Reliance କିଣିଲା ଅନଲାଇନ ଫାର୍ମାସି କମ୍ପାନୀ Netmedsକୁ; ଏବେ Amazon ସହ ପ୍ରତିଯୋଗିତା ହେବ

ଏହି ଚୁକ୍ତି ଦ୍ୱାରା ରିଲାଏନ୍ସର ଡିଜିଟାଲ ଶାଖା ରିଲାଏନ୍ସ ଜିଓକୁ କରୋନା ମହାମାରୀ ସମୟରେ ତୀବ୍ର ଗତିରେ ବଢୁଥିବା ଏକ ଇକମର୍ସ ବ୍ୟାପାର ଭିତରକୁ ପ୍ରବେଶ ମିଳିଲା। କୋଭିଡ-୧୯ ସମୟରେ ଭଲ ଅଭିବୃଦ୍ଧି ହାସଲ କରିଥିବା କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ରିଟେଲ ଓ ଅନଲାଇନ୍ ଗ୍ରୋସରୀ ପ୍ଲାଟଫର୍ମ ଜିଓମାର୍ଟ ଅଛନ୍ତି ।

Reliance କିଣିଲା ଅନଲାଇନ ଫାର୍ମାସି କମ୍ପାନୀ Netmedsକୁ; ଏବେ Amazon ସହ ପ୍ରତିଯୋଗିତା ହେବ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର CMD ମୁକେଶ ଅମ୍ବାନୀ
  • News18 Odia
  • Last Updated: August 19, 2020, 2:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (RIL, Reliance Industries Limited) ୬୨୦ କୋଟି ଟଙ୍କାରେ ଅନଲାଇନ୍ ଫାର୍ମାସି ନେଟମେଡ୍ସର (Netmeds) ୬୦ ପ୍ରତିଶତ ଅଂଶଧନ ହାସଲ କରିଛି । ଏହା ଦ୍ୱାରା ଏବେ ଇ-କମର୍ସ କ୍ଷେତ୍ରର ସର୍ବବୃହତ କମ୍ପାନୀ ଆମାଜନ (Amazon) ବିରୁଦ୍ଧରେ ସିଧାସଳଖ ପ୍ରତିଯୋଗିତା ହେବ । ଏହି ଡିଲରେ ନେଟମେଡ୍ସର ମୂଲ୍ୟ ପ୍ରାୟ ୧,୦୦୦ କୋଟି ଟଙ୍କା ହୋଇଛି ।

ଏହି ଅଧିଗ୍ରହଣ ଦ୍ୱାରା RILର ରିଟେଲ ୟୁନିଟ ରିଲାଏନ୍ସ ରିଟେଲକୁ (Reliance Retail) ଏକ ଭୂଲମ୍ବ ଇ-କମର୍ସ ସ୍ପେସରେ ପ୍ରବେଶ ମିଳିଲା । କୋଭିଡ-୧୯ ମହାମାରୀ ସମୟରେ ଭଲ ଅଭିବୃଦ୍ଧି ହାସଲ କରିଥିବା କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ରିଟେଲ ଓ ଅନଲାଇନ୍ ଗ୍ରୋସରୀ ପ୍ଲାଟଫର୍ମ ଜିଓମାର୍ଟ (Jio Mart) ଅଛନ୍ତି ।

ପ୍ରଦୀପ ଦଢ଼ାଙ୍କ (Pradeep Dadha) ଦ୍ୱାରା ପ୍ରତିଷ୍ଠିତ ନେଟମେଡସ୍ ବର୍ତ୍ତମାନ ଔଷଧ, ବ୍ୟକ୍ତିଗତ ଓ ଶିଶୁ ଯତ୍ନ ସାମଗ୍ରୀ ବିତରଣ କରୁଛି । ତା’ ସହିତ ନିଜ ୱେବସାଇଟ୍ ଓ ଆପରେ ଡାକ୍ତର ବୁକିଂ ଓ ଡାଇଗ୍ନୋଷ୍ଟିକ୍ ବି ଯୋଗାଉଛି । ଏକ ବୃହତ ପାଣ୍ଠି ସଂଗ୍ରହ କରିବାରେ ଅସମର୍ଥ ହେବା ପରେ ଏହି କମ୍ପାନୀ ପ୍ରାୟ ବର୍ଷେ ହେବ କ୍ରେତା ଖୋଜୁଥିଲା ।

ନେଟମେଡ୍ସର ନିବେଶକମାନଙ୍କ ମଧ୍ୟରେ ଅଛନ୍ତି ସିଙ୍ଗାପୁର ଭିତ୍ତିକ ଡନ୍ ପେନ୍ କାମ୍ବୋଡିଆ ଗ୍ରୁପ୍ (Daun Penh Cambodia Group), ସିଷ୍ଟେମା ଏସିଆ ଫଣ୍ଡ, ଟାନକମ୍ ଇନଭେଷ୍ଟମେଣ୍ଟ ଓ ସ୍ୱାସ୍ଥ୍ୟସେବା କେନ୍ଦ୍ରିତ ନିବେଶ ସଂସ୍ଥା ଅର୍ବିମେଡ୍ ।

