₹୮ କୋଟିରୁ କମି ₹୪ ଲକ୍ଷ: କରୋନା ଯୋଗୁଁ ତୀବ୍ର ବେଗରେ ଖସୁଛି ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଓ ସୁନାର ଆୟ

ବିଗତ ବର୍ଷମାନଙ୍କରେ ଶ୍ରୀମନ୍ଦିର ହୁଣ୍ଡିରୁ ୧୨ ମାସରେ ଅନ୍ୟୁନ ଆଠ କୋଟି ଟଙ୍କା ଦାନ ମିଳୁଥିବା ବେଳେ ଗତ ଆଠ ମାସରେ ମାତ୍ର ଚାରି ଲକ୍ଷ ଟଙ୍କାର ଦାନ ସେଥିରୁ ବାହାରିଛି । ଧନତେରାସରେ ସୁନା ପାତଟିଏ ବା ସୁନାର ପତଳା ଚାଦରଟିଏ ବି ପଡ଼ିନାହିଁ ହୁଣ୍ଡିରେ ।

₹୮ କୋଟିରୁ କମି ₹୪ ଲକ୍ଷ: କରୋନା ଯୋଗୁଁ ତୀବ୍ର ବେଗରେ ଖସୁଛି ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଓ ସୁନାର ଆୟ
ଶ୍ରୀମନ୍ଦିରର ହୁଣ୍ଡି ଓ (ଡାହାଣ) ଶ୍ରୀମନ୍ଦିର
  • News18 Odia
  • Last Updated: November 17, 2020, 11:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀମନ୍ଦିର ହୁଣ୍ଡିରେ ଆଉ ପଡୁନି ସୁନା କି ରୂପା । ଧନତେରାସରେ ସୁନା ପାତଟିଏ ବା ସୁନାର ସୂକ୍ଷ୍ମ ପତଳା ଚାଦରଟିଏ ବି ପଡ଼ିନାହିଁ ହୁଣ୍ଡିରେ । ଶ୍ରୀମନ୍ଦିରରେ କରୋନା କଟକଣା ଯୋଗୁଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିବାରୁ ଏଭଳି ସ୍ଥିତି ଉପୁଜିଛି । ହୁଣ୍ଡିର ଦାନ ଟଙ୍କା କମିବା ସହ ଶ୍ରୀମନ୍ଦିର ଉପାର୍ଜନକୁ ଭୀଷଣ ପ୍ରଭାବିତ କରିଛି କରୋନା ଭାଇରସ । ପୁରା ସହରରେ ସୁନା ଓ ରୂପାର ବିକ୍ରି ବି ଖୁବ୍‌ କମ୍‌ ହୋଇଯାଇଛି ।

୨୦୧୯ର ଧନତେରାସ ଦିନ ପୁରୀ ସହରରେ ଥିବା ପାଖାପାଖି ୫୦ଟି ଛୋଟବଡ଼ ସୁନା ଦୋକାନରେ ୨୦ କୋଟି ଟଙ୍କାର ସୁନା ବେପାର ହୋଇଥିବା ବେଳେ ଏ ବର୍ଷ ପ୍ରତିକୂଳ ପରିସ୍ଥିତି କାରଣରୁ ମାତ୍ର ଦୁଇ କୋଟି ଟଙ୍କାର ବେପାର ହୋଇଛି । ବିଗତ ବର୍ଷ ଜନ ସମାଗମ ଓ ପର୍ବପର୍ବାଣି ପାଳନ ଉପରେ କୌଣସି କଟକଣା ନ ଥିଲା ଓ ସୁନା ଦର ବି କମ୍‌ ଥିଲା । ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ଭିଡ଼ ବି ଥିଲା ।

ଏହା ବି ପଢ଼ନ୍ତୁ | ପଞ୍ଜାବରେ କାର୍ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ପରେ କାର୍ ଭିତରେ ଜଳି ମଲେ ଜଣ ଲୋକ

‘‘ଏ ବର୍ଷ କୋଭିଡ କଟକଣା ଯୋଗୁଁ ପୁରୀରେ ଧନତେରାସରେ ଅପେକ୍ଷାକୃତ କମ ବେପାର ହୋଇଛି । ଗତ ବର୍ଷ ତୁଳନାରେ ଏ ବର୍ଷ ଧନତେରାସରେ ବିକ୍ରି ଅତି ନୈରାଶ୍ୟଜନକ ଥିଲା । ଏହାର ମୁଖ୍ୟ କାରଣ କରୋନା କଟକଣା ଓ ସୁନାର ବର୍ଦ୍ଧିତ ଦର,’’ କହିଛନ୍ତି ପ୍ରସିଦ୍ଧ ସୁନା ବ୍ୟବସାୟୀ ତଥା ଜେ.କେ. ଜୁଏଲର୍ସର ମାଲିକ ୫୦ ବର୍ଷୀୟ ଜିତୁ ମହାନ୍ତି ।

ଗତ ବର୍ଷ ହୋଟେଲ ଓ  ଯାତ୍ରୀ ବ୍ୟବସାୟ ସାଧାରଣ ଢଙ୍ଗରେ ଚାଲିଥିବାରୁ ପୁରୀରେ ଲୋକଙ୍କ ପାଖରେ ଅର୍ଥର ଅଭାବ ନ ଥିଲା । ହେଲେ ଚଳିତ ବର୍ଷ ଲୋକଙ୍କ ଉପାର୍ଜନକୁ  କୋଭିଡ ସଂକ୍ରମଣ ଓ କଟକଣା ଠପ କରିଦେଇଛି ବୋଲି କହିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ।

