କରୋନା କଟକଣା: ପୁରୀ ସ୍ୱର୍ଗଦ୍ୱାରରେ ଏଣିକି ପୁରୀ ଜିଲ୍ଲା ବାହାରର ଲୋକଙ୍କ ଶବ ଦାହ ହୋଇପାରିବନି

ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ପଶ୍ଚିମ ବଙ୍ଗରୁ ସ୍ୱର୍ଗଦ୍ୱାରକୁ ଶବଦାହ ପାଇଁ ଆସି ଲୋକେ ଏକତ୍ରିତ ହେଉଥିବାରୁ ଏଠାରୁ କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ।

କରୋନା କଟକଣା: ପୁରୀ ସ୍ୱର୍ଗଦ୍ୱାରରେ ଏଣିକି ପୁରୀ ଜିଲ୍ଲା ବାହାରର ଲୋକଙ୍କ ଶବ ଦାହ ହୋଇପାରିବନି
ସ୍ବର୍ଗଦ୍ବାରରେ ଜୁନ୍ ମାସରେ ୯୦୦ ଶବ ଦାହ କରାଯାଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ରାଜ୍ୟରେ କରୋନା ସଂକ୍ରମଣର ବଢ଼ିଚାଲିଥିବା ମାମଲାଗୁଡ଼ିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଆଜି ସ୍ବର୍ଗଦ୍ବାରରେ ଲଗାଇଛି କଟକଣା । ଆସନ୍ତା କାଲି (ଜୁଲାଇ ୮) ଠାରୁ ପୁରୀ ଜିଲ୍ଲା ବାହାରର ଲୋକେ ସ୍ବର୍ଗଦ୍ବାରରେ ଶବଦାହ କରିପାରିବେ ନାହିଁ । କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କା ଏଡ଼ାଇବାକୁ ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ସମୁଦ୍ରରେ ଅସ୍ଥି ବିସର୍ଜନ ଉପରେ ମଧ୍ୟ କଟକଣା ଜାରି କରିଛି ପ୍ରଶାସନ । ଏହି କଟକଣା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । ସ୍ବର୍ଗଦ୍ବାରରେ ଜୁନ୍ ମାସରେ ୯୦୦ ଶବ ଦାହ କରାଯାଇଛି । ଏହା ଭିତରେ ୨୦୦ ଶବ ସ୍ଥାନୀୟ ଅଞ୍ଚଳର । ସ୍ବର୍ଗଦ୍ବାରରେ ଦୈନିକ ୭୦ରୁ ୮୦ ଶବ ଦାହ କରାଯାଇଥାଏ । ଏମିତିକି ପଶ୍ଚିମ ବଙ୍ଗର ମେଦିନିପୁରରୁ ମଧ୍ୟ ଲୋକେ ଶବ ସଂସ୍କାର କରିବାକୁ ସ୍ବର୍ଗଦ୍ବାରକୁ ଆଣି ଥାଆନ୍ତି ।

‘‘କୋଭିଡର ବର୍ତ୍ତମାନର ପରିସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ବିଶେଷ କରି ମୃତ୍ୟୁ ପରେ ଯେଉଁ ସମ୍ପର୍କୀୟମାନେ ଶବ ସହ ଆସନ୍ତି ସେମାନେ ହୁଏତ କରୋନା ପଜିଟିଭ୍‌ ଥାଇପାରନ୍ତି । ପୂରା ରାଜ୍ୟରୁ ଏଠାକୁ ଶବଦାହ ପାଇଁ ଆସି ଲୋକେ ଏକତ୍ରିତ ହେଉଥିବାରୁ ଏଠାରେ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ଏହି ସବୁ କାରଣରୁ ଆମକୁ ଏହି କଠୋର ନିଷ୍ପତ୍ତି ନେବାକୁ ପଡ଼ୁଛି,’’ କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ।

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ


ସେ କହିଛନ୍ତି ଯେ ଜୁଲାଇ ୮ ତାରିଖରୁ ପୁରୀ ଜିଲ୍ଲା ବାହାରର କୌଣସି ବ୍ୟକ୍ତି ବା ପରିବାରକୁ ପୁରୀର ସ୍ୱର୍ଗଦ୍ୱାରରେ ଶବ ଦାହ କରିବାକୁ ଅନୁମତି ଦିଆଯିବ ନାହିଁ । ସେ କହିଛନ୍ତି ଯେ ଏହି କଟକଣା କିଛି ଦିନ ଯାଏଁ ବଳବତ୍ତର ରହିବ । ଆଜି ପ୍ରଶାସନ ତରଫରୁ ଜିଲ୍ଲାରେ କରୋନା ଭାଇରସ୍‌ ସଂକ୍ରମଣ ଉପରେ ହୋଇଥିବା ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ସ୍ୱର୍ଗଦ୍ୱାରରେ ଶବଦାହ ପୂର୍ବରୁ ହେଉଥିବା ନୀତି


ଏହା ବି ପଢ଼ନ୍ତୁ: ବିବାହର ଦୁଇ ଦିନ ପରେ ବରର ମୃତ୍ୟୁ ହେଲା; ୧୦୦ ଜଣ ବନ୍ଧୁବାନ୍ଧବ କରୋନା ଆକ୍ରାନ୍ତ ହେଲେ

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ହିନ୍ଦୁ ଧର୍ମର ବିଶ୍ବାସ ଅନୁଯାୟୀ ସ୍ବର୍ଗଦ୍ବାରରେ ଶବ ଦାହ କଲେ ପରଲୋକଗତ ଆତ୍ମାର ସ୍ବର୍ଗପ୍ରାପ୍ତି ହୋଇଥାଏ । ସେଇ ବିଶ୍ବାସରେ ସ୍ବର୍ଗଦ୍ବାରରେ ନିଜ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର କରାଇବା ପାଇଁ ଲୋକେ ଅନ୍ତିମ ଇଚ୍ଛା କରି ଥାଆନ୍ତି । ଏବେ କଟକଣା ଜାରି ହେବା ପରେ ପୁରୀରେ ପ୍ରାୟ ୮୦ ପ୍ରତିଶତ ଶବ ଦାହ କମିଯିବାର ସମ୍ଭାବନା ରହିଛି । ଏହା ଶବଦାହ କାର୍ଯ୍ୟର ବିଭିନ୍ନ ଅଙ୍ଗ ସହିତ ଜଡ଼ିତ ସେଠାକାର ପାଖାପାଖି ୫୦ଟି ପରିବାର ଉପରେ ଆର୍ଥିକ କୁପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି ।
Published by: Anand Shankar Thankur Das
First published: July 7, 2020, 9:16 PM IST
corona virus btn
corona virus btn
Loading