ଏ ଥର ରଥ ଯାତ୍ରା ହେଲା ଡିଜିଟାଲ୍ ରଥ ଯାତ୍ରା; ହେଲେ ମୋବାଇଲ୍ ବ୍ୟବହାର ଉପରେ ଉଠିଛି ପ୍ରଶ୍ନ

ରଥ ଯାତ୍ରା ପରେ ଏବେ ପୁରୀ ସହରରେ ଜଗନ୍ନାଥଙ୍କ ବିଭିନ୍ନ ନୀତିର ଭିଡିଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହାକୁ ଜଗନ୍ନାଥ ସଂସ୍କୃତି ବିରୋଧୀ ବୋଲି କହିଛନ୍ତି ଦଇତାପତି ନିଯୋଗର ସଭାପତି ରବିନ୍ଦ୍ର ଦାଶ ମହାପାତ୍ର ।

ଏ ଥର ରଥ ଯାତ୍ରା ହେଲା ଡିଜିଟାଲ୍ ରଥ ଯାତ୍ରା; ହେଲେ ମୋବାଇଲ୍ ବ୍ୟବହାର ଉପରେ ଉଠିଛି ପ୍ରଶ୍ନ
ସେବାୟତମାନେ ନିଜ ଯଜମାନଙ୍କୁ ରଥ ଉପରେ ମହାପ୍ରଭୁଙ୍କ ନୀତି ମୋବାଇଲ ଫୋନରେ ଭିଡିଓ କଲିଂ କରି ଓ ହ୍ୱାଟସଅପରେ ଦେଖାଇଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଚଳିତ ବର୍ଷର ରଥ ଯାତ୍ରା ବିନା ଭକ୍ତରେ ଆୟୋଜିତ ହୋଇ ଅନେକ ଇତିହାସ ସୃଷ୍ଟି କରିଛି । ଭକ୍ତମାନେ ରଥ ଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଓ ଅଧରପଣା ଚର୍ମଚକ୍ଷୁରେ ନ ଦେଖିପାରିଲେ ନାହିଁ, ଟିଭି ପରଦାରେ ଦେଖି ଆତ୍ମସନ୍ତୋଷ ଲାଭ କରିଥିଲେ । ସେବାୟତମାନେ ନିଜ ନିଜର ଯାତ୍ରୀ ବା ଯଜମାନଙ୍କୁ ରଥ ଉପରେ ମହାପ୍ରଭୁଙ୍କ ନୀତି ଓ ସୁନାବେଶର ବି ଦର୍ଶନ ମୋବାଇଲ ଫୋନରେ ଭିଡିଓ କଲିଂ କରି ଓ ହ୍ୱାଟସଅପରେ କଲ କରି ଦେଖାଇଥିଲେ । ଅର୍ଥାତ୍‌ ଏ ଥର ମହାପ୍ରଭୁ ଜଗନ୍ନାଥଙ୍କର ଡିଜିଟାଲ ଦର୍ଶନ କରିଥିଲେ ଅନେକ ଭକ୍ତ ।

ଇତିହାସରେ ପ୍ରଥମ ଥର ଏମିତି ହେଲା ଯେ ଏତେ ବଡ଼ ପତିତପାବନ ଯାତ୍ରାରେ ବଡ଼ ଦାଣ୍ଡରେ ଭକ୍ତଟିଏ ବି ନ ଥିଲା । କୋବିଡ କଟକଣା ଓ ସୁପ୍ରିମ କୋର୍ଟଙ୍କ ରାୟକୁ ନେଇ ବିନା ଭକ୍ତରେ ହୋଇଥିଲା ମହାପ୍ରଭୁଙ୍କ ଘୋଷଯାତ୍ରା । ବଡ଼ ଦାଣ୍ଡରେ ଜନ ସମୁଦ୍ର ନ ଥିଲା କି ରଥ ଟଣା ବେଳେ ମାଳମାଳ ମୁଣ୍ଡ ଦେଖିବାକୁ ମିଳି ନ ଥିଲା । ସେବାୟତମାନେ ରଥ ଟାଣିନେଲେ, ଆଉ ବଡ଼ ଦାଣ୍ଡ ମହାପ୍ରଭୁଙ୍କ ସାନ୍ନିଧ୍ୟ ଗ୍ରହଣ କଲା ।