ଜିଓ ପ୍ଲାଟଫର୍ମ୍ସରେ ହୋଇଥିବା ଲଗାତର ୧୨ଟି ବଡ଼ ବିନିଯୋଗ


ରିଲାଏନ୍ସ ରିଟେଲ ଭେଞ୍ଚର୍ସର ନିର୍ଦ୍ଦେଶିକା ଇଶା ଅମ୍ବାନୀ (Isha Ambani) ଏକ ବିବୃତ୍ତିରେ କହିଛନ୍ତି, “ନେଟମେଡ୍ସର ଅଧିଗ୍ରହଣ ପରେ ଉତ୍ତମ ଗୁଣବତ୍ତା ସହ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଉତ୍ପାଦ ଓ ସେବା ଯୋଗାଇବା ପାଇଁ ରିଲାଏନ୍ସ ରିଟେଲର କ୍ଷମତା ବଢ଼ିବ । ଗ୍ରାହକଙ୍କ ଅଧିକାଂଶ ଦୈନଦିନ ଆବଶ୍ୟକତାକୁ ପୂରା କରିବା ପାଇଁ ରିଲାଏନ୍ସ ରିଟେଲ ଭେଞ୍ଚର୍ସରର ଡିଜିଟାଲ ବାଣିଜ୍ୟ କ୍ଷମତାର ବି ବିସ୍ତାର ଘଟିବ ।”

କେତେକ ଷ୍ଟାର୍ଟଅପ୍ କିଛି ବର୍ଷ ଧରି ଇ-ଫାର୍ମାସି କ୍ଷେତ୍ରରେ ତୀବ୍ର ସଂଘର୍ଷ କରିଆସୁଛନ୍ତି । କ୍ରୋନିକ୍ ରୋଗ ପାଇଁ ନିୟମିତ ଔଷଧ ବିତରଣ କରିବା ଦ୍ୱାରା ଏକ ବୃହତ ଇଣ୍ଟରନେଟ୍ କମ୍ପାନୀରେ ପରିଣତ ହେବେ ବୋଲି ସେମାନଙ୍କର ବିଶ୍ୱାସ ଅଛି । ନେଟମେଡସ୍, ଫାର୍ମଇଜି, ମେଡଲାଇଫ୍, ୧ ଏମଜି (1mg) ଇତ୍ୟାଦି ପରସ୍ପର ସହ ବଜାରରେ ଆଧିପତ୍ୟ ପାଇଁ ଲଢ଼େଇ କରୁଛନ୍ତି । ହେଲେ ଔଷଧ ବିତରଣ କ୍ଷେତ୍ରରେ ମାର୍ଜିନ ସର୍ବନିମ୍ନ ଥାଏ, ଆଉ ବଜାରର ଅଗ୍ରଣୀ ନ ହୋଇ ଟଙ୍କା ହରାଉଥିବା ଷ୍ଟାର୍ଟଅପମାନଙ୍କୁ ନିବେଶକମାନେ ପାଣ୍ଠି ଦେବେ ନାହିଁ ।

କରୋନା ମହାମାରୀ କିନ୍ତୁ ଏହି ଧାରଣାକୁ ବଦଳେଇ ଦେଇଛି । ଲକଡ଼ାଉନ୍ ସମୟରେ ଘରୁ ଔଷଧ ଅର୍ଡର କରିବାକୁ ବାଧ୍ୟ ହୋଇଥିବା ଅନେକ ଗ୍ରାହକ ଏହି ଆପଗୁଡ଼ିକୁ ପ୍ରଥମ ଥର ବ୍ୟବହାର କରି ଉପକୃତ ହୋଇଛନ୍ତି । ମନି କଣ୍ଟ୍ରୋଲ ଅଗଷ୍ଟ ୭ରେ ଏକ ରିପୋର୍ଟରେ କରିଛି ଯେ ଏହି ଆପଗୁଡ଼ିକରେ ଅର୍ଡର ୫୦ ପ୍ରତିଶତ ବୃଦ୍ଧି ପାଇଛି ଓ ଗତ ତିନି ମାସ ମଧ୍ୟରେ ଏହି ସେକ୍ଟର ଦୁଇ ବର୍ଷ ଆଗକୁ ବଢ଼ିଛି ।

