News18 Odia Digital
ନୂଆ ଦିଲ୍ଲୀ: ମାର୍ଚ୍ଚ ୨୫ରେ ଦେଶବ୍ୟାପୀ ଲକଡାଉନ୍ ଆରମ୍ଭ ହେବା ପରେ ଦ୍ୱିତୀୟ ଥର ପାଇଁ ଗଣମାଧ୍ୟମକୁ ସମ୍ବୋଧିତ କରି ରିଜର୍ଭ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଘୋଷଣା କରିଛନ୍ତି ଯେ ରିଭର୍ସ ରେପୋ ରେଟକୁ ୨୫ ଆଧାର ପଏଣ୍ଟ ହ୍ରାସ କରି ପୂର୍ବର ୪ ପ୍ରତିଶତରୁ ବର୍ତ୍ତମାନ ୩.୭୫ ପ୍ରତିଶତକୁ ହ୍ରାସ କରାଯାଇଛି । ଦେଶର ଅର୍ଥନୀତି ଏବେ ଯଦିଓ ୟୁରୋପ ଓ ଆମେରିକା ତୁଳନାରେ ବହୁତ ଭଲ ଅଛି, ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି ।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲକଡାଉନକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପରେ ଏହା ଶକ୍ତିକାନ୍ତ ଦାସଙ୍କର ପ୍ରଥମ ପ୍ରେସ୍ କନଫେରେନ୍ସ ଥିଲା । ‘‘କରୋନା ଭାଇରସ୍ କାରଣରୁ ଦେଶରେ କ୍ଷୟକ୍ଷତିକୁ କମ୍ କରିବା ହେଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ। ମୁଁ ଆରବିଆଇର ସଂକଳ୍ପ ଓ ଭବିଷ୍ୟତ ପାଇଁ ରାସ୍ତା ବିଷୟରେ କହିବାକୁ ଚାହୁଁଛି,’’ କହିଥିଲେ ଦାସ ।
ଦେଶର ଅର୍ଥ ବ୍ୟବସ୍ଥାରେ ନଗଦ ବୃଦ୍ଧି କରିବାକୁ ବି ସେ ଘୋଷଣା କରିଛନ୍ତି । ଦାସ କହିଛନ୍ତି ଯେ କରୋନା ଭାଇରସ୍ ଯୋଗୁଁ କିଛି ଆର୍ଥିକ ବଜାରରେ ଉତ୍ଥାନ-ପତନ ଘଟିଛି । ଅଶୋଧିତ ତୈଳର ମୂଲ୍ୟ ମଧ୍ୟ କମ୍ ହେବାରେ ଲାଗିଛି । ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ଏହି ତେଲ ଉତ୍ପାଦନକାରୀ ଦେଶମାନଙ୍ତ ସଙ୍ଗଠନ ନିଷ୍ପତ୍ତି ନେଇଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇ.ଏମ୍.ଏଫ୍.)ର ଆକଳନ ଅନୁଯାୟୀ ଭାରତରେ କରୋନା ଭୂତାଣୁ ସଙ୍କଟ ପରେ ୨୦୨୨ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୭.୪ ପ୍ରତିଶତ ହୋଇପାରେ ।
ଆର୍.ବି.ଆଇ. ଅଧ୍ୟକ୍ଷଙ୍କ ଦ୍ୱାରା କରାଯାଇଥିବା ବଡ ଘୋଷଣା:
(୧) ରିଭର୍ସ୍ ରେପୋ ହାରରେ ୦.୨୫% ହ୍ରାସଆରବିଆଇ ରିଭର୍ସ୍ ରେପୋ ହାର ହ୍ରାସ କରିଛି । ବ୍ୟାଙ୍କ ଏହାକୁ ୦.୨୫ ପ୍ରତିଶତ ହ୍ରାସ କରିଛି। ଏହି କଟ୍ ପରେ ରିଭର୍ସ ରେପୋ ହାର ୪ ପ୍ରତିଶତରୁ ୩.୭୫ ପ୍ରତିଶତକୁ ଖସି ଆସିଛି । ରେପୋ ହାରରେ କୌଣସି ପରିବର୍ତ୍ତନ ନାହିଁ । ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ବ୍ୟାଙ୍କଗୁଡିକ ଅଧିକ ଋଣ ଦେଇପାରିବେ, ତେଣୁ ରିଭର୍ସ ରେପୋ ହାର କଟାଯାଇଛି ।
