News18 Odia Digital
ଭୁବନେଶ୍ୱର: ଆଜି ପବିତ୍ର ରାମ ନବମୀ, ହେଲେ କରୋନା ଭାଇରସ୍ ଯୋଗୁଁ ଜାରି ଥିବା ଲକଡାଉନ୍ କାରଣରୁ ସବୁ କିଛି ଫିକା ରହିଛି । ଗତ କାଲି ଅଶୋକାଷ୍ଟମୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପରମ୍ପରା ଭାଙ୍ଗିଥିବା ବେଳେ ଆଜି ସାରା ରାଜ୍ୟରେ ରଙ୍ଗହୀନ ହୋଇଛି ରାମ ନବମୀ ଉତ୍ସବ।
ଭୁବନେଶ୍ବରର ପ୍ରସିଦ୍ଧ ରାମ ମନ୍ଦିର ସମ୍ପୂର୍ଣ ଖାଁ ଖାଁ ପଡ଼ିଥିଲା ଓ ମନ୍ଦିରର ମୁଖ୍ୟ ଫାଟକରେ ଝୁଲୁଥିଲା ତାଲା । ପ୍ରତି ବର୍ଷ ରାମ ନବମୀରେ ଯେଉଁ ରାମ ମନ୍ଦିର ଫୁଲ ଓ ଆଲୋକମାଳାରେ ଝଲସି ଉଠେ, ତାହା ସମ୍ପୂର୍ଣ୍ଣ ବେରଙ୍ଗ ଦିଶୁଥିଲା । ମନ୍ଦିର ବାହାରେ ଭକ୍ତ ନୁହେଁ, ମୁତୟନ ହୋଇଥିଲେ ପୋଲିସକର୍ମୀ । ମନ୍ଦିର ଭିତରକୁ କାହାରିକୁ ପ୍ରବେଶ କରିବା ପାଇଁ ଅନୁମତି ନ ଥିଲା ।
ମନ୍ଦିର ଭିତରେ ନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା ଚାଲିଥିଲା ସତ, ହେଲେ ଦେବଦର୍ଶନ ବନ୍ଦ ରହିଥିଲା । ସକାଳୁ ମନ୍ଦିର ଖୋଲା ହେବା ପରେ ନୀତି ଅନୁଯାୟୀ ସ୍ନାନ ଓ ନୂତନ ବସ୍ତ୍ର ପରିଧାନ ପରେ ମଙ୍ଗଳ ଆଳତି ଓ ପୂଜାର୍ଚ୍ଚନା କରାଯାଇଥିଲା । ଠିକ୍ ଏହି ନୀତିରେ ଦିନ ତମାମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।
ଦର୍ଶନ କରିବାକୁ ଆସିଥିବା ଭକ୍ତମାନେ ମନ୍ଦିର ଭିତରକୁ ନ ଯାଇ ପାରି ବାହାରେ ଦୀପ ଜାଳିବା ସହ ମୁଣ୍ଡିଆ ମାରି ବାହାରୁ ଦର୍ଶନ କରି ଫେରିଥିଲେ । ବର୍ଷକୁ ଥରେ ପ୍ରଭୁଙ୍କ ଏହି ଜନ୍ମ ଉତ୍ସବରେ ଓଷା ବ୍ରତ କରୁଥିବା ଭକ୍ତମାନଙ୍କ ମନରେ କିଛି ଅସନ୍ତୋଷ ଦେଖିବାକୁ ମିଳିଥିଲା।

ରାମ ମନ୍ଦିରରେ ଥିବା ରାମ, ସୀତା ଓ ଲକ୍ଷ୍ମଣଙ୍କ ପ୍ରତିମା
‘‘ଖାଲି ଭକ୍ତ ନୁହେଁ ଏଭଳି ମହାମାରୀରେ ଭଗବାନ ବି କ୍ବାରେଣ୍ଟାଇନରେ ଅଛନ୍ତି । ଏ ବର୍ଷ ବିନା ଉତ୍ସବରେ ପ୍ରଭୁଙ୍କ ପୂଜା ଚାଲିଛି,’’ ମନ ଦୁଃଖରେ କହିଥିଲେ ରାମ ମନ୍ଦିର ମନ୍ଦିର ପୂଜକ ଶ୍ରୀ ଝା ।
ଖାଲି ରାଜଧାନୀର ରାମ ମନ୍ଦିର ନୁହେଁ, ରାଜ୍ୟର ସବୁ ମନ୍ଦିରରେ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ । ସିଆରପି ଛକରେ ଥିବା ହନୁମାନ ମନ୍ଦିର ହେଉ କି ବାଟାଲିଅନ୍ ଛକ ହନୁମାନ ମନ୍ଦିର, ସହରର ସମସ୍ତ ମନ୍ଦିରରେ ତାଲା ପଡିଥିବା ବେଳେ ଭିତରେ କେବଳ ଦେବ ନୀତି ଚାଲିଥିଲା । କେଉଁଠି କେଉଁଠି କାଁ ଭାଁ ଲୋକ ଦେଖିବାକୁ ମିଳିଥିଲା । ତେବେ କରୋନା ପାଇଁ ଦେବ ଦର୍ଶନ ମଧ୍ୟ ବନ୍ଦ ଥିବାରୁ ଭକ୍ତ ସାମାନ୍ୟ ମନ ଦୁଃଖ କରିଛନ୍ତି । ବାହାରୁ ମନ୍ଦିରକୁ ବଢ଼ାଇ ଦେଇଛନ୍ତି ଫଳ ମୂଳ ଭୋଗ କରିବାକୁ । ପୂଜକ ବି ମୁହଁରେ ମାସ୍କ ପିନ୍ଧି ପୂଜା କରୁଥିବା ଦେଖିବାକୁ ମିଳିଛି ।
ପ୍ରଥମେ ରୁକୁଣା ରଥଯାତ୍ରା, ତାପରେ ରାମ ନବମୀ ଫିକା ରହିବା ପରେ ପଣା ସଂକ୍ରାନ୍ତି ବି ଏହି ଭଳି ଭାବେ ପାଳନ ହୋଇପାରେ ବୋଲି ରାଜଧାନୀବାସୀ ଏବେ ଠାରୁ ଚିନ୍ତାରେ ପଡ଼ିଲେଣି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।