ଆଜି ଅକ୍ଷୟ ତୃତୀୟା: ଲକଡାଉନ୍ ଯୋଗୁଁ ସୁନାର ଚମକ ଫିକା; ଅନଲାଇନରେ କିଛି ବିକ୍ରି ହେଉଛି

ଗତ ବର୍ଷ ବାତ୍ୟା ଫନି ଓ ସୁନାର ଚଢ଼ା ଦର ସତ୍ତ୍ୱେ ସୁନା ଦୋକାନଗୁଡିକରେ ନାହିଁ ନ ଥିବା ଗହଳି ଲାଗିଥିଲା । ପ୍ରାୟ ୫୦ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା କେବଳ ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକରେ ।

ଆଜି ଅକ୍ଷୟ ତୃତୀୟା: ଲକଡାଉନ୍ ଯୋଗୁଁ ସୁନାର ଚମକ ଫିକା; ଅନଲାଇନରେ କିଛି ବିକ୍ରି ହେଉଛି
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 26, 2020, 5:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ ଯୋଗୁଁ ଦେଶବ୍ୟାପୀ ପାଖାପାଖି ସବୁ ବ୍ୟବସାୟ ଠପ୍‌ ହୋଇଥିବା ବେଳେ ଆଜି ଅକ୍ଷୟ ତୃତୀୟା ବି ରାଜ୍ୟରେ ମାଡ଼ ଖାଇଯାଇଛି । ଏହି ଦିନ ଅନେକ ଲୋକ ଘରକୁ ସୁନା, ରୂପା ଓ କଂସା-ପିତ୍ତଳ ବାସନ ବି କିଣି ଆଣିଥାନ୍ତି । ବିଶ୍ୱାସ ରହିଛି ଅକ୍ଷୟ ତୃତୀୟାରେ ସୁନା ରୂପା କିଣିଲେ ଘରକୁ ମା’ ଲଷ୍ମୀ ଆସିଥାନ୍ତି । ପ୍ରତି ବର୍ଷ ଏହି ଦିନରେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଥିବା ସୁନା ଦୋକାନୀମାନେ ଏ ବର୍ଷ ବଡ଼ ଧରଣର କ୍ଷତି ସହିଛନ୍ତି ।

ଅକ୍ଷୟ ତୃତୀୟାରେ ମୁଠି ଅନୁକୂଳ କରି ପୂଜାର୍ଚ୍ଚନା କରାଯାଏ ଓ ଶୁଭ କାମ ଆରମ୍ଭ କରାଯାଏ । ଶ୍ରୀକ୍ଷେତ୍ର ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ କାଠ ଅନୁକୂଳ ହେବା ସହ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ ଏହି ଦିନ । ଧାନ ବିଲରେ ମୁଠି ଅନୁକୂଳ କରି ଚଷା ପୁଅ ଚାଷ କାମ ଆରମ୍ଭ କରିଥାଏ । ଆଉ ସହରୀ ଲୋକେ ସୁନା ଗହଣା କିନାକିଣି କରିଥା’ନ୍ତି । ହେଲେ ଏ ବର୍ଷ ଲକଡାଉନ ଯୋଗୁ ଫିକା ରହିଛି ସୁନାର ଚମକ । ନା ଗହଣା ଦୋକାନ ଖୋଲିଛି ନା ବେପାର ଜମିଛି ।

ଗତ ବର୍ଷ ବାତ୍ୟା ଫନି ଓ ସୁନାର ଚଢା ଦର ସତ୍ତ୍ୱେ ସୁନା ଦୋକାନଗୁଡିକରେ ନାହିଁ ନ ଥିବା ଗହଳି ଲାଗିଥିଲା । ପ୍ରାୟ ୫୦ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା କେବଳ ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକରେ । ସେହିଭଳି ୨୦୧୮ରେ ବି ୫୫ କୋଟି ଟଙ୍କାର ସୁନା ଅଳଙ୍କାର କିଣି ନେଇଥିଲେ ରାଜଧାନୀବାସୀ ।

ଅକ୍ଷୟ ତୃତୀୟା ଆସିଲେ ସୁନା ଦୋକାନୀମାନେ ସାଧାରଣତଃ ଭଳିକି ଭଳି ଅଫର ମଧ୍ୟ ରଖନ୍ତି । କିଏ ଗଢ଼ା ମୂଲ୍ୟ ଛାଡ଼ କରେ ତ ଆଉ କିଏ ଆକର୍ଷଣୀୟ ପ୍ରାଇଜ୍‌ ଦିଏ । ହେଲେ ସେ ସବୁଥିରେ ଏଥର ଲାଗିଛି ତାଲା । ଏହାକୁ ନେଇ ସୁନା ବ୍ୟବସାୟୀମାନେ ଦୁଃଖ ପ୍ରକାଶ କରୁଥିଲେ ବି କରୋନା ଭାଇରସ୍‌ ମୁକାବିଲା ପାଇଁ ଲାଗିଥିବା କଟକଣା ସବୁକୁ ମାନିବାକୁ ହେବ ବୋଲି କହିଛନ୍ତି ।

‘‘ମାହାମାରୀ କରୋନା ନିୟମ ଆମ ପାଇଁ ସବୁ ଠାରୁ ମହତ୍ୱପୂର୍ଣ୍ଣ । ତେଣୁ ତାକୁ ମାନି ସବୁଠି ବ୍ୟବସାୟ ବନ୍ଦ ରହିଛି । ଆମକୁ କ୍ଷତି ସହିବାକୁ ହେବ । ଜୀବନ ଓ ସମାଜ ରକ୍ଷା ଆଗରେ ବ୍ୟବସାୟ ତୁଚ୍ଛ,’’ କହିଛନ୍ତି ଜୁଏଲରସ୍‌ ଆସୋସିଏସନର ସଭାପତି ମହେଶ ବର୍ମା ।

ଅନଲାଇନରେ ବିଭିନ୍ନ ଦୋକାନ ଗହଣା ବିକ୍ରିର ଆୟୋଜନ କରିଛନ୍ତି । ଉଚିତ ଓଜନ ସାଙ୍ଗକୁ ମୂଲ୍ୟ ରଖିଛନ୍ତି । ବିଭିନ୍ନ ୱେବସାଇଟରୁ ଜିନିଷ କିଣିବା ଭଳି ଅନେକ ଗ୍ରାହକ ଏ ଥର ଗହଣା କିଣିଥିବା ଜଣାପଡ଼ିଛି । ଲକଡାଉନ ପରେ ତାଙ୍କୁ ଗହଣା ଡେଲିଭରି ଦିଆଯିବ ବୋଲି କହିଛନ୍ତି ବର୍ମା । ହେଲେ ସାଧାରଣ ଲୋକଙ୍କର ଏକ ବଡ଼ ଅଂଶ ୱେବସାଇଟରୁ ଗହଣା କିଣିବାକୁ ମନ ବଳେଇ ନ ଥିବା ଜଣାପଡ଼ିଛି ।
First published: April 26, 2020, 5:21 PM IST
corona virus btn
corona virus btn
Loading