ପୁରୀ: ବିଚ୍ ରାସ୍ତାରେ ନାବାଳିକା ଛାତ୍ରୀମାନଙ୍କୁ କମେଣ୍ଟ୍ ମାରି ଛେଚା ଖାଇଲେ ‘ରୋମିଓ’, ଗିରଫ ହେଲେ

‘ରୋଡ଼ ରୋମିଓ’ ଟିଟୁଆ ନାଁରେ ଖାଲି କମେଣ୍ଟ ନୁହେଁ ଗାଁର ଝିଅବୋହୁମାନଙ୍କ ସହ ଦୁର୍ବ୍ୟବହାର କରିବାର ଅନେକ ଅଭିଯୋଗ ରହିଛି । ଝିଅମାନେ ନିଜ ସୁରକ୍ଷା ପାଇଁ ତାକୁ ଧରି ପିଟିଥିବା ଘଟଣାକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ପୁରୀ: ବିଚ୍ ରାସ୍ତାରେ ନାବାଳିକା ଛାତ୍ରୀମାନଙ୍କୁ କମେଣ୍ଟ୍ ମାରି ଛେଚା ଖାଇଲେ ‘ରୋମିଓ’, ଗିରଫ ହେଲେ
ଟିଟୁଆକୁ ଧରି ପିଟୁଛନ୍ତି ସ୍କୁଲ୍ ଛାତ୍ରୀମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଟ୍ୟୁସନ ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଓ କମେଣ୍ଟ ମାରିବା ଭାରି ପଡ଼ିଛି ଜଣେ ରୋଡ଼ ରୋମିଓଙ୍କୁ । ଅତିଷ୍ଠ ହୋଇ ଛାତ୍ରୀମାନେ ଚପଲ ଓ ଝାଡୁରେ ତାଙ୍କୁ ମାଡ଼ ମାରିବା ସହ ଗୋଡ଼େଇ ଗୋଡ଼େଇ ଗାଁ ଦାଣ୍ଡରେ ପିଟିଛନ୍ତି । ସେ ତଳେ ପଡ଼ିଯିବା ପରେ ବିଧା ଓ ଗୋଇଠା ମଧ୍ୟ ମାରିଛନ୍ତି । ଏହି ଘଟଣା ଘଟିଛି ପୁରୀ ସଦର ଥାନା ଅନ୍ତର୍ଗତ ବୀରହରେକୃଷ୍ଣପୁର ଗ୍ରାମରେ ।

୨୫ ବର୍ଷୀୟ ଟିଟୁଆ ନାୟକ ପ୍ରତି ଦିନ ଟ୍ୟୁସନ ଯାଉଥିବା ପିଲାଙ୍କୁ ଏଭଳି ଅଶ୍ଳୀଳ କମେଣ୍ଟ କରିଆସୁଥିଲା । ଏବେ କୋବିଡକୁ ନେଇ ଟ୍ୟୁସନ ବନ୍ଦ ଥିବାରୁ କିଛି ଛାତ୍ରୀ ଶିକ୍ଷକ ପ୍ରଣବାନନ୍ଦ ରଥଙ୍କ ନିକଟକୁ ଶିକ୍ଷା ପରାମର୍ଶ ପାଇଁ ଆସୁଥିଲେ । ସେମାନଙ୍କୁ ଦେଖି ଟିଟୁଆ କମେଣ୍ଟ ମାରିବା ଯୋଗୁଁ ଛାତ୍ରୀମାନେ ତାକୁ ପିଟିବା ସମ୍ପୃକ୍ତ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି ।

‘‘କୋବିଡକୁ ନେଇ ସ୍କୁଲ ଓ ଟ୍ୟୁସନ ସବୁ ବନ୍ଦ ଅଛି । କିଛି ପାଠ ବୁଝିବା ପାଇଁ ଆମ ଗାଁ ବୀରହରେକୃଷ୍ଣପୁରର ଟ୍ୟୁସନ ସାର ପ୍ରଣବାନନ୍ଦ ରଥଙ୍କ ପାଖକୁ ସକାଳେ ଓ ଅପରାହ୍ନରେ ପାଳି କରି ଦୁଇରୁ ତିନି ଜଣ ଆସି ଶିକ୍ଷା ପରାମର୍ଶ ନେଉ । ହେଲେ ଟ୍ୟୁସନ ହେଉ ବା ସ୍କୁଲ, ଆମ ଯିବାଆସିବା ବାଟରେ ହରେକୃଷ୍ଣପୁର ଗାଁର ଶେଷ ମୁଣ୍ଡରେ ଥିବା ଉତ୍ତର ଭୋଇସାହିର ଟିଟୁଆ ନାୟକ ସବୁ ବେଳେ ଏଭଳି ପଛରେ ଗୋଡ଼େଇ କମେଣ୍ଟ କରେ । । ଆମକୁ ହଇରାଣ କରେ । ବେଳେ ବେଳେ ସାଇକେଲ ଧକ୍କା କରିଦିଏ । ଆମେ ଜୁଲାଇ ୧୭ ତାରିଖ ଦିନ ସାହସର ସହିତ ତା’ର ସାମନା କରିଥିଲୁ,’’ କହିଛନ୍ତି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ।

