ରାଜ୍ୟରେ ଲକ୍‌ଡାଉନ୍‌ ସମୟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ATMରୁ ଚୋରି ହେଉଛି ସାନିଟାଇଜର୍

ସାନିଟାଇଜର୍ ଚୋରି SBIର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଲକଡାଉନ୍ ସମୟରେ ଏହି ବ୍ୟାଙ୍କର ରାଜ୍ୟରେ ୮୭ ପ୍ରତିଶତ ଶାଖା ଦିନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହୁଛି । ୯୫ ପ୍ରତିଶତ ଏଟିଏମରେ ନଗଦ ଟଙ୍କା ମିଳୁଛି ।

ରାଜ୍ୟରେ ଲକ୍‌ଡାଉନ୍‌ ସମୟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ATMରୁ ଚୋରି ହେଉଛି ସାନିଟାଇଜର୍
ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଏଟିଏମ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବର୍ତ୍ତମାନ ଜାରିଥିବା ଲକଡାଉନ ସମୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମରୁ ଚୋରି ହେଉଛି ସାନିଟାଇଜର । ଗତ ଦୁଇ ସପ୍ତାହ ଭିତରେ ପ୍ରାୟ ଅଧିକାଂଶ ଏସବିଆଇ ଏଟିଏମରେ ଏଭଳି ସ୍ଥିତି ଉତ୍ପନ୍ନ ହେଇଛି, ଯେଉଁଥି ପାଇଁ ବ୍ୟାଙ୍କ ଅଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି ଓ ସରକାରୀ ନିର୍ଦେଶର ଅନୁପାଳନ ହୋଇପାରୁନାହିଁ ।

ବ୍ୟାଙ୍କର ଏଟିଏମରେ ନିୟମିତ ଭାବେ ସାନିଟାଇଜର ରଖାଯାଉଥିଲେ ମଧ୍ୟ ଚୋରି ଯୋଗୁଁ ଏହି ପଦକ୍ଷେପ ପଛରେ ଥିବା ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ  ବୋଲି କହିଛନ୍ତି ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହା ପ୍ରବନ୍ଧକ ପ୍ରବୀଣା କାଳା । ନ୍ୟୁଜ 18 ଓଡ଼ିଆ ଡିଜିଟାଲ୍‌ ସହିତ ଲକଡାଉନ ସମୟରେ ଏସବିଆଇ ନିୟମର ଅନୁପାଳନ ଓ ଜରୁରୀକାଳୀନ ସେବା ପ୍ରଦାନ କେମିତି କରୁଛି ସେ ବିଷୟରେ କଥାବାର୍ତ୍ତା ବେଳେ ଶ୍ରୀମତୀ କାଲା ଏ କଥା କହିଛନ୍ତି ।

‘‘କରୋନା ଭାଇରସ ଜନିତ ସଙ୍କଟର ମୁକାବିଲା ଲାଗି ସାମାଜିକ ଦୂରତ୍ୱ ରଖିବା ସହିତ ନିୟମିତ ଭାବେ ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ହେଲେ ଲୋକେ ତା’ର କେତେ ଦୂର ଅନୁପାଳନ କରୁଛନ୍ତି ଆମ ଏଟିଏମଗୁଡ଼ିକରୁ ଲଗାତର ସାନିଟାଇଜେର ଚୋରି ହେବା ଘଟଣା ତାହାର ଏକ ଉଦାହରଣ ମାତ୍ର । ଏଥି ପାଇଁ ଜନ ସଚେତନତା ଓ ସହଯୋଗ ଲୋଡ଼ା,’’ ଶ୍ରୀମତୀ କାଲା ।

ଭାରତୀୟ ଷ୍ଟେଟ ବ୍ୟାଙ୍କର ଭୁବନେଶ୍ୱରରେ ଥିବା ସ୍ଥାନୀୟ ମୁଖ୍ୟାଳୟ


ଲକଡାଉନ୍‌ ସମୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ରାଜ୍ୟରେ ୮୭ ପ୍ରତିଶତ ଶାଖା ଖୋଲା ରହୁଛି । ସବୁ ଶାଖା ଦିନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହୁଛି । କେବଳ ଭବାନିପାଟଣାର ଜିସିଇ କ୍ୟାମ୍ପସ୍‌ ଶାଖା ବନ୍ଦ ଅଛି । ମାତ୍ର ୧୦ ପ୍ରତିଶତ କର୍ମଚାରୀରେ ଚାଲୁଛି ବ୍ୟାଙ୍କ । ଆବଶ୍ୟକ ସ୍ଥଳେ କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି

ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ଥିବା SBIର ମୋଟ ୨,୮୪୨ଟି ଏଟିଏମ ମଧ୍ୟରୁ ୯୫ ପ୍ରତିଶତ ଏଟିଏମରେ ନଗଦ ଟଙ୍କା ମିଳିପାରୁଥିବା ବେଳେ ତୁଳନାତ୍ମକ ଭାବେ ଏଟିଏମ ଓ ବ୍ୟାଙ୍କକୁ  ଆସୁଥିବା ଗ୍ରାହକଙ୍କ ସଂଖ୍ୟା କମିଛି । ଦୈନିକ ବ୍ୟାଙ୍କ ଓ ଏଟିଏମକୁ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ହାରାହାରି ୧୨୫ ଭିତରେ ସୀମିତ ରହୁଛି ।

‘‘ବିଶେଷତଃ ଜୟପୁର, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ଗ୍ରାହକ ବ୍ୟାଙ୍କ ଓ ଏଟିଏମକୁ ଆସୁଥିବା ବେଳେ ବ୍ୟାଙ୍କର ମୋଟ ୮,୬୦୪ କର୍ମଚାରୀଙ୍କ ଭିତରୁ ୪,୯୫୧ ଘରେ ବସି କାମ କରୁଛନ୍ତି । ସେହି ପରି ୬୭ କର୍ମଚାରୀ ସଙ୍ଗରୋଧରେ ଥିବା ବେଳେ ଆଗକୁ କିଛି ଶାଖା ଦିନେ ଛଡ଼ା ଦିନେ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଗ୍ରାହକଙ୍କୁ ଅନଲାଇନରେ ଲୋନ୍‌ ବ୍ୟବସ୍ଥା କରୁଛି ଏସବିଆଇ, ଆଉ ନିକଟରେ  ଦିନକ ଭିତରେ ମୋଟ ୫୬ ଜଣଙ୍କୁ ଅନଲାଇନରେ ଲୋନ ଦିଆଯାଇଛି,’’ କହିଛନ୍ତି ଶ୍ରୀମତୀ କାଲା ।

ତେବେ ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କ ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ତାହା ହେଉଛି ୯୪୩୯୧୫୦୫୯୪ । ଏହି ନମ୍ବର ଦୈନିକ ସକାଳ ୧୦ରୁ ଅପରାହ୍ଣ ୪ଟା ଯାଏଁ ଉପଲବ୍ଧ ରହିବ ବୋଲି ସେ କହିଛନ୍ତି ।
First published: April 2, 2020, 6:45 PM IST
corona virus btn
corona virus btn
Loading