କରୋନା ମୁକାବିଲା ପାଇଁ କଟକର ପ୍ରଥମ ବେସରକାରୀ ସ୍ଥାନରେ ଖୋଲିଲା କ୍ବାରେଣ୍ଟାଇନ୍ ୱାର୍ଡ଼

ବାରବାଟୀ ଷ୍ଟାଡିଅମର କର୍ପୋରେଟ୍ ବକ୍ସର ୧୩ଟି ପ୍ରକୋଷ୍ଠକୁ କ୍ବାରେଣ୍ଟାଇନ ବା ସଙ୍ଗରୋଧ ୱାର୍ଡ଼ କରାଯାଇଛି । ସହରର ୧୭ ବେସରକାରୀ ସ୍ଥାନରେ ରହିବ ୨,୦୦୦ ବେଡ୍ । କାଲି ଦୋକାନ ବଜାର ଶତ ପ୍ରତିଶତ ବନ୍ଦ ରଖିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ।

କରୋନା ମୁକାବିଲା ପାଇଁ କଟକର ପ୍ରଥମ ବେସରକାରୀ ସ୍ଥାନରେ ଖୋଲିଲା କ୍ବାରେଣ୍ଟାଇନ୍ ୱାର୍ଡ଼
କର୍ପୋରେଟ୍ ବକ୍ସ ଭିତରେ ଗୋଟିଏ ରୁମର ପ୍ରସ୍ତୁତି ଚାଲିଛି ।
  • News18 Odia
  • Last Updated: March 21, 2020, 2:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କରୋନା ଭାଇରସ ସଂକ୍ରମଣର ସ୍ଥିତି ଉଦ୍ବେଗଜନକ ହେଲେ ତାକୁ ମୁକାବିଲା କରିବା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରି କଟକ ଜିଲ୍ଳା ପ୍ରଶାସନ ସହରରେ ପ୍ରଥମ ବେସରକାରୀ ସ୍ଥାନରେ ଖୋଲିଛି ଏକ କ୍ବାରେଣ୍ଟାଇନ ବା ସଙ୍ଗରୋଧ ୱାର୍ଡ଼ । ତା’ ସହିତ ସହରର ୧୭ଟି ବେସରକାରୀ ସ୍ଥାନକୁ କ୍ବାରେଣ୍ଟାଇନ୍ ବା ସଙ୍ଗରୋଧ ୱାର୍ଡ଼ ଭାବେ ଚିହ୍ନଟ କରି ସେହି ସ୍ଥାନଗୁଡିକରେ ୨,୦୦୦ ବେଡ୍‌ ପକାଇବାକୁ ଯୋଜନା କରିଛି ପ୍ରଶାସନ ।

ବାରବାଟୀ ଷ୍ଟାଡିୟମକୁ କ୍ବାରେଣ୍ଟାଇନ୍ ବା ସଙ୍ଗରୋଧ ୱାର୍ଡ଼ ଭାବେ ବ୍ୟବହାର ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟାୟରେ କର୍ପୋରେଟ୍ ବକ୍ସର ୧୩ଟି ପ୍ରକୋଷ୍ଠରେ ଗୋଟିଏ ଲେଖାଏଁ ବେଡ୍‌ ରଖାଯାଇଛି । ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରତ ପ୍ରତିଟି ପ୍ରକୋଷ୍ଠରେ ଅସ୍ଥାୟୀ ବେଡର ବ୍ୟବସ୍ଥା ହୋଇଛି । ବାକି ୩୫ଟି ପ୍ରକୋଷ୍ଠକୁ ଆସନ୍ତା କାଲି ସୁଦ୍ଧା ପ୍ରସ୍ତୁତ କରି ରଖାଯିବ ।

“କ୍ବାରେଣ୍ଟାଇନ ବା ସଙ୍ଗରୋଧ ପାଇଁ ଆମେ ସହରର ୧୭ଟି ସ୍ଥାନ ଚିହ୍ନଟ କରିଛୁ । ସେହି ସବୁ ସ୍ଥାନରେ ଦୁଇ ହଜାର ବେଡ୍‌ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ ବାରବାଟୀ ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଉଛି । ଖୁବ୍‌ ଶୀଘ୍ର ବାକି ସ୍ଥାନ ଗୁଡ଼ିକରେ ମଧ୍ୟ ବ୍ୟବସ୍ଥା କରାଯିବ,” କହିଛନ୍ତି କଟକ ଉପଜିଲ୍ଳାପାଳ ଶୁଭ୍ରାଶୁଂ ମିଶ୍ର ।

କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଆଜି ଠାରୁ କୌଣସି ସ୍ଥାନରେ ସାତ ଜଣରୁ ଅଧିକ ଲୋକ ଏକତ୍ର ହେବା ଉପରେ କଟକଣା ଲାଗୁ କରିବା ପରେ କଟକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି ହେଉଥିବା ଦୋକାନଗୁଡିକୁ ବାଦ ଦେଇ ସହରର ସମସ୍ତ ଦେକାନ ବଜାରକୁ କମିଶନରେଟ ପୋଲିସ ବନ୍ଦ କରିଛି ।

ନିଜନିଜ ଥାନା ଅଞ୍ଚଳରେ ଥିବା ଦେକାନ ବଜାରକୁ ବନ୍ଦ କରିବା ପାଇଁ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରିବା ସହ ବନ୍ଦ ରଖିବାକୁ ତାଗିଦ କରିଛି ପୋଲିସ । କ୍ଷତି ସହିବାକୁ ପଡୁଥିଲେ ମଧ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ବ୍ୟବସାୟୀ ଓ ସାଧାରଣ ଲୋକେ ।

“ଦୋକାନ ବନ୍ଦ ନେଇ ମୋ ପାଖରେ ସୂଚନା ନ ଥିଲା । ସେଥି ପାଇଁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ମୁଁ ତାକୁ ବିକ୍ରି ପାଇଁ ଆଣିଲି । କିନ୍ତୁ ଦେକାନଗୁଡ଼ିକ ବନ୍ଦ ରଖିବା ପାଇଁ ପିସିଆର ଦୁଇ ଥର ପ୍ରଚାର କରି ଯାଇଥିବାରୁ ମୁଁ ପ୍ରସ୍ତୁତ କରି ଆଣିଥିବା ଦହିବରା ଓ ଆଳୁଦମକୁ କୌଣସି ଅନାଥାଶ୍ରମରେ ବାଣ୍ଟି ଦେବି । ଏହା ଦ୍ବାରା ମୋତେ କ୍ଷତି ସହିବାକୁ ପଡ଼ିଲେ ମଧ୍ୟ କରୋନା ସତର୍କତା ପାଇଁ ସେହି କ୍ଷତିକୁ ମୁଁ ସହିଯିବି,” କହିଛନ୍ତି ବାରବାଟୀ ଷ୍ଟାଡିୟମ ନିକଟରେ ଦହିବରା ଦେକାନ କରିଥିବା ବ୍ୟବସାୟୀ ଶେଷଦେବ ରଉତ ।

ଆଜି ସକାଳୁ ସହରର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରଖିବା ପାଇଁ ପୋଲିସ ପକ୍ଷରୁ ପ୍ରଚାର କରାଯାଇଥିଲା । ଅପରାହ୍ଣ ସୁଦ୍ଧା ସହରର ଅନେକ ସ୍ଥାନରେ ଥିବା ଦେକାନ ବନ୍ଦ ହୋଇଯାଇଥିଲା । ଆସନ୍ତା କାଲି ଜନତା କର୍ଫୁ ପାଇଁ ସ୍ବତନ୍ତ୍ର ଯୋଜନା କରିଛି କମିଶନରେଟ ପୋଲିସ ।

“ଆଜି ଆମେ ସହରର ସମସ୍ତ ଦେକାନ ବଜାର ବନ୍ଦ ରଖିବା ପାଇଁ ବ୍ୟବସାୟୀମାନଙ୍କୁ ଅବଗତ କରାଇଛୁ । କିନ୍ତୁ ଆସନ୍ତା କାଲି ଯେଭଳି ଦୋକାନ ବଜାର ଶତ ପ୍ରତିଶତ ବନ୍ଦ ରହିବ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରରରେ ୧୩ ପ୍ଲାଟୁନ ପୋଲିସ ମୁତୟନ କରିବା ସହ ପାଟ୍ରେଲିଂ ମଧ୍ୟ କରାଯିବ ଏବଂ ଏହାର ଅନୁଧ୍ୟାନ ପାଇଁ ସୁପରଭାଇଜିଂ ଅଫିସରମାନଙ୍କୁ ମଧ୍ୟ ନିୟୋଜିତ କରୁଛୁ” କହିଛନ୍ତି କଟକ ଡିସିପି ।
First published: March 21, 2020, 2:38 PM IST