News18 Odia Digital
ସମ୍ବଲପୁର: କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ପାଇଁ ଜାରି ହୋଇଥିବା ଲକଡାଉନ ଯୋଗୁଁ ସ୍କୁଲ କଲେଜ ବନ୍ଦ ରହି ଥିବା ବେଳେ ଅନଲାଇନରେ ହେଉଛି କ୍ଲାସ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୁଷୁରାମାଲ ପଞ୍ଚାୟତର ଲାଣ୍ଡିମାଲ ଗାଁରେ ବିପଦସଙ୍କୁଳ ଅବସ୍ଥାରେ ଓଭରହେଡ ପାଣି ଟାଙ୍କି ଉପରେ ଚଢ଼ି ଛାତ୍ରଛାତ୍ରୀମାନେ ଅନଲଇନରେ ପାଠ ପଢ଼ୁଥିବା ଦେଖାଯାଇଛି ।
ଗାଁରେ ବି.ଏସ.ଏନ.ଏଲ. ଟାୱାର ଥିଲେ ସୁଦ୍ଧା ନେଟୱାର୍କ 2ଜି ହୋଇଥିବାରୁ ବାଧ୍ୟ ହୋଇ ଓଭରହେଡ ଟ୍ୟାଙ୍କ ଉପରେ ଅନ୍ୟ ଅଞ୍ଚଳର ଟାୱାରରୁ ଆସୁଥିବା 3ଜି ଓ 4ଜି ସିଗନାଲ ପାଇବାକୁ ଚେଷ୍ଟା କରୁଛନ୍ତି ଗାଁର ଛାତ୍ରଛାତ୍ରୀମାନେ । ଲାଣ୍ଡିମାଲ ଗାଁ ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟରୁ ପାଖାପାଖି ୧୦୫ କିମି ଦୂରରେ । ଏହି ପଞ୍ଚାୟତରେ ୭ ହଜାରରୁ ଉର୍ଦ୍ଧ୍ୱ ଲୋକ ରୁହନ୍ତି । ଗାଁଟି ଜଙ୍ଗଳ ପରିବେଷ୍ଠିତ ଅଞ୍ଚଳରେ ରହିଛି । ଗୋଟିଏ ପଟେ ଲାଞ୍ଜିମାଲ ସଂରକ୍ଷିତ ଜଙ୍ଗଲ ରହିଥିବା ବେଳେ ଆଉ ଗୋଟିଏ ପଟେ ରହିଛି ରାଇଲ ଜଙ୍ଗଲ । କେବଳ ସିମିଳିପାଳ ଓ କେନ୍ଦୁଛକ ରାଞ୍ଚି ବିଜୟୱାଡା ରାଜପଥରୁ ଘୁଷୁରାମାଲ ଦେଇ ଗାଁକୁ ଯିବାକୁ ରହିଛି ରାସ୍ତା । ଦିନ ଓ ରାତିରେ ରହିଛି ଜଙ୍ଗଲୀ ହାତୀ ଭୟ ।
ଗାଁରେ ନାହିଁ ଅନଲାଇନ ପାଠ ପଢ଼ିବା ପାଇଁ ନେଟୱାର୍କ ସୁବିଧା । ୨୦୧୪ ମସିହାରୁ ଗାଁରେ ଏକ ବି.ଏସ.ଏନ.ଏଲ୍. ଟାୱାର ଅଛି, କିନ୍ତୁ ଏଥିରେ 2ଜି ନେଟୱାର୍କ ଆସୁଛି । ତେଣୁ ଅନ ଲାଇନରେ ପାଠ ପଢ଼ିବା ପାଇଁ ଇଣ୍ଟରନେଟ ସ୍ପିଡ ହେଉନାହିଁ । ଓଭରହେଡ ପାଣି ଟାଙ୍କି ଉପରକୁ ଗଲେ ରେଢ଼ାଖୋଲ ଓ ସିମିଳପାଳ ଅଞ୍ଚଳରେ ଥିବା ଏୟାରଟେଲ୍ ଓ ଜିଓ ଟାୱାରର ସିଗନାଲ ମିଳୁଛି । ତେଣୁ ଗାଁ ମୁଣ୍ଡରେ ପଞ୍ଚାୟତି ରାଜ ବିଭାଗର ଓଭରହେଡ ପାଣି ଟାଙ୍କି ଉପରକୁ ଯାଇ ଅନଲାଇନ ପାଠ ପଢୁଛନ୍ତି ଛାତ୍ରଛାତ୍ରୀମାନେ ।

ଏତେ ଉଞ୍ଚା ଚଢ଼ି ସେଠି ପଢ଼ିବା ବିପଦଜନକ ହେଲେ ବି ପିଲାଙ୍କ ପାଖରେ ଅନ୍ୟ ଉପାୟ ନାହିଁ ।
