କରୋନା ପ୍ରଭାବରେ ଲଗାତାର ହ୍ରାସ ପାଉଛି ରାଜ୍ୟର ରାଜସ୍ୱ ସଂଗ୍ରହ; ବଢ଼ୁଛି ସରକାରଙ୍କ ଚିନ୍ତା

ଗତ ବର୍ଷ ଏପ୍ରିଲ ଓ ମେ ମାସରେ ସଂଗ୍ରହ ହୋଇଥିଲା ପ୍ରାୟ ୭,୦୦୦ କୋଟି ଟଙ୍କାର ରାଜସ୍ୱ । ଏ ବର୍ଷ ଏହା ପାଖାପାଖି ୫୦ ପ୍ରତିଶତ ହ୍ରାସ ପାଇଛି । ଅନଲାଇନ ମଦ ବିକ୍ରିକୁ ଅନୁମତି ମିଳିଥିବାରୁ ଜୁନ୍ ମାସରେ ଏକ୍ସାଇଜ୍ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

କରୋନା ପ୍ରଭାବରେ ଲଗାତାର ହ୍ରାସ ପାଉଛି ରାଜ୍ୟର ରାଜସ୍ୱ ସଂଗ୍ରହ; ବଢ଼ୁଛି ସରକାରଙ୍କ ଚିନ୍ତା
ଖଣି କ୍ଷେତ୍ରରୁ ଏପ୍ରଲ ମାସରେ ୩୦୦ କୋଟି ଟଙ୍କା ଓ ମେ ମାସରେ ୭୦୦ କୋଟି ଟଙ୍କାର ରାଜସ୍ୱ ଆସିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଏପ୍ରିଲ ପରେ ମେ ମାସରେ ବି ଲଗାତାର ହ୍ରାସ ପାଇଛି ରାଜ୍ୟର ରାଜସ୍ୱ ସଂଗ୍ରହ । ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ ଓ ମେ ମାସର ରାଜସ୍ୱ ସଂଗ୍ରହ ୭,୦୦୦ କୋଟି ଟଙ୍କା ଥିବା ବେଳେ  ୨୦୨୦-୨୧ ଆର୍ଥିକ ବର୍ଷର ସେହି ଦୁଇ ମାସରେ ରାଜସ୍ୱ ସଂଗ୍ରହ ୩,୦୦୦ କୋଟି ଟଙ୍କା ପାଖାପାଖି ରହିଛି । ରାଜସ୍ୱ ହ୍ରାସ ଯୋଗୁଁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ବ୍ୟୟ ଲକ୍ଷ ପୂରଣ କରିବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଅର୍ଥନିତି ବିଶେଷଜ୍ଞଙ୍କ ମତରେ ଏବେ ଋଣ ହିଁ ଏକ ମାତ୍ର ସମାଧାନ ।

ଗତ ବର୍ଷ ଏପ୍ରିଲ ଓ ମେ ମାସରେ ରାଜ୍ୟରେ ସଂଗ୍ରହ ହୋଇଥିଲା ପ୍ରାୟ ୭,୦୦୦ କୋଟି ଟଙ୍କାର ରାଜସ୍ୱ । ଏ ବର୍ଷ ଏହା ପାଖାପାଖି ୫୦ ପ୍ରତିଶତ ହ୍ରାସ ପାଇଛି । ୨୦୨୦ ଏପ୍ରିଲ ଓ ମେ ମାସରେ ରାଜ୍ୟର ମୋଟ ରାଜସ୍ୱ ସଂଗ୍ରହ ପ୍ରାୟ ୩,୦୦୦ କୋଟି ଟଙ୍କା କହିଥିବା ଜଣା ପଡିଛି । ସ୍ୱଳ୍ପ ରାଜସ୍ୱ ସଂଗ୍ରହ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି, କାରଣ ବଜେଟ୍ ଆବଣ୍ଟନ ଅନୁଯାୟୀ ଟଙ୍କା ଖର୍ଚ୍ଚ କରିବାକୁ ହେଲେ ଋଣ କରିବାକୁ ପଡ଼ିବ ।

ଖଣି, ଜି.ଏସ୍‌.ଟି., ଭ୍ୟାଟ୍ ଏବଂ ବିଦ୍ୟୁତ୍ ଟ୍ୟାକ୍ସ ପରି କିଛି ସେକ୍ଟର ବ୍ୟତୀତ ଏକ୍ସାଇଜ୍, ମୋଟର ଯାନ ଏବଂ ଷ୍ଟାମ୍ପ ଡ୍ୟୁଟି ଏବଂ ପଞ୍ଜୀକରଣ ଶୁଳ୍କ ଭଳି ଅନ୍ୟାନ୍ୟ କ୍ଷେତ୍ରରୁ ଅଳ୍ପ ସଂଗ୍ରହ ହୋଇଛି । ଅନଲାଇନ ମଦ ବିକ୍ରିକୁ ଅନୁମତି ଦିଆଯାଇଥିବାରୁ ଜୁନ୍ ମାସରେ ଏକ୍ସାଇଜ୍ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାର ଆଶା କରୁଛନ୍ତି । ସରକାର ନିଜସ୍ୱ ଉତ୍ସରୁ (ଟ୍ୟାକ୍ସ ଏବଂ ଅଣ-ଟ୍ୟାକ୍ସ ସେକ୍ଟର) ରୁ ପ୍ରାୟ ୫୬,୦୦୦ କୋଟି ଟଙ୍କା ରୋଜଗାର କରିବାକୁ ଆକଳନ କରିଥିବାବେଳେ ପ୍ରାରମ୍ଭିକ ଦୁଇ ମାସ ମଧ୍ୟରେ ସ୍ୱଳ୍ପ ସଂଗ୍ରହ ସେହି ଲକ୍ଷ୍ୟ ହାସଲ କରିବାରେ ସନ୍ଦେହ ସୃଷ୍ଟି କରିଛି।



କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବନ୍ଦ ହେଉନାହିଁ, କିନ୍ତୁ ଏହି ଯୋଜନାରେ ରାଜ୍ୟର ଅଂଶକୁ ସତର୍କତାର ସହ ଖର୍ଚ୍ଚ କରିବାକୁ ଅର୍ଥ ବିଭାଗ ଅନ୍ୟ ସବୁ ବିଭାଗକୁ କହିଛି । ଖଣି କ୍ଷେତ୍ରରୁ ଏପ୍ରଲ ମାସରେ ୩୦୦ କୋଟି ଟଙ୍କା ଓ ମେ ମାସରେ ୭୦୦ କୋଟି ଟଙ୍କା ମିଶି ମୋଟ ହଜାରେ କୋଟି ଟଙ୍କାର ରାଜସ୍ୱ ଆସିଛି । ୨୦୧୯-୨୦ରେ ୨୧ ଶହ କୋଟି ରାଜସ୍ବ ଆଦାୟ ହୋଇଥିଲା । ସେହି ଭଳି ଜିଏସଟିରୁ ଗତ ବର୍ଷ ଏପ୍ରଲ ଓ ମେ ମାସରେ ପାଖାପାଖି ୨୧ ଶହ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବର୍ଷ ଏପ୍ରିଲ ଓ ମେ ମାସରେ ୧,୧୯୨ କୋଟି ଟଙ୍କା ମିଳିଛି ।

‘‘ରାଜସ୍ବ ବୃଦ୍ଧି କ୍ଷେତ୍ରରେ ସରକାର ଅତିତରେ ବି ସମାନ ସ୍ଥିତିରେ ଚାଲିଥିଲେ । ଆଜି ସିନା କରୋନା ଭାଇରସ୍‌ ପାଣ୍ଡେମିକ ସ୍ଥିତି ଅଛି, ତେଣୁ ବାସ୍ତବିକ ରାଜସ୍ବ ଆଦାୟ କମିବ । ଯେତେବେଳେ ଓହି ସ୍ଥିତି ନ ଥିଲା, ସେତେବେଳେ ବି ରାଜ୍ୟ ସରକାର ସେହି ସମାନ ଢଙ୍ଗରେ ଚାଲିଥିଲେ । ଗତ ଚାରି ବର୍ଷର ବଜେଟରେ ସିଂହ ଭାଗ କେନ୍ଦ୍ର ସରକାରଙ୍କର ଅନୁଦାନ ଓ ଟିକସ ରହିଛି । ସେଥିରେ ହିଁ ରାଜ୍ୟ ସରକାରଙ୍କର ବଜେଟ୍ ପରିଚାଳିତ ହେଉଛି । ରାଜ୍ୟର କିଭଳି ରାଜସ୍ବ ବୃଦ୍ଧି ହେବ ସେଥି ପାଇଁ ରଜ୍ୟ ସରକାର ଗୋଟିଏ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକ ରହିଛି,’’ କହିଛନ୍ତି ରାଜସ୍ୱ ହ୍ରାସ ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।

ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି, ‘‘ସାରା ବିଶ୍ବରେ ଅର୍ଥନୈତକ କାର୍ଯ୍ୟକଳାପ ବନ୍ଦ ହୋଇଛି । ତା’ର ପ୍ରଭାବ ରାଜ୍ୟ ରାଜକୋଷ ଉପରେ ପଡୁଛି  । ତେବେ କେଉଁ କ୍ଷେତ୍ରରୁ ଭରଣା ହୋଇପାରିବ ସରକାର ସେ ଦିଗରେ ଚିନ୍ତା କରୁଛନ୍ତି ।’’

ରାଜସ୍ୱ ସଂଗ୍ରହ ହ୍ରାସ ହେବା ସତ୍ତ୍ୱେ ପୁରୀ ବିଶ୍ୱ ଐତିହ୍ୟ ପ୍ରକଳ୍ପ, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପରିସରରେ ଏକାମ୍ର ପ୍ରକଳ୍ପ ଓ କଟକ ଏସସିବି ମେଡିକାଲ କଲେଜର ସମ୍ପ୍ରସାରଣ କାମ ଆଗେଇ ଚାଲିଛି । ଆର୍ଥିକ ମାନ୍ଦାବସ୍ଥାରେ ରାଜକୋଷ ଭରଣା ସରକାରଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଚ ହୋଇ ଠିଆ ହୋଇଛି ।
First published: June 27, 2020, 9:36 PM IST
corona virus btn
corona virus btn
Loading