News18 Odia Digital
ମୁମ୍ବାଇ: ସବୁ ଜିଓ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ରିଲାଏନ୍ସ ଜିଓ (Reliance Jio) ଏକ ନୂଆ ‘‘୧୦X ଲାଭ’’ ପଦକ୍ଷେପ ଘୋଷଣା କରିଛି । ଏହା ମାଧ୍ୟମରେ ପ୍ରତି ଜିଓ ଫୋନ୍ ଉପଭୋକ୍ତାଙ୍କୁ ଏପ୍ରିଲ୍ ୧୭ ପର୍ଯ୍ୟନ୍ତ ଦେଶର ଯେ କୌଣସି ସ୍ଥାନରୁ ୧୦୦ ମିନିଟ୍ ମାଗଣା ଫୋନ୍ କଲ୍ ପ୍ରଦାନ କରାଯିବା ସହିତ ୧୦୦ଟି ମାଗଣା ଏସ୍.ଏମ୍.ଏସ୍. (SMS) ପଠେଇବାର ସୁବିଧା ଦିଆଯାଉଛି । ଏହି ସୌଜନ୍ୟ ପ୍ୟାକ୍ ଭାରତର କରୋନା ଭାଇରସ୍ ପାଇଁ ଦେଶବ୍ୟାପୀ ଲାଗିଥିବା ଲକଡାଉନ୍ ଅବଧିକୁ ପୂରା କରୁଛି ।
କମ୍ପାନୀର ଏହି ପଦକ୍ଷେପ ଯୋଗୁଁ ଲକଡାଉନ୍ ପରେ ଜିଓ ଫୋନ୍ ଉପଭୋକ୍ତାଙ୍କୁ ରିଚାର୍ଜ କରିବାରେ ହେଉଥିବା ଅସୁବିଧାରୁ ମୁକ୍ତି ମିଳିବ । ଦେଶର ଦ୍ୱିତୀୟ ପର୍ଯ୍ୟାୟର ସହର ଓ ତା’ ବାହାରେ ଥିବା JioPhone ବ୍ୟବହାରକାରୀମାନେ ସାଧାରଣତଃ ଅଫଲାଇନ୍, ମାନେ ଖୁଚୁରା ଦୋକାନରୁ, ରିଚାର୍ଜ କରନ୍ତି । ଲକଡାଉନ୍ ଯୋଗୁଁ ସେମାନଙ୍କୁ ରିଚାର୍ଜ ପ୍ୟାକ୍ କିଣିବାରେ ଅସୁବିଧା ହେଉଥିଲା ।
ରିଲାଏନ୍ସ ଜିଓ ଆହୁରି ଏକ ଆକର୍ଷକ ଘୋଷଣା ମଧ୍ୟ କରିଛି । ଜିଓ ଫୋନର ଉପଭୋକ୍ତାମାନଙ୍କ ଫୋନରେ ଥିବା ପ୍ରିପେଡ୍ ପ୍ୟାକ୍ ସରିଯାଇଥିଲେ ମଧ୍ୟ ସବୁ ଉପଭୋକ୍ତାଙ୍କ ପାଇଁ ନେଟୱାର୍କରେ ଆସୁଥିବା ସମସ୍ତ ଇନକମିଂ କଲ୍ ଅତି କମରେ ଏପ୍ରିଲ୍ ୧୭ ତାରିଖ ପର୍ଯ୍ୟନ୍ତ ବୈଧ ରହିବ । ଏହା ଦ୍ୱାରା ଜିଓ ନିଶ୍ଚିତ କରିବାକୁ ଚାହୁଁଛି ଯେ JioPhone ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଉପଭୋକ୍ତା ପୂରା ଲକଡାଉନ୍ ସମୟରେ ସେମାନଙ୍କ ଫୋନ୍ ଚାଲୁ ରଖିପାରିବେ ଓ ବନ୍ଧୁ ତଥା ପରିବାର ସହିତ ଯୋଗାଯୋଗ ଜାରି ରଖିବାରେ ସକ୍ଷମ ହେବେ ଓ ସ୍ୱାସ୍ଥ୍ୟ ସେବାରେ ଆବଶ୍ୟକ ସ୍ଥଳେ ସହାୟତା ମଧ୍ୟ ପାଇପାରିବେ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ
ଏହି ନୂଆ ଅଫର୍ ଘୋଷଣା କରିବା ସହିତ ରିଲାଏନ୍ସ ଜିଓ ବଭିନ୍ନ ଅନଲାଇନ୍ ରିଚାର୍ଜ ପ୍ରଣାଳୀ ବିଷୟରେ ମଧ୍ୟ କହିଛି । ଉପଭୋକ୍ତାମାନେ ଲକଡାଉନ୍ ସମୟରେ ସେମାନଙ୍କ ନମ୍ବରକୁ ରିଚାର୍ଜ କରିବା ପାଇଁ ଏହି ଉପାୟ ବ୍ୟବହାର କରିପାରିବେ ।
ରିଲାଏନ୍ସ ଜିଓ ବ୍ୟବହାରକାରୀମାନେ ବର୍ତ୍ତମାନ MyJio ଆପ୍ ଓ Jio.com ରେ ରିଚାର୍ଜ ପ୍ୟାକ୍ କିଣିପାରିବେ । ତା’ ଛଡ଼ା ଗୁଗୁଲ୍ ପେ, ଫୋନ୍ ପେ, ପେଟିଏମ୍, ଆମାଜନ ପେ, ମୋବିକୱିକ୍, ଫ୍ରିଚାର୍ଜ କିମ୍ବା ଯେ କୌଣସି UPI ମର୍ଚାଣ୍ଟ୍ ମାଧ୍ୟମରେ ମଧ୍ୟ କିଣିପାରିବେ । ଡେବିଟ୍ ବା କ୍ରେଡିଟ୍ କାର୍ଡ ଓ ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ମଧ୍ୟ ଜିଓ ଫୋନକୁ ରିଚାର୍ଜ କରାଯାଇପାରିବ । ଆକ୍ସିସ୍ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଏସ୍.ଏମ୍.ଏସ୍. ବ୍ୟାଙ୍କିଙ୍ଗ ବି ଉପଲବ୍ଧ ଅଛି ।
ଆକ୍ସିସ୍ ବ୍ୟାଙ୍କ ଗ୍ରାହକମାନଙ୍କୁ MOBILE (ସ୍ପେସ୍) ୧୦ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବର (ସ୍ପେସ୍) JIO (ସ୍ପେସ୍) ରିଚାର୍ଜ୍ ରାଶି (ସ୍ପେସ୍) ଓ ନିଜ ବ୍ୟାଙ୍କ ଖାତାର ଶେଷ ଛଅ ଅଙ୍କ ଟାଇପ୍ କରିବାକୁ ପଡିବ । ତା’ପରେ ଏହି SMSକୁ +91-9717000002 କିମ୍ବା 5676782 କୁ ପଠାଇବାକୁ ପଡ଼ିବ ।
ICICI ବ୍ୟାଙ୍କର ଗ୍ରାହକମାନଙ୍କୁ MTOPUP (ସ୍ପେସ୍) ୧୦ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବର (ସ୍ପେସ୍) JIO (ସ୍ପେସ୍) ରିଚାର୍ଜ୍ ରାଶି (ସ୍ପେସ୍) ନିଜ ବ୍ୟାଙ୍କ ଖାତାର ଶେଷ ଛଅ ଅଙ୍କ ଟାଇପ୍ କରିବାକୁ ପଡ଼ିବ ଓ + 91-9222208888 କୁ ପଠାଇବାକୁ ପଡ଼ିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।