ଏହା ବି ପଢ଼ନ୍ତୁ | Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ

‘‘ଶ୍ରୀମନ୍ଦିର ଦର୍ଶନ ପାଇଁ ଭକ୍ତ ଆସୁ ନ ଥିବାରୁ ସହରବାସୀଙ୍କ ଆୟ ଅନେକ ଗୁଣ କମିଯାଇଛି । ଲୋକେ ସାଧାରଣତଃ ଟଙ୍କା ବଳିଲେ ବା ବାହାଘର କି ବ୍ରତଘର କି ପର୍ବପର୍ବାଣି ପଡ଼ିଲେ ସୁନା କିଣନ୍ତି । କୋଭିଡ କାରଣରୁ ମହାପ୍ରଭୁଙ୍କ ହୁଣ୍ଡିରେ ବି ସୁନା ଦାନ କମିବା ଅସ୍ୱାଭାବିକ । ହୁଣ୍ଡି ଆୟ କମିବା ବି ନିରାଶାଜନକ,’’ କହିଛନ୍ତି ୫୬ ବର୍ଷୀୟ ଦାସ ମହାପାତ୍ର ।

ବିଗତ ଆଠ ମାସ ମଧ୍ୟରେ ମାତ୍ର ପାଖାପାଖି ଚାରି ଲକ୍ଷ ଟଙ୍କାର ଦାନ ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଛି । ସେପ୍ଟେମ୍ବର ପହିଲାରୁ ଆଜି ପର୍ଯ୍ୟନ୍ତ ଦେଢ଼ ମାସ ଭିତରେ ଶ୍ରୀମନ୍ଦିର ହୁଣ୍ଡିରୁ ଏକ ଲକ୍ଷ ୬୯ ହଜାର ୫୧୧ ଟଙ୍କା ବାହାରିଛି । ବିଗତ ବର୍ଷମାନଙ୍କରେ ଶ୍ରୀମନ୍ଦିର ହୁଣ୍ଡିରୁ ବାର ମାସରେ ଅନ୍ୟୁନ ଆଠ କୋଟି ଟଙ୍କା ଦାନ ମିଳୁଥିଲା ।

ଏହା ବି ପଢ଼ନ୍ତୁ | Bihar Elections ଦେଖାଇ ଦେଲା ଯେଉଁ ସରକାର ଲୋକଙ୍କ ପାଇଁ କାମ କରେ ସେହି ସରକାର ପୁଣି ଜିତେ

‘‘ଚଳିତ ଆର୍ଥିକ ବର୍ଷର ପ୍ରଥମ ଆଠ ମାସରେ ହୁଣ୍ଡି ଆୟ କୋଭିଡ କଟକଣା ସକାଶେ ହ୍ରାସ ପାଇଛି । ଭକ୍ତମାନେ ମନ୍ଦିରକୁ ଯାଉ ନ ଥିବାରୁ ପାଳିଆ ସେବାୟତଙ୍କ ଜରିଆରେ ଟଙ୍କା ଦେଇ ହୁଣ୍ଡିରେ ପକାଯାଉଛି । ଶ୍ରୀମନ୍ଦିର ହୁଣ୍ଡିରେ ଚଳିତ ବର୍ଷ ସୁନା ଓ ରୂପା ଜମା ପଡୁ ନ ଥିବା ଯୋଗୁଁ ଓ ଟଙ୍କା ଅଳ୍ପ ପଡୁଥିବାରୁ ଶ୍ରୀମନ୍ଦିର ହୁଣ୍ଡିରୁ ଆୟ ପ୍ରଭାବିତ ହୋଇଛି । ଏ ବର୍ଷ ଶ୍ରୀମନ୍ଦିରର ପୂର୍ଣ୍ଣାଙ୍ଗ ବଜେଟ ୧୫୪ କୋଟି ଟଙ୍କାର ହୋଇଥିବା ବେଳେ ବ୍ୟୟ ଅଧିକ ରହିଛି । ତେଣୁ ଭକ୍ତମାନେ ଅନଲାଇନ ମାଧ୍ୟମରେ ମହାପ୍ରଭୁଙ୍କୁ ଦାନ କରନ୍ତୁ,’’ କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡଃ କ୍ରୀଶନ କୁମାର ।



ଭକ୍ତ ଆସୁ ନ ଥିବାରୁ ଶ୍ରୀମନ୍ଦିର ହୁଣ୍ଡିରୁ ଅର୍ଥ ଆୟ ସହ ସୁନା ଓ ରୂପାର ଏହି ତୀବ୍ର ହ୍ରାସ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ଭକ୍ତମାନଙ୍କୁ ଚିନ୍ତିତ କରିଛି । କୋଭିଡ ଅବସ୍ଥା ସୁଧୁରିଲେ ହିଁ ଶ୍ରୀମନ୍ଦିର ହୁଣ୍ଡିରେ ଆୟ ବଢ଼ିବ ବୋଲି କହୁଛନ୍ତି ବିଶେଷଜ୍ଞମାନେ ।
Published by: Anand Shankar Thankur Das
First published: November 17, 2020, 11:57 PM IST
corona virus btn
corona virus btn
Loading