ରିଲାଏନ୍ସ ରିଟେଲ ଭେଞ୍ଚର୍ସର ନିର୍ଦ୍ଦେଶିକା ଇଶା ଅମ୍ବାନୀ


ଏହି ଡିଲର ନିକଟବର୍ତ୍ତୀ ଲୋକଙ୍କ ଅନୁଯାୟୀ ଯଦିଓ କରୋନା ମହାମାରୀ ପୂର୍ବରୁ RIL ଏହି କ୍ଷେତ୍ର ଓ ନେଟମେଡସ୍ ଉପରେ ନଜର ରଖିଥିଲା, ଲକଡ଼ାଉନ୍ ଏହି ଡିଲକୁ ପୂରା କରିବାରେ ଓ ସଠିକ୍ ମୂଲ୍ୟ ଲଗାଇବାରେ ସାହାଯ୍ୟ କରିଥିଲା ।

ଗତ ସପ୍ତାହରେ ଆମାଜନ ଇଣ୍ଡିଆ ବେଙ୍ଗାଲୁରୁରେ ନିଜ ଇ-ଫାର୍ମାସି ସେବା ଆରମ୍ଭ କରିଛି ଓ ଖୁବ୍ ଶୀଘ୍ର ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଲଞ୍ଚ କରିବାକୁ ଯୋଜନା କରୁଛି ।

ଏହି କ୍ଷେତ୍ରରେ କର୍ପୋରେଟମାନଙ୍କ ପ୍ରବେଶ କିଛି ପରିମାଣରେ ଏହାକୁ ଦୀର୍ଘମିଆଦି ଆଶା ଦେଉଛି । ଫାର୍ମଇଜିକୁ ଛାଡ଼ି ଦେଲେ ଏହି କ୍ଷେତ୍ରରେ ଅନ୍ୟ ସବୁ ଷ୍ଟାର୍ଟଅପ୍ ତିଷ୍ଠିବା ପାଇଁ ସଂଗ୍ରାମ କରିଆସୁଛନ୍ତି । ପାଣ୍ଠି ସଂଗ୍ରହ ପାଇଁ ସେମାନେ ସଙ୍ଘର୍ଷ କରୁଛନ୍ତି ଏବଂ ବୃହତ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହ ମିଶ୍ରଣ ଉପରେ ନଜର ରଖୁଛନ୍ତି ।

‘‘ଉଭୟ ପକ୍ଷ ପାଇଁ ଏହି ଡିଲ୍‌ ଭଲ । ନେଟମେଡ୍ସ ତିଷ୍ଠିରହିବା ପାଇଁ ଚାହୁଁଥିଲା ଓ ଏକ ଘର ଖୋଜୁଥିଲା । RIL ଏହି କ୍ଷେତ୍ରକୁ ପ୍ରବେଶ କରିବାକୁ ଚାହୁଁଥିଲା, କିନ୍ତୁ ଅତ୍ୟଧିକ ଉଚ୍ଚ ଦାମ୍‌ ଦେବାକୁ ଚାହୁଁ ନ ଥିଲା,’’ ଏହି କ୍ଷେତ୍ରରେ ଅଭିଜ୍ଞତା ଥିବା ଜଣେ ନିବେଶକ କହିଛନ୍ତି ।

ଏହି ଡିଲ୍ ଦ୍ୱାରା ଜିଓର ସମ୍ପୂର୍ଣ୍ଣ ଇ-କମର୍ସ ପ୍ଲାଟଫର୍ମରେ ପ୍ରବେଶ କରିବାର ଇଚ୍ଛା ପୂରଣ ହେଲା । ଏବେ ଜିଓ ସମସ୍ତ ପ୍ରକାରର ସାମଗ୍ରୀ ବିତରଣ କରିବ । ଅସୁବିଧାରେ ପଡ଼ିଥିବା ଷ୍ଟାର୍ଟଅପ୍ ଅଧିଗ୍ରହଣ କରିବା ସେ ଦିଗରେ ଏକ ପଦକ୍ଷେପ ।



ଅନଲାଇନ୍ ଆସବାବପତ୍ର ଷ୍ଟାର୍ଟଅପ୍ ଅର୍ବାନ୍‌ ଲ୍ୟାଡର୍‌ (Urban Ladder), ଅନଲାଇନ୍ ଅନ୍ତବସ୍ତ୍ର ରିଟେଲର୍‌ ଜିଭେମ୍ (Zivams) ଓ ଅନଲାଇନ୍ ଦୁଗ୍ଧ ବିତରଣ ଷ୍ଟାର୍ଟଅପ୍ ମିଲ୍କବାସ୍କେଟ୍ (Milkbasket) ଅଧିଗ୍ରହଣ କରିବାକୁ ରିଲାଏନ୍ସ୍‌ ଆଲୋଚନା ଚଳେଇଥିବା ଜଣାପଡ଼ିଛି ।

(ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by: Jagdish Barik
First published: August 19, 2020, 10:57 AM IST
corona virus btn
corona virus btn
Loading