ଲକଡାଉନ୍ କଟକଣା ଭିତରେ ଆରମ୍ଭ ହେଲା ରମଜାନ୍; ମୁସଲମାନ ଭାଇଭଉଣୀଙ୍କ ପୂର୍ଣ୍ଣ ସହଯୋଗ ମିଳିଛି

ରମଜାନ ମାସ ଆରମ୍ଭ ହେବା ପୂର୍ବରୁ ମସଜିଦ ଆଗରେ ଲାଗିଯାଏ ଗହଳି । ଲାଛା, ଖଜୁରୀ, ଫାଲୁଦା, କାଜୁ ଓ କିସମିସ ସାଙ୍ଗକୁ ଭଳିକି ଭଳି ଖାଦ୍ୟ ଓ ପାନୀୟ ର ଆସର ବି ଜମେ । ହେଲେ ଏଥର ସବୁଠି ଖାଁ ଖାଁ ।

ଲକଡାଉନ୍ କଟକଣା ଭିତରେ ଆରମ୍ଭ ହେଲା ରମଜାନ୍; ମୁସଲମାନ ଭାଇଭଉଣୀଙ୍କ ପୂର୍ଣ୍ଣ ସହଯୋଗ ମିଳିଛି
ଭୁବନେଶ୍ୱରର ଗୋଟିଏ ମୁସଲିମ୍ ପରିବାର ନିଜ ଘରେ ନମାଜ ପାଠ କରୁଛନ୍ତି ।
  • News18 Odia
  • Last Updated: April 25, 2020, 8:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ମୁସଲମାନ ସମ୍ପ୍ରଦାୟର ପବିତ୍ର ମାସ ରମଜାନ । ସେହରି ଖାଇକି ରୋଜା ପାଳିଛନ୍ତି ମୁସଲମାନ ଭାଇଭଉଣୀମାନେ । ହେଲେ ଏଥର ମସଜିଦରେ ନୁହେଁ ଘରେ ପରିବାର ସହ ପଢ଼ାଯାଉଛି ନମାଜ । କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଲକଡାଉନ୍‌ ନିୟମକୁ ସମ୍ପୂର୍ଣ୍ଣ ମାନି ଏଥର ରମଜାନ ପାଳନ ହେଉଛି ।

ଲକଡାଉନର କଟକଣା ଯୋଗୁଁ ମସଜିଦରେ ପାରମ୍ପରିକ ସେହରି ବା ଇଫତାର ଓ ତାରାବି ପାଳନ ହୋଇନାହିଁ । ରାଜଧାନୀ ଭୁବନେଶ୍ୱରର କୌଣସି ମସଜିଦରେ ବାଜିନି ଲାଉଡ଼ ମାଇକ୍ରୋଫୋନ । ମୁସଲମାନ ଭାଇଭଉଣୀମାନେ ଏଥର ନିଜ ନିଜ ଘରେ ସାମୂହିକ ନମାଜ ପାଠ ବା ତାରବି କରିଛନ୍ତି । ଏକ ମାସ ଯାଏ ସେମାନେ ପାଳିବେ ରୋଜା, ହେଲେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଘରେ ରହି ସାମଜିକ ଦୂରତା ଓ କରୋନା ନିୟମକୁ ପାଳି ଏଥର ସମସ୍ତେ ରମଜାନ ପାଳନ କରିବେ ।

‘‘ଘରେ ରହି ଆଲ୍ଲାଙ୍କ ପାଖରେ ଏତିକ ପ୍ରାର୍ଥନା କରୁଛୁ କରନା ମହାମାରୀରୁ ଆମ ସମାଜକୁ ମୁକ୍ତ କରନ୍ତୁ । ପୁଣି ଥରେ ଆମକୁ ସେ ସୁସ୍ଥ ସୁନ୍ଦର ଭୁବନେଶ୍ୱର ଫେରେଇ ଦିଅନ୍ତୁ,’’ କହିଛନ୍ତି ୟୁନିଟ-୯ ବାସିନ୍ଦା ଶେଖ ନିଜାମୁଦ୍ଦିନ । ଝାରପଡ଼ା ବାସିନ୍ଦା ମୁସରଫ ଖାନ କହିଛନ୍ତି ଯେ ମୁସଲମାନ ସମ୍ପ୍ରଦାୟ ସରକାରଙ୍କ ନିୟମକୁ ପୂର୍ଣ୍ଣ ରୂପେ ସମର୍ଥନ କରୁଛି । ‘‘ସାମାଜିକ ଦୂରତ୍ୱ ବଜାୟ ରଖି ଆମେ ପରିବାରର ସବୁ ସଦସ୍ୟ ମିଶି ତାରାବି କରିଛୁ । ତୁରନ୍ତ ଏ ମହାମାରୀ ଦୂର କରିଦିଅନ୍ତୁ ବୋଲି ଆଲ୍ଲାଙ୍କୁ ଡାକୁଛୁ,’’ ସେ କହିଛନ୍ତି ।

