନ୍ତି ନିଜ ନିଆରା ଅନ୍ଦାଜ ପାଇଁ ଜଣାଶୁଣା ଗଜପତି ଏସପି ସାରା ଶର୍ମା ।

ଏସ୍.ପି. ସାରା ଶର୍ମା ଏକ ଏ.ଟି.ଏମ୍.ରେ ଲୋକଙ୍କୁ ସାନିଟାଇଜରରେ ହାତ ସଫା କରାଉଛନ୍ତି ।


ତାଙ୍କର କହିବା କଥା ଯେ ଲୋକେ ସଂଗୀତ ମାଧ୍ୟମରେ କୌଣସି ବାର୍ତ୍ତାକୁ ସହଜରେ ଗ୍ରହଣ କରନ୍ତି । ସଙ୍ଗୀତ ଯୋଗୁଁ ଏହି ବାର୍ତ୍ତା ଲୋକଙ୍କ ମନ ଭିତରେ ଅଧିକ ସମୟ ରହେ ଓ ସେମାନେ ସଚେତନ ରହନ୍ତି ।

ଏହି ଡୁଏଟ୍‌ ଗୀତରେ ସାରାଙ୍କ ସହ ପାରଳାଖେମୁଣ୍ଡିର ହିମାଂଶୁ କଣ୍ଠଦାନ କରିଛନ୍ତି । ଗୀତଟିକୁ ଯୁବ ଲେଖିକା ମମତା କୁମାରୀ ପଟନାୟକ ଲେଖିଥିବା ବେଳେ ଏହାର ସ୍ୱର ସଂଯୋଜନା କରିଛନ୍ତି ହିମାଂଶୁ । ଗୀତଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଓ ଲୋକେ ଏହାକୁ ଖୁବ୍‌ ଆଗ୍ରହରେ ଶୁଣୁଥିବା ଦେଖିବାକୁ ମିଳିଛି ।

ଏନେଇ ଜିଲ୍ଲାର ସାଧାରଣ ଲୋକଙ୍କ କହିବା କଥା ଯୋ ଏସ୍‌.ପି. ସାରା ସବୁ ବେଳେ ନିଜ କର୍ତ୍ତବ୍ୟ ସହ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି, ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ‘‘ଏସ୍‌.ପି.ଙ୍କ ଗୀତ ଶୁଣି ଲୋକଙ୍କ ମନରୁ କରୋନାକୁ ନେଇ ଥିବା ଆତଙ୍କ ହଟି ତା’ ସ୍ଥାନରେ ସଚେତନତା ଆସୁଛି,’’ କହିଛନ୍ତି ପାରଳାଖେମୁଣ୍ଡି ବାସିନ୍ଦା ବାଲା ରାଜୁ ।

‘‘କେବଳ ସଚେତନ ହୋଇ ସତର୍କ ରହିପାରିଲେ କରୋନା ଭାଇରସର ମୁକାବିଲା ସମ୍ଭବ । ଲୋକେ ନିଜକୁ ଓ ସମାଜକୁ ସୁରକ୍ଷିତ ରଖିବା ପାଇଁ ସାମାଜିକ ଦୂରତା ପାଳନ କରୁଛନ୍ତି । ଆଶା କରୁଛି ଏହି ମହାମାରୀ କବଳରୁ ଆମ ଦେଶ ଓ ବିଶ୍ୱ ଜଲଦି ମୁକ୍ତି ପାଇବ,’’ କହିଛନ୍ତି ସାରା ।

ସେ ଜିଲ୍ଲାରେ କରୋନା ଭାଇରସର ମୁକାବିଲା ପାଇଁ ହେଉଥିବା କଟକଣା ଓ ସଚେତନତା କାର୍ଯ୍ୟକ୍ରମଗୁଡ଼ିକରେ ଭାଗନେଇ ପ୍ରମୁଖ ଭୂମିକା ନିଭାଉଥିବା ଦେଖିବାକୁ ମିଳୁଛି । ସହରର ବିଭିନ୍ନ ଏ.ଟି.ଏମ୍‌. ବୁଲି ସେ ସାନିଟାଇଜରରେ ଲୋକଙ୍କୁ ହାତ ଧୋଇବାକୁ କହିଥିଲେ ଓ ଏ.ଟି.ଏମ୍‌.ଗୁଡ଼ିକୁ ସଫା ରଖିବାକୁ ବ୍ୟାଙ୍କର କର୍ମଚାରୀମାନଙ୍କୁ ତାଗିଦ୍‌ ବି କରିଥିଲେ ।
First published: March 24, 2020, 1:51 PM IST