News18 Odia Digital
ଭୁବନେଶ୍ୱର: ସମ୍ପର୍କର ଡୋରି ରାଖୀ । ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ମଜବୁତ କରିଥାଏ ରାଖୀ । ହେଲେ ଏ ଥର କରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ରାଖୀ ପୂର୍ଣ୍ଣିମା ଆସିବା ଆଗରୁ ସହରର ଗଳି କନ୍ଦିରେ ମାଳ ମାଳ ଦୋକାନ ଖୋଲିଥାଏ । ହେଲେ ଏବେ ଖାଁ ଖାଁ ପରିବେଶ । କାଁ ଭାଁ ଗୋଟିଏ ଦୁଇଟି ଦୋକାନକୁ ବାଦ ଦେଲେ ଏ ଥର ରାଖୀ ଦୋକାନ କେଉଁଠି ଖୋଲିନି । ଏଭଳି ସ୍ଥିତିରେ ପାରମ୍ପରିକ ରାଖୀକୁ ପ୍ରୋତ୍ସାହନ ଦେଇଛି ଓରମାସ୍ । ମିଶନ ଶକ୍ତି ସହାୟତାରେ ରାଜଧାନୀରେ ଖୋଲିଥିବା ମାସ୍କ ଷ୍ଟଲରେ ବିକ୍ରି ହେଉଛି ରାଖୀ ।
ଓରମାସର ଷ୍ଟଲରେ ମିଳୁଥିବା ରାଖୀ କୌଣସି ଫ୍ୟାନସୀ ବା ଡିଜାଇନର ରାଖୀ ନୁହେଁ । ଏହା ପ୍ରସ୍ତୁତ ହୋଇଛି ସବାଇ ଘାସ, ଧାନ, ମୁଗ ଓ ବିରିରେ । ଏହା ଗ୍ରାହକମାନଙ୍କୁ ଖୁବ୍ ଆକର୍ଷିତ କରୁଛି । ପ୍ରଥମ ଥର ପାଇଁ ମିଶନ ଶକ୍ତି ସହାୟତାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ କରିଛନ୍ତି ଏମିତି ଭିନ୍ନ ପ୍ରକାରର ରାଖୀ । ସେ ସବୁ ତିଆରି ହୋଇଛି ସବାଇ ଘାସ ଓ ବିଭିନ୍ନ ପ୍ରକାର ଶସ୍ୟରେ ।
‘‘କରୋନା ସମୟରେ ସମସ୍ତେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ମହିଳାଙ୍କ ପାଇଁ ମିଶନ ଶକ୍ତି ସହାୟତାର ହାତ ବଢାଇଛି । ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଓ ବାଲେଶ୍ଵର ଭଳି ଜିଲ୍ଲାର ଗ୍ରାମାଞ୍ଚଳର ଆର୍ଥିକ ଅନଗ୍ରସର ମହିଳା ଓ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଏହି ରାଖୀକୁ ସଂଗ୍ରହ କରି ବଜାରରେ ବିକ୍ରି କରାଯାଉଛି,’’ କହିଛନ୍ତି ତ୍ରିଶକ୍ତି ଏସଏଚଜି ସଦସ୍ୟା ରଶ୍ମିତା ସାବତ ।

ଶସ୍ୟରେ ତିଆରି ସୁନ୍ଦର ରାଖୀ