ସାଧାରଣତଃ ରମଜାନ ମାସ ଆରମ୍ଭ ହେବା ପୂର୍ବରୁ ମସଜିଦ ଆଗରେ ଲାଗିଯାଏ ଗହଳି । ଲାଛା, ଖଜୁରୀ, ଫାଲୁଦା, କାଜୁ ଓ କିସମିସ ସାଙ୍ଗକୁ ଭଳିକି ଭଳି ଖାଦ୍ୟ ଓ ପାନୀୟ ର ଆସର ବି ଜମେ । ମାସ ସାରା ରୋଜା କରନ୍ତି ମୁସଲିମ ସମ୍ପ୍ରଦାୟର ଲୋକେ । ହେଲେ ଏଥର ସବୁଠି ଖାଁ ଖାଁ ।

‘‘ଏଥର ଘରେ ରହି କୋରାନ ପାଠ କରିଛନ୍ତି ସମସ୍ତେ । ଏଥି ସହ ସାମାଜିକ ଦୂରତା ରକ୍ଷା କରି ଦାନଧର୍ମ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହା ଦ୍ୱାରା ଆଲ୍ଲା ଖୁସି ହୁଅନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଦରିଦ୍ରମାନଙ୍କ ତାଲିକା କରି ସେମାନଙ୍କୁ ଦାନ କରିବୁ,’’ କହିଛନ୍ତି ଜାମା ମସଜିଦ ସଭାପତି ମହମ୍ମଦ ଶାହନୱାଜ ।

ଶନିବାର ଭୋରରୁ ସେହରି ଖାଇକି ତାରବି କରାଯାଇଛି । ସନ୍ଧ୍ୟାରେ ଇଫତାର ପାଳିତ ହୋଇଛି । ‘‘ହେଲେ ଏ ଥର ନା ଆମେ କୁଆଡ଼େ ଯାଇପାରିଛୁ ନା ଆମ ଘରକୁ କେହି ଅତିଥି ଆସି ପାରିଛନ୍ତି । ତେଣୁ ସମାଜର ମଙ୍ଗଳ ଓ ସୁରକ୍ଷା ପାଇଁ କେବଳ ପରିବାର ସଦସ୍ୟ ବସି କୋରାନ ପାଠ କରିଛୁ,’’ କହିଛନ୍ତି ଶାହନୱାଜ ।

କରୋନା ପାଇଁ ଏବେ ସବୁ ଧାର୍ମିକ ପୀଠ ବନ୍ଦ ରହିଛି। ଲକଡ଼ାଉନ ଖୋଲିବା ପରେ ସରକାରଙ୍କ ନିର୍ଦ୍ଦେଶ ମିଳିଲେ ମସଜିଦ ଆସି ଦାନ ଧର୍ମ କରିବେ ବୋଲି କହିଛନ୍ତି ମୁସଲମାନ ସମ୍ପ୍ରଦାୟର ଲୋକେ । ଆଉ ଅନୁମତି ନ ମିଳିଲେ ମାସ ଯାକ ଏଭଳି ଘରେ ରହି ତାରାବି କରିବେ । ମାସ ଯାକ ରୋଜା ରଖିବା ପରେ ଇଦରେ ଜହ୍ନ ଦେଖି ରୋଜା ଖୋଲିବେ ମୁସଲମାନ ଭାଇଭଉଣୀମାନେ ।
First published: April 25, 2020, 8:27 PM IST
corona virus btn
corona virus btn
Loading