କଟକର ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କଟକ ସହରରେ କ୍ରମାଗତ ବଢ଼ୁଥିବା କରୋନା ସଂକ୍ରମଣ କଟକ ମହାନଗର ନିଗମର ନିଦ ହଜାଇ ଦେଇଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । SCBରେ ବି ଚିକିତ୍ସା ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।

କଟକର ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଚିକିତ୍ସା କେନ୍ଦ୍ର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ଚିକିତ୍ସା କେନ୍ଦ୍ର ମହାମାରୀ କରୋନାର ହଟସ୍ପଟରେ ପରିଣତ ହୋଇଛି । ମାତ୍ର ନଅ ଦିନ ମଧ୍ୟରେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଏବେ ୧୬ରେ ପହଞ୍ଚିଛି । ଆଗକୁ ସ୍ଥିତି ଅଧିକ ସଙ୍ଗିନ ହେବ ବୋଲି ଅନୁମାନ କରାଯାଉଛି ।

ରବିବାର ଦିନ କର୍କଟ ଚିକିତ୍ସା କେନ୍ଦ୍ରରେ ଏକା ବେଳେ ୭ ଜଣ  ସଂକ୍ରମିତ ହେବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ମୋଟ ୨୦୯ ଜଣଙ୍କ ସ୍ୱାବ ସଂଗ୍ରହ ହୋଇଥିଲା । ସେହି ସ୍ୱାବ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ବାକି ରହି ଥିବା ରିପୋର୍ଟ ଶୀଘ୍ର ଆସିବ ବୋଲି ଜଣା ପଡ଼ିଛି।

ଚିନ୍ତାଜନକ କଥା ଏହା ଯେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରୁ ବ୍ୟାପିଥିବା ଏହି ସଂକ୍ରମଣ କଟକ ସହରକୁ ନିଜ ନିୟନ୍ତ୍ରଣକୁ ନେବାକୁ ଯାଉଛି। କର୍କଟ ଚିକିତ୍ସା କେନ୍ଦ୍ରରେ କାମ କରୁଥିବା କର୍ମଚାରୀମାନେ ସଂକ୍ରମିତ ହେବା ପରେ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଇଛି । ଫଳରେ ମଙ୍ଗଳବାର ରାତି ସୁଦ୍ଧା କଟକ ସହରରେ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି ।

ଏସ୍.ସି.ବି. ହସ୍ପିଟାଲ୍


‘‘କ୍ୟାନ୍ସର ସେଣ୍ଟରର ସ୍ଥିତିକୁ ଦେଖି ପୂରା ହସ୍ପିଟାଲକୁ ସାନିଟାଇଜ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସି.ଏ.ମ.ସି.ର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି,’’ କହିଛନ୍ତି ସି.ଏ.ମ.ସି.ର ଡେପୁଟି କମିଶନର ଡ଼କ୍ଟର ଅବିନାଶ ରାଉତ।

ଏହି କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣ ସି.ଏମ.ସି.ର ନିଦ ହଜାଇ ଦେଇଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ପୂର୍ବରୁ ପ୍ରବାସୀଙ୍କର ଘର ବାହୁଡ଼ା ଓ ସେମାନଙ୍କ କ୍ୱାରେଣ୍ଟିନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ପୂରା ପ୍ରାଶାସନିକ କଳ ଏବେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରୁ ବ୍ୟାପୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛି।

ରାଜ୍ୟ ସାରା ତଥା ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ବ୍ୟାପୁଥିବା ସଂକ୍ରମଣ ନିକଟରେ ଥିବା ଏସ.ସି.ବିର ସ୍ୱାସ୍ଥ୍ୟ ସେବାକୁ ପ୍ରଭାବିତ କରିବା ଆଶଙ୍କା ପ୍ରକଟ କରାଯାଉଛି । ଏଠାକୁ ଦୈନିକ ପ୍ରାୟ ୧,୦୦୦ରୁ ଉର୍ଦ୍ଧ୍ବ ରୋଗୀ ଓ.ପି.ଡି. ଓ କାଜୁଆଲଟିକୁ ଆସୁଥିବା ବେଳେ ୩,୦୦୦ରୁ ଉର୍ଦ୍ଧ୍ବ ରୋଗୀ ବିଭିନ୍ନ ୱାର୍ଡ଼ରେ ଚିକିତ୍ସିତ ହେଉଛନ୍ତି । ୱାର୍ଡ଼ଗୁଡିକ ଠାରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ସବୁ ଠାରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଗହଳି ଦେଖିବାକୁ ମିଳୁଛି।

‘‘ଅନ୍ୟ ୱାର୍ଡ଼ ଅପେକ୍ଷା କାଜୁଆଲଟିରେ ଗହଳି ଆମର ଚିନ୍ତା ବଢ଼ାଇଛି । ଜଣେ ରୋଗୀଙ୍କ ସହ ଚାରି ପାଞ୍ଚ ଜଣ ଲୋକ ଆସୁଥିବାରୁ ସମସ୍ୟା ହେଉଛି କରୋନା । ଆମକୁ ତ ପି.ପି.ଇ. କିଟ ଦିଆଯାଇଛି । କିନ୍ତୁ କାଜୁଆଲଟି ଭଳି ଜାଗାରେ ପି.ପି.ଇ କିଟ ପିନ୍ଧି ଅଧିକ ସମୟ କାମ କରିବାରେ ସହଜ ହେଉନାହିଁ । ତେବେ ଏଠାରେ ହେଉଥିବା ଅଯଥା ଗହଳିକୁ ରୋକିବା ପାଇଁ କିଛି ବ୍ୟବସ୍ଥା କରିବା ଲାଗି ଆମେ ରାଜ୍ୟ ସରକାରଙ୍କୁ ଏକ ଦାବି ପତ୍ର ଦେଇଛୁ,’’ କହିଛନ୍ତି କାଜୁଆଲଟି ଅଫିସର ତଥା ଓଡ଼ିଶା ମେଡ଼ିକାଲ ସର୍ଭିସ ଆସୋସିଏସନର ସମ୍ପାଦକ ଡାକ୍ତର ଜେ. ପି. ବିଶ୍ୱାଳ ।

ଏସ.ସି.ବି.ର ଅଧିକ୍ଷକ ପ୍ରଫେସର ଡ଼ାକ୍ତର ଅର୍ଣ୍ଣଦା ପଟ୍ଟନାୟକ କହିଛନ୍ତି ଯେ ଏହି ହସପିଟାଲରେ ଚିକିତ୍ସା ସେବା କରୋନା ପୂର୍ବରୁ ଯେମିତି ଚାଲିଥିଲା ଏବେ ବି ସେମିତି ଚାଲିଛି। ‘‘ସମସ୍ତ ଙ୍କୁ ସତର୍କ ହୋଇ ନିଜ ନିଜର କାମ କରିବା ପାଇଁ କୁହାଯାଇଛି । ହେଲେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ଦେଖା ଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଠି ଅଧିକ କଣ ପ୍ରତିଷେଧକ ବ୍ୟବସ୍ଥା କରାଯାଇ ପାରିବ ତା’ ଉପରେ ବିଚାର କରାଯାଉଛି,’’ ସେ କହିଛନ୍ତି ।
First published: July 2, 2020, 4:46 PM IST
corona virus btn
corona virus btn
Loading