ଏମିତି ବିପଦସଙ୍କୁଳ ଅବସ୍ଥାରେ ପ୍ରାୟ ଦୁଇ ମାସ ହେବ ୨୫ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କେତେବେଳେ ଯେ କଣ ଅଘଟଣ ଘଟିବ କହି ହେବ ନାହିଁ । ଗାଁର ସବୁ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟ ଫୋନ ନ ଥିବାରୁ ଗୋଟିଏ ଗୋଟିଏ ସ୍ମାର୍ଟ ଫୋନରେ ଏକାଧିକ ଛାତ୍ରଛାତ୍ରୀ ଅନଲାଇନ କ୍ଲାସ ଜରିଆରେ ପାଠ ପଢ଼ିବାକୁ ବଧ୍ୟ ହେଇଛନ୍ତି । ୧୫୦ ଫୁଟ ଉପରେ ଥିବା ପାଣି ଟାଙ୍କିର ଛାତ ଉପରେ ବସି ଗୋଟିଏ ସ୍ମାର୍ଟ ଫୋନରେ ଏକାଧିକ ଛାତ୍ରଛାତ୍ରୀ ବିପଦଜନକ ଅବସ୍ଥାରେ ଅନଲାଇନରେ ପାଠ ପଢୁଥିବାର ଦେଖିବାକୁ ମିଳୁଛି ।
‘‘ବଣ ଜଙ୍ଗଲ ଘେରା ଆମ ଗାଁ । ଗାଁରେ ବିଜୁଳି ଆଲୋକ ମଧ୍ୟ ଲୁଚକାଳି ଖେଳେ । ତେବେ କରୋନା ଯୋଗୁଁ ଅନଲାଇନ କ୍ଲାସ ଚାଲିଥିବା ବେଳେ ହାଇସ୍ପିଡ ଇଣ୍ଟରନେଟ ସୁବିଧା ନ ଥିବାରୁ ଆମେ ବାଧ୍ୟ ହୋଇ ପାଣି ଟାଙ୍କି ଉପରକୁ ଚଢି ଅନଲାଇନ କ୍ଲାସ କରୁଛୁ,’’ କହିଛନ୍ତି ଛାତ୍ର ନୃପମଣି ନାୟକ
ଅନ୍ୟ ଜଣେ ଛାତ୍ର ମନୋରଞ୍ଜନ ମାଝୀ କହିଛନ୍ତି ଯେ ଗାଁର ଲୋକେ ବହୁ ବାର ଗାଁରେ ହାଇସ୍ପିଡ ଇଣ୍ଟରନେଟ ସେବା ଯୋଗେଇ ଦେବା ପାଇଁ ଦାବି କରି ଆସୁଛନ୍ତି, ହେଲେ ଏ ପର୍ଯ୍ୟନ୍ତ ସେ ଦିଗରେ କୌଣସି ଉଦ୍ୟମ ହୋଇ ନାହିଁ ।
‘‘ଆମର ଏଠି ବି.ଏସ.ଏନ.ଏଲ.ର 2ଜି ସେବାରେ ମୋବାଇଲ ନେଟ ଖୋଲୁନାହିଁ । ରେଢାଖୋଲରୁ ଅନ୍ୟ ନେଟୱାର୍କର 4ଜି ସେବା ପାଣି ଟାଙ୍କି ଉପରେ ମିଳୁଥିବରୁ ବିପଦଜନକ ହେଲେ ମଧ୍ୟ ବାଧ୍ୟ ହୋଇ ଟାଙ୍କି ଉପରକୁ ଚଢ଼ି ମୋବାଇଲରେ ପାଠ ପଢୁଛୁ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ: Happy Birthday Babushan! ‘ଚକୋଲେଟ୍ ହିରୋ’ ବାବୁସାନଙ୍କ ପାଇଁ ଛୁଟିଛି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ
ଏହା ବି ପଢ଼ନ୍ତୁ: ଅନଲକ୍ ୩ ଗାଇଡଲାଇନ୍ ଜାରି: ଅଗଷ୍ଟ ୧ରୁ ହଟିବ ନାଇଟ୍ କର୍ଫ୍ୟୁ, ୫ରୁ ଖୋଲିବ ଜିମ୍ ଓ ଯୋଗ ଅନୁଷ୍ଠାନ
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦେଲେ
ଗ୍ରାମବାସୀଙ୍କ ଦାବୀ ଅନୁସାରେ ସମ୍ବଲପୁର ଜିଲ୍ଲାପାଳ ମଧ୍ୟ ବି.ଏସ.ଏନ.ଏଲ. କତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ ।