News18 Odia Digital
ମୁମ୍ବାଇ: ଭାରତର ପ୍ରଥମ କରୋନା ଭାଇରସ୍ ହସପିଟାଲ୍ ପ୍ରସ୍ତୁତ କରିବା ପରେ ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପ୍ରଧାନ ମନ୍ତ୍ରୀଙ୍କ କୋଭିଡ-୧୯ ପାଣ୍ଠିକୁ ୫୦୦ କୋଟି ଟଙ୍କା ଦାନ ଦେଇଛନ୍ତି ।
ପ୍ରଧାନ ମନ୍ତ୍ରୀଙ୍କ ପାଣ୍ଠିକୁ ଏହି ଆର୍ଥିକ ଅବଦାନ ବ୍ୟତୀତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କରୋନା ଭାଇରସ୍ ବିରୋଧରେ ଲଢ଼େଇ ପାଇଁ ମହାରାଷ୍ଟ୍ର ଓ ଗୁଜୁରାଟ ସରକାରଙ୍କୁ ୫ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିଛି ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି ।
‘‘କରୋନା ଭାଇରସ୍ ସଂକ୍ରମଣ ବିରୁଦ୍ଧରେ ଦେଶରେ ଚାଲିଥିବା ଲଢ଼େଇ ପାଇଁ ପ୍ରଧାନ ମନ୍ତ୍ରୀଙ୍କ ଆହ୍ୱାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍.ଆଇ.ଏଲ୍.) ଆଜି ପି.ଏମ୍.କେଆରସ୍ (PM CARES) ପାଣ୍ଠିକୁ ୫୦୦ କୋଟି ଟଙ୍କା ଦାନ ଘୋଷଣା କରିଛି,’’ ବିବୃତିରେ କୁହାଯାଇଛି ।
ଏହି ମହାମାରୀ ବିରୋଧରେ ଚାଲିଥିବା ଦେଶବ୍ୟାପୀ ସଂଗ୍ରାମରେ ସହାୟତା କରିବା ପାଇଁ କମ୍ପାନୀ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ଘୋଷଣା କରିଛି ।
‘‘ଆମେ ନିଶ୍ଚିତ ଯେ ଭାରତ ଶୀଘ୍ର କରୋନା ଭାଇରସ୍ ସଙ୍କଟକୁ ପରାସ୍ତ କରିବ । ସମଗ୍ର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପରିବାର ଏହି ସଙ୍କଟ ସମୟରେ ଦେଶ ସହ ଅଛି ଓ କୋଭିଡ-୧୯ ବିରୋଧରେ ଏହି ଯୁଦ୍ଧ ଜିତିବା ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ ଅଛି,’’ ରିଲାଏନ୍ସ୍ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ଓ ଅଧ୍ୟକ୍ଷା ନୀତା ଅମ୍ବାନୀ
ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ଓ ଅଧ୍ୟକ୍ଷା ନୀତା ଅମ୍ବାନୀ କହିଛନ୍ତି: ‘‘କୋଭିଡ-୧୯ ମହାମାରୀର ମୁକାବିଲା କରିବା ପାଇଁ ଦେଶ ଏକତ୍ରିତ ହୋଇଛି, ଆଉ ରିଲାଏନ୍ସ ଫାଉଣ୍ଡେସନରେ ଆମେ ସମସ୍ତେ ଆମ ଦେଶବାସୀଙ୍କ ସହ ଏକଜୁଟ ହୋଇ ଠିଆ ହୋଇଛୁ । ଆମର ଡାକ୍ତର ଓ କର୍ମଚାରୀମାନେ ଭାରତର ପ୍ରଥମ କୋଭିଡ-୧୯ ହସ୍ପିଟାଲ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଛନ୍ତି ଓ କୋଭିଡ-୧୯ର ସମ୍ପୂର୍ଣ୍ଣ ସ୍କ୍ରିନିଂ, ପରୀକ୍ଷା, ପ୍ରତିରୋଧ ଓ ଚିକିତ୍ସାରେ ସରକାରଙ୍କୁ ସହାୟତା କରିବାକୁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ।’’
ଦିନ ମଜୁରିଆ ସମୁଦାୟକୁ ଏହି ସମୟରେ ସାହାଯ୍ୟ କରିବାର ବଡ଼ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ‘‘ଆମର ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସାରା ଦେଶରେ ପ୍ରତି ଦିନ ଲକ୍ଷ ଲକ୍ଷ ଲୋକଙ୍କୁ ଖାଇବାକୁ ଦେବାର ଲକ୍ଷ୍ୟ ରଖିଛୁ,’’ ସେ କହିଛନ୍ତି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହା ପୂର୍ବରୁ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଏକ ଉତ୍ସର୍ଗୀକୃତ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଖୋଲିଥିବା ଘୋଷଣା କରିଥିଲା । ଆଗାମୀ ଦଶ ଦିନ ମଧ୍ୟରେ ଆର୍ଥିକ ଅଭାବରେ ପଡ଼ିଥିବା ଲୋକଙ୍କୁ ମୋଟ ପାଞ୍ଚ ଲକ୍ଷ ଭୋଜନ ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଏହି ସଂଗଠନ ଫ୍ରଣ୍ଟଲାଇନରେ କାମ କରୁଥିବା ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ପ୍ରତି ଦିନ ଏକ ଲକ୍ଷ ମାସ୍କ ମଧ୍ୟ ଯୋଗାଉଛି ।
ଏହାର ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ଅଛି ଡାକ୍ତରୀ ଓ ଜରୁରୀକାଳୀନ ପ୍ରତିକ୍ରିୟା ଯାନକୁ ମାଗଣା ଇନ୍ଧନ, କମ୍ୟୁନିକେସନରେ ସୁବିଧା ପାଇଁ ରିଲାଏନ୍ସ ଜିଓର ଅନେକ ଯୋଜନା, ଓ ରିଲାଏନ୍ସ ଫ୍ରେସ୍ ରିଟେଲ୍ ଚେନ୍ ମାଧ୍ୟମରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର କ୍ରମାଗତ ଯୋଗାଣ ।
ବର୍ତ୍ତମାନ ଚାଲୁ ଥିବା ସ୍ୱାସ୍ଥ୍ୟ ସେବା ଅବସ୍ଥାକୁ ଅନୁଧ୍ୟାନ କରିବା ଓ ସେହି ଅନୁସାରେ ନିଜ ଅବଦାନର ମୂଲ୍ୟାଙ୍କନ କରିବା କମ୍ପାନୀ ଓ ସଙ୍ଗଠନ ଜାରି ରଖିବେ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।