ଭୁବନେଶ୍ୱର ୟୁନିଟ-୮ରେ ମିଶନ ଶକ୍ତି ପକ୍ଷରୁ ଲାଗିଥିବା ମାସ୍କ ଷ୍ଟଲରେ ଏହି ରାଖୀ ବିକ୍ରି ହେଉଛି। ୧୫ ଟଙ୍କାରୁ ୩୦ ଟଙ୍କା ଯାଏ ରହିଛି ଏହାର ମୂଲ୍ୟ । ପାରମ୍ପରିକ ସାମଗ୍ରୀରେ ପ୍ରସ୍ତୁତ ହୋଇଥିବା ଭଳିକି ଭଳି ଡିଜାଇନର ରାଖୀ ରହିଛି । ଅନଲାଇନ ରାଖୀ ଠାରୁ ଏହା ଶସ୍ତା ଓ ସୁନ୍ଦର ଥିବାରୁ ଗ୍ରାହକଙ୍କ ପସନ୍ଦ ପାଲଟିଛି ।
‘‘ଯେନ ବଦ୍ଧୋ ବଳୀ ରାଜା, ଦାନବେନ୍ଦ୍ରୋ ମହାବଳଃ, ତେନ ତ୍ୱାମଭିବଧ୍ନାମି, ରକ୍ଷେ ମା ଚଳ ମା ଚଳ। (ଅର୍ଥ: ଯେଉଁ ରାକ୍ଷୀ ଦ୍ୱାରା ମହାନ ଶକ୍ତିଶାଳୀ ଦାନବେନ୍ଦ୍ର ରାଜା ବଳିକୁ ବନ୍ଧା ଯାଇଥିଲା, ସେହି ରକ୍ଷାବନ୍ଧନର ପବିତ୍ର ସୂତ୍ରକୁ ମୁଁ ତୁମ ହାତରେ ବାନ୍ଧୁଛି, ଏହି ଡୋର ତୁମର ରକ୍ଷା କରିବ।) ଏହି ବାର୍ତ୍ତା ସହ ଭାଇ ହାତରେ ରାଖୀ ବାନ୍ଧି ତା’ର ମଙ୍ଗଳକାମନା କରିଥାଏ ଭଉଣୀ ।

କରୋନା ଯୋଦ୍ଧାଙ୍କ ପାଇଁ ରାଖୀ ବନାଉଛନ୍ତି ଛାତ୍ରୀ ହରପ୍ରିୟା
ଘରେ ରହି ବିଭିନ୍ନ ଅଦରକାରୀ ସମଗ୍ରୀରୁ ରାଖୀ ପ୍ରସ୍ତୁତ କରିଛନ୍ତି ରାଜଧାନୀର ଜଣେ ଛାତ୍ରୀ । କପଡା, କାଗଜ, ସୂତା, ଅଦରକାରୀ ପଥର ଓ ମାଳି ବ୍ୟବହାର କରି ରାଖୀ ପ୍ରସ୍ତୁତ କରିଛନ୍ତି ହରପ୍ରିୟା । ଏବେ ଯାଏ ପ୍ରାୟ ୫୦୦ ରାଖୀ ସେ ତିଆରି କରିସାରିଲେଣି।
ଏହା ବି ପଢ଼ନ୍ତୁ: ଭାରତରେ ଲଞ୍ଚ୍ ହେଲା କରୋନାର ଏ ପର୍ଯ୍ୟନ୍ତ ସବୁ ଠୁ ଶସ୍ତା ଔଷଧ; କେତେ ଦାମ୍ ଜାଣନ୍ତୁ
ଏହା ବି ପଢ଼ନ୍ତୁ: Rakhi Purnima: ବାରାଣସୀରେ ମୁସଲିମ୍ ମହିଳାମାନେ ମୋଦିଙ୍କ ପାଇଁ ତିଆରି କରୁଛନ୍ତି ସ୍ୱଦେଶୀ ରାକ୍ଷୀ
‘‘ଭାଇର ସୁରକ୍ଷା ପାଇଁ ଭଉଣୀ ତା’ ହାତରେ ରାଖୀ ବାନ୍ଧିଥାଏ । କରୋନା ମହାମାରୀ ସମୟରେ ଡାକ୍ତର, ପୋଲିସ ଓ ସ୍ବାସ୍ଥ୍ୟ କର୍ମୀଙ୍କ ଭଳି ଅନେକ ଯୋଦ୍ଧା ଦିନରାତି କାମ କରୁଛନ୍ତି। ନିଜ ଜୀବନକୁ ବାଜି ଲଗାଇ ଆମକୁ ସୁରକ୍ଷା ଦେଉଛନ୍ତି। ତେଣୁ ସେଇ କରୋନା ଯୋଦ୍ଧାଙ୍କ ହାତରେ ରାଖୀ ବାନ୍ଧି ସେମାନଙ୍କ ସୁରକ୍ଷା କାମନା କରିବି। ବିକ୍ରି ପାଇଁ ନୁହେଁ, କରୋନା ଯୋଦ୍ଧାଙ୍କ ପାଇଁ ଏ ରାଖୀ ପ୍ରସ୍ତୁତ କରୁଛି,’’ କହିଛନ୍ତି ବିଜେବି କଲେଜର ସାମ୍ବାଦିକତା ଛାତ୍ରୀ ହରପ୍ରିୟା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।