ଅନଲାଇନ୍ ଶିକ୍ଷା: ପୁରୀରେ ପାଠ ପଢ଼ା ବେଳେ ମୋବାଇଲ୍ ଫାଟି ସପ୍ତମ ଶ୍ରେଣୀ ଛାତ୍ରୀ ଆହତ ହେଲେ

ପୁରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀଙ୍କ ସହ ଏହି ଘଟଣା ହେବା ପରେ ପ୍ରିନ୍ସିପାଲ ପ୍ରମିଳା ମିଶ୍ର କହିଛନ୍ତି ଯେ ପିଲାମାନେ ଅନଲାଇନରେ ପାଠ ପଢ଼ୁଥିବା ବେଳେ ମୋବାଇଲ ବା ଲାପଟପକୁ ଚାର୍ଜରେ ଲଗାଇ ପଢ଼ନ୍ତୁ ନାହିଁ । ଶିକ୍ଷକ-ଶିକ୍ଷୟିତ୍ରୀମାନେ ବି କ୍ଲାସ୍ ଆରମ୍ଭ କରିବା ଆଗରୁ ପିଲାଙ୍କୁ ସଚେତନ କରୁଛନ୍ତି।

ଅନଲାଇନ୍ ଶିକ୍ଷା: ପୁରୀରେ ପାଠ ପଢ଼ା ବେଳେ ମୋବାଇଲ୍ ଫାଟି ସପ୍ତମ ଶ୍ରେଣୀ ଛାତ୍ରୀ ଆହତ ହେଲେ
ଛାତ୍ରୀ ରୁପସା ପଲେଇ ଓ (ଡାହାଣ) ଫାଟି ଯିବା ପରେ ଜଳିଯାଇଥିବା ତାଙ୍କ ଫୋନ୍
  • News18 Odia
  • Last Updated: August 2, 2020, 11:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କୋଭିଡ କଟକଣା ଯୋଗୁଁ ସ୍କୁଲ୍‌ ବନ୍ଦ ଥିବାରୁ ଏବେ ପିଲାମାନଙ୍କର ଅନଲାଇନରେ ପାଠପଢ଼ା ଚାଲିଛି । ମୋବାଇଲ୍‌ ଫୋନ୍‌ ବ୍ୟବହାର କରି ଅନଲାଇନ ପାଠପଢ଼ା ସମୟରେ ଏକ ଅଭାବନୀୟ ଘଟଣା  ଘଟିଛି ପୁରୀରେ । ମୋବାଇଲ ଫୋନଟି ଫାଟି ଜଣେ ୧୨ ବର୍ଷୀୟା ଛାତ୍ରୀ ଆହତ ହୋଇଛି । ଏହି ଘଟଣାରୁ ଅନଲାଇନ୍‌ ଶିକ୍ଷାଦାନରେ ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ବିପଦ ଆଡ଼କୁ କେତେକାଂଶରେ ଲୋକଙ୍କ ଧ୍ୟାନ ଯାଇଛି ।

ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ବାଲିଘାଇ ଅଞ୍ଚଳ ଆଦର୍ଶ ନଗର ସାହିର ବିଦ୍ୟାଧର ପଲେଇଙ୍କ ଝିଅ ରୁପସା ପଲେଇ ଅଳ୍ପକେ ବଞ୍ଚିଯାଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ରୁପସା ଜୁଲାଇ ୨୮ ତାରିଖରେ ନିଜ ଘରେ ଅନଲାଇନରେ ସବୁ ଦିନ ଭଳି ପାଠ ପଢ଼ୁଥିଲେ । ନିଜ ବାପାଙ୍କ ମୋବାଇଲ ଫୋନରେ ସେଦିନ ସେ ଅନଲାଇନରେ ସୋସିଆଲ ସାଇନ୍ସର ପାଠପଢ଼ା କରୁଥିଲେ । ସେତିକି ବେଳେ ଘଟିଥିଲା ଅଘଟଣ ।

‘‘କିଛି ପାଠକୁ ଲେଖିବା ପାଇଁ ବାମ ହାତରେ ମୋବାଇଲଟି ଧରି ଖଟ ଉପରେ ବସି ମୁଁ ଲେଖୁଥିଲି । ଏତେ ସମୟ ପାଠପଢ଼ା ବେଳେ ମୋବାଇଲର ଚାର୍ଜ କମିଯାଇଥିଲା । ତେଣୁ ଚାର୍ଜରେ ବସାଇ ହାତରେ ଧରି ପାଠ ଲେଖୁଥିଲି । ସେତିକି ବେଳେ ମୋବାଇଲଟିରେ ହଠାତ ବିସ୍ଫୋରଣ ହେଲା ଓ ସେଇଟା ଫାଟିଗଲା । ମୁଁ ମୋବାଇଲଟିକୁ ଫୋପାଡ଼ି ଦେଲି । ତଳେ ପଡ଼ିଯିବା ପରେ ମୋବାଇଲଟି ଜଳିବାରେ ଲାଗିଲା । ମୁଁ ଭୟରେ ଚିତ୍କାର କରିବାରୁ ମା’ ଦୌଡ଼ି ଆସିଲେ,’’ କହିଛି ରୁପସା ।

ମୋବାଇଲ୍ ବିସ୍ଫୋରଣରେ ରୁପସାର ହାତରେ ହୋଇଥିବା ଫୋଟକା


ଭାଗ୍ୟକୁ ରୁପସାର ବେଶୀ କ୍ଷତି ହୋଇ ନାହିଁ । ତା’ର କେବଳ ବାମ ହାତର ପାପୁଲିଟିରେ ଫୋଟକା ହୋଇଯାଇଥିଲା । ମୋବାଇଲ୍‌ ଫୋନଟି କାହିଁକି ଫାଟିଲା ତାହା ଏ ପର୍ଯ୍ୟନ୍ତ ତା’ ପରିବାର ପାଇଁ ରହସ୍ୟ ହୋଇ ରହିଛି ।

