ଶ୍ରୀମନ୍ଦିରରେ ମା’ ସୁଭଦ୍ରାଙ୍କ ହାତରୁ ବିଶ୍ୱର ସର୍ବବୃହତ ରାକ୍ଷୀ ପିନ୍ଧିଲେ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର

ଶ୍ରାବଣ ପୂର୍ଣ୍ଣିମାର ଦଶ ଦିନ ଆଗରୁ ୧୫ କିଲୋଗ୍ରାମ ବାସୁଙ୍ଗା ପାଟରେ ତିଆରି ହୋଇଥାଏ ମହାପ୍ରଭୁଙ୍କ ରାକ୍ଷୀ । ଏହାର ଓସାର ଏକ ଫୁଟ ଓ ଉଚ୍ଚତା ଅଧ ଫୁଟ । ବଳଭଦ୍ରଙ୍କ ଜନ୍ମ ଦିବସ ବି ପାଳିତ ହୋଇଛି ଶ୍ରୀମନ୍ଦିରରେ ।

ଶ୍ରୀମନ୍ଦିରରେ ମା’ ସୁଭଦ୍ରାଙ୍କ ହାତରୁ ବିଶ୍ୱର ସର୍ବବୃହତ ରାକ୍ଷୀ ପିନ୍ଧିଲେ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର
ମହାପ୍ରଭୁଙ୍କ ରାକ୍ଷୀ ନେଇ ଶ୍ରୀମନ୍ଦିରକୁ ଯାଉଛନ୍ତି ଜଣେ ସେବାୟତ ।
  • News18 Odia
  • Last Updated: August 3, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରକ୍ଷା ବନ୍ଧନ ପର୍ବ ଖୁବ୍‌ ଧୁମଧାମରେ ପାଳିତ ହୋଇଛି  । ସବୁ ବର୍ଷ ପରି ଗୋଟିଏ ଦିନରେ ଗହ୍ମା ପୂର୍ଣ୍ଣିମା ଓ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି ପାଳିତ ହୋଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଏହି ରାକ୍ଷୀ ବିଶ୍ୱର ସର୍ବବୃହତ ରାକ୍ଷୀ ।

ଶ୍ରାବଣ ପୂର୍ଣ୍ଣିମାର ଦଶ ଦିନ ଆଗରୁ ତିଆରି ହୋଇଥାଏ ମହାପ୍ରଭୁଙ୍କ ରାକ୍ଷୀ । ଏଥି ପାଇଁ ଶ୍ରୀମନ୍ଦିରର ପାଟେରା ବିଶୋଇ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତି ବର୍ଷ ୧୫ କିଲୋଗ୍ରାମ ବାସୁଙ୍ଗା ପାଟ ଦିଆଯାଇଥାଏ । ସେହି ପାଟରେ ତିଆରି ହୁଏ ରାକ୍ଷୀ । ପ୍ରଥମେ ବାସୁଙ୍ଗା ପାଟକୁ ଧୋଇ ତାକୁ ପାନିଆରେ ସମାନ କରାଯାଏ । ତା’ ପରେ ତାକୁ ରଙ୍ଗରେ ବୁଡ଼ାଯାଏ  । ପରେ ତାକୁ ସାଇଜ କରି କାଟି ଅତି ସୁନ୍ଦର ଭାବେ ବନାଯାଏ । ମହାପ୍ରଭୁ ଜଗନ୍ନାଥଙ୍କର ଦୁଇଟି ଓ ବଡ଼ ଭାଇ ବଳଭଦ୍ରଙ୍କର ଦୁଇଟି ଲେଖାଏଁ ସମୁଦାୟ ଚାରିଟି ରାକ୍ଷୀ ତିଆରି କରାଯାଏ ଓ ଚାରିଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଏ । ପ୍ରତି ଗୁଆମାଳରେ ୫୪ଟି ଲେଖାଏଁ ଗୁଆ ଦିଆଯାଇଥାଏ  ।