‘‘ଏ ଥର ବୋଧେ ମହାପ୍ରଭୁ ତାଙ୍କ ରଥ ଯାତ୍ରାକୁ କ୍ୱାରାଣ୍ଟାଇନ ବା ସଙ୍ଗରୋଧ ରଥ ଯାତ୍ରା କରିଦେଲେ  । କେହି ଆଖପାଖରେ ନ ଥିଲେ । ସେ ନିଜେ ବିଶ୍ୱବ୍ରହ୍ମାଣ୍ଡ କର୍ତ୍ତା । ବଡ଼ ଦାଣ୍ଡରେ ନିଜେ ରଥ ଉପରେ ବିରାଜମାନ ଥିଲେ । ଆଗରେ ପଛରେ ଖାଲି ପୋଲିସ ସାଇରନ ଓ ଜଳ ସିଞ୍ଚନର ଦୃଶ୍ୟ ଥିଲା । ସତେକି ମହାପ୍ରଭୁଙ୍କ ରଥକୁ ପାଇଲଟିଂ କରି ନେଇଯାଉଥିଲେ ପୋଲିସ ବଳ, ଆଉ ସେ ନିଜେ ସୁପ୍ରିମ ପାୱାର ବୋଲି ସାରା ବିଶ୍ୱକୁ ଜଣାଉଥିଲେ । ଏସବୁ ଦୃଶ୍ୟକୁ ଚର୍ମଚକ୍ଷୁରେ ନ ଦେଖିଲେ ବି ଟିଭି ପରଦାରେ ଦେଖି ଖୁବ୍‌ ଆତ୍ମସନ୍ତୋଷ ମିଳିଲା ଯେ ଯାହା ହେଉ ଏତେ ଝଡଝଞ୍ଜା ଓ ପୁଣି କୋର୍ଟ ମାମଲାରେ ପରେ ବି ମହାପ୍ରଭୁଙ୍କ ଚମତ୍କାର ସାରା ବିଶ୍ୱ ଦେଖିଲା,’’ କହିଛନ୍ତି ସାଧୁ ମହାରାଜ ଅଚ୍ୟୁତାନନ୍ଦ ଦାଶ ।

ଏ ବର୍ଷର ରଥ ଯାତ୍ରା ପାଲଟିଗଲା ଡିଜିଟାଲ ରଥ ଯାତ୍ରା । ଶ୍ରୀମନ୍ଦିରରେ ଓ ରଥ ସାମନାରେ ଭକ୍ତ ନ ଥିଲେ, କିନ୍ତୁ ସୁଦୁରରେ ଥାଇ ଭକ୍ତମାନେ ମହାପ୍ରଭୁଙ୍କ ରଥ ଯାତ୍ରା, ବାହୁଡା ଯାତ୍ରା, ସୁନାବେଶ ଓ ଅଧରପଣା ଆଦି ଦେଖିବା ସହ ମହାପ୍ରଭୁଙ୍କର ରଥ ଉପରେ ହେଉଥିବା ଅନେକ ନୀତିକାନ୍ତି ମଧ୍ୟ ଦେଖିଲେ । ପ୍ରତିଟି ସେବାୟତ ନିଜ ଯାତ୍ରୀ ବା ଯଜମାନଙ୍କୁ ରଥ ଉପରେ ଭିଡିଓ କଲ୍‌ କରି ନୀତି ଦେଖାଇବା ସହ ରଥଟଣା ଓ ସୁନାବେଶ ଆଦି ଦୃଶ୍ୟକୁ ଦେଖାଇଥିଲେ । ସେମାନେ ସେଠାରୁ ନିଜ କୌଳିକ ପଣ୍ଡା ବା ସେବାୟତଙ୍କୁ ଭିଡିଓ କଲ ଓ ହ୍ୱାସଟଅପ କଲ କରି ମହାପ୍ରଭୁଙ୍କ ସାନ୍ନିଧ୍ୟ ଦେଇଛନ୍ତି ।