(୨) ନାବାର୍ଡ, ସିଡବି ଓ ହାଉସିଂ ଫାଇନାନ୍ସ ବ୍ୟାଙ୍କକୁ ନଗଦ ମିଳିବଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଅର୍ଥନୀତିର ଅଭିବୃଦ୍ଧି ପାଇଁ ନାବାର୍ଡକୁ ୨୫ ହଜାର କୋଟି ଟଙ୍କା, ସିଡବିଆଇକୁ ୧୫ ହଜାର କୋଟି ଟଙ୍କା ଓ ହାଉସିଂ ଫାଇନାନ୍ସ ବ୍ୟାଙ୍କକୁ ୧୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ଏହା ଦ୍ୱାରା NBFCs, MSMEs ଓ ରିଅଲ୍ ଇଷ୍ଟେଟ୍ ପାଇଁ ନଗଦର ଅଭାବ ଦୂର ହେବ ।
(୩) NPA ନିୟମରେ ବ୍ୟାଙ୍କମାନକୁ ଆଶ୍ୱସ୍ତିଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଏନପିଏ ନିୟମରେ ବ୍ୟାଙ୍କମାନଙ୍କୁ ୯୦ ଦିନର ରିଲିଫ ଦିଆଯାଇଛି । ଏହି ମୋରାଟରିଅମ୍ ଅବଧିରେ NPAକୁ ଗଣନା କରାଯିବ ନାହିଁ ।
(୪) ଆଜି TLTRO-2 ବିଜ୍ଞପ୍ତି ପ୍ରକାଶ ପାଇବବିଭିନ୍ନ ସରକାରୀ ଆର୍ଥିକ ସଂସ୍ଥାରେ ନଗଦ ଟଙ୍କାର ପରିମାଣ ବଢ଼େଇବା ପାଇଁ TLTRO-2 (targeted longer-term refinancing operations) ୫୦ ହଜାର କୋଟି ଟଙ୍କାରୁ ଆରମ୍ଭ ହେବ । ଆଜି TLTRO-2 ବିଜ୍ଞପ୍ତି ପ୍ରକାଶ ପାଇବ । NBFCମାନେ TLTRO ରୁ ୧୦ ହଜାର କୋଟି ପାଣ୍ଠି ପାଇବେ । TLTRO-2 ପାଣ୍ଠିର ୫୦% କ୍ଷୁଦ୍ର ଓ ମଧ୍ୟମ NBFC କୁ ଯିବ । ଆଜି ୨୫ ହଜାର କୋଟି TLTRO-2 ରିଲିଜ୍ ହେବ ।
(୫) ଜି-୨୦ ଦେଶମାନଙ୍କରେ ଭାରତର ଅଭିବୃଦ୍ଧି ସର୍ବୋତ୍ତମ‘‘ମହାମାରୀ ସମୟରେ ମାନବିକତାର ପରୀକ୍ଷା ହେଉଛି । ଆମର ଲକ୍ଷ୍ୟ କୌଣସି ପ୍ରକାରେ ମାନବିକତାକୁ ବଞ୍ଚାଇବା । ଏହି ମାସରେ ଆରବିଆଇ ବହୁତ ସକ୍ରିୟ ଅଛି । ପ୍ରାୟ ପ୍ରତି ତୃତୀୟ ଦିନ ଆରବିଆଇ କିଛି ନୂଆ ଘୋଷଣା କରୁଛି । ଆଗକୁ ମଧ୍ୟ ଏହା ଜାରି ରହିବ । ଦାସ୍ କହିଛନ୍ତି ଯେ ଆଇଏମ୍ଏଫ୍ ଆକଳନ ଅନୁଯାୟୀ ଜି-୨୦ ଦେଶମାନଙ୍କ ମଧ୍ୟରେ ଭାରତର ଅଭିବୃଦ୍ଧି ସର୍ବୋତ୍ତମ ହୋଇପାରେ ।୨୦୨୦ ବର୍ଷଟି ବିଶ୍ୱ ଅର୍ଥନୀତି ପାଇଁ ସବୁଠାରୁ ବଡ ମନ୍ଥର ବର୍ଷ ରହିବ ।
(୬) ବ୍ୟାଙ୍କମାନେ ଲାଭରୁ ଡିଭିଡେଣ୍ଡ ଦେବେ ନାହିଁଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ଡିଭିଡେଣ୍ଡ ଘୋଷଣା କରିବେ ନାହିଁ । ସେ କହିଛନ୍ତି ଯେ ବ୍ୟାଙ୍କଗୁଡିକ ଲାଭରୁ ଡିଭିଡେଣ୍ଡ ଦେବେ ନାହିଁ ।
(୭) ୯୧ ପ୍ରତିଶତ ଏଟିଏମ୍ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛି ସ୍ୱାସ୍ଥ୍ୟ କର୍ମୀ, ପୋଲିସ୍ କର୍ମଚାରୀ ଓ ଅନ୍ୟ ଫ୍ରଣ୍ଟଲାଇନ ସେବା ପ୍ରଦାନକାରୀମାନେ ଉତ୍କୃଷ୍ଟ କାର୍ଯ୍ୟ କରୁଛନ୍ତି । ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ ମଧ୍ୟ ସେମାନଙ୍କ ସେବା ଯୋଗାଇବା ପାଇଁ ବହୁତ ଭଲ କାର୍ଯ୍ୟ କରୁଛନ୍ତି । ପର୍ଯ୍ୟାପ୍ତ ପରିମାଣର ନଗଦ ବଜାୟ ରଖିବା ପାଇଁ ନୂଆ ପଦକ୍ଷେପ ନିଆଯାଇଛି । ଲକଡାଉନରେ ୧.୨୦ ଲକ୍ଷ କୋଟି ମୁଦ୍ରା ଯୋଗାଇ ଦିଆଯାଇଥିଲା । ୯୧ ପ୍ରତିଶତ ଏଟିଏମ୍ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।