‘‘ହଳଦିଆ ଓ ନାଲି ରାକ୍ଷୀ ଓ ଗୁଆମାଳ ଜଗନ୍ନାଥଙ୍କୁ ଆଉ ନେଳି ଓ ବାଇଗଣୀ ରଙ୍ଗର ରାକ୍ଷୀ ବଳଭଦ୍ରଙ୍କୁ ଲାଗିକରାଯାଏ । ମହାପ୍ରଭୁଙ୍କର ଏହି ରାକ୍ଷୀ ହେଉଛି ବିଶ୍ୱର ସର୍ବବୃହତ ରାକ୍ଷୀ । କାରଣ ଏହାର ଓସାର ଏକ ଫୁଟ ଓ ଉଚ୍ଚତା ଅଧ ଫୁଟ ହେବ । ମହାପ୍ରଭୁ ରତ୍ନ ସିଂହାସନରେ ରାକ୍ଷୀକୁ ଲାଗି ହୋଇସାରିଲେ ତାହା ମଣିଷଙ୍କ ହାତରେ ରାକ୍ଷୀ ସାଇଜର ଦେଖାଯାଇଥାଏ । ମହାପ୍ରଭୁଙ୍କର ସବୁ ଶ୍ରେଷ୍ଠ ହୋଇଥିବା ବେଳେ ରାକ୍ଷୀ ବି ବିଶ୍ୱର ଶ୍ରେଷ୍ଠ,’’ କହିଛନ୍ତି ୬୮ ବର୍ଷୀୟ ପାଟେରା ବିଶୋଇ ସେବାୟତ ଜଗନ୍ନାଥ ପାତ୍ର ।

ମହାପ୍ରଭୁଙ୍କ ରାକ୍ଷୀ


ରାକ୍ଷୀ ପୂର୍ଣ୍ଣିମା ଦିନ ଗୋପାଳବଲ୍ଲଭ ଧୂପ ପରେ ପାଟେରା ବିଶୋଇ ଶ୍ରୀମନ୍ଦିରକୁ ନେଇକରି ମେକାପକୁ ଦେଇଥାନ୍ତି । ସିଂହାରି ସେବକମାନେ ଏହି ରାକ୍ଷୀକୁ ମହାପ୍ରଭୁଙ୍କୁ ଲାଗିକରିଥାନ୍ତି । ଏ ବର୍ଷ କରୋନାକୁ ନେଇ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଥିବାରୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି କୋଟି କୋଟି ଭକ୍ତ ।

ଶ୍ରାବଣ ପୂର୍ଣ୍ଣିମାର ଦଶ ଦିନ ଆଗରୁ ତିଆରି ହୋଇଥାଏ ମହାପ୍ରଭୁଙ୍କ ରାକ୍ଷୀ ।


‘‘ଭାଇ ଓ ଭଉଣୀଙ୍କ ମଧ୍ୟରେ ସ୍ନେହର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା ପର୍ବକୁ ଖାଲି ମନୁଷ୍ୟ ନୁହେଁ ଦେବତାମାନେ ବି ପାଳନ କରିଥାନ୍ତି । ଆଜି ମହାପ୍ରଭୁ ମା’ ସୁଭଦ୍ରାଙ୍କ ଠାରୁ ବିଶ୍ୱର ସର୍ବବୃହତ ରାକ୍ଷୀକୁ ପରିଧାନ କରିଛନ୍ତି । ଏହି ତିଥିରେ ବଳଭଦ୍ରଙ୍କ ଜନ୍ମଦିବସ ପଡୁଥିବାରୁ ରାକ୍ଷୀ ଉତ୍ସବକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଉଛି । ବଳଭଦ୍ରଙ୍କର ହାତରେ ହଳ ଓ ମୁଷଳ ଶୋଭା ପାଉଥିବାରୁ ଫସଲର ଉନ୍ନତି ପାଇଁ ମଧ୍ୟ ଶ୍ରୀମନ୍ଦିରରେ ବଳଭଦ୍ରଙ୍କର ଜନ୍ମ ଦିନକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଇଥାଏ । ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ବଳଭଦ୍ରଙ୍କ ଜନ୍ମ ନୀତି । ଦଇତାପତି ସେବାୟତମାନେ ମାର୍କଣ୍ଡ ପୁଷ୍କରିଣୀ ଯାଇ ସେଠାରେ ଜନ୍ମ ମଣ୍ଡପ ଉପରେ ବଳଭଦ୍ରଙ୍କ ମାଟିର ପ୍ରତିମା କରି ଜନ୍ମ ନୀତି କରିଛନ୍ତି,’’ କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ରିୟା ଓ ତାଙ୍କ ପରିବାର ପାଇଁ ପାଲଟିଥିଲେ ATM; ଇଡି ବି ତଦନ୍ତ କରୁଛି