ଏତେ ବଡ଼ ପତିତପାବନ ଯାତ୍ରାରେ ବଡ଼ ଦାଣ୍ଡରେ ଭକ୍ତଟିଏ ବି ନ ଥିଲା ।


‘‘ସୁନାବେଶରେ ପାଖାପାଖି ୧୫ ଲକ୍ଷ ଭକ୍ତଙ୍କ ଭିଡ଼ ହୁଏ । ହେଲେ ଏ ଥର ସେହି ଦିନ ଜନଶୁନ୍ୟ ଥିଲା । ଆମର ଯାତ୍ରୀମାନେ ଆସି ନ ପାରିଥିବାରୁ ମନ ଦୁଃଖ ନ କରି ମୋବାଇଲ ଫୋନରେ ମହାପ୍ରଭୁଙ୍କ ଦର୍ଶନ ଓ ଲାଇଭ ଦର୍ଶନ ଦେଖି ବେଶ ଖୁସି ଅନୁଭବ କରିଛନ୍ତି । ଚଳିତ ବର୍ଷ କରୋନାକୁ ନେଇ ହୋଇଥିବା କଟକଣା ମଧ୍ୟରେ ସେବାୟତମାନଙ୍କର ଏଭଳି ଦର୍ଶନ ଯାତ୍ରୀମାନଙ୍କୁ ଆନନ୍ଦ ଆଣିଦେଇଥିବାରୁ ସମସ୍ତେ ଏହାକୁ ସୌଭାଗ୍ୟ ମନେକରୁଛନ୍ତି,’’ କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ।

ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶ ମଧ୍ୟରେ ସ୍ୱତନ୍ତ୍ର ହେଉଛି ସୁନାବେଶ । ମହାପ୍ରଭୁଙ୍କର ବର୍ଷକରେ ପ୍ରାୟ ୩୨ଟି ବେଶ କରାଯାଉଥିବା ବେଳେ ବର୍ଷକୁ ପାଞ୍ଚ ଥର କରାଯାଇଥାଏ ସୁନାବେଶ । ଏହା ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ । ଶ୍ରୀମନ୍ଦିରର ରତ୍ନ ସିହାଂସନ ଉପରେ କାର୍ତ୍ତିକ ପୂର୍ଣ୍ଣମୀ, କୁମାର ପୂର୍ଣ୍ଣମୀ, ଦୋଳ ପୂର୍ଣ୍ଣମୀ ଓ ବିଜୟା ଦଶମୀମାନଙ୍କରେ ରାଜରାଜେଶ୍ୱର ସମୟରେ ସୁନାବେଶରେ ସଜ୍ଜିତ ହେଉଥିଲେ ମଧ୍ୟ ସର୍ବ ସମ୍ମୁଖରେ ରଥ ଯାତ୍ରାର ଅନ୍ତିମ ଦିନରେ ସୁନାବେଶ ହୋଇଥାନ୍ତି ମହାପ୍ରଭୁ । ଗବେଷକମାନଙ୍କ ମତରେ ୧୨୩୨ ମସିହାରୁ ପ୍ରଚଳିତ ହୋଇଆସୁଛି ସୁନାବେଶ । ତ୍ରୟୋଦଶ ଶତାଦ୍ଧୀରେ ଅନଙ୍ଗଭୀମ ଦେବ ଜଗନ୍ନାଥଙ୍କୁ ଉତ୍କଳ ସମ୍ରାଟ ଘୋଷଣା କରିବା ପରେ ସେବେ ଠାରୁ ସୁନାବେଶରେ ସଜ୍ଜିତ ହେଉଛନ୍ତି ଶ୍ରୀଜିଉ । ସୁନାବେଶରେ ଶ୍ରୀଜିଉମାନଙ୍କର ମାନବୀୟ ଲୀଳାର ଆଭାସ ମିଳେ । ଏହା ସହିତ ପୌରାଣିକ ତଥ୍ୟ ଅନୁଯାୟୀ ଅନଙ୍ଗଭୀମ ଦେବ ପବିତ୍ର ଆଷାଢ ଶୁକ୍ଲପକ୍ଷ ଏକାଦଶୀ ଭଳି ବିଶେଷ ତିଥିରେ ଏହି ସୁନାବେଶ କରାଇଥିବାରୁ ରଥ ଉପରେ ଠାକୁରଙ୍କର ଏହି ବେଶକୁ ବଡ଼ତଢ଼ାଉ ବେଶ ବୋଲି ମଧ୍ୟ କୁହାଯାଏ ବୋଲି କହିଛନ୍ତି  ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ।