ଛାତ୍ରୀମାନେ ଟ୍ୟୁସନ ସାରି ଫେରୁଥିବା ବେଳେ ଟିଟୁଆ ସେମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲା ।


ସେଦିନ ଅପରାହ୍ଣରେ ଛାତ୍ରୀମାନେ ଟ୍ୟୁସନ ସାରି ଫେରୁଥିବା ବେଳେ ଟିଟୁଆର ଅଶ୍ଳୀଳ ଇଙ୍ଗିତ ସେମାନଙ୍କୁ ବେଶ ଆଘାତ ଦେଇଥିଲା । କମେଣ୍ଟ ମରାରେ ଅତିଷ୍ଟ ହୋଇ ଉଗ୍ର ହୋଇଥିଲେ ଛାତ୍ରୀମାନେ । ରୋଡ଼ ରୋମିଓକୁ ଗାଁ ଦାଣ୍ଡରେ ଚପଲ ଓ ଝାଡୁରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଦିନ ଦିପ୍ରହରରେ ଏଭଳି ଘଟଣା ଦେଖି ଚକିତ ହୋଇ ପଡ଼ିଥିଲେ ଗ୍ରାମବାସୀମାନେ ।

‘‘ଆମେ ତିନି ଜଣ ସାଙ୍ଗ ମିଶି ତାକୁ ଧରି ପକେଇ ଝାଡୁରେ ପିଟିବା ଆରମ୍ଭ କଲୁ । ତା ପରେ ଗ୍ରାମବାସୀ ବି ମିଶିଗଲେ । ଆଉ ଭଲକି ଉତ୍ତମ ମଧ୍ୟମ ଦେଲୁ । କେତେ ଦିନ ତା’ର ଦୌରାତ୍ମ୍ୟ ଆଉ ସହିଥାନ୍ତୁ? ନିଜ ସୁରକ୍ଷା ପାଇଁ ନିଜେ ଆଗେଇ ଆସିଲୁ,’’ କହିଛନ୍ତି ଆଉ ଜଣେ ଛାତ୍ରୀ ।

ଟିଟୁଆ ସେହି ଗାଁର ଜଣେ ଅସାମାଜିକ ଯୁବକ ଭାବେ ଜଣାଶୁଣା । ଅଟୋ ଚଳାଇବା ସହ  ନଶା କାରବାର ମଧ୍ୟ କରେ  । ଅନେକ ସମୟରେ ଗାଁର ଝିଅ ବୋହୁମାନଙ୍କୁ ମଧ୍ୟ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରେ । ‘‘ଯେହେତୁ ସେ ଭୋଇ, ତାକୁ ମାରଧର କଲେ ଜାତିଆଣ ଅଭିଯୋଗରେ ଆମେ ଆଇନରେ ଫଶିବୁ । ତେଣୁ ତାକୁ ବହୁ ଥର ଆମ ଗାଁ ଲୋକେ ବୁଝାସୁଝା କରିଛନ୍ତି  । କିଛି ଦିନ ତଳେ ଗାଁର ଜଣେ ମହିଳାଙ୍କୁ ଅଟୋରେ ନେଇ ଅସଦାଚରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଲୋକେ ତାକୁ ମାଡ଼ ମାରିଥିଲେ । ତା’ ପରିବାର ଲୋକେ ହରେକୃଷ୍ଣପୁର ଗ୍ରାମବାସୀଙ୍କୁ ଅନୁରୋଧ କରିବାରୁ ତାକୁ ଛଡାଯାଇଥିଲା । ତଥାପି ବଦଳୁନାହିଁ ତା’ର ସ୍ୱାଭାବ,’’ କହିଛନ୍ତି ଆଉ ଜଣେ ଛାତ୍ରୀ ।

