ବାହାର ରାଜ୍ୟରୁ ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକଙ୍କ ଲାଗି ଆରମ୍ଭ ହେଲା ପଞ୍ଜିକରଣ ପ୍ରକ୍ରିୟା

ଓଡ଼ିଶା ବାହାରୁ ଫେରିବା ପରେ ନିଜ ପଞ୍ଚାୟତରେ କ୍ୱାରେଣ୍ଟଇନ ସେଣ୍ଟରରେ ରହିବେ ପ୍ରବାସୀ ଓଡ଼ିଆମାନେ । ଫେରିବା ପରେ ୨,୦୦୦ ଟଙ୍କା ଇନସେଣ୍ଟିଭ ଦେବେ ସରକାର । ଓଡ଼ିଶା ବାହାରେ ପାଖାପାଖି ସାଢ଼େ ସାତ ଲକ୍ଷ ଲୋକ ଅଛନ୍ତି । ସେଥିରୁ ପାଞ୍ଚ ଲକ୍ଷ ଫେରିବେ ବୋଲି ସରକାର ଲକ୍ଷ ରଖିଛନ୍ତି ।

ବାହାର ରାଜ୍ୟରୁ ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକଙ୍କ ଲାଗି ଆରମ୍ଭ ହେଲା ପଞ୍ଜିକରଣ ପ୍ରକ୍ରିୟା
ସମ୍ବାଦଦାତା ସମ୍ମିଳନୀରେ କହୁଛନ୍ତି ସୁବ୍ରତୋ ବାଗଚି ।
  • News18 Odia
  • Last Updated: April 24, 2020, 6:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ ପରେ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆଙ୍କ ଲାଗି ଆଜି ଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡିଶା ଫେରିବାକୁ ଚାହୁଁଥିବା ଓଡ଼ିଆ ବ୍ୟକ୍ତି ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ପଞ୍ଜିକରଣ କରିପାରିବେ ।

ଏହି ପୋର୍ଟାଲ୍‌ covid19.odisha.gov.in ରେ ନିଜେ ବାହାରେ ରହୁଥିବା ବ୍ୟକ୍ତି କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ତାଙ୍କ ପାଇଁ ପଞ୍ଜିକରଣ କରିପାରିବେ । ଏହି ସାଇଟକୁ ଯାଇ ସର୍ତ୍ତାବଳୀ ଓ ଚୁକ୍ତିନାମା ପୂରଣ କରିବାକୁ ପଡିବ। ସମସ୍ତ ତଥ୍ୟ ଦେବା ପରେ ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବରରେ ଏକ ଓଟିପି ସହ ପଞ୍ଜିକରଣ ପ୍ରକ୍ରିୟା, ଫେରିବା ଓ କ୍ୱାରେଣ୍ଟଇନରେ ରହିବା ଭଳି ସମସ୍ତ ତଥ୍ୟ ମିଳିପାରିବ ।

ପଞ୍ଚାୟତ ଅଫିସରେ ମିଳୁଥିବା ଫର୍ମ ପୂରଣ କରି ବାହାର ରାଜ୍ୟରେ ରହୁଥିବା ବ୍ୟକ୍ତିଙ୍କ ପରିବାରର କୌଣସି ସଦସ୍ୟ ମଧ୍ୟ ପଞ୍ଜିକରଣ କରାଇପାରିବେ। ସମସ୍ତ ତଥ୍ୟ ନିର୍ଭୁଲ ଦେବାକୁ କୁହାଯାଇଛି ଯାହା ଦ୍ୱାରା ସରକାରଙ୍କୁ ଯୋଗାଯୋଗ କରିବାରେ ସହଜ ହେବ ବୋଲି କୁହାଯାଇଛି । ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ତାଙ୍କ ଟ୍ୱିଟର ପେଜ ରେ ସୂଚନା ଦେଇଛନ୍ତି ।

ପୂର୍ବରୁ ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ ସିଂ କହିଛନ୍ତି: ‘‘ଯେଉଁମାନେ ପଞ୍ଜିକରଣ ନ କରିବେ ସେମାନଙ୍କୁ ପଞ୍ଚାୟତରେ ପୂରାଇ ଦିଆଯିବନି । ଏ ନେଇ ସରପଞ୍ଚଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି । ତେଣୁ ସମସ୍ତ ପ୍ରକ୍ରିୟା ଯାଞ୍ଚ କରିବା ପାଇଁ ପଞ୍ଚାୟତ ସ୍ତରରେ ପାଞ୍ଚ ଜଣିଆ ଟିମ ଗଠନ କରାଯାଇଛି ।’’

