ରାଜ୍ୟରେ ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗକୁ ଏକକାଳୀନ ୫୦,୦୦୦ ଟଙ୍କାର ଋଣ ମିଳିବ

ଗ୍ରାମୀଣ ଅର୍ଥନୀତିକୁ ସଜାଡ଼ିବାକୁ ସରକାର ଘୋଷଣା କରିଥିବା କୋଭିଡ଼ ସହାୟତା ପ୍ୟାକେଜ ଅଧୀନରେ ସ୍ୱୟଂ ସହାୟିକା କିମ୍ବା ତାଙ୍କ ପରିବାର ସଦସ୍ୟ କୃଷି ଓ ଅଣ କୃଷି ଉଦ୍ୟୋଗର ବିକାଶ ପାଇଁ ଏହି ଋଣ ନେଇ ପାରିବେ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ

  • Share this:
News18 Odia Digital
ଭୁବନେଶ୍ୱର: କୋଭିଡ଼ ଯୋଗୁଁ ଭୁଶୁଡି ପଡିଛି ରାଜ୍ୟର ଅର୍ଥନୀତି । ଏଥିପାଇଁ ସବୁ ସେକ୍ଟର ବ୍ୟାପାକ ଭାବରେ ପ୍ରଭାବିତ ହୋଇଛି । ବିଶେଷ କରି ଗ୍ରାମୀଣ ଅର୍ଥନୀତି ଅଧିକ ପ୍ରଭାବିତ ହୋଇଛି। ଏପରି ସ୍ଥଳେ ଗ୍ରାମୀଣ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । ଗ୍ରାମୀଣ ଅର୍ଥନୀତିକୁ ସଜାଡ଼ିବାକୁ କୋଭିଡ଼ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ କୋଭିଡ଼ ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହୋଇଥିବା ୪ ବର୍ଗର ଲୋକଙ୍କ ପାଇଁ ଏହି ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟ ମନ୍ତ୍ରୀ ।

ଏହି ପ୍ୟାକେଜ ମାଧ୍ୟମରେ ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ପ୍ରତି ଉଦ୍ୟୋଗୀଙ୍କୁ ଏକ କାଳୀନ ୫୦ ହଜାର ଟଙ୍କା ଋଣ ପ୍ରଦାନ କରାଯିବ। ସ୍ୱୟଂ ସହାୟିକା ସଭ୍ୟା କିମ୍ବା ତାଙ୍କ ପରିବାର ସଦସ୍ୟ କୃଷି ଓ ଅଣ କୃଷି ଉଦ୍ୟୋଗର ବିକାଶ ପାଇଁ ଏହି ଋଣ ନେଇ ପାରିବେ । ସେହିପରି କୃଷି ଓ ଅଣକୃଷି କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କୁ ନେଇ ଗଠିତ ଉଦ୍ୟୋଗ ଓ ଉତ୍ପାଦକ ଗୋଷ୍ଠୀଙ୍କୁ ଏକକାଳୀନ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । ୬ ମାସରୁ ଉର୍ଦ୍ଧ୍ବ ଉଦ୍ୟୋଗ ଗୋଷ୍ଠି ଓ ଏକ ବର୍ଷରୁ ଅଧିକ ଉତ୍ପାଦକ ଗୋଷ୍ଠୀ ଏହି ଋଣ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଅତି ଗରିବ କିମ୍ବା ଅସହାୟ ବ୍ୟକ୍ତିଙ୍କ ପରିବାର ଦ୍ୱାରା ପରିଚାଳିତ ଉଦ୍ୟୋଗ ପାଇଁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ବାହାର ରାଜ୍ୟରୁ ଫେରିଥିବା କୁଶଳୀ ଓ ଅର୍ଧକୁଶଳୀ ପ୍ରବାସୀ ଶ୍ରମିକଙ୍କ ଦ୍ୱାରା ପୁରୁଣା ଉଦ୍ୟୋଗ ବିକାଶ କିମ୍ବା ନୂଆ ଉଦ୍ୟୋଗ ଆରମ୍ଭ ପାଇଁ ୧ ଲକ୍ଷଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏଥି ପାଇଁ ୨୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ୬ ମାସ ପର୍ଯ୍ୟନ୍ତ ଏହାର ବୈଧତା ରହିବ।

ଏହି ଋଣ ରାଶି ସରକାର ଲୋକଙ୍କୁ ସିଧାସଳଖ ପ୍ରଦାନ କରିବେ। ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଗୋଷ୍ଠୀ ଭିତ୍ତିକ ସଂସ୍ଥା ଯ଼ଥା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ, ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଏହି ପ୍ଯାକେଜକୁ କାର୍ଯ୍ଯକାରୀ କରିବା ନିମନ୍ତେ ସହାୟତା ପ୍ରଦାନ କରିବେ । ଏହାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପ୍ୟାକେଜର ରୂପରେଖ ବାବଦରେ ଅବଗତ କରାଇଛନ୍ତି ।

ଅର୍ଥନୈତିକ ବିଶେଷଜ୍ଞ ବି ସରକାରଙ୍କ ଏହି ନିଷ୍ପତିକୁ ବେଶ ପ୍ରସଂଶା କରିଛନ୍ତି। "କୋଭିଡ଼ ଯୋଗୁଁ ଗ୍ରାମୀଣ ଅର୍ଥନୀତି ଦୋହଲି ଯାଇଥିବା ସରକାରଙ୍କ ଏହି ପ୍ୟାକେଜ ପୁନରୁଦ୍ଧାର ପାଇଁ ସହାୟକ ହେବ। କିନ୍ତୁ ଏହି ସହାୟତା ଅର୍ଥ କିପରି ହିତାଧିକାରୀ ପାଖରେ ପହଞ୍ଚିବା ଏବଂ ଏହାକୁ ହିତାଧିକାରୀ ସଠିକ ଭାବେ ବିନିଯୋଗ କରୁଛନ୍ତି କି ନାହିଁ ତା ଉପରେ ଦୃଷ୍ଟି ଦେବାକୁ ପଡିବ ବୋଲି ସେ କହିଛନ୍ତି," କହିଛନ୍ତି ଅର୍ଥନୈତିକ ସମୀକ୍ଷକ ତ୍ରିନାଥ ଲେଙ୍କା ।

ବିରୋଧୀ ସରକାରଙ୍କୁ ଏହାକୁ ନେଇ ଅନେକ ସମାଲୋଚନା କରିଛନ୍ତି । "ସରକାରଙ୍କ ପୂର୍ବର ବହୁ ଘୋଷଣା ଭଳି ଏହା ବି ଘୋଷଣାରେ ରହିଯିବ। ସାଧାରଣ ଗରିବ ଲୋକଙ୍କ ନାମରେ ପ୍ରଭାବଶାଳୀ ଲୋକମାନେ ଏହାର ଫାଇଦା ଉଠାଇବେ। ଏପରିକି ଗରିବ ଲୋକଙ୍କୁ ଋଣ ଦେବା ନାମରେ ଏହି ନେତା ଓ ଅଫିସରମାନେ ପିସି ଆକାରରେ ସବୁ ନେଇଯିବେ,'' କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

"ଏହି ପ୍ଯାକେଜ କେବଳ କାଗଜ କଲମରେ ସୀମିତ। ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପ୍ଯାକେଜ ତୃଣମୂଳ ସ୍ତରରେ ପହଞ୍ଚି ପାରିନି ସେ ପର୍ଯ୍ୟନ୍ତ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ହୋଇ ପାରିବ ନାହିଁ ବୋଲି ସେ କହିଛନ୍ତି," କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।
Published by:Jagdish Barik
First published: