ବାଲେଶ୍ୱର: ସାନିଟାଇଜେସନ୍ ମେସିନ ବସିଛି, ଲୋକେ ଠିଆ ହେଉଛନ୍ତି, ହେଲେ ସ୍ପ୍ରେ ହେଉନି

୧୦ ଲକ୍ଷ ଟଙ୍କା ବ୍ୟୟରେ ଲାଗିଥିବା ଛଅଟି ସାନିଟାଇଜେସନ ମେସିନ ମାତ୍ର ଦୁଇ ମାସ ପରେ ଅକାମୀ ହୋଇ ପଡ଼ି ରହିଛି । ଲୋକେ ମେସିନ ଭିତରେ ଛିଡ଼ା ହୋଇ ଫେରୁଛନ୍ତି, ହେଲେ ସ୍ପ୍ରେ ହେଉନି ସାନିଟାଇଜର ।

ବାଲେଶ୍ୱର: ସାନିଟାଇଜେସନ୍ ମେସିନ ବସିଛି, ଲୋକେ ଠିଆ ହେଉଛନ୍ତି, ହେଲେ ସ୍ପ୍ରେ ହେଉନି
ବାଲେଶ୍ୱର ସହରରେ ଲାଗିଥିବା ଛଅଟି ସାନିଟାଇଜେସନ୍ ମେସିନରୁ ଗୋଟିଏ
  • News18 Odia
  • Last Updated: September 10, 2020, 10:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଜିଲ୍ଲାରେ ଏବେ ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ଦାୟିତ୍ୱରେ ଅବହେଳା ଚରମ ସୀମାରେ ପହଞ୍ଚିଛି । ଏହାର ଏକ ଉଦାହରଣ ହେଉଛି ସାନିଟାଇଜେସନ୍‌ ମେସିନ ଖରାପ ହେବା । ଲୋକେ ମେସିନରେ ଛିଡ଼ା ହୋଇ ପୁଣି ବାହାରକୁ ଆସୁଛନ୍ତି, ହେଲେ ମେସିନରୁ ସାନିଟାଇଜର ସ୍ପ୍ରେ ହେବାର ନାଁ ଧରୁନି ।

ଗୋଟିଏ ମାସ ହେବ ବାଲେଶ୍ୱର ସହରରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଛଅଟି ସାନିଟାଇଜେସନ୍‌ ମେସିନର ବ୍ୟବସ୍ଥା କରାଯାଇଥିଲା । ସ୍ବର୍ଗତ ବିଧ୍ୟାୟକ ମଦନମୋହନ ଦତ୍ତ କୋଭିଡ ମୁକାବିଲା ପାଇଁ ନିଜ ବିଧ୍ୟାୟକ ଉନ୍ନୟନ ପାଣ୍ଠିରୁ ଏହି ଛଅଟି ‘‘ଅତ୍ୟାଧୁନିକ ସାନିଟାଇଜ ମେସିନ’’ ସହରର ବିଭିନ୍ନ ସ୍ଥାନରେ ଲଗାଇଥିଲେ । ସହରର ଟାଉନ ଥାନା ଛକ , ଷ୍ଟେସନ, ବସ ଷ୍ଟାଣ୍ଡ ଓ ସଦର ବ୍ଲକ ନିକଟରେ ଏହି ମେସିନଗୁଡ଼ିକୁ ରଖାଯାଇଥିଲା । ଉଦ୍ଦେଶ୍ୟ ଥିଲା ପ୍ରତ୍ୟେକ ଦିନ ସହରକୁ ବା ବିଭିନ୍ନ ଅଫିସକୁ ଆସୁଥିବା ଲୋକେ ମେସିନ ଭିତରେ ଛିଡ଼ା ହୋଇ ୧୦ ସେକେଣ୍ଡ ପର୍ଯ୍ୟନ୍ତ ସାନିଟାଇଜ ହୋଇପାରିବେ । କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ଏହାର ବ୍ୟବହାର ବେଶ୍‌ ଉପଯୋଗୀ ବୋଲି କୁହାଯାଉଥିଲା ।

ଗତ ଜୁନ ୫ ତାରିଖ ଦିନ ତତ୍କାଳୀନ ପୌର ନିର୍ବାହୀ ଅଧିକାରୀ ୧୦ ଲକ୍ଷ ଟଙ୍କା ବ୍ୟୟରେ ଲାଗିଥିବା ଏହି ମେସିନଗୁଡ଼ିକୁ ଉଦଘାଟନ କରିଥିଲେ । ତେବେ ଦୁର୍ଭାଗ୍ୟ ହେଲା ମେସିନଗୁଡ଼ିକ ଉଦଘାଟନ ପରେ କିଛି ଦିନ ଚାଲିଥିଲା । ଲୋକେ ବି ବେଶ୍‌ ଉପକୃତ ହୋଇଥିଲେ । ମାତ୍ର ଏବେ ସେଗୁଡ଼ିକ ଅଚଳ ହୋଇ ପଡିଛି ।

