News18 Odia Digital
ମୁମ୍ବାଇ: କରୋନା ଭାଇରସ୍ ଯୋଗୁଁ ବଢ଼ୁଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ମୁମ୍ବାଇରେ ଭାରତର ପ୍ରଥମ ଉତ୍ସର୍ଗୀକୃତ COVID-19 ଡାକ୍ତରଖାନା ପ୍ରତିଷ୍ଠା କରିଛି । କରୋନା ଭାଇରସ୍ ବିସ୍ତାରକୁ ମୁକାବିଲା କରିବା ପାଇଁ ରିଲାଏନ୍ସ ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଛି ।
ବ୍ରିହନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ସହଯୋଗରେ ସାର୍ ଏଚ୍.ଏଚ୍. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ COVID-19 ପଜିଟିଭ୍ ରୋଗୀମାନଙ୍କ ପାଇଁ ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ ଏକ ଉତ୍ସର୍ଗୀକୃତ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ସ୍ଥାପନ କରିଛି । ଏହା ଭାରତରେ ଏହି ପ୍ରକାରର ପ୍ରଥମ ହସ୍ପିଟାଲ୍ ।
‘‘ଏହି ହସ୍ପିଟାଲ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ । ଏଥିରେ ଏକ ନକାରାତ୍ମକ ଚାପ କୋଠରୀ (negative pressure room) ଅନ୍ତର୍ଭୂକ୍ତ, ଯାହା କ୍ରସ୍-କଣ୍ଟାମିଲେସନ୍ ରୋକିବାରେ ଓ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ସମସ୍ତ ଶଯ୍ୟା ଆବଶ୍ୟକୀୟ ଭିତ୍ତିଭୂମି ଓ ଜୈବ-ଚିକିତ୍ସୀୟ ଉପକରଣରେ ସଜ୍ଜିତ ଅଛି । ଭେଣ୍ଟିଲେଟର, ପେସମେକର୍, ଡାୟଲିସିସ୍ ମେସିନ୍ ଓ ରୋଗୀ ମନିଟରିଂ ଉପକରଣଗୁଡ଼ିକ ଏଥିରେ ଯୋଗ କରାଯାଇଛି,’’ କହିଛନ୍ତି ରିଲାଏନ୍ସର ଜଣେ ବରିଷ୍ଠ ଅଧିକାରୀ ।
ମୁମ୍ବାଇର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନ ସାର୍ ଏଚ୍.ଏଚ୍. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍ ମଧ୍ୟ ଅନ୍ଯ ଦେଶରୁ ଆସୁଥିବା କରୋନା ସନ୍ଦିଗ୍ଧ ଓ ଚିହ୍ନଟ ହୋଇଥିବା ରୋଗୀଙ୍କୁ କ୍ୱାରେଣ୍ଟିନ୍ କରିବା ପାଇଁ ଏକ ସୁସଜ୍ଜିତ ସୁବିଧା ସ୍ଥାପନ କରିବାର ପ୍ରସ୍ତାବ ଦେଇଛି ।

ହସପିଟାଲ୍ ଭିତରର ଏକ ଦୃଶ୍ୟ
ରିଲାଏନ୍ସ ନିଜର ଉତ୍ପାଦନ କ୍ଷମତାକୁ ବଢ଼େଇ ଦିନକୁ ୧ ଲକ୍ଷ ଫେସ୍-ମାସ୍କ ଓ ଦେଶର ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ କରୋନା ଭାଇରସ୍ ସହିତ ଲଢ଼ିବା ପାଇଁ ଆବଶ୍ୟକ ହେଉଥିବା ବହୁ ସଂଖ୍ୟକ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉତ୍ପାଦନ କରିବା ଆରମ୍ଭ କରିଛି ।
"ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍.ଏଲ ଆଜି ୫ କୋଟି ଟଙ୍କା ସହାୟତା ଘୋଷଣା କରିଛି । ରିଲାଏନ୍ସ ଫାଉଣ୍ଡେସନ, ରିଲାଏନ୍ସ ରିଟେଲ, ଜିଓ, ରିଲାଏନ୍ସ ଲାଇଫ ସାଇନ୍ସ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ରିଲାଏନ୍ସ ପରିବାରର ସମସ୍ତ ଛଅ ଲକ୍ଷ ସଦସ୍ୟଙ୍କ ମିଳିତ ଶକ୍ତିକୁ କରୋନା ଭାଇରସର ମୁକାବିଲାରେ ନିୟୋଜିତ କରିଛି । COVID-19 ବିରୋଧରେ ଲଢ଼ିବା ପାଇଁ RIL ଏହାର ଉତ୍ପାଦନ କ୍ଷମତାକୁ ବଢ଼ାଇ ଦିନକୁ ୧,୦୦,୦୦୦ ଫେସ୍-ମାସ୍କ ଉତ୍ପାଦନ କରିବା ତଥା ଦେଶର ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ କରୋନା ଭାଇରସ୍ ସହିତ ଲଢ଼ିବା ପାଇଁ ଆବଶ୍ୟକ ହେଉଥିବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ତିଆରି କରିବ,’’ କମ୍ପାନୀ ଏକ ବିବୃତ୍ତିରେ କହିଛି ।

ହସପିିଟାଲର ଏକ ବେଡ୍
ବର୍ତ୍ତମାନର ସଙ୍କଟମୟ ପରିସ୍ଥିତିରେ ଆବଶ୍ୟକ ଜୀବିକା ନିର୍ବାହ ପାଇଁ ଏନଜିଓମାନଙ୍କ ସହ ସହଭାଗିତାରେ ଦେଶର ବିଭିନ୍ନ ସହରରେ ଲୋକଙ୍କୁ ମାଗଣା ଭୋଜନ ଯୋଗାଇଦେବାକୁ ମଧ୍ୟ ରିଲାଏନ୍ସ ଫାଉଣ୍ଡେସନ ପ୍ରତିଶୃତି ଦେଇଛି । RIL ସରକାରଙ୍କୁ ସାହାଯ୍ୟ ବି କରୁଛି ଓ କରୋନା ଭୂତାଣୁର ପ୍ରଭାବଶାଳୀ ପରୀକ୍ଷଣ ଦିଗରେ ବି କାମ କରୁଛି ।
‘‘ମହାରାଷ୍ଟ୍ରର ଲୋଡିଭାଲିରେ ରିଲାଏନ୍ସ୍ ଏକ ସମ୍ପୂର୍ଣ୍ଣ ସଜ୍ଜିତ ବିଚ୍ଛିନ୍ନତା ସୁବିଧା (isolation facility) ନିର୍ମାଣ କରି ଏହାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଦେଇଛି,’’ କମ୍ପାନୀ ସେହି ବିବୃତିରେ କହିଛି ।
ରିଲାଏନ୍ସ ଲାଇଫ ସାଇନ୍ସ ପ୍ରଭାବଶାଳୀ ପରୀକ୍ଷଣ ପାଇଁ ଅତିରିକ୍ତ ପରୀକ୍ଷା କିଟ୍ ଓ ଉପଯୋଗୀ ସାମଗ୍ରୀ ଆମଦାନୀ କରୁଛି ବୋଲି କମ୍ପାନୀ ଜଣେଇଛି । ଏହି ମାରାତ୍ମକ ଭୂତାଣୁର ଉପଚାର ଖୋଜିବା ପାଇଁ ଆମର ଡାକ୍ତର ଓ ଗବେଷକମାନେ ମଧ୍ୟ ଦିନରାତି କାର୍ଯ୍ୟ କରୁଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।