କୋଣାର୍କରେ ଏକ କ୍ୱାରାଣ୍ଟାଇନ୍ କେନ୍ଦ୍ର


ରାଜ୍ୟ ବାହାରୁ ଫେରିବା ପରେ ନିଜ ପଞ୍ଚାୟତରେ ସରକାରୀ କ୍ୱାରେଣ୍ଟଇନ ସେଣ୍ଟରରେ ରହିବା ସହ ସରକାରଙ୍କ ପକ୍ଷରୁ ଖାଦ୍ୟ ଓ ପାନୀୟ ଯୋଗାଇଦିଆଯିବ। ଆବଶ୍ୟକୀୟ ସ୍ଵାସ୍ଥ୍ୟବସ୍ତା ଯାଞ୍ଚ ସହ ଫେରିବା ପରେ ଦୁଇ ହଜାର ଟଙ୍କା ଇନସେଣ୍ଟିଭ ଦେବେ ସରକାର । ବାହାର ରାଜ୍ୟରେ ପ୍ରାୟ ସାଢ଼େ ସାତ ଲକ୍ଷ ଲୋକ ରହୁଥିବା ବେଳେ ପାଞ୍ଚ ଲକ୍ଷ ଫେରିବା ନେଇ ସରକାର ଲକ୍ଷ ରଖିଛନ୍ତି । ତେଣୁ ଏଥିରେ ସମସ୍ତେ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି ।

ଲକଡାଉନ ଫଳରେ ରାଜ୍ୟ ବାହାରେ ଫସିରହିଥିବା ଓଡ଼ିଆଙ୍କୁ ସହାୟତା ଲାଗି ସ୍ଥାନୀୟ ସରକାରଙ୍କ ସହ ଆଲୋଚନା ଓ ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ଅନେକ ଲୋକ ସହାୟତରୁ ବଞ୍ଚିତ ହୋଇଛନ୍ତି । ତେଣୁ ଲକଡାଉନ ପରେ କେନ୍ଦ୍ର ସରକାର ଓ ସ୍ଥାନୀୟ ସରକାରଙ୍କ ସହ ଯୋଗାଯୋଗ କରି ଓଡିଶା ଫେରାଇଆଣିବାକୁ ବ୍ୟବସ୍ଥା କରିଛନ୍ତି ସରକାର । ଅଧିକ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ସରକାର ଏଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଆଜି ରାଜ୍ୟରେ ପୁଣି ପାଞ୍ଚ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକର ଏହି ପାଞ୍ଚ ଜଣ ଆକ୍ରାନ୍ତ ପଶ୍ଚିମ ବଙ୍ଗ ଫେରନ୍ତା । ହଟସ୍ପଟ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହୋଇଥିବା ବେଳେ ରାଜ୍ୟରେ ସଂଖ୍ୟା ବଢ଼ି ୯୪ ହୋଇଛି ।

ଭଦ୍ରକର ଏହି ନୂଆ କରୋନା ଆକ୍ରାନ୍ତଙ୍କ କନଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନୂଆ ପଜିଟିଭ ପରେ ଭଦ୍ରକରେ ଦୁଇ ନୂଆ ସ୍ଥାନ ଯୋଡି ହୋଇଛି।ଆଜି ସକାଳେ ବାସୁଦେବପୁର ଅଂଚଳର ଜଣେ ଚିହ୍ନଟ ହୋଇଥିବା ବେଳେ କେବଳ ବାସୁଦେବପୁର ଆକ୍ରାନ୍ତଙ୍କ ସଂଖ୍ୟା ସାତ ହୋଇଛି । ରାଜ୍ୟରେ ମୋଟ୍ ୯୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୬୦ ।

ରାଜ୍ୟ ସରକାରଙ୍କ କରୋନା ମୁକାବିଲା ସମିତିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି ୧୨ ତାରିଖ ଓ ୨୪ ତାରିଖର ତଥ୍ୟ ଦେଖିଲେ କମ୍‌ ବୟସ୍କ ଓ ବୟୋଜ୍ୟୋଷ୍ଠ ବ୍ୟକ୍ତି ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି।

ଏବେ ପାଖାପାଖି ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ୩୩ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୫,୪୭୬ଟି ବେଡ଼ ପ୍ରସ୍ତୁତ ହୋଇଛି ।
First published: April 24, 2020, 6:58 PM IST
corona virus btn
corona virus btn
Loading