ସୁନାବେଶରେ ପାଖାପାଖି ୧୫ ଲକ୍ଷ ଭକ୍ତଙ୍କ ଭିଡ଼ ହୁଏ । ହେଲେ ଏ ଥର ସେହି ଦିନ ଜନଶୁନ୍ୟ ଥିଲା ।


‘‘୧୬୪୦ ଖ୍ରୀଷ୍ଟାଦ୍ଧରେ କପିଳେନ୍ଦ୍ରଦେବ ଇଷ୍ଟଦେବୀ ମା’ ଜୟଦୁର୍ଗାଙ୍କ କୃପାରୁ ସମଗ୍ର ଦକ୍ଷିଣାଞ୍ଚଳ ବିଜୟ ସହ ୧୬ଟି ହାତୀରେ ଧନରତ୍ନ ଲଦି ରାଜ୍ୟକୁ ଆଣିବା ପରେ ବଡ଼ତଢ଼ାଉ ସେବକଙ୍କ ଅନୁରୋଧ କ୍ରମେ ତାହା ପ୍ରଭୁ ଜଗନ୍ନାଥଙ୍କୁ ଉତ୍ସର୍ଗ କରିଥିଲେ । ତେଣୁ କିମ୍ବଦନ୍ତୀ ଅନୁସାରେ ସେବେ ଠାରୁ ଗଜପତିଙ୍କ ଅନୁରୋଧ କ୍ରମେ ରାଜରାଜେଶ୍ୱର ବେଶ ଶ୍ରୀମନ୍ଦିର ବାହାରେ ନିଳାଦ୍ରି ବିଜେ ପୂର୍ବରୁ କରିବାର ପରମ୍ପରା ଚାଲିଆସିଛି । ମହଣ ମହଣ ସୁନାରେ ୧୩୮ ପ୍ରକାରର ଆଭୁଷଣରେ ସଜ୍ଜିତ ହୋଇ ଶ୍ରୀଜିଉମାନେ ଦର୍ଶନ ଦେଇଥାନ୍ତି ସୁନାବେଶରେ । ଭକ୍ତମାନେ ଏ ଥର ପ୍ରଶାସନ ପକ୍ଷରୁ ଆୟୋଜିତ ଟିଭିରେ ସିଧା ପ୍ରସାରଣ ଦେଖି ବେଶ ଆମୋଦିତ ହୋଇଛନ୍ତି । ସେବାୟତମାନେ ବି ନିଜ ମୋବାଇଲ ଫୋନରେ ମହାପ୍ରଭୁଙ୍କ ସୁନାବେଶ ଅପଲୋଡ଼ କରିବା ପରେ ତାହା ବେଶ୍‌ ଭାଇରାଲ ହେଉଛି,’’ କହିଛନ୍ତି  ମାଧବ ମହାପାତ୍ର ।

ରଥ ଯାତ୍ରା ପରେ ଏବେ ପୁରୀ ସହରରେ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ନୀତିର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପ୍ରସଙ୍ଗରେ ଦଇତାପତି ନିଯୋଗର ସଭାପତି ରବିନ୍ଦ୍ର ଦାଶ ମହାପାତ୍ର କହିଛନ୍ତି ଯେ ରଥ ଉପରେ ମହାପ୍ରଭୁ ବିରାଜମାନ ଥିବା ସମୟରେ ମୋବାଇଲ ଫୋନରେ ଠାକୁରଙ୍କ ସମସ୍ତ ନୀତିକୁ ଉଠାଇ ଭାଇରାଲ କରିବା ଠିକ ନୁହେଁ ।

‘‘ମହାପ୍ରଭୁଙ୍କ ସେବକ ଭାବେ ଆମେ ଗର୍ବିତ । ହେଲେ ଏଭଳି ରଥ ଉପରେ ମହାପ୍ରଭୁଙ୍କ ଶ୍ରୀବିଗ୍ରହରେ ଆଉଜିବା ଓ ସେଲଫି ନେବା, ପୁଣି ନୀତି ବେଳେ ତାକୁ ଭାଇରାଲ କରିବା ଆମ ଜଗନ୍ନାଥ ସଂସ୍କୃତି ବିରୋଧୀ । ଭକ୍ତ ନାହାନ୍ତି, ସେଥି ପାଇଁ କୋବିଡ କଟକଣାକୁ ପାଳି ଏ ଥର ହେଲା ଡିଜିଟାଲ ରଥ ଯାତ୍ରା । ତା’ ମାନେ ନୁହେଁ ମାଳ ମାଳ ମୋବାଇଲରେ ମହାପ୍ରଭୁଙ୍କ ରଥ ଉପରେ ବେଶ ହେବା ସମୟରେ ଓ ସ୍ନାନ ସମୟରେ, ପୁଣି ସୁନାବେଶ ବେଳେ ଏଭଳି କରିବା । ଏହା ନିହାତି ଏକ ଅପରାଧ । ତେଣୁ ପ୍ରଶାସନ ପକ୍ଷରୁ ମୋବାଇଲ ଉପରେ ଅଙ୍କୁଶ ଲାଗିବା ଦରକାର,’’ କହିଛନ୍ତି ଦାଶ ମହାପାତ୍ର ।
First published: July 5, 2020, 11:25 PM IST
corona virus btn
corona virus btn
Loading