ରିଲାଏନ୍ସ MyJio ଆପରେ ଏବେ ନିଜେ ଜାଣନ୍ତୁ ନିଜର କରୋନା ଭାଇରସ୍ ସଂକ୍ରମଣ ବିଷୟରେ

ରିଲାଏନ୍ସ MyJio ଆପରେ ନିଜ ସ୍ୱାସ୍ଥ୍ୟ ବିଷୟରେ କେତେକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ଆପଣ ନିଜର କରୋନା ଭାଇରସ ସଂକ୍ରମଣ ବା ସମ୍ଭାବନା ବିଷୟରେ ଜାଣିପାରିବେ । ଏହି ଆପ୍ ସମସ୍ତଙ୍କ ପାଇଁ ଉପଲବ୍ଧ ।

ରିଲାଏନ୍ସ ଜିଓ ଆପର କେତେକ ପୃଷ୍ଠାର ଛବି

ରିଲାଏନ୍ସ ଜିଓ ଆପର କେତେକ ପୃଷ୍ଠାର ଛବି

  • Share this:
News18 Odia Digital

ମୁମ୍ବାଇ: ଯେହେତୁ କରୋନା ଭାଇରସ୍ ବା COVID-୧୯ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି, ଲୋକଙ୍କ ମଧ୍ୟରେ ଆଶଙ୍କା ରହୁଛି ଯେ ସେମାନଙ୍କ ଦେହରେ ଏହି ଭାଇରସ୍ ସଂକ୍ରମଣ ଅଛି କି ନାହିଁ । ବିଶ୍ୱ ସାରା ଡାକ୍ତରଖାନାଗୁଡ଼ିକରେ ଭୀଷଣ ଭିଡ଼, ଆଉ ପରୀକ୍ଷଣ କିଟ୍ ସମସ୍ତଙ୍କ ପାଇଁ ଉପଲବ୍ଧ ହେଉ ନାହିଁ । ଏହି ସଙ୍କଟ ସମୟରେ ସାହାଯ୍ୟ କରିବାକୁ ରିଲାଏନ୍ସ ଜିଓ ତା’ର MyJio ଆପରେ ଏକ ନୂତନ କରୋନା ଭାଇରସ୍ ସମ୍ବନ୍ଧୀୟ ବୈଶିଷ୍ଟ୍ୟ (feature) ଯୋଡ଼ିଛି । ଏଥିରେ ଭାରତର ସବୁ ଉପଭୋକ୍ତାମାନଙ୍କ ପାଇଁ ନୂଆ କରୋନା ଭାଇରସ୍ ପରୀକ୍ଷଣ ଉପକରଣ ଉପଲବ୍ଧ ଅଛି ।

ଏହି ଆପରେ ଘରୁ କିପରି କାର୍ଯ୍ୟ କରିବେ ଓ ଘରେ ରହି କେମିତି ବିଭିନ୍ନ କଥା ଶିଖି ପାରିବେ ଓ ଡିଜିଟାଲ୍ ଉପକରଣ ମାଧ୍ୟମରେ ଘରେ ରହି କିପରି ଡାକ୍ତରୀ ପରାମର୍ଶ ପାଇପାରିବେ ସେ ବିଷୟରେ ବି ତଥ୍ୟ ଅଛି । ତା’ଛଡ଼ା ଭାରତର ସବୁ ରାଜ୍ୟରେ କରୋନା ଭାଇରସ୍‌ ପରୀକ୍ଷା କେନ୍ଦ୍ରର ତାଲିକା ସହିତ  ସାରା ବିଶ୍ୱରେ ଓ ଭାରତରେ କରୋନା ଭାଇରସ କେଉଁଠି କେତେ ବ୍ୟାପିଛି ତା’ର ଅପଡେଟେଡ୍‌ ତାଲିକା ମଧ୍ୟ ଅଛି ।

COVID-୧୯ର ବିସ୍ତାର ବିଷୟରେ ଲୋକଙ୍କ ସାଧାରଣ ପ୍ରଶ୍ନର ଉତ୍ତର ଓ ସମସ୍ତ ଅଞ୍ଚଳ ପାଇଁ ହେଲ୍ପଲାଇନ ବିବରଣୀ ମଧ୍ୟ ଏହି ଆପରେ ସ୍ଥାନ ପାଇଛି । ସବୁ ଠୁ ବଡ଼ କଥା ହେଉଛି ଏହା ଯେ MyJio Coronavirus Symptoms ଉପକରଣ ଓ ତା’ର ଫିଚର୍‌ସ୍‌ ସମସ୍ତଙ୍କ ପାଇଁ ଉପଲବ୍ଧ । ବାସ୍ତବରେ ଆପଣ ଯେଉଁଠି ଥିଲେ ବି ଏହାକୁ ବ୍ୟବହାର କରିପାରିବେ ।

