ବାତିଲ ହେଲା ଯୁକ୍ତ ୨ର ବାକିଥିବା ବିଷୟଗୁଡ଼ିକର ପରୀକ୍ଷା; ଜୁଲାଇ ଶେଷ ସୁଦ୍ଧା ଫଳ ପ୍ରକାଶ ପାଇବ
କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଣ ଶିକ୍ଷା ବିଭାଗ ଏହି ବଡ଼ ନିଷ୍ପତ୍ତି ନେଇଛି । ଯେଉଁ ଛାତ୍ରଛାତ୍ରୀମାନେ ୫ଟି ବିଷୟର ପରୀକ୍ଷା ଦେଇଛନ୍ତି ସେମାନଙ୍କର ଅଧିକ ନମ୍ବର ଥିବା ୩ଟି ବିଷୟର ମାର୍କ୍ ଆଧାରରେ ଅନ୍ୟ ବିଷୟଗୁଡ଼ିକର ମାର୍କିଂ ହେବ ।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ରଞ୍ଜନ ଦାଶ; ପରୀକ୍ଷାର ଏକ ପ୍ରତୀକାତ୍ମକ ଛବି
- News18 Odia
- Last Updated: July 1, 2020, 9:35 PM IST
ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୨ର ବାକିଥିବା ବିଷୟର ପରୀକ୍ଷାଗୁଡ଼ିକୁ ବାତିଲ୍ କରାଯାଇଛି । ଆଭେରେଜ ମାର୍କିଂ ଅନୁଯାୟୀ ପ୍ରକାଶ ପାଇବ ପରୀକ୍ଷା ଫଳ । ଜୁଲାଇ ଶେଷ ସୁଦ୍ଧା ବାହାରିବ ରେଜଲ୍ଟ । କଳା, ବାଣିଜ୍ୟ ଓ ବିଜ୍ଞାନ ସହ ଧନ୍ଦାମୂଳକ ବିଭାଗର ୨୩ଟି ବିଷୟର ପରୀକ୍ଷା ବାତିଲ ହୋଇଛି ।
କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଣ ଶିକ୍ଷା ବିଭାଗ ଏହି ବଡ଼ ନିଷ୍ପତ୍ତି ନେଇଛି । ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗ ଯୁକ୍ତ ୩ ଓ ପିଜି ଶେଷ ବର୍ଷ ପରୀକ୍ଷା ଉପରେ ଅନୁରୂପ ନିଷ୍ପତ୍ତି ନେଇଥିଲା ।
ଯୁକ୍ତ-୨ର ବାକି ପରୀକ୍ଷା ବାତିଲ କରାଯାଇଥିବା ନେଇ ଖୋଦ୍ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଜୁଲାଇ ଶେଷ ସୁଦ୍ଧା ଫଳ ପ୍ରକାଶ କରିବା ପାଇଁ ବିଭାଗ ସ୍ଥିର କରିଛି । ଆଭରେଜ ନମ୍ବର ଅନୁଯାୟୀ ଫଳ ପ୍ରକାଶ କରାଯିବ ବୋଲି କୁହାଯାଇଛି ।

ଚଳିତ ବର୍ଷ ମୋଟ ୩,୫୦,୮୦୦ ପ୍ଲସ୍ ୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନଙ୍କର ଗତ ବର୍ଷର ଶ୍ରେଷ୍ଠ ନମ୍ବର ଆଧାରରେ ଫଳ ପ୍ରକାଶ ପାଇବ। ଯେଉଁ ଛାତ୍ରଛାତ୍ରୀ ନିଜ ରେଜଲ୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିବେ ସେମାନେ ପରବର୍ତ୍ତୀ ସମୟରେ ପରୀକ୍ଷା ଦେଇ ପାରିବେ ବୋଲି କହିଛି ବିଭାଗ ।
‘‘କରୋନା ଭାଇରସ୍ ସଂକ୍ରମଣ କାଳରେ ପରୀକ୍ଷା ଆୟୋଜନ କରିବା ସମ୍ଭବ ନୁହେଁ । ସିବିଏସଇ ଢାଞ୍ଚା ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ହେବ,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ରଞ୍ଜନ ଦାଶ ।
କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ୨୩ଟି ବିଷୟର ପରୀକ୍ଷା ବାକି ରହିଥିଲା । ମୁଖ୍ୟତଃ ବାୟୋଲୋଜି, ଜ୍ୟୋଗ୍ରାଫି, ଲଜିକ, ଇକୋନୋମିକସ, ଷ୍ଟାଟିଷ୍ଟିକସ, ବିଜନେସ ଷ୍ଟାଡିଜି, ଏଫ.ଏମ.ଏ, କଷ୍ଟ ଆକାଉଣ୍ଟିଂ, ସୋସିଓଲୋଜି, ଆନ୍ତ୍ରପୋଲୋଜି ଓ କମ୍ପ୍ୟୁଟର ଆପ୍ଲିକେସନ ଭଳି ମୁଖ୍ୟ ବିଷୟର ପରୀକ୍ଷା ବାକି ରହିଥିବା ବେଳେ ଧନ୍ଦାମୂଳକ ବିଭାଗରୁ ଗଣିତ, ବାୟୋଲୋଜି ଓ ଟ୍ରେଡ଼ ପେପର ବାକି ରହିଛି ।
କରୋନା ସଂକ୍ରମଣକୁ ଦେଖି ପରୀକ୍ଷା ବାତିଲ ଉଚିତ ପଦକ୍ଷେପ ବୋଲି କହିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷାବିତମାନେ । କିନ୍ତୁ ସଠିକ ଭାବେ ମୂଲ୍ୟାୟନ ନ ହେଲେ କରିୟର ପ୍ରଭାବିତ ହେବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି ।
ଚଳିତ ବର୍ଷ ମୋଟ ୩,୫୦,୮୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । କଳାରେ ୨,୨୦,୪୩୭ ଜଣ, ବିଜ୍ଞାନରେ ୯୭,୫୪୬ ଜଣ, ବାଣିଜ୍ୟରେ ୨୫,୭୮୫ ଜଣ ଓ ଓ ଧନ୍ଦାମୂଳକ ବିଭାଗରେ ୭,୦୩୨ ଜଣ ପରୀକ୍ଷା ଦେଇଥିଲେ ।