ଟ୍ୟୁସନ ଆସୁଥିବା ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରୀମାନେ ଟିଟୁଆର କମେଣ୍ଟ ମାରିବା ଯୋଗୁଁ ଅତିଷ୍ଠ ହୋଇପଡିଥିଲେ ବୋଲି କହିଛନ୍ତି ବୀରହରେକୃଷ୍ଣପୁରର ଟ୍ୟୁସନ ଶିକ୍ଷକ ପ୍ରଣବାନନ୍ଦ ରଥ  । ‘‘ସେଦିନ ବି ପିଲାମାନେ ମୋ’ ଘରକୁ ପାଠ ବୁଝିବା ପାଇଁ ଆସୁଥିବା ବେଳେ ଟିଟୁଆ କମେଣ୍ଟ କରିଥିବା ମୋ’ ଆଗରେ ଅଭିଯୋଗ କରିଥିଲେ । ମୁଁ ସେମାନଙ୍କୁ ବୁଝା ସୁଝା କରିଥିଲି  । ତା ପରେ ସେମାନେ ଘରକୁ ସାଇକେଲରେ ଫେରୁଥିବା ବେଳେ ଟିଟୁଆ ଏକ ସାଇକେଲ ଆଣି ସେମାନଙ୍କୁ ଧକ୍କା ଦେବା ସହ କମେଣ୍ଟ ମାରିଥିଲା । ଆଉ ଅଧିକା ହେଲେ ଅବସ୍ଥା ଖରାପ କରିଦେବି ବୋଲି ଧମକାଇଥିଲା  । ତା ପରେ ପିଲାମାନେ ତାକୁ ଧରି ଉତ୍ତମମଧ୍ୟମ ଦେଇଥିଲେ । ମୁଁ ଖବର ପାଇ ଦୌଡ଼ି ଆସି ତାକୁ ଧରି ଗ୍ରାମବାସୀଙ୍କ ଜିମା ଦେଇଥିଲି,’’ କହିଛନ୍ତି ରଥ ।

ଏହି ଘଟଣା ପରେ ଟିଟୁଆ ଘରକୁ ଯାଇ ଏକ ବଡ଼ କଟୁରୀ ଆଣି ରଥଙ୍କୁ ହାଣିବା ପାଇଁ ଉଦ୍ୟମ କରିଥିଲା । ସେ ତାକୁ ବିରୋଧ କରିବା ବେଳେ ତାଙ୍କ ଡାହାଣ ହାତ ପାପୁଲିରେ କଟୁରୀ ବାଜିବାରୁ ସେ ଆହତ ହୋଇଥିଲେ । ତା ପରେ ଗ୍ରାମବାସୀମାନେ ତାକୁ ଧରିଥିଲେ ଓ ସଦର ଥାନା ପୁଲିସ ପହଞ୍ଚିଥିଲା ବୋଲି କହିଛନ୍ତି ରଥ। ତା ପରଦିନ ସଦର ଥାନାରେ ରଥଙ୍କ ପକ୍ଷରୁ ଏକ ଏତାଲା ଦିଆଯାଇଥିଲା ।

‘‘ପୋଲିସ ଛାତ୍ରୀମାନଙ୍କର ବୟାନ ରେକର୍ଡ଼ କରିବା ସହ ଶିକ୍ଷକଙ୍କୁ ମଧ୍ୟ ପଚରାଉଚୁରା କରିଛି । ଶିକ୍ଷକଙ୍କ ଏତାଲା କ୍ରମେ ପୁରୀ ସଦର ଥାନାରେ କେଶ୍ ନମ୍ବର ୧୯୨ ଦଫା ୩୦୭ ଓ ପୋକ୍ସୋ ଆକ୍ଟରେ ଏକ ଆପରାଧିକ ମାମଲା ରୁଜୁ କରାଯାଇଛି ଓ ଟିଟୁଆ ନାୟକକୁ ଗିରଫ କରି ତା’ ଠାରୁ କଟୁରିଟିକୁ ବି ଜବତ କରାଯାଇଛି,’’ କହିଛନ୍ତି ଅତିରିକ୍ତ ଏସପି ଅରୁଣ ଜେନା ।

ଏହା ବି ପଢ଼ନ୍ତୁ: ବିଦାୟ ବିଜୟ! ହେଲେ କେମିତି କହିବା ତାଙ୍କ ୯୫ ବର୍ଷର ମା'ଙ୍କୁ ଯେ ପୁଅ ବିଜୟ ଆଉ ନାହିଁ?

ଏହା ବି ପଢ଼ନ୍ତୁ: ଚୀନ୍ ପାଇଁ ଆର୍ଥିକ ଅସୁବିଧା ବଢ଼ିବ; ଏହି ସପ୍ତାହରେ ମୋଦି ସରକାର ଲାଗୁ କରିବେ କିଛି ନୂଆ ନିୟମ

ଅଭିଯୁକ୍ତ ରୋଡ଼ ରୋମିଓ ଟିଟୁଆ ନାଁରେ ଖାଲି କମେଣ୍ଟ ନୁହେଁ ଗାଁର ଝିଅବୋହୁମାନଙ୍କୁ ଦୁର୍ବ୍ୟବହାର କରିବାର ଅନେକ ଅଭିଯୋଗ ରହିଛି । ଝିଅମାନେ ନିଜ ସୁରକ୍ଷା ପାଇଁ ନେଇଥିବା ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।
Published by: Anand Shankar Thankur Das
First published: July 22, 2020, 7:12 PM IST
corona virus btn
corona virus btn
Loading