ଏହି ଆପର ଲକ୍ଷଣ ଯାଞ୍ଚ କରୁଥିବା ଟୁଲ୍‌ (ଉପକରଣ) ବୋଧହୁଏ ସବୁ ଠୁ ସମୟାନୁବର୍ତ୍ତୀ ଉପକରଣ ଯାହା ବର୍ତ୍ତମାନ ସମସ୍ତଙ୍କୁ ଦରକାର । ଏହି ପରୀକ୍ଷା ଆରମ୍ଭ କରିବାକୁ ଆପଣଙ୍କୁ ଜଣେଇବାକୁ ହେବ କାହାର ପରୀକ୍ଷା ହେଉଛି – ଆପଣଙ୍କର ନା ପିତାମାତାଙ୍କର, ସ୍ତ୍ରୀଙ୍କର, ପିଲା ବା ଏପରିକି ବନ୍ଧୁଙ୍କର । ପ୍ରଥମ ସେଟ୍ ପ୍ରଶ୍ନର ଉତ୍ତରରେ ଲିଙ୍ଗ, ବୟସ, ଏବଂ ବର୍ତ୍ତମାନର ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ତାଲିକା ଯଥା ଆଜ୍‌ମା, କ୍ରନିକ୍ ଫୁସଫୁସ ରୋଗ, ମଧୁମେହ, ହୃଦ ରୋଗ ଆଦି ହଁ ବା ନାଁରେ ଦେବାକୁ ହେବ । ଏହି ପରୀକ୍ଷା ଦେଉଥିବା ବ୍ୟକ୍ତି ଗର୍ଭବତୀ ଅଛନ୍ତି କି ବୋଲି ବି କହିବାକୁ ହେବ ।

ତା’ପରେ ଗତ ୧୪ ଦିନ ତଳେ ଚୀନ୍, ଇଟାଲୀ, ସ୍ପେନ୍, ଇରାନ କିମ୍ବା କେତେକ ୟୁରୋପୀୟ ଦେଶ ଆଦିକୁ ଆପଣଙ୍କର ଯାତ୍ରା ଉପରେ କେତେକ ପ୍ରଶ୍ନ ମିଳିବ । କରୋନା ଭାଇରସ୍ ଲକ୍ଷଣ ଯାଞ୍ଚକାରୀ ଟୁଲ୍‌ ତା’ପରେ ଆପଣଙ୍କୁ ପଚାରିବ ଆପଣ ନିଜେ ବା ଆପଣଙ୍କ ପରିବାରର କେହି ବି ଗତ ୧୪ ଦିନ ମଧ୍ୟରେ ଥଣ୍ଡା, କାଶ, ଜ୍ୱର କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଛନ୍ତି କି ବୋଲି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ଅଂଶୀଦାର ହୋଇଥିବା MyJio ଆପରେ ପରୀକ୍ଷା କେନ୍ଦ୍ରଗୁଡ଼ିକର ତାଲିକା ମଧ୍ୟ ଅଛି ଏବଂ ଏହା ଭାରତର ସମସ୍ତ ରାଜ୍ୟ ଓ ଅଞ୍ଚଳ ପାଇଁ ଉପଲବ୍ଧ । ପରୀକ୍ଷା କେନ୍ଦ୍ରର ତାଲିକା ଅପଡେଟ୍‌ ହେବାରେ ଲାଗିଛି ଏବଂ ପ୍ରତ୍ୟେକ ରାଜ୍ୟ କିମ୍ବା ଅଞ୍ଚଳ ପାଇଁ କିଛି ପରିବର୍ତ୍ତନ ହେଲେ ତାହା ତାଲିକାରେ ପ୍ରତିଫଳିତ ହେବ ।

MyJio ଆପ୍ ଆପଣଙ୍କ ଆଣ୍ଡ୍ରଏଡ୍ ଫୋନ୍ କିମ୍ବା ଆପଲ୍ ଆଇଫୋନରେ କାମ କରିବ । ଯଦି ଆପଣ ଏହି ଆପର ଅପଡେଟେଡ ସଂସ୍କରଣ ଚଳାଉଛନ୍ତି ତେବେ ଆପଣଙ୍କୁ କିଛି କରିବାର ଆବଶ୍ୟକତା ନାହିଁ । ଯଦି ଏହା ଆପଣଙ୍କ ଫୋନରେ ଦେଖାଯାଉ ନାହିଁ, ତେବେ ଆପଣ ଗୁଗୁଲ୍ ପ୍ଲେ ଷ୍ଟୋର୍ (ଆଣ୍ଡ୍ରଏଡ୍ ଫୋନ୍) କିମ୍ବା ଆପଲ୍ ଆପ୍ ଷ୍ଟୋର୍ (ଆପଲ୍ ଆଇଫୋନ୍ ପାଇଁ) ରୁ MyJio ଆପ୍‌ ଡାଉନଲୋଡ୍‌ କରିପାରିବେ ।
Published by:Anand Shankar Thankur Das
First published: