ପୁରୀ ସହର ଓ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକଡାଉନ୍; ଅବମାନନାକାରୀଙ୍କର ୪୦ଟି ବାଇକ୍ ଜବତ ହେଲା

ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକ ସାମାଜିକ ଦୁରତା ପାଳନ କରୁ ନ ଥିବାରୁ କିଛି ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସମୁଦ୍ର କୂଳ ରାସ୍ତା ଓ ଶ୍ରୀମନ୍ଦିର ରାସ୍ତା ସମ୍ପୂର୍ଣ୍ଣ ନାକା ବନ୍ଦୀ କରାଯାଇଛି ।

ପୁରୀ ସହର ଓ ଜିଲ୍ଲାରେ ସମ୍ପୂର୍ଣ୍ଣ ଲକଡାଉନ୍; ଅବମାନନାକାରୀଙ୍କର ୪୦ଟି ବାଇକ୍ ଜବତ ହେଲା
ପୁରୀରେ କରୋନା ଭାଇରସକୁ ନେଇ ହୋଇଥିବା ମକ୍ ଡ୍ରିଲର ଏକ ଦୃଶ୍ୟ
  • News18 Odia
  • Last Updated: March 25, 2020, 11:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କରୋନା ଭାଇରସକୁ ନେଇ ଉପୁଜିଥିବା ସଙ୍କଟ ଯୋଗୁଁ ସମ୍ପୂର୍ଣ୍ଣ ପୁରୀ ଜିଲ୍ଲା ଲକଡାଉନରେ ଥିବା ଯୋଗୁଁ  ଅଯଥା ବାହାରେ ବୁଲୁଥିବା ଲୋକମାନଙ୍କ ବିରୁଦ୍ଧରେ ଜିଲା ପୁଲିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି ଉମାଶଙ୍କର ଦାଶ । ସହରକୁ ଛଅଟି ସେକ୍ଟରରେ ଭାଗ କରାଯାଇ ୨୦ଟି ଅତିରିକ୍ତ ପିସିଆର ଭ୍ୟାନରେ ପାଟ୍ରୋଲିଂ କରାଯାଉଛି ।

ସହରବାସୀଙ୍କ ପାଇଁ ତିନୋଟି ପନିପରିବା ମାର୍କେଟର ବ୍ୟବସ୍ଥା କରାଯାଇଛି ଓ ସନ୍ଧ୍ୟା ୬ଟା ପରେ ମାର୍କେଟକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଜାରୀ ହୋଇଛି । ସମୁଦ୍ର କୂଳ ରାସ୍ତା ଓ ଶ୍ରୀମନ୍ଦିର ରାସ୍ତା ସମ୍ପୂର୍ଣ୍ଣ ନାକା ବନ୍ଦୀ କରାଯାଇଛି । ଶ୍ରୀମନ୍ଦିରକୁ ଯାଉଥିବା ପାଳିଆ ସେବାୟତମାନଙ୍କୁ ପ୍ରଶିକ୍ଷଣପ୍ରାପ୍ତ ଜଗନ୍ନାଥ ଟେମ୍ପଲ୍‌ ପୁଲିସ ଚାରି ଦ୍ୱାରରେ ଥର୍ମାଲ ସ୍କ୍ରିନିଂ କରିବା ପରେ ଭିତରକୁ ଛାଡ଼ୁଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ପଜିଟିଭ ରୋଗୀ ଆସିଲେ ସେମାନଙ୍କୁ ଆଣିବା ଠାରୁ ତାଙ୍କର ଚେକ୍‌-ଅପ ଓ ଚିକିତ୍ସା ସହ ଆଇସୋଲେସନରେ ରହିବାକୁ ନେଇ କରାଯାଇଛି ମକ ଡ୍ରିଲ ।

‘‘ଲକଡାଉନ ମାର୍ଚ୍ଚ ୨୨ରୁ ୨୯ ଯାଏଁ ରାଜ୍ୟ ସରକାର ଲାଗୁ କରିଥିବା ବେଳେ ପୁଣି ୨୧ ଦିନ ପାଇଁ ଏହାକୁ ବଳବତ୍ତର କରିବା ପାଇଁ ପ୍ରଧାନ ମନ୍ତ୍ରୀଙ୍କ ପରାମର୍ଶ ପରେ ଆମେ ପୂରା ସତର୍କ ଓ ସଜାଗ ରହିଛୁ । ଘରୁ ବିନା କାରଣରେ ବାହାରିଲେ ବାଜିବ ପୁଲିସର ଦଣ୍ଡା। ପୁରୀ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକଡାଉନ କରାଯାଇଛି,’’ କହିଛନ୍ତି ପୁରୀ ଏସ୍‌.ପି. ଉମାଶଙ୍କର ଦାଶ ।

ପୁରୀ ସହରରେ ଥିବା ସାତଟି ଥାନା ଅଞ୍ଚଳକୁ ତିନିଟି ଜୋନରେ ବିଭକ୍ତ କରାଯାଇ ଛଅଟି ସେକ୍ଚର କରାଯାଇଛି ଓ ସହର ଭିତରେ ବଡଦାଣ୍ଡ ସମେତ ପ୍ରବେଶ ଓ ପ୍ରସ୍ଥାନ ପଛକୁ ମିଶାଇ ୨୬ଟି ବ୍ଲକିଂ ପଏଣ୍ଟ କରାଯାଇ ନାକାବନ୍ଦୀ କରାଯାଇଛି ବୋଲି ସେ କହିଛନ୍ତି । ପାଟ୍ରୋଲିଂ ପାଇଁ ପିସିଆରକୁ ବାଦ୍‌ ଦେଇ ଆହୁରି ୨୦ଟି ଭ୍ୟାନକୁ ନିୟୋଜିତ କରାଯାଇଛି ।

‘‘ଆମେ ପ୍ରଥମେ ଦିନେ ଦୁଇ ଦିନ ଲୋକଙ୍କୁ ସଚେତନ କରାଇଥିଲୁ । ଲକଡାଉନକୁ ନେଇ ଅବମାନନା କରିଥିବା ଲୋକଙ୍କର ୪୦ଟି ବାଇକ୍‌ ଜବତ କରାଯାଇଛି,’’ କହିଛନ୍ତି ମିଶ୍ର ।

ଲକଡାଉନ୍ ବେଳେ ସନ୍ଧ୍ୟାରେ ବଡ଼ ଦାଣ୍ଡର ଦୃଶ୍ୟ


ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକ ସାମାଜିକ ଦୁରତ୍ୱ ପାଳନ କରୁ ନ ଥିବାରୁ କିଛି ଦୋକାନୀଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଛି । ପ୍ରବେଶ ପଥମାନଙ୍କରେ ନୋ କ୍ରସିଂ ପଏଣ୍ଟ କରାଯାଇଛି । ଗ୍ରାମାଞ୍ଚଳମାନଙ୍କରେ ମଧ୍ୟ ଲୋକେ ସଚେତନ ହୋଇ କାହାକୁ ଗାଁ ଭିତରକୁ ପୂରାଇ ଦେଉନାହାନ୍ତି  ।

ପୋଲିସ ତରଫରୁ ବରିଷ୍ଠ ନାଗରିକଙ୍କର ତଥ୍ୟ ରଖାଯାଇ ସେମାନଙ୍କୁ ସହଯୋଗ କରିବା ପାଇଁ ‘ୟୁଥ ଫର ବେଟର ପୁରୀ’ ନାଁରେ କିଛି ସହରର ଯୁବକ ପୁଲିସର ନିର୍ଦ୍ଦେଶରେ ବରିଷ୍ଠ ନାଗରିକଙ୍କୁ ସହଯୋଗ କରୁଛନ୍ତି । ‘‘ପୁଲିସ କର୍ମୀମାନେ ନିଜ ଜୀବନକୁ ବାଜି ଲଗେଇ ଯେଭଳି କାର୍ଯ୍ୟ କରୁଛନ୍ତି ତାହା ଦେଖି ଲୋକେ ସେମାନଙ୍କ କଥା ମାନିବା ଉଚିତ," କହିଛନ୍ତି ମିଶ୍ର ।

ସହରରେ ସବୁଠୁ ଅଧିକ ଲକଡାଉନର ଉଲଙ୍ଘନ ଦେଖିବାକୁ ମିଳିଛି ପନିପରିବା ମାର୍କେଟରେ । ସେ ନେଇ ପୌରସଂସ୍ଥା ପକ୍ଷରୁ ତିନୋଟି ଜୋନରେ ତିନୋଟି ମାର୍କେଟ କରାଯାଇଛି । ବଡଶଙ୍ଖ ଠାରୁ ଗୁଣ୍ଡିଚା ମନ୍ଦିର ଲୋକଙ୍କ ପାଇଁ ବଡଶଙ୍ଖ ପରିବା ମାର୍କେଟ, ମେଡିକାଲ ଛକରୁ ବଳଗଣ୍ଡି ଲୋକଙ୍କ ପାଇଁ ଜେଲ ରୋଡ଼ରେ କରାଯାଇଛି ନୂଆ ପରିବା ମାର୍କେଟ, ଓ ମାର୍କେଟ ଛକରୁ ମନ୍ଦିର ପର୍ଯ୍ୟନ୍ତ ଲୋକଙ୍କ ପାଇଁ ମାର୍କେଟ ଛକ ପରିବା ମାର୍କେଟ କରାଯାଇଛି  ।

‘‘ସନ୍ଧ୍ୟା ୬ଟା ପରେ ସବୁ ମାର୍କେଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଦୋକାନୀଙ୍କୁ ସେମାନଙ୍କ ଦୋକାନରେ ଗ୍ରାହକଙ୍କ ଭିତରେ ଦେଢ ମିଟର ଦୁରତ୍ୱରେ ରହିବା ପାଇଁ ତାଗିଦ କରାଯାଇଛି । ଡାକବାଜି ଯନ୍ତ୍ରରେ ମଧ୍ୟ ପୌର ସଂସ୍ଥା ପକ୍ଷରୁ ‘‘ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ’’ ଓ ‘‘ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନାହିଁ, ଘରୁ ଜଣେ ଆସି କିଣିକି ନେଇ ଯାଆନ୍ତୁ’’ ବୋଲି କୁହାଯାଉଛି । ଲୋକଙ୍କୁ ସବୁ ଦିନ ଘରୁ ଅଯଥାରେ ନ ବାହାରିବାକୁ ବାରମ୍ବାର କୁହାଯାଉଛି,’’ କହିଛନ୍ତି ପୁରୀ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ।

କରୋନାକୁ ନେଇ ପୁଲିସ, ପୌର ସଂସ୍ଥା ଓ ସବୁ ବିଭାଗ କାର୍ଯ୍ୟରତ ହୋଇଉଠିଛନ୍ତି । ପୁରୀ ଡାକ୍ତରଖାନାରେ କିଭଳି କରୋନା ପଜିଟିଭ ଚିହ୍ନଟ ହେଲେ କଣ କରିବାକୁ ପଡିବ ଓ ତାଙ୍କୁ ଘରୁ ଆଣିବା ଠାରୁ ଆରମ୍ଭ କରି ଚେକ୍‌-ଅପ ଓ ଆଇସୋଲେସନରେ ରଖିବା ପର୍ଯ୍ୟନ୍ତ ମକ ଡ୍ରିଲ୍‌ କରାଯାଇଛି ।

‘‘କରୋନାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନୋଟି ହୋଟେଲରେ ଉପଲବ୍ଧ ହୋଇଛି କ୍ୱାରାଣ୍ଟାଇନ ସୁବିଧା । ଏଥିରେ ସିଟି ରୋଡର ସାଗର ତରଙ୍ଗରେ ୨,୫୦୦ ଟଙ୍କା, ପାନ୍ଥନିବାସରେ ୩,୦୦୦ ଟଙ୍କା ଓ ବ୍ଲୁ ଲିଲିରେ ୩,୫୦୦ ଟଙ୍କାରେ ରୁମ୍‌ ସହ ଲଣ୍ଡ୍ରି, ଡିନର୍‌, ବେଡ୍‌ ଟି, ବ୍ରେକଫାଷ୍ଟ ଆଦି ସୁବିଧା ଦିଆଯିବ,’’ କହିଛନ୍ତି ପୁରୀ ଜିଲାପାଳ ବଲୱନ୍ତ ସିଂ ।

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲକଡାଉନ ସ୍ଥିତିରେ ରହି ଘରେ କାନଭାସ ଆର୍ଟ କରୁଛନ୍ତି । ନିଜ ପୁଅ ଓ ଝିଅଙ୍କ ସହ ଖେଳିବା ସହ ସେମାନଙ୍କ ସହ ଗୀତ ବୋଲିବା ଓ ଆର୍ଟ କରିବାରେ ମଧ୍ୟ ସହଯୋଗ କରୁଛନ୍ତି ।

ନିଜ ପୁଅ ସହିତ ଘରେ ଖେଳୁଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।


‘‘ଲୋକେ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ବାଲୁକା କଳା ମାଧ୍ୟମରେ ମୁଁ ଲୋକଙ୍କୁ ସଚେତନ କରୁଛି ଓ ଅନୁରୋଧ କରୁଛି । ଲୋକେ ସବୁବେଳେ ସରକାରଙ୍କ ପରାମର୍ଶ ମାନନ୍ତୁ । ଡିସେମ୍ବରରେ ମୁଁ ଇଟାଲୀ ଯାଇଥିବା ବେଳେ କିଛି ବନ୍ଧୁଙ୍କ ସହ ଦେଖାହୋଇଥିଲା, ଆଉ ଆଜି ସେହି ବନ୍ଧୁମାନେ କରୋନା ସଂକ୍ରମଣରେ ଆରପାରିରେ । ତେଣୁ ବିକଶିତ ରାଷ୍ଟ୍ର ହେଲେ ବି ଇଟାଲିର ଯେଭଳି ଅବସ୍ଥା ହୋଇଗଲା ସେଥିରୁ ଶିଖି ଆମେ ସଚେତନ ନ ହେଲେ ଆଗକୁ ମହାବିପତ୍ତି ଆସିପାରେ,’’ କହିଛନ୍ତି ସୁଦର୍ଶନ ପଟ୍ଟନାୟକ ।

ଲକଡାଉନକୁ ନେଇ ବନ୍ଦ ରହିଛି ଶ୍ରୀମନ୍ଦିର । କେବଳ ପାଳିଆ ସେବାୟତଙ୍କ ଦ୍ୱାରା ପ୍ରତି ଦିନ ମହାପ୍ରଭୁଙ୍କର ନୀତିକାନ୍ତି କରାଯାଉଛି । ‘‘ସେବାୟତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିରର ଚାରି ଦ୍ୱାରରେ ପ୍ରଶିକ୍ଷଣପ୍ରାପ୍ତ ଜଗନ୍ନାଥ ଟେମ୍ପଲ ପୁଲିସ ପକ୍ଷରୁ କରାଯାଉଥିବା ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ବହୁତ ଭଲ । କିଭଳି ଜଗନ୍ନାଥ ଏଭଳି ଦୁଃଖ ସମୟକୁ ଦୂରେଇ ଦିଅନ୍ତୁ ବୋଲି ଆମେ ପ୍ରାର୍ଥନା କରୁଛୁ,’’ କହିଛନ୍ତି ବରିଷ୍ଠ ସେବାୟତ ଲୋକନାଥ ସୁଆର ।

ଆସନ୍ତା ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ସାରା ଦେଶ ଲକଡାଉନରେ ରହିବ । ଲୋକେ ଏହାକୁ ସହଯୋଗ କରନ୍ତୁ ଓ ନିଜ ଘରେ ହିଁ ରୁହନ୍ତୁ ବୋଲି ଆହ୍ୱାନ କରିଛନ୍ତି ପୁରୀର ବରିଷ୍ଠ ଓ ପ୍ରବୁଦ୍ଧ ନାଗରିକମାନେ ।
First published: March 25, 2020, 11:23 PM IST