ମେସିନଗୁଡ଼ିକ ଖରାପ ହୋଇ ପଡ଼ିଥିଲେ ବି ମରାମତି ପାଇଁ ଉଦ୍ୟମ ହେଉନି ।


ବଡ଼ କଥା ହେଲା ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପ୍ରତି ଦିନ ଶହ ଶହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆସୁଥିବାରୁ ସେମାନଙ୍କ ପାଇଁ ଏହି ମେସିନ ବେଶ୍‌ ଉପଯୋଗୀ ହୋଇପାରିଥାନ୍ତା । ଏହି ଉଦ୍ଦେଶ୍ୟରେ ଦୁଇଟି ମେସିନ ବାଲେଶ୍ୱର ହସପିଟାଲ୍‌ ପରିସରରେ ରଖାଯାଇଥିଲା । ହେଲେ ଦୁର୍ଭାଗ୍ୟ ଆଜିକୁ ମାସେ ହେବ ମେସିନଗୁଡିକ ଅକାମୀ ହୋଇ ପଡ଼ି ରହିଛି । ଲୋକେ ସୁବିଧା ପାଇ ପାରୁନାହାନ୍ତି ।

ଏହି ମେସିନଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ପୌରପାଳିକା ସବୁ ଜାଣି ଚୁପ ବସିଥିବା ବେଳେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଆସିଥିବା ମେସିନଗୁଡ଼ିକ ଖତ ଖାଇବା ଆରମ୍ଭ କରିଛି ।

ଜିଲ୍ଲା ହସ୍ପିଟାଲରେ ସିଡିଏମଓ ଦାୟିତ୍ୱରେ ଥିବା କମଳାକାନ୍ତ ନାୟକ କହିଛନ୍ତି ଯେ ଲୋକଙ୍କର ସୁବିଧା ପାଇଁ ମେସିନ ବସାଯାଇଛି । ଏହା ଦ୍ୱାରା ଜିଲ୍ଲା ହସପିଟାଲକୁ ଆସୁଥିବା ଲୋକେ ଉପକୃତ ହୋଇପାରିବେ । ‘‘ମେସିନ ଖରାପ ହୋଇଯାଇଥିବା କଥା ମୋତେ ଜଣା ନାହିଁ । ଯଦି ଏବେ ମେସିନ କାମ କରୁନି ତେବେ ଶୀଘ୍ର ମେଡିକାଲ ମେନେଜରଙ୍କ ସହିତ କଥା ହୋଇ ଏହାକୁ ଠିକ କରିବାକୁ ଚେଷ୍ଟା କରିବି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି

ଏହା ବି ପଢ଼ନ୍ତୁ ଆଜି ବାୟୁସେନାରେ ରାଫେଲ ବିମାନର ଗୃହପ୍ରବେଶ: ୧୦ଟି ବିନ୍ଦୁରେ ଜାଣନ୍ତୁ କିଛି ବିଶେଷ ତଥ୍ୟ

‘‘କୋଭିଡ ମୁକାବିଲା କ୍ଷେତ୍ରରେ ଏହି ମେସିନଗୁଡ଼ିକ ବେଶ୍‌ ଉପଯୋଗୀ ହୋଇଥାନ୍ତା । ମହତ ଉଦ୍ଧେଶ୍ୟ ରଖି ବାପା ବିଧାୟକ ପାଣ୍ଠିରୁ ଲୋକଙ୍କ ସୁବିଧା ପାଇଁ ମେସିନ ଆଣିଥିଲେ । ତେବେ ମେସିନ ଲଗାଇବା ପରେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ପୌରପାଳିକା ନେବ ବୋଲି ସ୍ଥିର କରାଯାଇଥିଲା । ଏହାର ନୋଜଲ ସଫା କରିବା, ସାନିଟାଇଜର ଓ ପାଣି ଭରିବା, ସଫା କରିବା ସବୁ ଦାୟିତ୍ୱ ପୌରପାଳିକା ନେବା କଥା । ହେଲେ ମେସିନ ଖରାପ ନେଇ ପୌରପାଳିକାକୁ ଜଣାଇବା ପରେ ମଧ୍ୟ ସେମାନେ ଚୁପ । ଏହା ଦ୍ୱାରା ମେସିନ ଗୁଡ଼ିକ ନଷ୍ଟ ହେବାକୁ ବସିଲାଣି,’’ କହିଛନ୍ତି ସ୍ବର୍ଗତ ବିଧ୍ୟାୟକ ମୋଦନ ମୋହନ ଦତ୍ତଙ୍କ ପୁତ୍ର ତଥା ବିଜେପି ନେତା ମାନସ ଦତ୍ତ ।



ଏବେ ଦାୟିତ୍ୱ ନେଇ ମେସିନଗୁଡ଼ିକୁ ମରାମତି କଲେ କାର୍ଯ୍ୟକ୍ଷମ ହୋଇ ପାରିବ, କିନ୍ତୁ ଜିଲ୍ଲା ପ୍ରଶାସନର ଇଛା ନ ଥିବା ଭଳି ଅନେକଙ୍କୁ ମନେହେଉଛି ।
Published by: Anand Shankar Thankur Das
First published: September 10, 2020, 10:15 PM IST
corona virus btn
corona virus btn
Loading