କରୋନା ସଂକ୍ରମଣକୁ ନେଇ ସ୍କୁଲ ସବୁ ବନ୍ଦ ହେବା ଠାରୁ ଏବେ ପ୍ରତି ଦିନ ପିଲାଙ୍କର ଘଣ୍ଟା ଘଣ୍ଟା ଧରି ଅନଲାଇନ କ୍ଲାସ କରାଯାଉଛି  । ଏହା ଦ୍ୱାରା ପିଲାମାନେ ଏତେ ସମୟ ମୋବାଇଲକୁ ଅନ ରଖି ପାଠ ପଢ଼ିବା ଦ୍ୱାରା ତାହା ଗରମ ହୋଇଯାଉଛି  । ଗୋଟେ କ୍ଲାସ ସରିବାର ଅଧଘଣ୍ଟା ପରେ ପୁଣି ଆଉ ଏକ କ୍ଲାସ । ତେଣୁ ଲାପଟପ ଅବସ୍ଥା ଯାହା ହେଉଛି ମୋବାଇଲ ଅବସ୍ଥା ମଧ୍ୟ ତା’ ଠାରୁ ଅଧିକ ଖରାପ ହେଉଛି । ପୁଣି କ୍ଲାସ ହେବ ମାନେ ଅଭିଭାବକଙ୍କର କାମ ବନ୍ଦ କାରଣ ପିଲାଙ୍କୁ ମୋବାଇଲ ଦିଆଯାଇଥିବ ପାଠପଢ଼ା ପାଇଁ ।

ପୁରୀ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସିପାଲ ପ୍ରମିଳା ମିଶ୍ର


‘‘ମୋବାଇଲରେ ଚାର୍ଜ ସରିଯାଇ ଅଧିକାଂଶ ବେଳେ ବ୍ୟାଟେରୀ ଲୋ ହୋଇଯାଉଛି । ତେଣୁ ପିଲାମାନେ ଅନଲାଇନ କ୍ଲାସ ବେଳେ ମୋବାଇଲ ଚାର୍ଜରେ ବସାଇ ପାଠ ପଢୁଛନ୍ତି । ସେଦିନ ମୋବାଇଲ ଫାଟିବା ପରେ ଆମେ ଆତଙ୍କିତ ହୋଇପଡ଼ିଥିଲୁ । ମୋ’ ଝିଅ ସୁସ୍ଥ ଅଛି, ହେଲେ ମୋବାଇଲ ଫାଟିବା ଓ ତାହା ଜଳି ଉଠିବା ଯୋଗୁଁ ସେ ଭୟଭୀତ ହୋଇପଡ଼ିଛି,’’ କହିଛନ୍ତି ରୁପସାର ବାପା ବିଦ୍ୟାଧର ପଲେଇ ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ରିୟା ଓ ତାଙ୍କ ପରିବାର ପାଇଁ ପାଲଟିଥିଲେ ATM; ଇଡି ବି ତଦନ୍ତ କରୁଛି

ଏହା ବି ପଢ଼ନ୍ତୁ: ରାମ ମନ୍ଦିର ନିର୍ମାଣ: ମୁସଲମାନ ଯୁବତୀ ନିଜ ହାତରେ ‘ଶ୍ରୀରାମ’ ନାମର ସ୍ଥାୟୀ ଟାଟୁ ବନେଇଲେ



ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୁରୀ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସିପାଲ ପ୍ରମିଳା ମିଶ୍ର । ‘‘ରୁପସା ସହ ହୋଇଥିବା ଘଟଣା ମୁଁ ଶୁଣିଛି । ପ୍ରତି ଅଭିଭାବକଙ୍କୁ ମୁଁ ସଚେତନ କରାଇଛି ଯେ ସେମାନଙ୍କର ପିଲା ଅନଲାଇନରେ ପାଠ ପଢ଼ୁଥିବା ବେଳେ ମୋବାଇଲ କି ଲାପଟପକୁ ଚାର୍ଜରେ ଲଗାଇ ପାଠ ପଢ଼ନ୍ତୁ ନାହିଁ । ଚାର୍ଜ ସହିତ ଅନଲାଇନ ପାଠପଢ଼ା ସମୟରେ ତାହା ଗରମ ହୋଇ ଫାଟିଯିବାର ସମ୍ଭାବନା ରହିଛି  । ଏହାର ଉଦାହରଣ ହେଉଛି ରୁପସାର ଘଟଣା । ଭଗବାନଙ୍କ ଆର୍ଶିବାଦରୁ ସେ ସୁସ୍ଥ ଅଛି। ଆମେ ସବୁ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ କ୍ଲାସ ଆରମ୍ଭ ପୂର୍ବରୁ ପିଲାଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛୁ । ଅଭିଭାବକଙ୍କ ହ୍ୱାଟସଆପ୍‌ ଗୃପରେ ବି ଭିଡିଓ ବାର୍ତ୍ତା ଦେଇ ସଚେତନ କରାଯାଉଛି,’’ କହିଛନ୍ତି ପ୍ରମିଳା ମିଶ୍ର ।
Published by: Anand Shankar Thankur Das
First published: August 2, 2020, 11:32 PM IST
corona virus btn
corona virus btn
Loading