ଏହା ବି ପଢ଼ନ୍ତୁ: ରାମ ମନ୍ଦିର ନିର୍ମାଣ: ମୁସଲମାନ ଯୁବତୀ ନିଜ ହାତରେ ‘ଶ୍ରୀରାମ’ ନାମର ସ୍ଥାୟୀ ଟାଟୁ ବନେଇଲେ

ରକ୍ଷା ବନ୍ଧନରେ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଶ୍ରୀନଅରକୁ ମହାପ୍ରଭୁଙ୍କ ଗତ ବର୍ଷର ଜଗନ୍ନାଥଙ୍କର ଓ ବଳଭଦ୍ରଙ୍କର ଗୋଟିଏ ଲେଖାଏଁ ଓଲାଗି ତାଟ ରାକ୍ଷୀକୁ ଭଣ୍ଡାର ଘରେ ଭଣ୍ଡାର ମେକାପ ରଖିଥାନ୍ତି । ଆଉ ଗହ୍ମା ପୂର୍ଣ୍ଣିମା ଦିନ ଭଣ୍ଡାର ମେକାପ ସେହି ଓଲାଗି ତାଟ ରାଖି ଦୁଇଟି ଏକ ମାଟି ପାତ୍ରରେ ବଡୁମହାପାତ୍ର ସେବାୟତଙ୍କୁ ଦେଇଥାନ୍ତି । ‘‘ତାହାକୁ ଧରି ପଟୁଆରରେ ରାକ୍ଷୀ ଶ୍ରୀନଅରକୁ ବିଜେ ହୋଇଥାଏ । ତାଟ ରାକ୍ଷୀକୁ ଧରି ବଡୁମହାପାତ୍ର ସେବାୟତ ଗଜପତିଙ୍କ ନଅର ଠାକୁରାଣୀ କନକ ଦୁର୍ଗାଙ୍କ ପାଖକୁ ନେଇକରି ଯାଇଥାନ୍ତି । ହେଲେ ଚଳିତ ବର୍ଷ କରୋନା ମହାମାରୀକୁ ନେଇ ରାକ୍ଷୀ ପୁର୍ଣ୍ଣିମା ନିରାଡମ୍ବର ଢଙ୍ଗରେ ପାଳିତ ହୋଇଛି,’’ କହିଛନ୍ତି ଯୁବ ସେବାୟତ ରାଜନାରାୟଣ ବଡୁମହାପାତ୍ର  ।



ନିଜର ସୁରକ୍ଷା କାମନା କରି ଭାଇ ହାତରେ ଭଉଣୀ ବାନ୍ଧି ଦିଏ ସୁତା ଖଣ୍ଡେ । ଏହା ଯୁଗ ଯୁଗ ପାଇଁ ଦୃଢ଼ କରିଦିଏ ଭାଇ ଭଉଣୀର ପବିତ୍ର ବନ୍ଧନକୁ  । ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ସହ ଏହି ରକ୍ଷାବନ୍ଧନ ନୀତି ନିରାଡମ୍ବର ସହକାରେ ପାଳନ କରାଯାଇଛି । ରକ୍ଷା ପୂର୍ଣ୍ଣିମାରେ ଗୋ ପୂଜନ ହେବା ସହ ଘରେ ଓ ମଠବାଡ଼ିମାନଙ୍କର ମହାପ୍ରଭୁଙ୍କୁ ରାଖୀ ଲାଗି କରାଯିବାର ପରମ୍ପରା ବି ରହିଛି ।
Published by: Anand Shankar Thankur Das
First published: August 3, 2020, 11:58 PM IST
corona virus btn
corona virus btn
Loading